ଆଜିର ଖାସ୍ ଖବର

ରାଜ୍ୟରେ ଗତ ୨୪ ଘଣ୍ଟାରେ ୪୪୭ ଜଣ କରୋନା ପଜିଟିଭ୍ ହୋଇଥିବା ବେଳେ ୪ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ଜନିତ ମୃତ୍ୟୁ ସଂଖ୍ୟା ୮୩୦୯ ବୃଦ୍ଧି ପାଇଛି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୧୦୩୮୪୧୧ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୪୫୮୨ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୧୦୨୫୫୦୭ଜଣ ସୁସ୍ଥ ହୋଇଛନ୍ତି ।

ରାଜ୍ୟର ବିଭିନ୍ନ ସ୍ୱୟଂଶାସିତ ଓ ଡିଗ୍ରୀ କଲେଜରେ ଖାଲିଥିବା +୩ ସିଟ୍‌ରେ ନାମଲେଖା ପାଇଁ ଶନିବାର ସ୍ପଟ୍‌ ମେଧା ତାଲିକା ପ୍ରକାଶ ପାଇଛି । କଲେଜ ନୋଟିସ୍‌ ବୋର୍ଡରେ ମେଧା ତାଲିକା ପ୍ରକାଶ କରାଯାଇଛି । ସୋମବାର ଆପ୍ଲିକାଣ୍ଟ ଲଗ୍‌ଇନ୍‌ରେ ଏହା ଦେଖାଇବ । ଆସନ୍ତାକାଲିଠୁ ୨୭ ତାରିଖ ଭିତରେ ଛାତ୍ରଛାତ୍ରୀ ଅନ୍‌ଲାଇନ୍‌ରେ ଫି’ ଦାଖଲ କରିବେ । ୨୭ ଓ ୨୮ ତାରିଖ ନାମଲେଖା ହେବ । ପରେ ୨୭ରୁ ୩୦ ତାରିଖ ପର୍ଯ୍ୟନ୍ତ କଲେଜ ପକ୍ଷରୁ ଇ-ସ୍ପେସ୍‌ରେ ଡାଟା ଅପଡେଟ୍‌ କରାଯିବ ।

ଚିଲିକାକୁ ଆସିଲେଣି ଦେଶୀ- ବିଦେଶୀ ପକ୍ଷୀ । ଚିଲିକା ବନ୍ୟପ୍ରାଣୀ ବିଭାଗ ପକ୍ଷରୁ ପକ୍ଷୀଙ୍କ ସୁରକ୍ଷା ପାଇଁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି । ପାଟ୍ରୋଲିଂ ବ୍ୟବସ୍ଥା କରାଯାଇଛି । ବିଭିନ୍ନ ସ୍ଥାନରେ ପକ୍ଷୀ ସୁରକ୍ଷା କ୍ୟାମ୍ପ ସାଙ୍ଗକୁ ବନ୍ୟପ୍ରାଣୀ ବିଭାଗ କର୍ମଚାରୀମାନେ ପକ୍ଷୀ ସୁରକ୍ଷା ବାହିନୀ ଗଠନ କରି ସୁରକ୍ଷା ପାଇଁ ସଜାଗ ଅଛନ୍ତି ।ଚିଲିକା ବନ୍ୟପ୍ରାଣୀ ଡିଭିଜନର ଅଧୀନରେ ଥିବା ୫ ଟି ରେଞ୍ଜ ଯଥା ଟାଙ୍ଗୀ, ରମ୍ଭା, ନୂଆପଡା, ଚିଲିକା [ବାଲୁଗାଁ ] ଓ ସାତପଡା ଆଦି ଅଞ୍ଚଳରେ ପକ୍ଷୀ ଶିକାର ନକରିବା ଲାଗି ବିଭିନ୍ନ ସ୍ଥାନରେ ଜନସଚେତନତା କାର୍ଯ୍ୟକ୍ରମ ମଧ୍ୟ ହେଉଛି । ପକ୍ଷୀଙ୍କ ସୁରକ୍ଷା ବଳୟକୁ ପ୍ରବେଶ ନ କରିବା ଲାଗି ମତ୍ସ୍ୟଜୀବୀମାନଙ୍କୁ ବାରଣ ମଧ୍ୟ କରାଯାଇଛି ।

ରାଜ୍ୟରେ ଧୀରେ ଧୀରେ ପାରଦ ତଳକୁ ଖସୁଛି ।ଦାରିଙ୍ଗିବାଡ଼ିରେ ପାରଦ ୧୧ ଡିଗ୍ରୀକୁ ଖସିଆସିଛି । ଫୁଲବାଣୀର ସର୍ବନିମ୍ନ ତାପମାତ୍ରା ୧୫.୨ ଓ ଭବାନୀପାଟଣାରେ ୧୬.୮ଡିଗ୍ରୀକୁ କମିଛି । ଏଥିସହ ରାଜ୍ୟର ବିଭିନ୍ନ ସ୍ଥାନରେ ଶୀତ ଅନୁଭୂତ ହେବା ଆରମ୍ଭ ହୋଇଯାଇଛି । ଆସନ୍ତା ୨୮ ତାରିଖ ଯାଏ ରାଜ୍ୟରେ ଶୁଖିଲା ପାଗ ରହିବ । ଦିନକୁ ଦିନ ଶୀତ ବଢ଼ିବ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ।

ଦେଶରେ ଗତ ୨୪ ଘଣ୍ଟାରେ ୧୫୯୦୬ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୫୬୧ ଜଣଙ୍କ ମୃତ୍ୟୁ ହୋଇଛି । ସେହିପରି ନୂତନ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୩କୋଟି ୪୧ ଲକ୍ଷ ୭୫ ହଜାର ୪୬୮ରେ ପହଁଚିଛି । ଏହା ବ୍ୟତୀତ ମୃତ୍ୟୁସଂଖ୍ୟା ୪ ଲକ୍ଷ ୫୫ ହଜାର ୨୬୯ରେ ପହଞ୍ଚିଛି । ଏବେ ଦେଶରେ ୧୭୨୫୯୪ ସକ୍ରିୟ ମାମଲା ରହିଥିବା ବେଳେ ସେହିପରି ୩୩୫୪୮୬୦୫ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶନିବାର ଦୁଇଦିନିଆ ଜମ୍ମୁ-କାଶ୍ମୀର ଗସ୍ତରେ ଯାଇଛନ୍ତି । ଏହି ଗସ୍ତ କାଳରେ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ ସହ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଆଜି (ରବିବାର) ଆଇଆଇଟି ଜମ୍ମୁ କ୍ୟାମ୍ପସ୍‌ର ନୂତନ ଗୃହ ଓ ଅତ୍ୟାଧୁନିକ ସୁବିଧାର ଲୋକାର୍ପଣ ତଥା ଶିଳାନ୍ୟାସ ସହ ଅନ୍ୟାନ୍ୟ କାର୍ଯ୍ୟକ୍ରମରେ ଯୋଗଦେବେ ।

 କ୍ରମାଗତ ୫ମ ଦିନରେ ବଢିଲା ପେଟ୍ରୋଲ୍ ଓ ଡିଜେଲ୍ ମୂଲ୍ୟ । ଆଜି ଭୁବନେଶ୍ବରରେ ୩୬ ପଇସା ବୃଦ୍ଧି ପାଇ ପେଟ୍ରୋଲ୍ ଲିଟର୍ ପିଛା ୧୦୮ ଟଙ୍କା ୫୫ରେ ପହଞ୍ଚିଛି । ଡିଜେଲ୍ ଦର ମଧ୍ୟ ଲିଟରପିଛା ୩୯ ପଇସା ବୃଦ୍ଧି ପାଇ ୧୦୫.୯ ପଇସାରେ ପହଞ୍ଚିଛି ।ସେହିପରି ଜାତୀୟ ରାଜଧାନୀ ଦିଲ୍ଲୀରେ ଲିଟର୍ ପିଛା ୩୫ ପଇସା ବୃଦ୍ଧି ପାଇ ପେଟ୍ରୋଲ ୧୦୭ ଟଙ୍କା ୫୯ ପାଇସାରେ ବିକ୍ରି ହେଉଛି । ଡିଜେଲ୍ ଦର ମଧ୍ୟ ସମପରିମାଣରେ ବୃଦ୍ଧି ପାଇ ୯୬ ଟଙ୍କା ୩୨ରେ ପହଞ୍ଚିଛି ।

ଜମ୍ମୁ-କଶ୍ମୀର ପୁଞ୍ଚ ଅଞ୍ଚଳରେ ପୁଣି ଆତଙ୍କବାଦୀ ଓ ସୁରକ୍ଷାକର୍ମୀ ମୁହାଁମୁହିଁ ହୋଇଛନ୍ତି। ଆତଙ୍କବାଦୀଙ୍କ ଠକଣା ଖୋଜିବା ବେଳେ ପ୍ରବଳ ଗୁଳିମାଡରେ ଜଣେ ଯବନା ଓ ଦୁଇ ଜଣ ପୁଲିସକର୍ମୀ ଆହତ ହୋଇଛନ୍ତି । ଏହାସହ ଜଣେ ଆତଙ୍କବାଦୀ ବି ଗୁରୁତର ଆହତ ହୋଇଛି ।

ଋଷରେ ପୁଣି ଥରେ କରୋନା ର ମାମଲା ଦ୍ରୁତ ଗତି ବଢ଼ିଛି। ଶନିବାର ଦିନକରେ ଏଠି କରୋନାରେ ଆକ୍ରାନ୍ତ ହୋଇ ୧୦୭୫ ଜଣ ପ୍ରାଣ ହରାଇଛନ୍ତି।  ଏହା ସହିତ ଇଟାଲୀ, ସ୍ପେନ୍‌, ଫ୍ରାନ୍ସ ଭଳି ଦେଶକୁ ପଛରେ ପକାଇ ୟୁରୋପ କରୋନା ମହାମାରୀ ଦ୍ୱାରା ପ୍ରଭାବିତ ହୋଇଥିବା ବୃହତ୍ତମ ଦେଶ ପାଲଟିଯାଇଛି।

ଆଜି ପର୍ଯ୍ୟନ୍ତ ବିଶ୍ବବ୍ୟାପୀ ୨୪ କୋଟି ୪୦ ଲକ୍ଷ ୮୭ ହଜାର ୩୭୧ ଜଣ କରୋନା ପଜିଟିଭ ଚିହ୍ନଟ ହୋଇସାରିଛନ୍ତି। କରୋନା ଯୋଗୁଁ ୪୯ ଲକ୍ଷ ୫୮ ହଜାର ୯୨୪ ଜଣଙ୍କର ମୃତ୍ୟୁ ହୋଇସାରିଛି। ଏବେ ବିଶ୍ବରେ ୨୨ କୋଟି ୧୧ ଲକ୍ଷ ୫୬ ହଜାର ୩୨୯ ଜଣ  କରୋନାରୁ ସୁସ୍ଥ ହୋଇସାରିଥିବା ବେଳେ ୧  କୋଟି ୭୯ ଲକ୍ଷ ୭୨ ହଜାର ୧୦୦ ଜଣ ସକ୍ରିୟ ଆକ୍ରାନ୍ତଙ୍କ ଚିକିତ୍ସା ଜାରି ରହିଛି।

ତୁର୍କୀ ଘରୋଇ ମାମଲାରେ ହସ୍ତକ୍ଷେପ ଦେବା ମାମଲାକୁ ନେଇ ଆମେରିକା, ଫ୍ରାନ୍ସ ଓ କାନାଡା ସମେତ ୧୦ଟି ଦେଶର ରାଜଦୂତଙ୍କୁ ନିଜ ଦେଶରୁ ବାହାର କରିଛି। ତୁକୀର ବିଦେଶ ମନ୍ତ୍ରାଳୟ ଏହି ଦେଶଗୁଡ଼ିକର ରାଜଦୂତଙ୍କୁ ପରସେନା ନନ ଗ୍ରୋଟା ଘୋଷିତ କରିଛି। ଏହାର ଅର୍ଥ ରାଜଦୂତ ତୁର୍କୀ ପାଇଁ ଏବେ ଅବାଂଛିତ ବ୍ୟକ୍ତି ହୋଇଯାଇଛନ୍ତି। କାନାଡା, ଡେନମାର୍କ, ଫ୍ରାନ୍ସ, ଜର୍ମାନୀ, ନେଦରଲାଣ୍ଡ, ନରୱେ, ସୁଇଡେନ, ପାଲେଷ୍ଟାଇନ, ନ୍ୟୁଜିଲାଣ୍ଡ ଓ ସଂଯୁକ୍ତ ରାଷ୍ଟ୍ର ଆମେରିକାର ରାଜଦୂତମାନେ ୪୮ରୁ ୭୨ ଘଣ୍ଟା ମଧ୍ୟରେ ତୁର୍କୀ ସୀମାରୁ ବାହାରି ଯିବାକୁ ହେବ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଆଜିର ଖାସ୍ ଖବର

Mon Oct 25 , 2021
ରାଜ୍ୟରେ ଗତ ୨୪ ଘଣ୍ଟାରେ ୪୨୫ ଜଣ କରୋନା ପଜିଟିଭ୍ ହୋଇଥିବା ବେଳେ ୩ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ଜନିତ ମୃତ୍ୟୁ ସଂଖ୍ୟା ୮୩୧୨ ବୃଦ୍ଧି ପାଇଛି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୧୦୩୮୮୩୬ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୪୫୫୪ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୧୦୨୫୯୧୭ଜଣ ସୁସ୍ଥ ହୋଇଛନ୍ତି ।  ଆଜି […]

You May Like

Pin It on Pinterest