ଆଜିର ଖାସ୍ ଖବର

ରାଜ୍ୟରେ ଗତ ୨୪ ଘଣ୍ଟାରେ ୫୮୨ ଜଣ କରୋନା ପଜିଟିଭ୍ ହୋଇଥିବା ବେଳେ ୭ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୮୨୩୪କୁ ବୃଦ୍ଧି ପାଇଛି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୧୦୨୯୯୯୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୫୧୧୩ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୧୦୧୬୫୯୪ଜଣ ସୁସ୍ଥ ହୋଇଛନ୍ତି । 

ଉତ୍ତର ଆଣ୍ଡାମାନ ନିକଟରେ ଏକ ଘୂର୍ଣ୍ଣିବଳୟ କ୍ଷେତ୍ର ସୃଷ୍ଟି ହୋଇଛି । ଆସନ୍ତା ୧୦ ତାରିଖ ସୁଦ୍ଧା ଏହା ଲଘୁଚାପରେ ପରିଣତ ହେବ । ଏଥିସହିତ ଆଉ ଏକ ଲଘୁଚାପ ୧୨ ତାରିଖ ସୁଦ୍ଧା ସୃଷ୍ଟି ହେବ । ଉଭୟ ଲଘୁଚାପ ମିଶି ଆଣ୍ଡାମାନ ଉପକୂଳରେ ୩ରୁ ୪ ଦିନ ରହି ବଳ ଗୋଟାଇବ ।ଏହା ଧୀରେ ଧୀରେ ଘନୀଭୂତ ହୋଇ ଭୟଙ୍କର ବାତ୍ୟାରେ ରୂପାନ୍ତରିତ ହେବ । ଆସନ୍ତା ୧୪ ତାରିଖ ବେଳକୁ ଏହା ଆହୁରି ଅଧିକ ଘନୀଭୂତ ହୋଇ ଭୟଙ୍କର ବାତ୍ୟା (ଭେରି ସିଭିୟର ସାଇକ୍ଲୋନ) ରେ ପରିଣତ ହେବ ବୋଲି ଅନୁମାନ କରାଯାଉଛି । ତେବେ ସୃଷ୍ଟି ହେବାକୁ ଥିବା ଏହି ବାତ୍ୟାର ନାମ ଜୱାଦ

ବିଇଡି ଓ ସିଟି ପାଠ୍ୟକ୍ରମରେ ନାମଲେଖା ପାଇଁ ଆଜି (ଗୁରୁବାର) ପ୍ରବେଶିକା ପରୀକ୍ଷା ଆରମ୍ଭ ହେବ । ୭ ଓ ୮ ତାରିଖରେ ପ୍ରବେଶିକା ପରୀକ୍ଷା ହେବାକୁ ଥିବାବେଳେ ବିଭାଗ ପକ୍ଷରୁ ପରୀକ୍ଷା ନେଇ କଡ଼ା କଟକଣା କରାଯାଇଛି । ସିଟି ପ୍ରବେଶିକା ପରୀକ୍ଷା ଏସସିଇଆର୍‌ଟି ଦ୍ୱାରା ପରିଚାଳିତ ହେଉଥିବା ବେଳେ ବିଇଡି ଓ ବିଏଚ୍‌ଇଡି ପ୍ରବେଶିକା ଉଚ୍ଚଶିକ୍ଷା ବିଭାଗ ଦ୍ୱାରା ପରିଚାଳିତ ହେଉଛି । ପରୀକ୍ଷା ପୂର୍ବାହ୍ଣ ୧୧ଟା ୩୦ରୁ ଅପରାହ୍ଣ ୧ଟା ମଧ୍ୟରେ ହେବ ।

ଓଡିଆ ଅଭିନେତ୍ରୀ ଉଷସୀ ମିଶ୍ର କରୋନାରେ ଆକ୍ରାନ୍ତ ହୋଇଛନ୍ତି । ତାଙ୍କର କୋଭିଡ଼ ଟେଷ୍ଟ ରିପୋର୍ଟ ପଜିଟିଭ୍‌ ଆସିଛି । ଏବେ ସେ ଆଇସୋଲେସନ୍‌ରେ ଅଛନ୍ତି।

ଆଜି ପୁରୀ ଜିଲ୍ଲା ବ୍ରହ୍ମଗିରି ନିର୍ବାଚନମଣ୍ଡଳୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀ ବ୍ରହ୍ମଗିରିରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଅନ୍ତର୍ଗତ ସ୍ମାର୍ଟ ହେଲଥ କାର୍ଡ ବଣ୍ଟନ କରିବେ । ସେହିପରି ସ୍ମାର୍ଟ ହେଲଥ କାର୍ଡ ବଣ୍ଟନ ସହ ବିଭିନ୍ନ ପ୍ରକଳ୍ପର ଉଦଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିବାର କାର୍ଯ୍ୟକ୍ରମ ରହିଛି ।

 ଜାତୀୟ କୃଷି ଏବଂ ଗ୍ରାମୀଣ ବିକାଶ (ନାବାର୍ଡ) ରାଜ୍ୟରେ ୨୪ ଟି ସେତୁ ନିର୍ମାଣ ପାଇଁ ଓଡିଶା ସରକାରଙ୍କୁ ୩୦୩ କୋଟି ଟଙ୍କା ସହାୟତା ମଞ୍ଜୁର କରିଛନ୍ତି । ଗ୍ରାମାଞ୍ଚଳର ଭିତ୍ତିଭୂମି ପ୍ରକଳ୍ପଗୁଡିକ ୧୩ ଟି ଜିଲ୍ଲାର ୮୨୩ ଟି ଗାଁରେ ୨୪.୧୩ ଲକ୍ଷ ଲୋକଙ୍କ ପାଇଁ ସଂଯୋଗରେ ଉନ୍ନତି ଆଣିବ । ଗ୍ରାମୀଣ ଭିତ୍ତିଭୂମି ବିକାଶ ପାଣ୍ଠି (ଆରଡିଏଫ୍) ଅଧୀନରେ ଏହି ପ୍ରକଳ୍ପଗୁଡିକ ଅନୁମୋଦନ କରାଯାଇଛି ବୋଲି ନାବାର୍ଡ ପକ୍ଷରୁ କୁହାଯାଇଛି।

ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୨୨୪୩୧ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୩୧୮ ଜଣଙ୍କ ମୃତ୍ୟୁ ହୋଇଛି । ସେହିପରି ନୂତନ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୩କୋଟି ୩୮ ଲକ୍ଷ ୯୪ ହଜାର ୩୧୨ରେ ପହଁଚିଛି । ଏହା ବ୍ୟତୀତ ମୃତ୍ୟୁସଂଖ୍ୟା ୪ ଲକ୍ଷ ୪୯ ହଜାର ୮୫୬ରେ ପହଞ୍ଚିଛି ।

ଭବିଷ୍ୟତରେ ଉତ୍ତରଖଣ୍ଡର ବିଶ୍ୱ ବିଖ୍ୟାତ ବ୍ୟାଘ୍ର ସଂରକ୍ଷଣ ଉଦ୍ୟାନ ‘ଜିମ୍‌ କର୍ବେଟ୍‌ ନ୍ୟାସ୍‌ନାଲ୍‌ ପାର୍କ’ର ନାମ ବଦଳି ‘ରାମଗଙ୍ଗା ଜାତୀୟ ଉଦ୍ୟାନ’ ହୋଇପାରେ । ୫୨୧ କିଲୋମିଟର୍‌ ପରିବ୍ୟାପ୍ତ ଭାରତର ଏହି ପ୍ରଥମ ଜାତୀୟ ଉଦ୍ୟାନର ନାମ ପରିବର୍ତ୍ତନ ସଂକ୍ରାନ୍ତରେ କେନ୍ଦ୍ର ଜଙ୍ଗଲ ଓ ପରିବେଶ ରାଷ୍ଟ୍ରମନ୍ତ୍ରୀ ଅଶ୍ୱିନୀ କୁମାର ଚୌବେ ସୂଚନା ଦେଇଛନ୍ତି।

‘ବିଜେପି’ର ମୁଖ୍ୟ ଜଗତ୍‌ ପ୍ରକାଶ ନଡ୍ଡାଙ୍କ ସମେତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନବରାତ୍ରୀ ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଟୁଇଟର୍‌ରେ ଅଭିନନ୍ଦନ ପୋଷ୍ଟ୍‍ କରି ପ୍ରଧାନମନ୍ତ୍ରୀ ଆଶା କରିଛନ୍ତି ଯେ, ଜନସାଧାଣଙ୍କ ଜୀବନରେ ନବରାତ୍ରୀ ଉତ୍ତମ ସ୍ୱାସ୍ଥ୍ୟ ଓ ସମୃଦ୍ଧି ଆଣୁ। ସେ ଲେଖଛନ୍ତି: “ସମସ୍ତଙ୍କୁ ନବରାତ୍ରୀ ଅଭିନନ୍ଦନ। ଆଗାମୀ ଦିନ ସବୁ ହେଉଛି ଜଗତ୍‌ ଜନନୀ ମା’ଙ୍କ ଆରାଧନାରେ ନିମଜ୍ଜନ ହେବାର ସମୟ। ପ୍ରତ୍ୟେକଙ୍କ ଜୀବନରେ ନବରାତ୍ରୀ ଶକ୍ତି, ଉତ୍ତମ ସ୍ୱାସ୍ଥ୍ୟ ଓ ସମୃଦ୍ଧି ଆଣୁ।”

ବିଶ୍ବବ୍ୟାପୀ ୨୩ କୋଟି ୭୦ ଲକ୍ଷ ୩୪ ହଜାର ୨୪୦ ଜଣ କରୋନା ପଜିଟିଭ ଚିହ୍ନଟ ହୋଇସାରିଛନ୍ତି। କରୋନା ରେ ୪୮ ଲକ୍ଷ ୩୯ ହଜାର ୧୭୮ ଜଣଙ୍କର ମୃତ୍ୟୁ ହୋଇସାରିଛି। ଏବେ ବିଶ୍ବରେ ୧ କୋଟି ୮୦ ଲକ୍ଷ ୩୦ ହଜାର ୬୪୦ ଜଣ ସକ୍ରିୟ ଆକ୍ରାନ୍ତ ରହିଛନ୍ତି । 

 ବିଶ୍ୱର ପ୍ରଥମ ମ୍ୟାଲେରିଆ ଟିକାର ବ୍ୟବହାର ପାଇଁ ଅନୁମୋଦନ ଦେଇଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ। ପିଲାମାନଙ୍କ ପାଇଁ ଉଦ୍ଦିଷ୍ଟ RTS,S/AS01 ମ୍ୟାଲେରିଆ ଟିକା ହେଉଛି ମଶା କାମୁଡ଼ିବା ଦ୍ୱାରା ବ୍ୟାପୁଥିବା ସଂକ୍ରମଣ ବିରୋଧରେ ବିଶ୍ୱର ପ୍ରଥମ ଟିକା। ସାରା ବିଶ୍ୱରେ ମଶା ଜନିତ ସଂକ୍ରମଣ ଯୋଗୁ ପ୍ରତିବର୍ଷ ୪ ଲକ୍ଷ ଲୋକ ପ୍ରାଣ ହରାଉଛନ୍ତି। ବିଶେଷ କରି ଆଫ୍ରିକାର ପିଲାମାନେ ଏହି ରୋଗରେ ପ୍ରାଣ ହରାଇଥାଆନ୍ତି। ତେଣୁ RTS,S/AS01 ମ୍ୟାଲେରିଆ ଟିକା ଏହା ବିରୋଧରେ ଗେମ ଚେଞ୍ଜର ସାବ୍ୟସ୍ତ ହେବ ବୋଲି କୁହାଯାଉଛି।

ଆଜି (ଗୁରୁବାର) ଭୋର ୩.୩୦ରେ ପାକିସ୍ତାନର ବାଲୋଚିସ୍ତାନରେ ଭୂକମ୍ପ ଝଟକା ଅନଭୂତ ହୋଇଥିଲା। ଏକାଧିକ ଭୂକମ୍ପ ଝଟକାରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୫.୯ ରହିଥିଲା। ବଡ଼ଧରଣର ଝଟକା ପରେ ଲୋକମାନେ ଆଉ କିଛି ଛୋଟ ଛୋଟ ଝଟକା ମଧ୍ୟ ଅନଭୁବ କରିଥିଲେ। ବର୍ତ୍ତମାନ ସୁଦ୍ଧା ଭୂକମ୍ପ ଯୋଗୁ ଘର ଓ ଛାତ ଭୁଶୁଡ଼ି ୨୦ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୩୦୦ରୁ ଅଧିକ ଲୋକ ଆହତ ହୋଇଛନ୍ତି।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ସ୍ୱତନ୍ତ୍ର ଉନ୍ନୟନ ବିକାଶ ପରିଷଦ ଆନୁକୁଲ୍ୟରେ ଭୈରବ ମନ୍ଦିର ପ୍ରାଙ୍ଗଣରେ ବିଶ୍ରାମ ଗୃହ ଉଦ୍ଘାଟନ...

Thu Oct 7 , 2021
ପ୍ରଭାତ ସାହା(ମାଲକାନଗିରି)-ମାଲକାନଗିରି ସ୍ବତନ୍ତ୍ର ଉନ୍ନୟନ ବିକାଶ ପରିଷଦ ଆନୁକୁଲ୍ୟରେ ମାଲକାନଗିରି ଭୈରବ ମନ୍ଦିର ପ୍ରାଙ୍ଗଣରେ ନବ ନିର୍ମିତ ବିଶ୍ରାମ ଗୃହ ମାନ୍ୟବର ମାଲକାନଗିରି ପୂର୍ବତନ ବିଧାୟକ ତଥା ସ୍ବତନ୍ତ୍ର ଉନ୍ନୟନ ବିକାଶ ପରିଷଦ ଅଧ୍ୟକ୍ଷ ମାନସ ମାଡକାମି ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଶୁଭ ଉଦଘାଟନ କରିଛନ୍ତି । ଏହି ଶୁଭ ଉଦ୍ଘାଟନ ଅବସରରେ ଉପସ୍ଥିତ ଥିଲେ ପଞ୍ଚାୟତ ସମିତି ଅଧ୍ୟକ୍ଷ ଅକ୍ଷୟ କୁମାର ନାୟକ , ମାଲକାନଗିରି […]

You May Like

Pin It on Pinterest