ରାଜ୍ୟରେ ଗତ ୨୪ ଘଣ୍ଟାରେ ୨୬୩ ଜଣ କରୋନା ପଜିଟିଭ୍ ହୋଇଥିବା ବେଳେ ୩ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ଜନିତ ମୃତ୍ୟୁ ସଂଖ୍ୟା ୮୩୭୩ ବୃଦ୍ଧି ପାଇଛି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୧୦୪୪୯୬୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୨୮୮୪ଟି ଆକ୍ଟିଭ୍ କେସ୍ ରହିଥିବା ବେଳେ ୧୦୩୩୬୫୨ଜଣ ସୁସ୍ଥ ହୋଇଛନ୍ତି ।
ଆଜି ପବିତ୍ର ଅଁଳା ନବମୀ । ଓଡିଆଣୀ ବେଶରେ ଦର୍ଶନ ଦେବେ ମା ରାଧାରାଣୀ । ବିଶ୍ୱାସ ଅଛି ମାଆଙ୍କର ଏହି ବେଶ ଦର୍ଶନ କଲେ କୋଟି ଜନ୍ମର ପୁଣ୍ୟ ପ୍ରାପ୍ତି ହୋଇଥାଏ । ତେବେ କୋଭିଡ କଟକଣା ପାଇଁ ଓ ଭକ୍ତଙ୍କ ସୁରକ୍ଷା ଦୃଷ୍ଟିରୁ ମନ୍ଦିର ଚାରିପଟେ ୧୪୪ ଧାରା ଜାରି କରାଯାଇଛି ।
ଦକ୍ଷିଣ ପଶ୍ଚିମ ଓ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ ଗୁରୁବାର ରାତି ସୁଦ୍ଧା ଦକ୍ଷିଣ ଆନ୍ଧ୍ର ଉପକୂଳ ଅତିକ୍ରମ କରିବ । ଏହାର ପ୍ରଭାବରେ ତାମିଲନାଡୁରେ ଭାରୀ ବର୍ଷା ହୋଇଛି । ସୋମବାର ଯାଏ ଦକ୍ଷିଣ ଓଡିଶାରେ ପାଗ ମେଘୁଆ ରହିବ । ୧୨ ଓ୧୪ ତାରିଖରେ ପୁରୀ ଓ ଖୋର୍ଦ୍ଧା ଜିଲ୍ଲାରେ ମେଘୁଆ ପାଗ ସହ ହାଲକା ବର୍ଷା ହୋଇପାରେ । ପାଣିପାଗ ବିଶେଷଜ୍ଞ ପ୍ରଫେସର ଡ. ସୁରେନ୍ଦ୍ରନାଥ ପଶୁପାଳକ ଏହି ପୂର୍ବାନୁମାନ କରିଛନ୍ତି । ଲଘୁଚାପ ପ୍ରଭାବ ଯୋଗୁଁ ରବିବାର ଯାଏ ରାଜ୍ୟରେ ସର୍ବନିମ୍ନ ତାପମାତ୍ରା ୩ରୁ ୪ ଡିଗ୍ରୀ ସେଲସିୟସ ବଢିବ । ତେବେ ସୋମବାର ଓ ମଙ୍ଗଳବାର ସର୍ବନିମ୍ନ ତାପମାତ୍ରା ୨ ଡିଗ୍ରୀ କମିବ । ତେବେ ସାମ୍ଭାବ୍ୟ ଲଘୁଚାପ ଯୋଗୁଁ ରାଜ୍ୟରେପାଗ ପୁଣି ବଦଳିବ । ନଭେମ୍ବର ମାସରେ ଏହା ହେଉଛି ତୃତୀୟ ଲଘୁଚାପ ।
କାର୍ତ୍ତିକ ମାସ ତଥା ପଞ୍ଚୁକରେ ଦୂରଦୂରାନ୍ତରୁ ଭକ୍ତ ବାବା ଧବଳେଶ୍ୱରଙ୍କ ଦର୍ଶନ ପାଇଁ ଆସୁଥିବା ବେଳେ କରୋନା ପାଇଁ ଚଳିତ ବର୍ଷ ସେଥିରେ ଲାଗିଛି କଟକଣା । ଚଳିତ ବର୍ଷ ପଞ୍ଚୁକରେ ବାବା ଧବଳେଶ୍ୱରଙ୍କ ଦର୍ଶନ ବନ୍ଦ । ଧବଳେଶ୍ୱରଙ୍କ ପୀଠରେ ପଞ୍ଚକ ଓ ବଡଓଷାରେ କଟକଣା ଲଗାଇଲା ପ୍ରଶାସନ । ଆଜି ଅଁଳା ନବମୀଠାରୁ କାର୍ତ୍ତିକ ପୂର୍ଣ୍ଣିମା ପର୍ଯ୍ୟନ୍ତ ସାଧାରଣ ଦର୍ଶନ ବନ୍ଦ ରହିବ । ଆଜିଠୁ ୧୯ ତାରିଖ ଯାଏଁ ପୀଠରେ ୧୪୪ ଧାରା ବଳବତ୍ତର ରହିବ ।
ମମିତା ମେହେର ହତ୍ୟାକାଣ୍ଡ ପ୍ରତିବାଦରେ କଂଗ୍ରେସ ଆଜି(ଶୁକ୍ରବାର) ଓଡିଶା ବନ୍ଦ ଡାକରା ଦେଇଛି। ଦଳ ପକ୍ଷରୁ ୬ ଘଣ୍ଟିଆ ବନ୍ଦ ପାଳନ କରାଯାଉଛି । ଘଟଣାରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ସଂପୃକ୍ତି ଥିବା ଅଭିଯୋଗ କରିଛନ୍ତି ବିରୋଧି ଦଳ । ଏହାସହ ଇସ୍ତଫା ମଧ୍ୟ ଦାବି କରୁଛନ୍ତି । ହତ୍ୟା ଓ ମନ୍ତ୍ରୀଙ୍କ ଇସ୍ତଫା ଦାବିରେ କଂଗ୍ରେସ ସାରା ରାଜ୍ୟରେ ଶୁକ୍ରବାର ୬ ଘଣ୍ଟିଆ ବନ୍ଦ ପାଳନ କରୁଛି । ତେବେ ହାଇକୋର୍ଟ ବନ୍ଦ ନାଁରେ ଦୋକାନ ବଜାର ଓ ଅଖ ଚକ ବନ୍ଦ କରାଯାଇପାରିବନି ବୋଲି ଗୁରୁବାର ଗୁରୁତ୍ୱପୂର୍ଣ୍ଣ ଟିପ୍ପଣୀ ଦେଇଛନ୍ତି। ଏହାସହ ଜୋରଜବରଦସ୍ତି ବନ୍ଦ କଲେ ପୋଲିସ ପଦକ୍ଷେପ ନେବ ବୋଲି କୋର୍ଟ କହିଛନ୍ତି ।
ଚଳିତ ବର୍ଷ ବି ଡିସେମ୍ବର ୧ ତାରିଖରୁ ୫ ତାରିଖ ପର୍ଯ୍ୟନ୍ତ ଆନ୍ତର୍ଜାତିକ କୋଣାର୍କ ଉତ୍ସବ ଅନୁଷ୍ଠିତ ହେବ । ଏଥିସହିତ ଚନ୍ଦ୍ରଭାଗାର ସ୍ୱର୍ଣ୍ଣାଭ ବେଳାଭୂମିରେ ମଧ୍ୟ ଅନୁଷ୍ଠିତ ହେବ ଆନ୍ତର୍ଜାତିକ ବାଲୁକା କଳା ପ୍ରଦର୍ଶନୀ । ବିଭିନ୍ନ ଦିବସରେ ଗଣଦୌଡ, ସାଇକ୍ଲୋଥନ ଓ ସାହିତ୍ୟ ଆସର ଭଳି କାର୍ଯ୍ୟକ୍ରମ ଆୟୋଜନ କରାଯିବ । ତେବେ ଚଳିତବର୍ଷ ମଧ୍ୟ କୋଭିଡ କଟକଣା ଭିତରେ କୋଣାର୍କ ଉତ୍ସବ ଅନୁଷ୍ଠିତ ହେବ ।
ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୧୨୫୧୬ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୫୦୧ ଜଣଙ୍କ ମୃତ୍ୟୁ ହୋଇଛି । ଏବେ ସୁଦ୍ଧା ଦେଶରେ ୩୪୪୧୪୧୮୬ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ମୃତ୍ୟୁସଂଖ୍ୟା ୪ ଲକ୍ଷ ୬୨ ହଜାର ୬୯୦ରେ ପହଞ୍ଚିଛି । ସେହିପରି ୧୩୭୪୧୬ ସକ୍ରିୟ ମାମଲା ରହିଥିବା ବେଳେ ୩୩୮୧୪୦୮୦ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।
ରାଜଧାନୀ ନୂଆଦିଲ୍ଲୀରେ ଆଗାମୀ ୨ ଦିନ ପର୍ଯ୍ୟନ୍ତ ପ୍ରଦୂଷଣ ସ୍ତର ବଢ଼ିପାରେ। ଏଥି ଯୋଗୁଁ ଲୋକଙ୍କୁ ଅସୁବିଧାର ସାମ୍ନା କରିବାକୁ ପଡ଼ିପାରେ। ତେଣୁ ବିଶେଷଜ୍ଞମାନେ ଲୋକଙ୍କୁ ବାହାରକୁ କମ ଯାତାୟାତ କରିବାକୁ ପରାମର୍ଶ ଦେଇଛନ୍ତି ।
ଦୀର୍ଘ ଏକ ସପ୍ତାହ ଧରି ଚେନ୍ନାଇ ସମେତ ତାମିଲନାଡୁରେ ବର୍ଷା ଜାରି ରହିଛି। ଏହାରି ମଧ୍ୟରେ ଚେନ୍ନାଇର କିଛି ସ୍ଥାନରେ ବନ୍ୟା ପରିସ୍ଥିତି ଦେଖାଯାଇଛି। ବର୍ଷା ଯୋଗୁଁ ୧୪ ଜଣଙ୍କର ମୃତ୍ୟୁ ହୋଇସାରିଥିବା ବେଳେ ଆଜିବି ରାଜ୍ୟର ଦକ୍ଷିଣ ଭାଗରେ ବର୍ଷା ଜାରି ରହିବ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
ଜମ୍ମୁ ଓ କଶ୍ମୀରର କୁଲ୍ଗାମ୍ ଜିଲ୍ଲାର ଚାୱଲଗାମ୍ ଅଞ୍ଚଳରେ ଚାଲିଥିବା ଗୁଳିବିନିମୟ ଘଟଣାରେ ନିରାପତ୍ତାବଳଙ୍କ ଗୁଳି ଚୋଟରେ ଆଉ ଜଣେ ‘ହିଜବୁଲ୍ ମୁଜାହିଦୀନ୍’ ଆତଙ୍କବାଦୀ ନିହତ ହୋଇଥିବା କଥା ଆଜି କଶ୍ମୀର ଜୋନ୍ ପୁଲିସ ଟୁଇଟ୍ କରି କହିଛି। ଘଟଣାସ୍ଥଳରୁ ନିରାପତ୍ତା ବଳ ଅସ୍ତ୍ର ଏବଂ ଗୋଳାବାରୁଦ ମଧ୍ୟ ଉଦ୍ଧାର କରାଯାଇଛି। ନିରାପତ୍ତା ବଳର ଯବାନମାନେ ସେ ଅଞ୍ଚଳରେ ତଲାସ ଚାଲୁ ରଖିଛନ୍ତି।
ଆଜି ବିଶ୍ବବ୍ୟାପୀ ୨୫ କୋଟି ୨୬ ଲକ୍ଷ ୧୭ ହଜାର ୯୯୨ ଜଣ କରୋନା ପଜିଟିଭ ଚିହ୍ନଟ ହୋଇସାରିଛନ୍ତି। କରୋନା ଯୋଗୁଁ ୫୦ ଲକ୍ଷ ୯୪ ହଜାର ୮୩୯ ଜଣଙ୍କର ମୃତ୍ୟୁ ହୋଇସାରିଛି। ଏବେ ବିଶ୍ବରେ ୨୨ କୋଟି ୮୫ ଲକ୍ଷ ୪୩ ହଜାର ୫୫୭ ଜଣ କରୋନାରୁ ସୁସ୍ଥ ହୋଇସାରିଥିବା ବେଳେ ୧ କୋଟି ୮୯ ଲକ୍ଷ ୭୯ ହଜାର ୫୯୬ ଜଣ ସକ୍ରିୟ ଆକ୍ରାନ୍ତଙ୍କ ଚିକିତ୍ସା ଜାରି ରହିଛି।
ବାଂଲାଦେଶର ବିଭିନ୍ନ ସ୍ଥାନରେ ନିର୍ବାଚନ ସମୟରେ ହିଂସାରେ ଅତି କମରେ ୭ ଜଣଙ୍କର ମୃତ୍ୟୁ ହୋଇଛି । ଏହି ମାସରେ ବାଂଲାଦେଶରେ ହୋଇଥିବା ହିଂସାତ୍ମକ ନିର୍ବାଚନରେ ଅତି କମରେ ୯ ଜଣ ପ୍ରାଣ ହରାଇଛନ୍ତି ଏବଂ ଶହ ଶହ ଲୋକ ଆହତ ହୋଇଛନ୍ତି ।ଢାକା ସ୍ଥିତ ମାନବ ଅଧିକାର ଗୋଷ୍ଠୀ ଆଇନ୍-ଓ-ସାଲିଶ କେନ୍ଦ୍ର ଅନୁଯାୟୀ, ଜାନୁଆରୀ ମାସରୁ ନିର୍ବାଚନ ସମ୍ବନ୍ଧୀୟ ହିଂସାରେ ୮୫ ଜଣଙ୍କର ମୃତ୍ୟୁ ହୋଇଛି । ୬,୦୦୦ ରୁ ଅଧିକ ଆହତ ହୋଇଛନ୍ତି ।