
ଝାରସୁଗୁଡା:ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବଡ଼ ଘୋଷଣା ।ବହୁ ଦିନ ପ୍ରତିକ୍ଷାର ଅନ୍ତ ଘଟିଛି, ଘରଡିହ ପାଇବେ ହୀରାକୁଦ ନଦୀ ବନ୍ଧ ପ୍ରକଳ୍ପ ଦ୍ୱାରା ଝାରସୁଗୁଡ଼ାରେ କ୍ଷତିଗ୍ରସ୍ତ ହୋଇଥିବା ୨ ହଜାର ବିସ୍ଥାପିତ ପରିବାର | ଏଥିସହ ଆଜି ମୁଖ୍ୟମନ୍ତ୍ରୀ ଝାରସୁଗୁଡାର ୨୯୭ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି ।୧୪୪ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପ ଉଦ୍ଘାଟିତ ହୋଇଥିବାବେଳେ ୧୫୩ କୋଟି ଟଙ୍କାର କାମ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି ।
ଝାରସୁଗୁଡା ଓ ବ୍ରଜରାଜନଗର ପାଇଁ ଦୁଇଟି ୱାଟର ଟ୍ରିଟମେଣ୍ଟ ପ୍ଲାଣ୍ଟର ଉଦ୍ଘାଟନ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଏହାଦ୍ବାରା ଏହି ଦୁଇଟି ସହରର ଲୋକମାନେ ଭଲ ପିଇବା ପାଣି ପାଇପାରିବେ। ଝାରସୁଗୁଡା ଜିଲ୍ଲାର ସବୁ ଗାଁ ଓ ସବୁ ସହରକୁ ଭଲ ପିଇବା ପାଣି ଯୋଗାଇ ଦେବାପାଇଁ ୬୧୮ କୋଟି ଟଙ୍କାର ପାନୀୟ ଜଳ ପ୍ରକଳ୍ପ କାର୍ଯ୍ୟକାରୀ ହେଉଛି ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ୨୦୨୨ ଜୁନ୍ ସୁଦ୍ଧା ଜିଲ୍ଲାର ୧ ଲକ୍ଷ ୨୨ ହଜାର ପରିବାରକୁ ପାଇପ ପାଣି ଯୋଗାଇ ଦିଆଯିବ।
ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଥିଲେ କି,ପାର୍ବତୀଗିରି ମେଗା ଲିଫ୍ଟ ଜଳସେଚନ ପ୍ରକଳ୍ପରେ ଏକ ହଜାର ହେକ୍ଟର ଚାଷ ଜମିକୁ ଜଳସେଚନର ସୁବିଧା ଦିଆଯାଇଛି ।ଏହାସହିତ ଜିଲ୍ଲାରେ ୧୮୬ କୋଟି ଟଙ୍କାର ୪ଟି ମେଗା ଲିଫ୍ଟ ଜଳସେଚନ କାମ ଚାଲିଛି ଏବଂ ଜିଲ୍ଲାର ସବୁ ଅଞ୍ଚଳକୁ ଜଳସେଚନର ସୁବିଧା ଯୋଗାଇ ଦେବାର ଲକ୍ଷ୍ୟ ଖୁବ ଶୀଘ୍ର ପୂରଣ ହେବ ।



