ରାଜ୍ୟରେ ଗତ ୨୪ ଘଣ୍ଟାରେ ୪୦୭ ଜଣ କରୋନା ପଜିଟିଭ୍ ହୋଇଥିବା ବେଳେ ୬ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୮୨୨୦କୁ ବୃଦ୍ଧି ପାଇଛି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୧୦୨୮୩୬୬ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୫୦୭୫ଟି ଆକ୍ଟିଭ୍ କେସ୍ ରହିଥିବା ବେଳେ ୧୦୧୫୦୧୮ଜଣ ସୁସ୍ଥ ହୋଇଛନ୍ତି ।
ଆଜି (ସୋମବାର) ଦିନିକିଆ ଗଜପତି ଜିଲ୍ଲା ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସକାଳୁ ହେଲିକପ୍ଟର ଯୋଗେ ଆସି ୧୧ଟାରେ ପାରଳାଖେମୁଣ୍ଡି ଷ୍ଟାଡିୟମରେ ପହଁଞ୍ଚିବେ । ବିଏସକେଓ୍ୱାଇ ସ୍ମାର୍ଟ କାର୍ଡ ହିତାଧିକାରୀଙ୍କୁ ବଣ୍ଟନ କରିବା ସହ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ଉଦଘାଟନ ସହ ଶୁଭ ଦେବାର କାର୍ଯ୍ୟକ୍ରମ ରହିଛି ।
ଭୁବନେଶ୍ୱର ରେଳଷ୍ଟେସନ ବିଶ୍ୱସ୍ତରୀୟ ଷ୍ଟେସନରେ ପରିଣତ ହେବ । ଏଥିନିମନ୍ତେ PPP ମୋଡ଼ରେ ଷ୍ଟେସନ ଡେଭଲପମେଣ୍ଟ ପ୍ଲାନ କରାଯାଇ ବିକାଶ କରାଯିବ। ରେଲେଓ୍ୱ ପାଖରେ ସୀମିତ ଜାଗା ରହିଛି ଏବଂ ବଳକା ଜାଗା ବିଡିଏ ପାଖରେ ରହିଛି । ବିଡିଏ ସହ ଆଲୋଚନା କରି ଯୁଗ୍ମ ଭାବେ ପ୍ଲାନ ପ୍ରସ୍ତୁତ ହୋଇଥିବା ସୂଚନା ଦେଇଛନ୍ତି ରେଳବୋର୍ଡ଼ ଅଧ୍ୟକ୍ଷ ତଥା ସିଇଓ ସୁନୀତ ଶର୍ମା ।
ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୨୦୭୯୯ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୧୮୦ ଜଣଙ୍କ ମୃତ୍ୟୁ ହୋଇଛି । ସେହିପରି ନୂତନ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୩କୋଟି ୩୮ ଲକ୍ଷ ୩୪ ହଜାର ୭୦୨ରେ ପହଁଚିଛି । ଏହା ବ୍ୟତୀତ ମୃତ୍ୟୁସଂଖ୍ୟା ୪ ଲକ୍ଷ ୪୮ ହଜାର ୯୯୭ରେ ପହଞ୍ଚିଛି । ଏବେ ଦେଶରେ ୨୬୪୪୫୮ ସକ୍ରିୟ ମାମଲା ରହିଥିବା ବେଳେ ୩୩୧୨୧୨୪୭ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।
ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲୁଏଚ୍ଓ)ର ମୁଖ୍ୟ ବୈଜ୍ଞାନିକ ସୌମ୍ୟା ସ୍ବାମୀନାଥନ୍ କହିଛନ୍ତି, ଭାରତ ବିଶ୍ବର ଅନ୍ୟତମ ଔଷଧ ନିର୍ମାତା ବନିବା ହେଉଛି ୭୫ ବର୍ଷ ଭିତରେ ଦେଶ ପାଇଁ ଏକ ବଡ଼ ସଫଳତା । ଏକ ଟିଭି ଚାନେଲରେ ଡ. ସ୍ବାମୀନାଥମନ କହିଲେ ଯେ, ଭାରତ ଇତିମଧ୍ୟରେ ଚାରିଟି ବଡ଼ ସଫଳତା ହାସଲ କରିଛି। ପୋଲିଓ ନିର୍ମୂଳନ ଓ ଅନ୍ୟ କେତେକ ଟିକା ଦ୍ବାରା ନିବାରଣଯୋଗ୍ୟ ରୋଗରୁ ମୁକ୍ତିଠାରୁ ଆରମ୍ଭକରି ମାତୃ ଓ ଶିଶୁ ମୃତ୍ୟୁହାର ହ୍ରାସ କରିବା ଏବଂ ବିଭିନ୍ନ ଔଷଧ ଓ ଟିକା ନିର୍ମାଣ କରି ବିଶ୍ବକୁ ଯୋଗାଇବା ଦ୍ବାରା ଭାରତ ବିଶ୍ବର ଅନ୍ୟତମ ଔଷଧ ନିର୍ମାତାରେ ପରିଣତ ହୋଇଛି।
ବିଶ୍ୱରେ ଆଜି ପର୍ଯ୍ୟନ୍ତ ୨୩ କୋଟି ୫୬ ଲକ୍ଷ ୯୮ ହଜାର ୧୫୫ ଜଣ ଲୋକ କରୋନାରେ ସଂକ୍ରମିତ ହୋଇସାରିଥିବା ବେଳେ ୪୮ ଲକ୍ଷ ୧୫ ହଜାର ୪୭୪ ଜଣ ଲୋକଙ୍କର ମୃତ୍ୟୁ ହୋଇଛି । ୨୧ କୋଟି ୨୫ ଲକ୍ଷ ୫୪ ହଜାର ୯୦୩ ଜଣ ସୁସ୍ଥ ହୋଇଥିବା ବେଳେ ୧ କୋଟି ୮୩ ଲକ୍ଷ ୨୭ ହଜାର ୭୭୮ଜଣ ଲୋକ ସକ୍ରିୟ ଅଛନ୍ତି ।
ବିଶ୍ୱ ବ୍ୟାଙ୍କ ସଂସ୍ଥା ପକ୍ଷରୁ କୁହାଯାଇଛି, ଦେଶରେ ବିଦ୍ୟାଳୟ ଖୋଲିବା ପୂର୍ବରୁ ବ୍ୟାପକ ଟୀକାକରଣ ପାଇଁ ଅପେକ୍ଷା କରିବା ଆବଶ୍ୟକ ନାହିଁ । କାରଣ ବୈଜ୍ଞାନିକ ପ୍ରମାଣ ସ୍ପଷ୍ଟ ଭାବରେ ସୂଚିତ କରେ ଯେ ପିଲାମାନଙ୍କଠାରେ COVID-19 ସଂକ୍ରମଣ ଆଶଙ୍କା କମ୍ । ବିଶ୍ୱ ବ୍ୟାଙ୍କର ଶିକ୍ଷା ଦଳ ବିଶ୍ୱର ବିଭିନ୍ନ ଦେଶର ଅଭିଜ୍ଞତାକୁ ଆଧାର କରି ଏକ ନୀତି ନୋଟ୍ ପ୍ରସ୍ତୁତ କରିଛନ୍ତି ଯେଉଁଠାରେ ପୂର୍ବରୁ ବିଦ୍ୟାଳୟଗୁଡ଼ିକ ଖୋଲାଯାଇଛି । ସତର୍କତାର ସହିତ ବିଦ୍ୟାଳୟ ଖୋଲିବା ଦ୍ୱାରା ଛାତ୍ର, କର୍ମଚାରୀ ଏବଂ ସମାଜରେ ସଂକ୍ରମଣ ବିସ୍ତାର ହେବାର ଆଶଙ୍କା ବହୁତ କମ୍ ବୋଲି ପରାମର୍ଶ ଦିଆଯାଇଛି ।