
ବାସ୍ତବବ୍ୟୁରୋ:(ଭୁବନେଶ୍ୱର)ଆଜି ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି କି,ପଞ୍ଚାୟତ ନିର୍ବାଚନର ସଂରକ୍ଷଣ ବ୍ୟବସ୍ଥା ନେଇ ଆଜି ସଂରକ୍ଷଣ ଚିଠା ତାଲିକା ପ୍ରକାଶ ପାଉଛି। ପଞ୍ଚାୟତ ନିର୍ବାଚନ ସଠିକ ସମୟରେ ହେବ। କେଉଁ ଆସନ କାହା ପାଇଁ ସଂରକ୍ଷଣ ହେବ ସେ ନେଇ ଜିଲ୍ଲାସ୍ତରରେ ଚିଠା ତାଲିକା ପ୍ରକାଶ ପାଉଛି। ୱାର୍ଡ ମେମ୍ବର, ସରପଞ୍ଚ, ସମିତି ସଭ୍ୟ, ବ୍ଲକ ଅଧ୍ୟକ୍ଷ, ଜିଲ୍ଲା ପରିଷଦ ସଦସ୍ୟଙ୍କ ସଂରକ୍ଷଣ ଲାଗି ଏହି ଚିଠା ତାଲିକା ପ୍ରକାଶ ପାଉଛି।
ୱାର୍ଡ ମେମ୍ବର,ସରପଞ୍ଚ,ସମିତିସଭ୍ୟ,ବ୍ଲକ ଅଧ୍ୟକ୍ଷ ପାଇଁ ଯଦି କିଏ ଚାହିଁବେ ୧୬ ତାରିଖରେ ଆପତ୍ତି କରିପାରିବେ।୨୧ ତାରିଖ ସୁଦ୍ଧା ଜିଲାପାଳଙ୍କ ଦ୍ୱାରା ଆପତ୍ତି ଅଭିଯୋଗର ଶୁଣାଣି କରାଯାଇ ସମାଧାନ କରାଯିବ। ୨୬ ତାରିଖରେ ଚୂଡାନ୍ତ ତାଲିକା ପ୍ରକାଶ ପାଇବ।

ସେହିପରି ଜିଲ୍ଲା ପରିଷଦ ସଦସ୍ୟ ସଂରକ୍ଷଣ ପାଇଁ ଆପତ୍ତି ଥିଲେ ୧୮ ତାରିଖ ସୁଦ୍ଧା ଅଭିଯୋଗ କରିପାରିବେ। ୨୨ ତାରିଖରେ ଶୁଣାଣି କରାଯାଇ ଜିଲ୍ଲାପାଳଙ୍କ ଦ୍ୱାରା ସମାଧାନ କରାଯିବ। ୨୯ ତାରିଖରେ ସରକାରଙ୍କ ଅନୁମୋଦନ ନିଆଯାଇ ୩୦ ତାରିଖରେ ଚୂଡାନ୍ତ ତାଲିକା ପ୍ରକାଶ ପାଇବ। ଜିଲ୍ଲା ପରିଷଦ ଅଧ୍ୟକ୍ଷ ଆସନ ପାଇଁ ୧୬ ତାରିଖରେ ସଂରକ୍ଷଣ ଚିଠା ତାଲିକା ପ୍ରକାଶ ହେବ। ୩୦ ତାରିଖ ସୁଦ୍ଧା ସମସ୍ତ ପ୍ରକ୍ରିୟା ଶେଷ କରି ରାଜ୍ୟ ନିର୍ବାଚନ କମିସନଙ୍କୁ ଦିଆଯିବ।
ରାଜ୍ୟ ନିର୍ବାଚନ କମିସନରଙ୍କ ସଚିବ ରବୀନ୍ଦ୍ର ନାଥ ସାହୁଙ୍କ ସୂଚନା ଅନୁସାରେ,୨୬ ତାରିଖ ସୁଦ୍ଧା ୱାର୍ଡ ମେମ୍ବର, ସମିତି ସଭ୍ୟ,ସରପଞ୍ଚଙ୍କ ସଂରକ୍ଷଣ ତାଲିକା ଚୂଡାନ୍ତ କରି ରାଜ୍ୟ ସରକାର ନିର୍ବାଚନ କମିସନଙ୍କୁ ଦେବେ। ୩୦ ତାରିଖ ଭିତରେ ଜିଲା ପରିଷଦ ସଭ୍ୟ ଓ ଅଧ୍ୟକ୍ଷ ସଂରକ୍ଷଣ ତାଲିକା ଦେବେ। ଏହା ପରେ ନିର୍ବାଚନ କମିସନ ଭୋଟର ତାଲିକା ପ୍ରସ୍ତୁତ କରିବେ। ଭୋଟର ଲିଷ୍ଟ ପ୍ରସ୍ତୁତ ପାଇଁ ମାସେ ଦେଢ଼ ମାସ ସମୟ ଲାଗିବ। ଏହା ପରେ ନିର୍ବାଚନ ପ୍ରକ୍ରିୟାକୁ ଯିବୁ।