ରାଜ୍ୟରେ ଗତ ୨୪ ଘଣ୍ଟାରେ ୩୨୭ ଜଣ କରୋନା ପଜିଟିଭ୍ ହୋଇଥିବା ବେଳେ ୪ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ଜନିତ ମୃତ୍ୟୁ ସଂଖ୍ୟା ୮୩୪୦ ବୃଦ୍ଧି ପାଇଛି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୧୦୪୨୧୦୦ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୪୧୨୨ଟି ଆକ୍ଟିଭ୍ କେସ୍ ରହିଥିବା ବେଳେ ୧୦୨୯୫୮୫ଜଣ ସୁସ୍ଥ ହୋଇଛନ୍ତି ।
ବାଲେଶ୍ୱର ଜିଲ୍ଲାର କୁଳଡ଼ିହା ଅଭୟାରଣ୍ୟ ପର୍ଯ୍ୟଟକଙ୍କ ପାଇଁ ଖୋଲିଲା । ଗତକାଲି ପ୍ରଥମ ପର୍ଯ୍ୟାୟରେ ୧୨ ଜଣ ବଙ୍ଗୀୟ ପର୍ଯ୍ୟଟକ ବାଲିଆନାଳ ବିଟ୍ ହାଉସ ଗେଟ୍ ଦେଇ ଅଭୟାରଣ୍ୟରେ ପ୍ରବେଶ କରିଥିଲେ । ପର୍ଯ୍ୟଟକମାନଙ୍କୁ ଫୁଲ ଦେଇ ସ୍ୱାଗତ କରିଥିଲେ ବନବିଭାଗ କର୍ମଚାରୀ।
ଆଜି (ମଙ୍ଗଳବାର) ୧୦ଟା ୩୦ରେ ନିଳାଦ୍ରୀ ଭକ୍ତ ନିବାସରେ ବସିଛି ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ । ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି ବୈଠକ।
ଓଡିଶା ଲଲିତ କଳା ଏକାଡେମୀ, ଓଡିଶା ସଙ୍ଗୀତ ନାଟକ ଏଖାଡେମୀ, ଓଡିଶା ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଏବଂ ଜିଲ୍ଲା ପ୍ରଶାସନ ମାଲକାନଗିରି ଦ୍ୱାରା ଆୟୋଜିତ ମେଘ ଉତ୍ସବ ଅବସରରେ ରାଜ୍ୟସ୍ତରୀୟ ଚିତ୍ରକଳା ଶିବିର ମେଘ ମହ୍ଲାର ଆୟୋଜିତ ହୋଇଅଛି । ଉକ୍ତଶିବିରକୁ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ନିର୍ଦ୍ଦେଶକ ରଞ୍ଜନ କୁମାର ଦାସ, ଓଡିଆ ସଙ୍ଗୀତ ନାଟକ ଏଖାଡେମୀର ସଚିବ ଶ୍ରୀ ପ୍ରବୋଧ କୁମାର ରଥ, ଲୋକକଳାର ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ବାସୁଦେବ ମାଲବିଶୋଇ, ରାଜ୍ୟ ଲୋକକଳା ସଙ୍ଘର ସଭାପତି ଶ୍ରୀ ଅବନିସ କୁମାର ମିଶ୍ର, ଓଡିଶା ଲିଲିତ କଳା ଏକାଡେମୀ ସଚିବ, ଶ୍ରୀ ପଞ୍ଚାନନ ସାମଲ ଓ ଜୟପୁର ଆର୍ଟ ସ୍କୁଲର ଅଧ୍ୟକ୍ଷ ଶ୍ରୀ ଯୁଧିଷ୍ଠିର ମଲ୍ଲିକ ଶୁଭ ଉଦଘାଟନ କରିଥିଲେ ।
ଓଡ଼ିଆ ଆଇଏଫ୍ଏସ୍ ଅଫିସର ଦିନେଶ କୁମାର ପଟ୍ଟନାୟକ ସ୍ପେନ୍ରେ ଭାରତର ରାଷ୍ଟ୍ରଦୂତ ନିଯୁକ୍ତି ପାଇଛନ୍ତି । କେନ୍ଦ୍ର ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ପକ୍ଷରୁ ଜାରି ବିଜ୍ଞପ୍ତିରେ ଏହି ସୂଚନା ଦିଆଯାଇଛି । ସେ ୧୯୯୦ ବ୍ୟାଚ୍ର ଆଇଏଫ୍ଏସ୍ ଅଫିସର ।
ଆଜି (ମଙ୍ଗଳବାର)ଠୁ ଘରକୁ ଘର ଯିବେ ସ୍ୱାସ୍ଥ୍ୟକର୍ମୀ । ରାଜ୍ୟରେ ‘ହର ଘର ଦସ୍ତକ‘ ଅଭିଯାନ ଆରମ୍ଭ ହେବ । ପରିବାରରେ କେଉଁ କେଉଁ ସଦସ୍ୟ ଆଦୌ ଟିକା ନେଇନାହାନ୍ତି? ଯଦି ନେଇଛନ୍ତି ଉଭୟ ଡୋଜ୍ ନା କେବଳ ପ୍ରଥମ ଡୋଜ୍ ନେଇ ରହିଯାଇଛନ୍ତି । ଏ ସବୁର ତଥ୍ୟ ସଂଗ୍ରହ କରାଯିବା ପରେ ନିକଟସ୍ଥ ଟିକାକରଣ କେନ୍ଦ୍ରରେ ଟିକାଦାନର ବ୍ୟବସ୍ଥା କରାଯିବ । ପରିବାର କଲ୍ୟାଣ ନିର୍ଦ୍ଦେଶକ ଡାକ୍ତର ବିଜୟ ପାଣିଗ୍ରାହୀ ଏ ନେଇ ସୂଚନା ଦେଇଛନ୍ତି ।
ଭୁବନେଶ୍ୱର ଏବଂ ଜୟପୁର ମଧ୍ୟରେ ସିଧାସଳଖ ବିମାନ ଉଡ଼ାଣ ଆରମ୍ଭ। ବହୁ ଦିନର ଅପେକ୍ଷା ପରେ ଏବେ କେନ୍ଦ୍ର ସରକାର ଏବଂ ଓଡ଼ିଶା ସରକାରଙ୍କ ମିଳିତ ପ୍ରୟାସ ପାଇଁ ଏହା ସଫଳ ହୋଇପାରିଛି। ଆଜି ଭର୍ଚୁଆଲ ମାଧ୍ୟମରେ ଏହାର ଉଦଘାଟନ କରାଯାଇଥିବା ବେଳେ ଉଦଘାଟନୀ ସମାରୋହରେ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ, କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ, ସାଂସଦ ଅପରାଜିତା ଷଡ଼ଙ୍ଗୀ ଓ ଇଣ୍ଡିଗୋର ବରିଷ୍ଠ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।
ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୧୦୪୨୩ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୪୪୩ ଜଣଙ୍କ ମୃତ୍ୟୁ ହୋଇଛି । ସେହିପରି ନୂତନ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୩କୋଟି ୪୨ ଲକ୍ଷ ୯୬ ହଜାର ୨୩୭ରେ ପହଁଚିଛି । ଏହା ବ୍ୟତୀତ ମୃତ୍ୟୁସଂଖ୍ୟା ୪ ଲକ୍ଷ ୫୮ ହଜାର ୮୮୦ରେ ପହଞ୍ଚିଛି । ଏବେ ଦେଶରେ ୧୫୩୭୭୬ ସକ୍ରିୟ ମାମଲା ରହିଥିବା ବେଳେ ୩୩୬୮୩୫୮୧ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।
ଗତ ୭ଦିନ ହେଲାଣି ପ୍ରତିଦିନ ତୈଳ ବୃଦ୍ଧି ପାଉଛି। ଆଜି ପୁଣି ପେଟ୍ରୋଲ ଦର ବଢ଼ିବା ଖବର ଲୋକଙ୍କୁ ଚିନ୍ତାରେ ପକାଇଛି। ଆଜି ପେଟ୍ରୋଲ ଦର ୩୫ପଇସା ବଢ଼ିଥିବା ବେଳେ ଡିଜେଲ ଦର ଅପରିବର୍ତ୍ତିତ ରହିଛି।୩୫ପଇସା ବୃଦ୍ଧି ପରେ ଏବେ ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ୧୧୦.୦୪ଟଙ୍କା ଥିବା ବେଳେ ଡିଜେଲ ଲିଟର ପିଛା ୯୮.୪୨ଟଙ୍କା ରହିଛି। ସବୁଠାରୁ ବଡ଼ କଥା ହେଲା ୩୫ପଇସା ବୃଦ୍ଧି ସହ ଭୁବନେଶ୍ବରରେ ପେଟ୍ରୋଲ ଲିଟର ପିଛା ୧୧୦.୬୯ଟଙ୍କାରେ ପହଞ୍ଚିଛି। ଏହା ସହ ଡିଜେଲ ଲିଟର ପିଛା ୧୦୭.୩୯ ଟଙ୍କା ରହିଛି ।
ଆଜି ଧନ୍ତେରସ୍ । ପରମ୍ପରାରେ ଧନ୍ତେରସ୍କୁ ଏକ ବଡ଼ ପର୍ବ ହିସାବରେ ପାଳନ କରାଯାଏ । ସୁନା କିଣିବା ସହିତ ଏହି ଦିନ ସୁନା ଦାନ କରିବା ମଧ୍ୟ ଶୁଭ ବୋଲି ବିବେଚନା କରାଯାଏ । ଧନ୍ତେରସ୍ରେ ସୁନା କିଣିଲେ ଘରକୁ ମା’ ଲକ୍ଷ୍ମୀ ଆସନ୍ତି ଏବଂ ପରିବାରରେ ସୁଖଶାନ୍ତି ବଢ଼େ ବୋଲି ବିଶ୍ୱାସ ରହିଛି।
ରାଷ୍ଟ୍ରୀୟ ଗଙ୍ଗା ସ୍ୱଚ୍ଛ ମିଶନ (NMCG) ଗିନିଜ୍ ବୁକ୍ ଅଫ୍ ୱାର୍ଲ୍ଡ ରେକର୍ଡରେ ସ୍ଥାନ ପାଇଛି । ଗଙ୍ଗା ଉତ୍ସବର ପ୍ରଥମ ଦିନରେ ଏକ ଘଣ୍ଟା ମଧ୍ୟରେ ଫେସବୁକରେ ଅପଲୋଡ୍ ହୋଇଥିବା ସର୍ବାଧିକ ସଂଖ୍ୟକ ନୋଟଗୁଡ଼ିକର ଫଟୋ ପାଇଁ ଗିନିଜ ୱାର୍ଲ୍ଡ ରେକର୍ଡ ସ୍ଥାନ ପାଇଛି।ଜଳ ଶକ୍ତି ମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାୱତ ଫେସବୁକରେ ନିଜର ବାର୍ତ୍ତା ପୋଷ୍ଟ କରିଥିଲେ, ଯାହା ପରେ ଜନସାଧାରଣଙ୍କ ପାଇଁ ଏହି କାର୍ଯ୍ୟକଳାପ ଖୋଲା ଯାଇଥିଲା।
ଗ୍ଲାସଗୋରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ‘ବିଶ୍ୱ ନେତୃବୃନ୍ଦ ସମ୍ମିଳନୀ’ କୁ ସମ୍ବୋଧିତ କରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦି ତାଙ୍କ ଅଭିଭାଷଣରେ କହିଛନ୍ତି ଯେ ବିଶ୍ୱର ଜନସଂଖ୍ୟାର ୧୭ ପ୍ରତିଶତ ହୋଇଥିଲେ ହେଁ ମାତ୍ର ୫ ପ୍ରତିଶତ ନିର୍ଗମନ ପାଇଁ ଦାୟୀ । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ମୁଁ ଖୁସି ଯେ କୋଟି କୋଟି ଲୋକଙ୍କୁ ଦାରିଦ୍ର୍ୟରୁ ମୁକ୍ତ କରିବାରେ ନିୟୋଜିତ ଭାରତ ଭଳି ଏକ ବିକାଶଶୀଳ ଦେଶ ଦିନରାତି ପରିଶ୍ରମ କରି କୋଟି କୋଟି ଲୋକଙ୍କ ଜୀବନକୁ ସହଜ କରିଛି । ପ୍ରଧାନମନ୍ତ୍ରୀ କହିଛନ୍ତି, “ଆମେ ସମସ୍ତେ ଜାଣୁ ଯେ ଜଳବାୟୁ ଆର୍ଥିକ ସମ୍ବନ୍ଧରେ ଆଜି ପର୍ଯ୍ୟନ୍ତ ଦିଆଯାଇଥିବା ପ୍ରତିଶ୍ରୁତିଗୁଡିକ ଖାଲି ପ୍ରମାଣିତ ହୋଇଛି ।
ଆଜି ପର୍ଯ୍ୟନ୍ତ ବିଶ୍ବବ୍ୟାପୀ ୨୪ କୋଟି ୭୮ ଲକ୍ଷ ୮ ହଜାର ୨୮୩ ଜଣ କରୋନା ପଜିଟିଭ ଚିହ୍ନଟ ହୋଇସାରିଛନ୍ତି। କରୋନା ଯୋଗୁଁ ୫୦ ଲକ୍ଷ ୧୯ ହଜାର ୯୧୬ ଜଣଙ୍କର ମୃତ୍ୟୁ ହୋଇସାରିଛି। ଏବେ ବିଶ୍ବରେ ୨୨ କୋଟି ୪୫ ଲକ୍ଷ ୬ ହଜାର ୭୬୪ ଜଣ କରୋନାରୁ ସୁସ୍ଥ ହୋଇସାରିଥିବା ବେଳେ ୧ କୋଟି ୮୨ ଲକ୍ଷ ୮୧ ହଜାର ୬୦୨ ଜଣ ସକ୍ରିୟ ଆକ୍ରାନ୍ତଙ୍କ ଚିକିତ୍ସା ଜାରି ରହିଛି।



