
ବଲାଙ୍ଗିର (ବିମଲ ଯୋଷୀ):ଧରା ପଡିଲା ଗୋବିନ୍ଦ ସାହୁ । ସନସାଇନ ଘରୋଇ ବିଦ୍ୟାଳୟ ଅଧ୍ୟକ୍ଷା ମମିତା ମେହେରଙ୍କ ନିଖୋଜ ମାମଲାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ଧରା ପଡ଼ିଛି। ବଙ୍ଗୋମୁଣ୍ଡା ବ୍ଲକ୍ ଝରିଆଲ ପଞ୍ଚାୟତ ବୁଢ଼ିପଦର ଗାଁର ଏକ ଆଖୁ ବାଡ଼ିରେ ଗୋବିନ୍ଦ ଲୁଚିଥିଲା।ଗ୍ରାମବାସୀଙ୍କ ଠାରୁ ଖବର ପାଇ,ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଗୋବିନ୍ଦ ସାହୁକୁ ଧରିଛି।
ମମୀତାଙ୍କ ପରିବାର ଲୋକଙ୍କ ଅଭିଯୋଗ ପରେ,ସିନ୍ଧେଇକେଲା ପୁଲିସ୍ ଗୋବିନ୍ଦକୁ ଗତ ୧୪ ତାରିଖରେ ଉଠାଇ ଆଣିଥିଲା। ଦୀର୍ଘ ସମୟ ଧରି ମମିତା ନିଖୋଜ ସମ୍ପର୍କରେ ପୁଲିସ ତାକୁ ପଚରାଉଚରା କରିଥିଲା। ତେବେ ହାତ ଧୋଇବା ବାହାନା କରି ପୁଲିସକୁ ଝଟକା ଦେଇ ବାରାକରୁ ଚମ୍ପଟ୍ ମାରିଥିଲା ଗୋବିନ୍ଦ ସାହୁ ।
ପୁଲିସ୍ କବଜାରୁ ଜଣେ ଅଭିଯୁକ୍ତ ଚମ୍ପଟ ମାରିବାକୁ ନେଇ ଜିଲ୍ଲାବାସୀ ଙ୍କ ମନରେ ନାନା ସନ୍ଦେହ ସୃଷ୍ଟି ହୋଇଥିଲା । ଏଥିପାଇଁ ପୁଲିସ୍ ନାନା ସମାଲୋଚନାର ଶିକାର ମଧ୍ୟ ହୋଇଥିଲା। ଶେଷରେ ବିଭିନ୍ନ ମହଲରେ ସମାଲୋଚନାର ଶିକାର ହେବା ପରେ ପୁଲିସ ଗୋବିନ୍ଦକୁ ଧରିବା ପାଇଁ ଅଣ୍ଟା ଭିଡ଼ିଥିଲା। ଏଥିପାଇଁ ପୁଲିସ୍ ତିନୋଟି ଟିମ୍ ଗଠନ କରି ବିଭିନ୍ନ ଅଞ୍ଚଳରେ ଚଢ଼ାଉ ଜାରି ରଖିଥିଲା। ତଥାପି ଗୋବିନ୍ଦ ପୁଲିସ୍ ଜାଲରେ ପଡ଼ିନଥିଲା। ଏହାରି ଭିତରେ ଗୋବିନ୍ଦକୁ ଧରାଇଦେବା ପାଇଁ ପୁଲିସ୍ ପୁରସ୍କାର ରାଶିର ଘୋଷଣା କରିଥିଲା। ମୋଷ୍ଟ ୱାଣ୍ଟେଡ୍ ଗୋବିନ୍ଦକୁ ଧରାଇ ଦେଲେ ଲକ୍ଷେ ଟଙ୍କାର ପୁରସ୍କାର ଘୋଷଣା କରିଥିଲା ପୁଲିସ।
ଏହି ଘୋଷଣାର କିଛି ସମୟ ପରେ ପୁଲିସ କବଜାକୁ ଆସିଛି ମୋଷ୍ଟ ୱାଣ୍ଟେଡ୍ ଗୋବିନ୍ଦ। ସେ ଏକ ଆଖୁବାଡ଼ିରେ ଲୁଚିଥିବା ଗାଁ ଲୋକଙ୍କ ଠାରୁ ଖବର ପାଇ ପୁଲିସ ତାକୁ ଧରିଛି। ପୁଲିସ୍ ତା’ ଠାରୁ ଶିକ୍ଷୟିତ୍ରୀ ମମିତା ମେହେର ନିଖୋଜ ମାମଲାରେ ତଥ୍ୟ ହାସଲ କରିବ ବୋଲି ଅନୁମାନ କରୁଛନ୍ତି ରାଜ୍ୟବାସୀ ।
ସୋମବାର ପୁଲିସ୍ ତଥ୍ୟ ଆଧାରରେ ପୁଲିସ ମହାଲିଙ୍ଗର ନିର୍ମାଣାଧୀନ ଷ୍ଟାଡିୟମରେ ଖୋଳିଥିଲା। ଆଉ ପାଇଥିଲେ ଏକ ପୋଡ଼ା ଯାଇଥିବା ମୃତଦେହ। ଏଥିସହ ପାଉଁଜି, ସୁନା ଚେନ୍ ଓ ବ୍ୟାଗ ମିଳିଥିଲା। ଏ ସବୁ ସାମଗ୍ରୀ ମମିତାର ବୋଲି ପରିବାର ଲୋକେ ଚିହ୍ନିଛନ୍ତି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଯେଉଁ ପଡ଼ିଆରେ ମମିତାଙ୍କୁ ପୋଡ଼ାଯାଇ ପୋତା ଯାଇଥିଲା, ସେହି ପଡ଼ିଆରେ ଷ୍ଟାଡିୟମ୍ ନିର୍ମାଣ କରିବାର ଦାୟିତ୍ୱ ନେଇଥିଲା ଗୋବିନ୍ଦ।
ଏଥିରୁ ଗୋଟିଏ କଥା ସ୍ପଷ୍ଟ ଯେ ପ୍ରମାଣ ନଷ୍ଟ କରିବା ପାଇଁ ଗୋବିନ୍ଦ ସବୁ ପ୍ରକାର ବ୍ୟବସ୍ଥା କରିଥିଲା। ହେଲେ ଏତେ ଶୀଘ୍ର ଗୋବିନ୍ଦର ଲୀଳାଖେଳା ଦାଣ୍ଡରେ ପଡି ହାଟରେ ଗଡିବ ସେକଥା ଗୋବିନ୍ଦ ବା କେମିତି ଜାଣିବ।ସେଥିପାଇଁ ଶାସ୍ତ୍ର କହିଛି ସାଧୁ ସାବଧାନ |



