
ସୁବର୍ଣପୁର(ନମୋଗୁରୁ ହୋତା) ସୁବର୍ଣ୍ଣପୁର ଜିଲ୍ଲା ନ୍ୟାୟାଳୟ ପରିସରର ନବ ନିର୍ମିତ କୋଠା ଆଜି ଓଡିଶା ଉଚ୍ଚ ନ୍ୟାୟାଳୟର ମାନ୍ୟବର ମୁଖ୍ୟ ବିଚାରପତି ଏସ୍.ମୁରଳୀଧର୍ ଙ୍କ ଦ୍ବାରା ଲୋକାର୍ପିତ ହୋଇଯାଇଛି । ସୁବର୍ଣ୍ଣପୁର ଜିଲ୍ଲା ଓକିଲ ସଂଘ ଦ୍ବାରା ଆୟୋଜିତ ଏହି ଭବ୍ୟ ଉଦଘାଟନୀ ସମାରୋହରେ ମୁଖ୍ୟ ବିଚାରପତିଙ୍କ ସହ ଉଚ୍ଚ ନ୍ୟାୟାଳୟର ନ୍ୟାୟମୂର୍ତ୍ତି ଚିତ୍ତରଂଜନ ଦାଶ,ଶତୃଘ୍ନ ପୂଜାରୀ ଓ ସାବିତ୍ରୀ ରାଥୋ ପ୍ରମୁଖ ଜିଲ୍ଲା ନ୍ୟାୟିକ କଂପ୍ଲେକ୍ସ୍ ର ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ।
ଏହି ଅବସରରେ ଆୟୋଜିତ ସଭାରେ ନ୍ୟାୟିକ ବ୍ୟବସ୍ଥାକୁ ଅଧିକ ତ୍ବରାନ୍ବିତ ଓ ଲୋକଙ୍କୁ ଆଇନ ସେବା ଯୋଗାଇବାରେ ଏହି ନ୍ୟାୟାଳୟ ପରିସର ସହାୟକ ହେବ ବୋଲି ମୁଖ୍ୟ ବିଚାରପତି କହିଛନ୍ତି । ବିଶେଷକରି,ସାଧାରଣ ଲୋକଙ୍କୁ ଦ୍ବାରଦେଶରେ ନ୍ୟାୟ ପ୍ରଦାନ ଆଜିର ଦିନରେ ଏକ ବଡ ସଂକଳ୍ପ ବୋଲି କହିଥିବାବେଳେ ଆଇନଗତ ସହାୟତା ପାଇଁ ସେ ଆହ୍ବାନ ଦେଇଛନ୍ତି । ନ୍ୟାୟ,ସ୍ବତନ୍ତ୍ରତା,ସମାନତା ଓ ଭାତୃତ୍ବ ମାଧ୍ୟମରେ ଜାତୀୟତାର ସୁରକ୍ଷା ନାଗରିକଙ୍କ ପରମ କର୍ତ୍ତବ୍ୟ ହେବା ଉଚିତ ବୋଲି ମୁଖ୍ୟ ବିଚାରପତି କହିଥିଲେ । ଏହି ନ୍ୟାୟିକ ପରିସରରେ ଏକକାଳୀନ ଜିଲ୍ଲାସ୍ତରୀୟ ସମସ୍ତ ଆଇନ ବିଭାଗର ବିଚାର କାର୍ଯ୍ୟ ସମ୍ପାଦିତ ହୋଇପାରିବାର ଉତ୍ତମ ବ୍ୟବସ୍ଥା ରହିଛି ।