ଆଜିର ଖାସ୍ ଖବର

ରାଜ୍ୟରେ ଗତ ୨୪ ଘଣ୍ଟାରେ ୧୭୦ ଜଣ କରୋନା ପଜିଟିଭ୍ ହୋଇଥିବା ବେଳେ ୩ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ଜନିତ ମୃତ୍ୟୁ ସଂଖ୍ୟା ୮୩୫୦ ବୃଦ୍ଧି ପାଇଛି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୧୦୪୨୯୪୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୩୬୫୧ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୧୦୩୦୮୮୯ଜଣ ସୁସ୍ଥ ହୋଇଛନ୍ତି । 

ଆଜି ଓଡ଼ିଶା ହାଇକୋର୍ଟର ବିଚାରପତି ଭାବେ ଜଷ୍ଟିସ ଆଦିତ୍ୟ କୁମାର ମହାପାତ୍ର ଶପଥ ଗ୍ରହଣ କରିଛନ୍ତି। ହାଇକୋର୍ଟ ନୂଆ ସମ୍ମିଳନୀ କକ୍ଷରେ ଆୟୋଜିତ ସ୍ଵତନ୍ତ୍ର ଉତ୍ସବରେ ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ. ମୁରଲୀଧର ତାଙ୍କୁ ଶପଥ ପାଠ କରାଇଛନ୍ତି। ଏହି ଅବସରରେ ହାଇକୋର୍ଟର ସମସ୍ତ ବିଚାରପତିଙ୍କ ସହିତ ଅନ୍ୟମାନେ ଉପସ୍ଥିତ ଥିଲେ।

ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୧୨୭୨୯ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୨୨୧ ଜଣଙ୍କ ମୃତ୍ୟୁ ହୋଇଛି । ସେହିପରି ନୂତନ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୩କୋଟି ୪୩ ଲକ୍ଷ ଉପରେ ରହିଛି । ଏହା ବ୍ୟତୀତ ମୃତ୍ୟୁସଂଖ୍ୟା ୪ ଲକ୍ଷ ୫୯ ହଜାର ୮୭୩ରେ ପହଞ୍ଚିଛି । ଏବେ ଦେଶରେ ୧୪୮୯୨୨ ସକ୍ରିୟ ମାମଲା ରହିଥିବା ବେଳେ ୩୩୭୨୪୯୫୯ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉତ୍ତରାଖଣ୍ଡର ରୁଦ୍ରପ୍ରୟାଗ ଜିଲ୍ଲାରେ ଥିବା କେଦାରନାଥ ମନ୍ଦିରରେ ପହଞ୍ଚି ପୂଜାର୍ଚ୍ଚନା କରିଛନ୍ତି । ସକାଳେ ଡେରାଡୁନ୍‌ ବିମାନ ବନ୍ଦରରେ ପହଞ୍ଚିଥିବା ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଉତ୍ତରାଖଣ୍ଡର ରାଜ୍ୟପାଳ ଅବସରପ୍ରାପ୍ତ ଲେଫ୍‌ଟ୍‌ନାଣ୍ଟ୍‌ ଜେନେରାଲ୍‌ ଗୁରମିତ ସିଂହ ଏବଂ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମି ସ୍ୱାଗତ କରି ପାଛୋଟି ନେଇଥିଲେ ।

 କଟକଣା ସତ୍ୱେ ଦିଲ୍ଲୀବାସୀ ଦୀପାବଳିରେ ରାତିସାରା ଫୁଟାଇଲେ ପ୍ରବଳ ବାଣ । ଫଳସ୍ୱରୂପ ରାଜଧାନୀ ଦିଲ୍ଲୀ ଓ ଏହାର ଆଖପାଖ ଅଞ୍ଚଳରେ ପ୍ରଦୂଷଣ ଅତି ଗମ୍ଭୀର ସ୍ତରକୁ ଚାଲି ଯାଇଛି। ଏପରିକି ବିଷାକ୍ତ ହୋଇଯାଇଛି ଦିଲ୍ଲୀର ବାୟୂ ।ପ୍ରଦୂଷଣ ରୋକିବାକୁ ଦିଲ୍ଲୀ ସରକାରଙ୍କ ପକ୍ଷରୁ ବହୁ ପୂର୍ବରୁ ପ୍ରସ୍ତୁତ ହୋଇଥିଲା ଆକ୍ସନ ପ୍ଲାନ୍‌। କଡ଼ା କାର୍ଯ୍ୟାନୁଷ୍ଠାନର ଚେତାବନୀ ବି ଦିଆଯାଇଥିଲା। ଦିଲ୍ଲୀ ସରକାରଙ୍କ ରୋକ ସତ୍ତ୍ୱେ ଲୋକେ ରାସ୍ତା ଉପରେ ବାଣ ଫୁଟାଇବାକୁ ଲାଗିଲେ। ଏହା ପ୍ରଭାବରେ ଗତ ରାତିରେ ଦିଲ୍ଲୀ ଆକାଶ ଧୂଆଁମୟ ହୋଇଯାଇଥିବା ବେଳେ ଆଜି ସକାଳେ ବି ଆକାଶରେ ଏକ ବହଳ ଆସ୍ତରଣ ଦେଖିବାକୁ ମିଳିଛି।

ଗୁରୁବାର ଦିନ ହୃଦ୍‌ଘାତ ଯୋଗୁଁ ‘ତୃଣମୂଳ କଂଗ୍ରେସ’ ବରିଷ୍ଠ ନେତା ତଥା ପଶ୍ଚିମବଙ୍ଗର ପଞ୍ଚାୟତ ମନ୍ତ୍ରୀ ସୁବ୍ରତ ମୁଖାର୍ଜୀଙ୍କର ଦେହାନ୍ତ ହୋଇଯାଇଛି । ଚିକିତ୍ସତ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି । ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏହି ସୂଚନା ଦେଇଛନ୍ତି । ରାଜ୍ୟ ପଞ୍ଚାୟତ ମନ୍ତ୍ରୀ ଥିବା ମୁଖାର୍ଜୀଙ୍କ ମୃତ୍ୟୁ ବେଳକୁ ୭୫ ବର୍ଷ ବୟସ ହୋଇଥିଲା ।

ଆଜି ବିଶ୍ବବ୍ୟାପୀ ୨୪ କୋଟି ୯୩ ଲକ୍ଷ ୫ ହଜାର ୮୮୦ ଜଣ କରୋନା ପଜିଟିଭ ଚିହ୍ନଟ ହୋଇସାରିଛନ୍ତି। କରୋନା ଯୋଗୁଁ ୫୦ ଲକ୍ଷ ୪୪ ହଜାର ୩୬୧ ଜଣଙ୍କର ମୃତ୍ୟୁ ହୋଇସାରିଛି। ଏବେ ବିଶ୍ବରେ ୨୨ କୋଟି ୫୮ ଲକ୍ଷ ୩ ହଜାର ୯୬୬ ଜଣ  କରୋନାରୁ ସୁସ୍ଥ ହୋଇସାରିଥିବା ବେଳେ ୧  କୋଟି ୮୪ ଲକ୍ଷ ୫୭ ହଜାର ୫୫୩ ଜଣ ସକ୍ରିୟ ଆକ୍ରାନ୍ତଙ୍କ ଚିକିତ୍ସା ଜାରି ରହିଛି।

ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି)ର ପୁରୁଷ ଟି-୨୦ ବିଶ୍ବକପ୍‌ର ଅନ୍ୟ ଏକ ମ୍ୟାଚରେ ଆଜି ଭାରତ ଓ ସ୍କଟଲାଣ୍ଡ ମଧ୍ୟରେ ମୁହାଁମୁହିଁ ହେବେ। ଦୁବାଇ ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମ୍‌ରେ ଏହି ମ୍ୟାଚ ଖେଳାଯିବ।

କରୋନା ର ‘ଡେଲ୍‌ଟା ଭେରିଆଣ୍ଟ୍‌’ ସଂକ୍ରମଣ ହଠାତ୍‌ ବୃଦ୍ଧି ପାଉଥିବାରୁ ପ୍ରାୟ ୫୩ଟି ୟୁରୋପୀୟ ଏବଂ କେନ୍ଦ୍ରୀୟ ଏସୀୟ ରାଷ୍ଟ୍ର ବିପଦର ସମ୍ମୁଖୀନ ହେବେ : ‘ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ’। ‘ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ’ର ୟୁରୋପ ମୁଖ୍ୟାଳୟର ମୁଖ୍ୟ ହାନ୍‌ସ୍‌ କ୍ଲଗ୍‌ ସାମ୍ବାଦିକମାନଙ୍କୁ କହିଛନ୍ତି, ପୁଣି ମହାମାରୀ ହଠାତ୍‌ ବୃଦ୍ଧି ପାଉଥିବା ଭଳି ଆଉ ଗୋଟାଏ ଜଟିଳ ସଙ୍କଟରେ ଆମେ ପଡ଼ିଛନ୍ତି। ୟୁରୋପ ପୁଣି ମହାମାରୀର କେନ୍ଦ୍ରସ୍ଥଳ ହେବାକୁ ଯାଉଛି। କ୍ଲଗ୍‌ କହିଛନ୍ତି, ପୁନଶ୍ଚ ସଂକ୍ରମଣ ମାମଲା ରେକର୍ଡସ୍ତରର ନିକଟବର୍ତ୍ତୀ ହେଉଛି।

ସାଉଦୀ ଆରବକୁ ୬୫୦ ନିୟୁତ ଡଲାର୍‌ ମୂଲ୍ୟର ଆକାଶରୁ ଆକାଶକୁ ନିକ୍ଷେପ କରାଯାଉଥିବା ଅତ୍ୟାଧୁନିକ କ୍ଷେପଣାସ୍ତ୍ର ବିକ୍ରି କରିବ ଯୁକ୍ତରାଷ୍ଟ୍ର ଆମେରିକା । ଡ୍ରୋନ୍‌ ଆକ୍ରମଣରୁ ସାଉଦୀ ଆରବକୁ ରକ୍ଷା କରିବା ଲାଗି ଆମେରିକା ଉକ୍ତ କ୍ଷେପଣାସ୍ତ୍ର ବିକ୍ରିକୁ ଅନୁମୋଦନ କରିଛି। ଏହି ଅନୁମୋଦନ ବଳରେ ସାଉଦୀ ଆରବ ୨୮୦ଟି ‘ଏମ୍‌-୧୨୦ସି’ ଉନ୍ନୀତ ମଧ୍ୟମ ରେଞ୍ଜ୍‌ କ୍ଷେପଣାସ୍ତ୍ର ଏବଂ ତାହାର ଯନ୍ତ୍ରାଂଶ ଖରିଦ କରିପାରବ ବୋଲି ବୈଦେଶିକ ବିଭାଗ କହିଛି।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଫେବୃଆରୀ ସୁଦ୍ଧା ମହାମାରୀ କରୋନାରେ,ପାଞ୍ଚ ଲକ୍ଷ ଲୋକ ମୃତ୍ୟୁ ବରଣ କରିବେ- WHO

Fri Nov 5 , 2021
WHO ଅଧିକାରୀ କରୋନାର ନୂଆ ତରଙ୍ଗକୁ ଭୟ କରୁଛନ୍ତି ୫୩ ଦେଶର ଏକ ବଡ଼ ଅଞ୍ଚଳରେ ୫ ଲକ୍ଷ ଲୋକ ମୃତ୍ୟୁ ବରଣ କରିପାରନ୍ତି ଡକ୍ଟର କ୍ଲେଗ କହିଛନ୍ତି ଯେ ୟୁରୋପ ପୁଣି ମହାମାରୀର କେନ୍ଦ୍ରରେ ଅଛି…. ଜେନେଭା:ବିଶ୍ୱର ଅନେକ ଦେଶରେ କରୋନା ମାମଲା ପୁଣି ବଢିବାରେ ଲାଗିଛି |ଏଭଳି ପରିସ୍ଥିତିରେ, WHO ର ବରିଷ୍ଠ ଅଧିକାରୀ ଭୟ କରିଛନ୍ତି ଯେ ୫୩ ଟି ଦେଶର ଅନେକ ଅଂଚଳରେ କରୋନାର […]

You May Like

Pin It on Pinterest