ଆଜିର ଖାସ୍ ଖବର

ରାଜ୍ୟରେ ଗତ ୨୪ ଘଣ୍ଟାରେ ୪୨୫ ଜଣ କରୋନା ପଜିଟିଭ୍ ହୋଇଥିବା ବେଳେ ୩ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ଜନିତ ମୃତ୍ୟୁ ସଂଖ୍ୟା ୮୩୧୨ ବୃଦ୍ଧି ପାଇଛି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୧୦୩୮୮୩୬ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୪୫୫୪ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୧୦୨୫୯୧୭ଜଣ ସୁସ୍ଥ ହୋଇଛନ୍ତି । 

ଆଜି ବିଜେପି ପକ୍ଷରୁ ୧୬ ଦଫା ଦାବି ନେଇ ମୟୁରଭଞ୍ଜ ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି । ଏହି ବନ୍ଦ ଯୋଗୁଁ ଜନଜୀବନ ପ୍ରଭାବିତ ହୋଇଛି । ଗାଡିମଟର, ଦୋକାନ ବଜାର ସବୁ ବନ୍ଦ ରହିଥିବା ଦେଖାଯାଇଛି । ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ମୟୂରଭଞ୍ଜ ବନ୍ଦ ଡାକରା ଦିଆଯାଇଛି ।

ଆଜି ପବିତ୍ର ମାସ କାର୍ତ୍ତିକର ପ୍ରଥମ ସୋମବାର। ଏଥିପାଇଁ ଶ୍ରୀକ୍ଷେତ୍ର ପୁରୀରେ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଛି। ଭୋରରୁ ସ୍ନାନ ସାରି ତୁଳସୀ ଚଉରା ନିକଟରେ ପୂଜାର୍ଚ୍ଚନା କରି ବ୍ରତ ପାଳନ କରୁଛନ୍ତି ହବିଷ୍ୟାଳି।  ଚଳିତ ବର୍ଷ କରୋନା କଟକଣା ଥିବାରୁ ହବିଷ୍ୟାଳିଙ୍କ ଭିଡ଼ ଏତେଟା ନାହିଁ। ଲଜ୍ ଓ ହୋଟେଲରେ ହବିଷ୍ୟାଳିଙ୍କୁ ନ ରଖିବା ପାଇଁ ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି।  ଏପରିକି ଏ ବର୍ଷ ପୁରୀ ନ ଆସିବାକୁ ହବିଷ୍ୟାଳିଙ୍କୁ ଅନୁରୋଧ କରିଥିଲା ପୁରୀ ଜିଲ୍ଲା ପ୍ରଶାସନ।

ଆଜି ହେଉଛି କାର୍ତ୍ତିକ ମାସର ପ୍ରଥମ ସୋମବାର। ଚଳିତ ବର୍ଷ କାର୍ତ୍ତିକ ପ୍ରଥମ ସୋମବାରରେ ଧବଳେଶ୍ଵରଙ୍କୁ ଦର୍ଶନ କରିପାରିବେନି ଭକ୍ତ। କୋଭିଡ୍ କଟକଣା ପାଇଁ ବାବଙ୍କ ପୀଠରେ ପ୍ରଶାସନ ପକ୍ଷରୁ ୧୪୪ ଧାରା ଲାଗୁ କରାଯାଇଛି। ଭୋର ୪ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ଏହି ନିୟମ ବଳବତ୍ତର ରହିବ ।

କାର୍ତ୍ତିକ ପ୍ରଥମ ସୋମବାରରେ ଶ୍ରଦ୍ଧାଳୁଙ୍କୁ ରାଇଦାମୋଦର ବେଶରେ ଦର୍ଶନ ଦେବେ ମହାପ୍ରଭୁ ଲିଙ୍ଗରାଜ । କରୋନା କଟକଣା ସାଙ୍ଗକୁ ବିଏମସିର ଗାଇଡଲାଇନ୍ ପାଇଁ ଚଳିତ ଥର ଲିଙ୍ଗରାଜ ମନ୍ଦିର ମଧ୍ୟରେ ହବିଷ୍ୟାଳୀ ହବିଷ କରିପାରିବେନି । ଏହା ସହ ମନ୍ଦିର ମଧ୍ୟରେ କୌଣସି ପ୍ରକାର ଧୂପ, ଦୀପ ସାଙ୍ଗକୁ ଭୋଗ ମଧ୍ୟ ଲଗେଇବା ବାରଣ କରାଯାଇଛି । ଶ୍ରଦ୍ଧାଳୁମାନେ ଆଡକାଠ ପାଖରୁ ମହାପ୍ରଭୁଙ୍କୁ ଦର୍ଶନ କରିପାରିବେ ।

ନବମ, ଦଶମ ପରେ ଆଜିଠୁ ଖୋଲୁଛି ଅଷ୍ଟମ ଶ୍ରେଣୀ । ଅନଲାଇନ ବଦଳରେ ଏଣିକି ଶ୍ରେଣୀ ଗୃହରେ ବସି ପାଠ ପଢିବେ ଛାତ୍ରଛାତ୍ରୀ ।ତେବେ ସ୍କୁଲରେ କୋଭିଡ ଗାଇଡଲାଇନକୁ ବାଧ୍ୟତାମୂଳକ କରାଯାଇଛି। ସେପଟେ ଏତେ ଦିନ ପରେ ସ୍କୁଲ ଖୋଲୁଥିବାରୁ ଛାତ୍ରଛାତ୍ରୀ ଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି । କ୍ଲାସ ଆରମ୍ଭ ହେବା ପୂର୍ବରୁ ସ୍କୁଲକୁ ସାନିଟାଇଜ କରାଯାଇଛି।

ଓଡିଶା ସରକାର ପଛୁଆ ବର୍ଗମାନଙ୍କ ସାମ୍ବିଧାନିକ ଅଧିକାର ଓ ଶିକ୍ଷା, ଚାକିରୀ ରାଜନୀତିରେ ସଂରକ୍ଷଣ ଉଚ୍ଛେଦ ପ୍ରତିବାଦ କରି କଳାହାଣ୍ଡି ବନ୍ଦ ଡାକରା ଦେଇଛି ପଛୁଆ ବର୍ଗ ଜାତି ସମୂହ । ୧୨ ଘଣ୍ଟିଆ ବନ୍ଦ ଡାକରାରେ ଜିଲ୍ଲାର ବିଭିନ୍ନ ସ୍ଥାନରେ ବନ୍ଦ ପାଇଁ ଆନ୍ଦୋଳନକାରୀ ରାଜ୍ୟ ତଥା ଜାତୀୟ ରାଜପଥ ଅବରୋଧ କରିଛନ୍ତି । 

ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ମାମଲାର ସିବିଆଇ ତଦନ୍ତ ଦାବିରେ ବିଜେପି ପକ୍ଷରୁ ଆସନ୍ତାକାଲି ୧୨ ଘଣ୍ଟା  ପାଇଁ ସମ୍ବଲପୁର ବନ୍ଦ ପାଳନ କରାଯିବ। ଏହାସହ ଗୃହରାଷ୍ଟ୍ର ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କର ବହିଷ୍କାର ଦାବି ମଧ୍ୟ କରାଯାଇଛି। ଏହି ସମୟରେ ଆମ୍ବୁଲାନ୍ସ , କ୍ଷୀର ଭଳି ଅତ୍ୟାବଶ୍ୟକୀୟ ସେବାକୁ ବାଦ୍ ଦିଆଯିବ। ଏଥିସହିତ ସେଦିନ କୌଣସି ପରୀକ୍ଷା କିମ୍ବା ଆଡ଼ମିଶନ ଥିଲେ, ତାହାକୁ ବି ବନ୍ଦରୁ ବାଦ୍ ଦିଆଯିବ ବୋଲି ବିଜେପି ପକ୍ଷରୁ କୁହାଯାଇଛି।

ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୧୪୩୦୬ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୪୪୩ ଜଣଙ୍କ ମୃତ୍ୟୁ ହୋଇଛି । ସେହିପରି ନୂତନ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୩କୋଟି ୪୧ ଲକ୍ଷ ୮୯ ହଜାର ୭୭୪ରେ ପହଁଚିଛି । ଏହା ବ୍ୟତୀତ ମୃତ୍ୟୁସଂଖ୍ୟା ୪ ଲକ୍ଷ ୫୪ ହଜାର ୭୧୨ରେ ପହଞ୍ଚିଛି । ଏବେ ଦେଶରେ ୧୬୭୬୯୫ ସକ୍ରିୟ ମାମଲା ରହିଥିବା ବେଳେ ୩୩୫୬୭୩୬୭ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉତ୍ତର ପ୍ରଦେଶ ଗସ୍ତ କରି ବାରାଣସୀରେ ‘ପ୍ରଧାନମନ୍ତ୍ରୀ ଆତ୍ମନିର୍ଭର ସ୍ୱାସ୍ଥ୍ୟ ଭାରତ ଯୋଜନା’ର ଶୁଭାରମ୍ଭ କରିବେ। ଏଥିସହ ପ୍ରଧାନମନ୍ତ୍ରୀ ରାଜ୍ୟରେ ୯ଟି ମେଡିକାଲ୍‌ କଲେଜ୍‌ ମଧ୍ୟ ଉଦ୍‌ଘାଟନ କରିବେ । ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟର ଏକ ‘ରିଲିଜ୍‌’ ଅନୁସାରେ, ବାରାଣସୀ ନିମନ୍ତେ ପ୍ରଧାନମନ୍ତ୍ରୀ ମୋଦୀ ଟ. ୫୩୦୦/- କୋଟିରୁ ଊର୍ଦ୍ଧ୍ୱ ମୂଲ୍ୟର କେତେକ ବିକାଶମୂଳକ ପ୍ରକଳ୍ପ ମଧ୍ୟ ଉଦ୍‌ଘାଟନ କରିବେ।‘

ଛତିଶଗଡ଼-ତେଲେଙ୍ଗାନା ସୀମାନ୍ତବର୍ତ୍ତୀ ବିଜାପୁରରେ ‘ଗ୍ରେହାଉଣ୍ଡ୍‌’ ଏବଂ ମାଓବାଦୀଙ୍କ ମଧ୍ୟରେ ଏନ୍‌କାଉଣ୍ଟର୍‌ ଘଟି ୩ଜଣ ନକ୍ସଲବାଦୀ ପ୍ରାଣ ହରାଇଛନ୍ତି । ଘଟଣାସ୍ଥଳରୁ ପୁଲିସ ‘ଏସ୍‌ଏଲ୍‌ଆର୍‌’ ଏବଂ ‘ଏକେ-୪୭’ ରାଇଫଲ୍‌ ଉଦ୍ଧାର କରିଛି। ଏହି ଗୁଳିବିନିମୟ ଘଟଣାରେ ନକ୍ସଲମାନେ ଖୁବ୍‌ କ୍ଷତିଗ୍ରସ୍ତ ହୋଇଥିବା କୁହାଯାଉଛି।

ବିଶ୍ବବ୍ୟାପୀ ୨୪ କୋଟି ୪୪ ଲକ୍ଷ ୯ ହଜାର ୬୩୬ ଜଣ କରୋନା ପଜିଟିଭ ଚିହ୍ନଟ ହୋଇସାରିଛନ୍ତି। କରୋନା ଯୋଗୁଁ ୪୯ ଲକ୍ଷ ୬୩ ହଜାର ୫୦୩ ଜଣଙ୍କର ମୃତ୍ୟୁ ହୋଇସାରିଛି। ଏବେ ବିଶ୍ବରେ ୨୨ କୋଟି ୧୪ ଲକ୍ଷ ୨୭ ହଜାର ୫୮୫ ଜଣ  କରୋନାରୁ ସୁସ୍ଥ ହୋଇସାରିଥିବା ବେଳେ ୧  କୋଟି ୮୦ ଲକ୍ଷ ୧୮ ହଜାର ୫୪୮ ଜଣ ସକ୍ରିୟ ଆକ୍ରାନ୍ତଙ୍କ ଚିକିତ୍ସା ଜାରି ରହିଛି।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଗୋବିନ୍ଦ ସାହୁ ହାଜର ହେ...ଏବେ ଗୋବିନ୍ଦର ଠିକଣା କଣ୍ଟାବାଞ୍ଝି ଜେଲ...

Mon Oct 25 , 2021
ବିମଲ ଯୋଷୀ(ବଲାଙ୍ଗୀର):ବହୁ ଚର୍ଚିତ ମମିତା ମେହେର ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁକୁ ,ଆଜି ସକାଳୁ ସକାଳୁ ଜେଲ ହାଜତ କୁ ପଠାଇ ଦିଆ ଯାଇଛି । ଗତକାଲି ସାରିଥିଲା ଗୋବିନ୍ଦର ରିମାଣ୍ଡ,ତେଣୁ ଆଜି ସକାଳୁ ତାକୁ ବଙ୍ଗମୁଣ୍ଡା ଏସ୍‌ଡିଜଏମ୍‌ କୋର୍ଟରେ ହାଜର କରିଥିଲା ପୁଲିସ୍‌। ଏହାପରେ ତାକୁ କଣ୍ଟାବାଞ୍ଝି ଜେଲ୍‌କୁ ପଠାଇ ଦିଆଯାଇଛି। ଗୋବିନ୍ଦ ସାହୁର ୫ ଦିନିଆ ରିମାଣ୍ଡ ଅବଧୀ ଗତ ରାତିରେ ସରୁଥିଲା। ତେଣୁ […]

You May Like

Pin It on Pinterest