ରାଜ୍ୟରେ ୨୪ ଘଣ୍ଟାରେ ୨୦୮ ଜଣ କରୋନା ପଜିଟିଭ୍ ହୋଇଥିବା ବେଳେ ୪ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ଜନିତ ମୃତ୍ୟୁ ସଂଖ୍ୟା ୮୩୫୪ ବୃଦ୍ଧି ପାଇଛି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୧୦୪୩୧୫୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୩୩୧୯ଟି ଆକ୍ଟିଭ୍ କେସ୍ ରହିଥିବା ବେଳେ ୧୦୩୧୪୨୫ଜଣ ସୁସ୍ଥ ହୋଇଛନ୍ତି ।
ଆସନ୍ତା ୧୧ ଓ ୧୨ ତାରିଖରେ ଭୁବନେଶ୍ୱର ସମେତ ସମୁଦ୍ର ସଂଲଗ୍ନ ଜିଲ୍ଲାର କିଛି ସ୍ଥାନରେ ପ୍ରବଳ ବର୍ଷା ହେବ । ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ ଏଭଳି ପୂର୍ବାନୁମାନ କରିଛନ୍ତି, ସୁମାତ୍ରା ଉପରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ଏହା ଉତ୍ତର ପଶ୍ଚିମ ଦିଗରେ ଗତି କରି ଘନୀଭୂତ ହେବ । ୯ ତାରିଖ ବେଳକୁ ଏହା ଲଘୁଚାପରେ ପରିଣତ ହେବ । ୧୨ ଓ ୧୩ ତାରିଖରେ ଏହି ଘୂର୍ଣ୍ଣିବଳୟ ତାମିଲନାଡୁ ଓ ସଂଲଗ୍ନ ଦକ୍ଷିଣ ଆନ୍ଧ୍ର ଉପକୂଳରେ ଛୁଇଁବ ।
କାଳୀପୂଜା ଅବସରରେ ଭଦ୍ରକର ଅଧିଷ୍ଠାତ୍ରୀ ଦେବୀ ମା’ ଭଦ୍ରକାଳୀ ସପ୍ତମାତୃକା ବେଶରେ ଦର୍ଶନ ଦେଉଛନ୍ତି । ମା’ ୭ ଦିନରେ ୭ଟି ବେଶ ଧାରଣ କରନ୍ତି । ଆଜି (ଶନିବାର) ସପ୍ତମାତୃକା ବେଶର ତୃତୀୟ ଦିନରେ ରାଜରାଜେଶ୍ବରୀ ବେଶରେ ଦର୍ଶନ ଦେଉଛନ୍ତି ମା’ ।
କାଳୀ ପୂଜା ଶେଷ ହେବା ପରେ ଆଜି କଟକ ମହାନଗରରେ ମା’ଙ୍କ ଭସାଣୀ ଉତ୍ସବ ଅନୁଷ୍ଠିତ ହେଉଛି। ହେଲେ ସିଏମ୍ସିର କଟକଣା ଅନୁଯାୟୀ, ବହୁ ଅଳ୍ପ ସଂଖ୍ୟକ କର୍ମକର୍ତ୍ତାଙ୍କୁ ନେଇ ଚାଲିଛି ବିସର୍ଜନ ।
ପେଟ୍ରୋଲ ଓ ଡିଜେଲ ଉପରୁ ଭାଟ କମାଇଲେ ରାଜ୍ୟ ସରକାର । ଏହା ଆଜିଠାରୁ ଲାଗୁ ହୋଇଛି । ରାଜ୍ୟ ସରକାରଙ୍କ ପକ୍ଷରୁ ଏନେଇ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି । ପେଟ୍ରୋଲ ଓ ଡିଜେଲ ଉପରୁ ୪ ପ୍ରତିଶତ ଲେଖାଏଁ କମିଛି ଭାଟ୍ । ବର୍ତ୍ତମାନ ପେଟ୍ରୋଲରୁ ୨୮ ପ୍ରତିଶତ, ଡିଜେଲରୁ ୨୪ ପ୍ରତିଶତ ଭାଟ୍ ନେବେ ରାଜ୍ୟ ସରକାର । ପୂର୍ବରୁ ପେଟ୍ରୋଲରେ ୩୨% ଓ ଡିଜେଲରେ ୨୮% ଭାଟ ଲାଗୁଥିଲା । ସଂଶୋଧିତ ଭାଟ୍ ଅନୁଯାୟୀ, ପେଟ୍ରୋଲ ଲିଟର ପିଛା ୩ ଟଙ୍କା ୪ ପଇସା ଏବଂ ଡିଜେଲ ଲିଟର ପିଛା ୨ ଟଙ୍କା ୮୬ ପଇସା କମିବ ।
ମମିତା ମେହେରଙ୍କ ପରିବାରକୁ ନ୍ୟାୟ ଓ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଇସ୍ତଫା ଦାବିରେ ଆଜି ବିଜେପି ପକ୍ଷରୁ ବିଭିନ୍ନ ଜିଲ୍ଲା ବନ୍ଦ ପାଳନ କରାଯାଉଛି। ବିଜେପି ପକ୍ଷରୁ ୧୨ଘଣ୍ଟିଆ ଗଜପତି ଜିଲ୍ଲା ବନ୍ଦ ପାଳନ କରାଯାଉଛି। ସେହିପରି ଝାରସୁଗୁଡ଼ା ଜିଲ୍ଲାରେ ୮ ଘଣ୍ଟିଆ ବନ୍ଦ ପାଳନ କରାଯାଉଛି।
ଦେଶରେ ୨୪ ଘଣ୍ଟା ମଧ୍ୟରେ ୧୦୯୨୯ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୩୯୨ ଜଣଙ୍କ ମୃତ୍ୟୁ ହୋଇଛି । ସେହିପରି ନୂତନ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୩କୋଟି ୪୩ ଲକ୍ଷ ଉପରେ ରହିଛି । ଏହା ବ୍ୟତୀତ ମୃତ୍ୟୁସଂଖ୍ୟା ୪ ଲକ୍ଷ ୬୦ ହଜାର ୨୬୫ରେ ପହଞ୍ଚିଛି । ଏବେ ଦେଶରେ ୧୪୬୯୫୦ ସକ୍ରିୟ ମାମଲା ରହିଥିବା ବେଳେ ୩୩୭୩୭୪୬୮ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।
ପରମ୍ପରା ଅନୁଯାୟୀ ଆଜି (ଶନିବାର) ଭାଇ ଦୂଜ ଶୁଭ ଅବସରରେ କେଦାରନାଥ ଏବଂ ଯମୁନେତ୍ରୀ ଧାମର କବାଟ ଶୀତଦିନ ପାଇଁ ବନ୍ଦ ରହିବ । କେଦାରନାଥ ଧାମର କବାଟ ସକାଳ ୮.୩୦ରେ ବନ୍ଦ ରହିବ । ବାବାଙ୍କ ଡୋଲି ଧାମରୁ ଶୀତକାଳିନ ଗଦ୍ଦସ୍ଥଳ ଓକାରେଶ୍ୱର ମନ୍ଦିର ଉଖୀମଠ ପାଇଁ ପ୍ରସ୍ଥାନ କରିବା ରାତ୍ରି ଯାପନ କରିବା ଲାଗି ରାମ୍ପୁରରେ ପହଞ୍ଚିବ ।ନଭେମ୍ବର ୭ରେ, ବାବାଙ୍କ ଡୋଲି ଶୀତକାଳୀନ ଆସନରେ ବସାଯିବ । ଯେଉଁଠାରେ ଭକ୍ତଙ୍କ ପାଇଁ ୬ ମାସ ପର୍ଯ୍ୟନ୍ତ ଦର୍ଶନ ବନ୍ଦ ରହବି । ଆଉ ମନ୍ଦିରରେ ପୂଜା ପାଇବ ସେମାନଙ୍କର ପ୍ରତିମା ।
ଆଜି ପର୍ଯ୍ୟନ୍ତ ବିଶ୍ବବ୍ୟାପୀ ୨୪ କୋଟି ୯୮ ଲକ୍ଷ ୧୫ ହଜାର ୪୨୮ ଜଣ କରୋନା ପଜିଟିଭ ଚିହ୍ନଟ ହୋଇସାରିଛନ୍ତି। କରୋନା ଯୋଗୁଁ ୫୦ ଲକ୍ଷ ୫୩ ହଜାର ୧୭୫ ଜଣଙ୍କର ମୃତ୍ୟୁ ହୋଇସାରିଛି। ଏବେ ବିଶ୍ବରେ ୨୨ କୋଟି ୬୧ ଲକ୍ଷ ୬୬ ହଜାର ୭୩୫ ଜଣ କରୋନାରୁ ସୁସ୍ଥ ହୋଇସାରିଥିବା ବେଳେ ୧ କୋଟି ୮୫ ଲକ୍ଷ ୯୫ ହଜାର ୫୧୮ ଜଣ ସକ୍ରିୟ ଆକ୍ରାନ୍ତଙ୍କ ଚିକିତ୍ସା ଜାରି ରହିଛି।
ଭାରତରେ ଅନୁମତି ପ୍ରାପ୍ତ ଭାରତ ବାୟୋଟେକର କୋଭାକ୍ସିନ ଟିକାକୁ ଆମେରିକାର ଛୋଟ ପିଲାଙ୍କୁ ଦିଆଯିବା ନେଇ ସମ୍ଭାବନା ସୃଷ୍ଟି ହୋଇଛି। କାରଣ ଆମେରିକା ଫାର୍ମା କମ୍ପାନୀ Ocugen ୨ରୁ ୧୮ ବର୍ଷ ବୟସ୍କଙ୍କୁ କୋଭାକ୍ସିନ ଟିକା ଦେବାକୁ ଚାହୁଁଛି। ଏଥିପାଇଁ କମ୍ପାନୀ ଆମେରିକା ସରକାରଙ୍କ ନିକଟରେ ଆବେଦନ କରିଛି।
ୟୁରୋପରେ କରୋନା ସଂକ୍ରମଣର ମାମଲା କ୍ରମାଗତ ଭାବେ ବୃଦ୍ଧି ପାଉଛି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ଚେତାବନୀ ଦେଇଛି ଯେ ଫେବୃଆରୀ ୨୦୨୨ସୁଦ୍ଧା ୟୁରୋପରେ ଅଢେଇ ଲକ୍ଷ ଲୋକଙ୍କର ମୃତ୍ୟୁ ହେବାର ଆଶଙ୍କା ରହିଛି । ଏହିପରି ଭାବରେ, ୟୁରୋପ ଏକ ବର୍ଷ ପରେ ପୁନର୍ବାର କରୋନାର ହଟସ୍ପଟରେ ପରିଣତ ହେବାକୁ ଯାଉଛି ।