
ବାସ୍ତବବ୍ୟୁରୋ(ଭୁବନେଶ୍ୱର):କଂଗ୍ରେସରୁ ଇସ୍ତଫା ଦେଲେ ନବରଙ୍ଗପୁରର ପୂର୍ବତନ ସାଂସଦ ପ୍ରଦୀପ ମାଝୀ।ସବୁ କଳ୍ପନା ଜଳ୍ପନାର ଶେଷ ।ପ୍ରଦୀପଙ୍କ ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା। ସେ ତାଙ୍କ ଇସ୍ତଫା ପତ୍ର କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷ ସୋନିଆ ଗାନ୍ଧିଙ୍କ ନିକଟକୁ ପଠାଇ ଦେଇଛନ୍ତି। କଂଗ୍ରେସ ଦଳରେ ଏବେ ଜନସେବାର ସୁଯୋଗ ନଥିବାରୁ ସେ ଇସ୍ତଫା ଦେଇଥିବା ପ୍ରକାଶ କରିଛନ୍ତି । ଅତି ଦୁଃଖ ଓ କଷ୍ଟର ସହ ସେ ଏହି ନିଷ୍ପତ୍ତି ନେଇଥିବା ତାଙ୍କ ଇସ୍ତଫା ପତ୍ରରେ ଉଲ୍ଲେଖ କରିଛନ୍ତି।
ତାଙ୍କ ଇସ୍ତଫା ପତ୍ରରେ ପ୍ରଦୀପ ଲେଖିଛନ୍ତି କି, ଗରିବ ଲୋକଙ୍କ ସେବା କରିବା ପାଇଁ ଅତି ଉତ୍ସାହର ସହିତ ସେ କଂଗ୍ରେସ ଦଳରେ ଯୋଗ ଦେଇଥିଲେ। ଦଳ ମଧ୍ୟ ଏଥିପାଇଁ ତାଙ୍କୁ ପ୍ରଚୁର ସୁଯୋଗ ଦେଇଥିଲା। ସେ ଦାବି ନ କରିଥିବା ସତ୍ତ୍ୱେ ତାଙ୍କୁ ଦଳ ଅନ୍ୟମାନଙ୍କ ଠାରୁ ଉଚ୍ଚ ପଦପଦବୀରେ ଅବସ୍ଥାପିତ କରିଥିଲା। ସଂପୃକ୍ତ ପଦପଦବୀରେ ରହି ସେ ସାଧାରଣ ଲୋକଙ୍କ ଭଲ ପାଇବା ଓ ସମର୍ଥନ ପାଇଛନ୍ତି।
ପ୍ରଦୀପ ସୋନିଆ ଗାନ୍ଧିଙ୍କ ଉଦ୍ଦେଶ୍ୟରେ ଲେଖିଛନ୍ତି ଯେ, ଆପଣଙ୍କ ବଳିଷ୍ଠ ନେତୃତ୍ୱରେ ଦଳର ସାଂଗଠନିକ କାର୍ଯ୍ୟ ବହୁତ ଭଲ ଭାବେ ପରିଚାଳିତ ହେଉଥିଲା। କିନ୍ତୁ ଦଳରେ ବିଭିନ୍ନ ସ୍ତରରେ ବିଶୃଙ୍ଖଳିତ ବ୍ୟକ୍ତିମାନେ ଗୁରୁତ୍ୱପୂର୍ଣ୍ଣ ପଦପଦବୀରେ ରହିବା ଫଳରେ ଧୀରେ ଧୀରେ ସାଂଗଠନିକ ସ୍ଥିତି ଭୁଶୁଡ଼ି ଯାଇଛି। ବର୍ତ୍ତମାନ ଦଳ ଏହାର ବିଶ୍ୱାସନୀୟତା ହରାଇ ସାରିଛି, ଯାହାକୁ ପୁଣି ଫେରି ପାଇବାକୁ ଦୀର୍ଘ ଦିନ ଲାଗିବ।
ପ୍ରଦୀପ ଲେଖିଛନ୍ତି ଯେ ସେ ତାଙ୍କ ଲୋକମାନଙ୍କ ସେବା କରିବା ପାଇଁ ଖୁବ୍ ଆଗ୍ରହୀ। ଯେ କୌଣସି ପଦପଦବୀରେ ରହିଲେ ବି ସେ ଲୋକଙ୍କ ସେବା କରିବେ। ତେବେ କଂଗ୍ରେସରେ ରହି ଲୋକଙ୍କ ସେବା କରିବାର ଆଉ ସୁଯୋଗ ନାହିଁ। ସେଥିପାଇଁ ସେ ଅତ୍ୟନ୍ତ ଦୁଃଖର ସହିତ କଂଗ୍ରେସ ଛାଡୁଛନ୍ତି ଓ ସେଥିପାଇଁ ତାଙ୍କୁ କ୍ଷମା କରି ଦିଆଯିବ ବୋଲି ଆଶାକରୁଛନ୍ତି ।



