■ ପୁରୀ-ଅମୃତସର ସ୍ୱତନ୍ତ୍ର ଟ୍ରେନରେ ପୂର୍ଣ୍ଣ ମାତ୍ରାରେ ବର୍ଥ ସଂରକ୍ଷଣ
■ ପ୍ରତୀକ୍ଷା ସୂଚୀ ଯାତ୍ରୀମାନେ ସ୍ୱତନ୍ତ୍ର ଟ୍ରେନରେ କନଫର୍ମ ଟିକେଟ ପାଇପାରିବେ
ପୂଜା ସମୟରେ ନିୟମିତ ଚଳାଚଳ କରୁଥିବା ଟ୍ରେନ ଗୁଡିକରେ ମାତ୍ରାଧିକ ଯାତ୍ରୀଭିଡ଼କୁ ଉପଲବ୍ଧକରି ପୂର୍ବତଟ ରେଳପଥ ପକ୍ଷରୁ ଦେଶର ବିଭିନ୍ନ ସ୍ଥାନକୁ ସ୍ୱତନ୍ତ୍ର ଟ୍ରେନ ଚଳାଚଳ କରାଇବାପାଇଁ ବ୍ୟବସ୍ଥା କରାଯାଇଅଛି ଯାହା ଫଳରେ ଯାତ୍ରୀମାନେ କୌଣସି ଅସୁବିଧାର ସାମ୍ନା ନକରି ସେମାନଙ୍କର ଗନ୍ତବ୍ୟସ୍ଥଳରେ ପହଁଚିପାରୁଛନ୍ତି I ଏହାବ୍ୟତୀତ ରେଳମନ୍ତ୍ରଣାଳୟ ପକ୍ଷରୁ ପୂର୍ବତଟ ରେଳପଥ ପରିସୀମା ମଧ୍ୟଦେଇ ଦେଶର ଗୁରୁତ୍ୱପୂର୍ଣ ସହରକୁ ସ୍ୱତନ୍ତ୍ର ଟ୍ରେନ ଚଳାଚଳ କରାଯାଉଅଛି I ସେହିପରି ଗୁରୁ ନାନକଙ୍କର ୫୫୦ତମ ଜନ୍ମଦିବସ ପାଳନ ଅବସରରେ ପୁରୀ ଓ ଅମୃତସର ମଧ୍ୟରେ ଏକ ସ୍ୱତନ୍ତ୍ର ଟ୍ରେନ ମଧ୍ୟ ଚଳାଚଳ କରିବ I ଦେଶର ବିଭିନ୍ନ ପ୍ରାନ୍ତକୁ ଚଳାଚଳ କରୁଥିବା ଟ୍ରେନ ମାନଙ୍କରେ ମାତ୍ରାଧିକ ଯାତ୍ରୀ ଭିଡ଼କୁ ଦୃଷ୍ଟିରେ ରଖି ଏବଂ ଯାତ୍ରୀମାନଙ୍କର ଚାହିଦାକୁ ନଜର ଦେଇ ଏହି ପଦକ୍ଷେପ ଗ୍ରହଣ କରାଯାଇଅଛି ।
୦୮୪୨୭/୦୮୪୨୮ ପୁରୀ-ଅମୃତସର-ପୁରୀ ସ୍ୱତନ୍ତ୍ର ଟ୍ରେନ ପୁରୀ ଠାରୁ ନଭେମ୍ବର ମାସ ୯ ତାରିଖ (ଶନିବାର) ରାତ୍ର ୧୨ଘ.୩୫ମି.ରେ ପୁରୀ ଠାରୁ ଛାଡି ଅମୃତସରରେ ଷୋମବାର ରାତ୍ର ୧୨ଘ.୩୦ମି.ରେ ପହଞ୍ଚିବ I ଫେରିବା ବେଳେ ଏହି ଟ୍ରେନ ଅମୃତସରରୁ ନଭେମ୍ବର ମାସ ୧୨ ତାରିଖ (ମଙ୍ଗଳବାର) ରାତ୍ର ୧୨ଘ.୪୫ମି.ରେ ଛାଡି ପୁରୀ ଠାରେ ଗୁରୁବାର ରାତ୍ର ୧୦ଘ.୩୦ମି.ରେ ପହଞ୍ଚିବ I
ବିଭିନ୍ନ ପ୍ରାନ୍ତକୁ ଚଳାଚଳ କରୁଥିବା ଅନ୍ୟ ଟ୍ରେନ ଗୁଡିକ ହେଲା…
ପୁରୀ-ହବିବଗଞ୍ଜ (ଭୋପାଳ) ସ୍ୱତନ୍ତ୍ର ଟ୍ରେନ :
ଭୋପାଳ ମାର୍ଗରେ ଯାତ୍ରୀ ଭିଡକୁ ଦୃଷ୍ଟିରେ ରଖି ୦୧୬୬୧/୦୧୬୬୨ ହବିବଗଞ୍ଜ-ପୁରୀ-ହବିବଗଞ୍ଜ ସ୍ୱତନ୍ତ୍ର ଟ୍ରେନ ସେବାକୁ ନଭେମ୍ବର ମାସ ଶେଷ ସପ୍ତାହ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଅଛି I ଏହି ଟ୍ରେନ ହବିବଗଞ୍ଜରୁ ପ୍ରତି ମଙ୍ଗଳବାର ସକାଳ ୭ଘ.୨୦ମି.ରେ ଛାଡି ପୁରୀ ଠାରେ ତାପରଦିନ ପୂର୍ବାହ୍ନ ୧୦ ଘଟିକାରେ ପହଞ୍ଚୁଥିବାବେଳେ ଏହା ପୁରୀ ଠାରୁ ପ୍ରତି ବୁଧବାର ଅପରାହ୍ନ ୩ ଘଟିକାରେ ଛାଡି ହବିବଗଞ୍ଜ ଠାରେ ଗୁରୁବାର ଅପରାହ୍ନ ୩ଘ.୨୫ମି.ରେ ପହଁଚୁଛି I
ଭୁବନେଶ୍ୱର-ବାଙ୍ଗାଲୋର ସୁବିଧା ସ୍ୱତନ୍ତ୍ର ଟ୍ରେନ :
୮୨୮୪୩/୮୨୮୪୪ ଭୁବନେଶ୍ୱର-ବାଙ୍ଗାଲୋର-ଭୁବନେଶ୍ୱର ସୁବିଧା ସ୍ୱତନ୍ତ୍ର ଟ୍ରେନ ନଭେମ୍ବର ମାସ ୪ ତାରିଖ ଠାରୁ ୨୫ତାରିଖ ମଧ୍ୟରେ ଭୁବନେଶ୍ୱର ରୁ ପ୍ରତି ଷୋମବାର ରାତ୍ର ୧୨ଘ.୦୫ମି.ରେ ଛାଡି ବାଙ୍ଗାଲୋର ଠାରେ ତା’ପରଦିନ ରାତ୍ର ୧୨ଘ.୫୫ମି.ରେ ପହଞ୍ଚିବ I ଫେରିବା ବାଟରେ ଏହି ଟ୍ରେନ ନଭେମ୍ବର ମାସ ୬ ତାରିଖ ରୁ ୨୭ ତାରିଖ ମଧ୍ୟରେ ବାଙ୍ଗାଲୋର ଠାରୁ ପ୍ରତି ବୁଧବାର ସକାଳ ୫ଘ.୪୦ମି.ରେ ଛାଡି ହୂବନେଶ୍ୱର ଠାରେ ତା’ପରଦିନ ସକାଳ ୭ଜହ.୩୦ମି.ରେ ପହଞ୍ଚିବ I
ପୂର୍ବତଟ ରେଳପଥରୁ ହାଓଡ଼ା ଦିଗକୁ ସ୍ୱତନ୍ତ୍ର ଟ୍ରେନ :
କଲିକତାକୁ ଯାତ୍ରାକରିବାକୁ ଯୋଜନା କରୁଥିବା ଯାତ୍ରୀମାନେ ସେମାନଙ୍କର ସୁବିଧାପାଇଁ ଅଥବା କନଫର୍ମ ବର୍ଥ ପାଇଁ ସ୍ୱତନ୍ତ୍ର ଟ୍ରେନ ଗୁଡିକର ସେବାକୁ ଉପଲବ୍ଧ କରିପାରିବେ I ଦୁଇଟି ସ୍ୱତନ୍ତ୍ର ଟ୍ରେନ ପୁରୀ ଠାରୁ ହାଓଡ଼ା ନିକଟସ୍ଥ ସଂତ୍ରାଗାଛି/ଶାଲୀମାରକୁ ଯାତ୍ରାକରୁଅଛି I
ପୂର୍ବତଟ ରେଳପଥରୁ ଦକ୍ଷିଣ ଭାରତକୁ ସ୍ୱତନ୍ତ୍ର ଟ୍ରେନ :
ଦକ୍ଷିଣ ଭାରତକୁ ଯାତ୍ରା କରିବାକୁ ଥିବା ଯାତ୍ରୀମାନେ ଭୁବନେଶ୍ୱର-ସିକନ୍ଦରାବାଦ ସାପ୍ତାହିକ ଓ ଦ୍ବୀସାପ୍ତାହିକ ଟ୍ରେନ ଦ୍ଵୟର ସୁବିଧା ନେଇପାରିବେ I ସେହିଭଳି ବିଶାଖାପାଟଣାରୁ ସିକନ୍ଦରାବାଦ, ସମ୍ବଲପୁରରୁ-ବନସୱାଡି (ବାଙ୍ଗାଲୋର) ବିଶାଖାପାଟଣାଠାରୁ ତିରୁପତି, ଶ୍ରୀକାକୁଲମରୁ କଚେଗୁଡା (ସିକନ୍ଦରାବାଦ), ବିଶାଖାପାଟଣାରୁ ଆରକୁକୁ ସ୍ୱତନ୍ତ୍ର ଟ୍ରେନ ସବୁ ଚଳାଚଳ କରୁଅଛି I
ପୂର୍ବତଟ ରେଳପଥରୁ ଉତ୍ତର ଭାରତକୁ ସ୍ୱତନ୍ତ୍ର ଟ୍ରେନ :
ନୂଆଦିଲ୍ଲୀ କିମ୍ବା ଉତ୍ତର ଭାରତକୁ ଯାତ୍ରାକରିବାକୁ ଥିବା ଯାତ୍ରୀମାନେ ଭୁବନେଶ୍ୱରରୁ ଆନନ୍ଦ ବିହାର (ଦିଲ୍ଲୀ) ମଧ୍ୟରେ ଚଳାଚଳ କରୁଥିବା ସ୍ୱତନ୍ତ୍ର ଟ୍ରେନର ସୁବିଧା ନେଇପାରିବେ I ଆହ୍ଲାବାଦ ଯିବାପାଇଁ ଭୁବନେଶ୍ୱର, କଟକ ଓ ଭଦ୍ରକ ମାର୍ଗ ଦେଇ ବିଶାଖାପାଟଣାରୁ ଆହ୍ଲାବାଦକୁ ଏକ ସ୍ୱତନ୍ତ୍ର ଟ୍ରେନ ଚଳାଚଳ କରୁଅଛି I
ଏହା ବ୍ୟତୀତ, ପ୍ରତୀକ୍ଷା ସୂଚୀରେ ଥିବା ଯାତ୍ରୀମାନେ ପୂର୍ବତଟ ରେଳପଥ ପରିସୀମା ମଧ୍ୟଦେଇ ଚଳାଚଳ କରୁଥିବା ଟ୍ରେନ ମାନଙ୍କରେ ସଂତ୍ରାଗାଛି, ଚେନ୍ନାଇ, କଚେଗୁଡା ଓ ଟାଟାକୁ ମଧ୍ୟ ସ୍ୱତନ୍ତ୍ର ଟ୍ରେନ ମାନଙ୍କରେ ଯାଇପାରିବେ I
ବର୍ଥ ଉପଲବ୍ଧ ଅଛି – ସ୍ୱତନ୍ତ୍ର ଟ୍ରେନ ସମ୍ପର୍କରେ କିପରି ଜାଣିବେ :
ପାର୍ବଣ ସମୟରେ ଯାତ୍ରୀଭିଡା ଯୋଗୁଁ ପ୍ରତୀକ୍ଷା ସୂଚୀରେ ଥିବା ଯାତ୍ରୀମାନେ ସ୍ୱତନ୍ତ୍ର ଟ୍ରେନର ସୁବିଧା ନେବାକୁ ପୂର୍ବତଟ ରେଳପଥ ପକ୍ଷରୁ କୁହାଯାଇଅଛି I ଏହି ସ୍ୱତନ୍ତ୍ର ଟ୍ରେନ ଗୁଡିକର ନମ୍ବର ମୂଳରୁ “୦”(ସୁନ) କିମ୍ବା “୮” (ଆଠ) ରୁ ଆରମ୍ଭ ହେଉଅଛି I ଅନଲାଇନ ଟିକେଟ କରୁଥିବା ଯାତ୍ରୀମାନେ ନାସନାଲ ଟ୍ରେନ ଇନକ୍ୱାରୀ ସିଷ୍ଟମ (ଏନଟିଇଏସ) ମାଧ୍ୟମରେ ଜାଣିପାରିବେ ଏବଂ କାଉଂଟରରୁ ଟିକେଟ କ୍ରୟ କରିବାକୁ ଥିବା ଯାତ୍ରୀମାନେ ଇନକ୍ୱାରୀ କାଉଂଟରରୁ ଅନୁସନ୍ଧାନ କରିପାରିବେ I
ସ୍ୱତନ୍ତ୍ର ଟ୍ରେନ ଗୁଡିକରେ ବର୍ଥ ଉପଲବ୍ଧ ଅଛି I ପୂଜା ସମୟରେ ଯାତ୍ରୀଭିଡ଼କୁ ଏଡ଼ାଇବାପାଇଁ ପୂର୍ବତଟ ରେଳପଥ ପକ୍ଷରୁ ଚଳାଚଳ କରୁଥିବା ସ୍ୱତନ୍ତ୍ର ଟ୍ରେନ ଓ ନିୟମିତ ଟ୍ରେନରେ ଅତିରିକ୍ତ ବଗି ସଂଯୋଗ ଦ୍ୱାରା ପ୍ରାୟ ପାଞ୍ଚ ଲକ୍ଷ ବର୍ଥ ସୃଷ୍ଟି କରିପାରିଛି I ଅନଲାଇନ ଟିକେଟ କରୁଥିବା ଯାତ୍ରୀମାନେ ଆଇଆରସିଟିସି ୱେବସାଇଟ ମଧ୍ୟମରେ ଟିକେଟ ବୁକ କରିପାରିବେ I ମୋବାଇଲ ଆପ ମାଧ୍ୟମରେ ମଧ୍ୟ ଟିକେଟ ବୁକ କରାଯାଇ ପାରିବ I ଯାତ୍ରୀମାନେ ମଧ୍ୟ ନିକଟସ୍ଥ ଯାତ୍ରୀ ସଂରକ୍ଷଣ ପ୍ରଣାଳୀ (ପିଆରଏସ) କାଉଣ୍ଟରରୁ ମଧ୍ୟ ଟିକେଟ କ୍ରୟ କରିପାରିବେ I
ପୂର୍ବତଟ ରେଳପଥ ମଧ୍ୟ ସ୍ୱତନ୍ତ୍ର ଟ୍ରେନ ସମ୍ବନ୍ଧରେ ବିଭିନ୍ନ ଗଣମାଧ୍ୟମରେ କିଛି ଦିନ ପୂର୍ବରୁ ବିଜ୍ଞାପନ ପ୍ରକାଶ କରିସାରିଛି I ଯାତ୍ରୀମାନେ ମଧ୍ୟ ସ୍ୱତନ୍ତ୍ର ଟ୍ରେନ ସମ୍ବନ୍ଧରେ ପୂର୍ବତଟ ରେଳପଥ ଫେସବୁକ ଆକାଉଣ୍ଟ @EASTCOASTRailway କିମ୍ବା ଟୁଇଟର ଆକାଉଣ୍ଟ @eastcoastrail ରୁ ଜାଣିପାରିବେ ବୋଲି ପୂର୍ବତଟ ରେଳପଥ ପ୍ରକାଶ କରିଛି I



