ରାଜ୍ୟରେ ଗତ ୨୪ ଘଣ୍ଟାରେ ୨୦୬ ଜଣ କରୋନା ପଜିଟିଭ୍ ହୋଇଥିବା ବେଳେ ୨ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ଜନିତ ମୃତ୍ୟୁ ସଂଖ୍ୟା ୮୩୮୧ ବୃଦ୍ଧି ପାଇଛି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୧୦୪୫୮୬୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୨୬୬୯ଟି ଆକ୍ଟିଭ୍ କେସ୍ ରହିଥିବା ବେଳେ ୧୦୩୪୭୫୯ଜଣ ସୁସ୍ଥ ହୋଇଛନ୍ତି ।
ଶ୍ରୀମନ୍ଦିରରେ ଆଜି ମହାପ୍ରଭୁଙ୍କ ବାଙ୍କଚୂଡା ବେଶ। ମହାପ୍ରଭୁଙ୍କ ବେଶ ମଧ୍ୟରେ ବାଙ୍କଚୂଡ଼ା ବେଶ ଅନ୍ୟତମ। ଆଜି ପଞ୍ଚୁକର ଦ୍ୱିତୀୟ ଦିନରେ ରତ୍ନ ସିଂହାସନରେ ଅଧିଷ୍ଠିତ ଠାକୁରଙ୍କ ବାଙ୍କଚୂଡ଼ା ବେଶ ଅନୁଷ୍ଠିତ ହୋଇଥାଏ। ଏହି ଦିନ ଅବକାଶ ନୀତି ଶେଷ ହେବାପରେ ପାଳିଆ ମେକାପ, ଖୁଣ୍ଟିଆ, ଚାଙ୍ଗଡା ମେକାପ ଓ କେତେଜଣ ପୁଷ୍ପାଳକ ଶ୍ରୀବିଗ୍ରହଙ୍କୁ ବାଙ୍କଚୂଡ଼ା ବେଶରେ ସଜ୍ଜିତ କରିଥାନ୍ତି।
ଆଣ୍ଡାମାନ ସାଗରରେ ସୃଷ୍ଟ ଲଘୁଚାପ ଅବପାତରେ ପରିଣତ ହେବାର ସମ୍ଭାବନା କ୍ଷୀଣ ବୋଲି ଭାରତୀୟ ପାଣିପାଗ ବିଭାଗ (ଆଇଏମ୍ଡି) ସାନି ପୂର୍ବାନୁମାନ କରିଛି । ଆସନ୍ତା ୨୪ ଘଣ୍ଟାରେ ପୂର୍ବ କେନ୍ଦ୍ରୀୟ ଆରବସାଗର ଓ ଦକ୍ଷିଣ ମହାରାଷ୍ଟ୍ରରେ ହେବାକୁ ଥିବା ଲଘୁଚାପ ପ୍ରଭାବରେ ଏବେର ଲଘୁଚାପ ଅଧିକ ଘନୀଭୂତ ହେବନି ।ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକଙ୍କ ପୂର୍ବାନୁମାନ କହୁଛି, ଲଘୁଚାପ ଆଜି (ମଙ୍ଗଳବାର) ଅବପାତରେ ପରିଣତ ହେବ । ଲଘୁଚାପ ଘନୀଭୂତ ହୋଇ ଅବପାତ ଅବସ୍ଥାରେ ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗର ଉପରେ ରହିବ । ସେଠାରେ ଏହା ୪୮ ଘଣ୍ଟା ଯାଏ ରହିବ । ୧୮ ତାରିଖ ମଧ୍ୟାହ୍ନ ପରେ ଏହି ଅବପାତ କ୍ରମଶଃ ଦୁର୍ବଳ ହୋଇଯିବ । ପ୍ରତିକୂଳ ପାଗ ଯୋଗୁ ଅବପାତ ପୁଣି ଲଘୁଚାପକୁ ବଦଳିଯିବ । ୧୯ ତାରିଖ ସନ୍ଧ୍ୟା ସୁଦ୍ଧା ଏହା ତାମିଲନାଡୁ ଉପକୂଳ ଛୁଇଁବ ।
ଆଜିଠାରୁ ନନ୍ଦନକାନନରେ ପୁଣି ଟୟ ଟ୍ରେନ୍ ଚାଲିବ । ପ୍ରାଥମିକ ପର୍ଯ୍ୟାୟରେ ଦିନକୁ ୬ ଥର ଟୟ ଟ୍ରେନ୍ ଚାଲିବାକୁ ନିଷ୍ପତ୍ତି ହୋଇଛି। ପ୍ରାପ୍ତ ସୂଚନା ଅନୁଯାୟୀ, ଆଜି (ମଙ୍ଗଳବାର) ସକାଳ ୧୦ଟାରୁ ଟୟ ଟ୍ରେନ୍ ଚାଲିବା ଆରମ୍ଭ ହେବ। ଏହାପରେ ପ୍ରତି ଘଣ୍ଟାଏ ବ୍ୟବଧାନରେ ଅର୍ଥାତ୍ ଦିନ ୧୧ଟା, ୧୨ଟା, ୧ଟା, ୨ଟା, ୩ଟା ଓ ଅପରାହ୍ନ ୪ଟାରେ ଚାଲିବ। ଏଥିରେ ମାତ୍ର ୭୨ ଜଣଙ୍କୁ ଯିବା ଲାଗି ସୁଯୋଗ ମିଳିବ।
କାର୍ତ୍ତିକ ପୂର୍ଣ୍ଣିମା ଯାଏ ରାଜ୍ୟରେ ଶୀତ ଅନୁଭୂତ ହେବ ନାହିଁ। ବର୍ଷା ଓ ମେଘୁଆ ପାଗ ଯୋଗୁଁ ଗତ କିଛି ଦିନ ହେବ ରାଜ୍ୟରେ ଶୀତର ପ୍ରକୋପ କମିଛି। ପାରଦ ସ୍ତର ସ୍ଥିର ରହିଥିବା ବେଳେ ଆସନ୍ତା ୪ରୁ ୫ ଦିନ ମଧ୍ୟରେ ତାପମାତ୍ରାରେ ବିଶେଷ ପରିବର୍ତ୍ତନର ସମ୍ଭାବନା ନାହିଁ। ଏବେ ରାଜ୍ୟର ରାତି ତାପମାତ୍ରା ସ୍ବାଭାବିକଠାରୁ ୨ରୁ ୩ ଡିଗ୍ରି ଅଧିକ ରହିଛି। ଆଗକୁ ୫ ଦିନ ପର୍ଯ୍ୟନ୍ତ ଏହି ସ୍ଥିତି ଜାରି ରହିବ ।
ଶ୍ରୀମନ୍ଦିର ଐତିହ କରିଡରର ପରିକ୍ରମା ମାର୍ଗ ପ୍ରକଳ୍ପ ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ନିର୍ମାଣ କାର୍ଯ୍ୟ ଆରମ୍ଭ ପୂର୍ବରୁ ଏକ ଯଜ୍ଞ ଅନୁଷ୍ଠିତ ହେବ। ୨୧ରେ ଅଙ୍କୁର ରୋପଣ ପରେ ଶ୍ରୀମନ୍ଦିର ଐଶାନ୍ୟ କୋଣରେ ଉତ୍ତରଦ୍ୱାର ସମ୍ମୁଖରେ ଯଜ୍ଞ ଆରମ୍ଭ ହୋଇ ୨୪ ତାରିଖରେ ପୂର୍ଣ୍ଣାହୂତି ହେବ । ଏହି ସମୟ ଭିତରେ ମୁଖ୍ୟମନ୍ତ୍ରୀ କୌଣସି ଏକ ଦିନ ଯୋଗ ଦେଇ ପ୍ରକଳ୍ପର ଶୁଭାରମ୍ଭ କରିବେ।
ବିଏମସି ପକ୍ଷରୁ ରାଜଧାନୀରେ କାର୍ତ୍ତିକ ପୂର୍ଣ୍ଣିମା ଏବଂ ବଡ ଓଷା ଉତ୍ସବ ପାଇଁ ନିର୍ଦ୍ଦେଶାବଳୀ ଜାରି କରାଯାଇଛି। ଜାରି କରାଯାଇଥିବା ନିର୍ଦେଶାବଳିରେ ଶୁଭ କାର୍ତ୍ତିକ ପୂର୍ଣ୍ଣିମା ଏବଂ ବଡା ଓଷାଙ୍କ ଉତ୍ସବରେ ସହରର ବିଭିନ୍ନ ମନ୍ଦିର ପରିଦର୍ଶନ ଉପରେ ଜନସାଧାରଣଙ୍କ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି। ବିଏମସି ଅଧୀନରେ ଥିବା ବିନ୍ଦୁସାଗର, ନଦୀ ଘାଟ ଏବଂ ଅନ୍ୟାନ୍ୟ ଜଳ ସଂସ୍ଥାରେ ସର୍ବସାଧାରଣ ଗହଳିକୁ ଅନୁମତି ଦିଆଯିବ ନାହିଁ । କ୍ରମାଗତ ଦ୍ୱିତୀୟ ବର୍ଷ ପାଇଁ ଭୁବନେଶ୍ୱର ବାସିନ୍ଦା ପବିତ୍ର ମାସ କାର୍ତ୍ତିକାର ପୂର୍ଣ୍ଣିମା ଦିନର ଉତ୍ସବକୁ ପାଳନ କରିବା ପାଇଁ ଡଙ୍ଗା ଭସାଇ ପାରିବେ ନାହିଁ ।
ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୮,୮୬୫ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୧୯୭ ଜଣଙ୍କ ମୃତ୍ୟୁ ହୋଇଛି । ନୂତନ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୩,୪୪,୫୬,୪୦୧ରେ ପହଞ୍ଚିଥିବା ବେଳେ ସମୁଦାୟ କୋଭିଡ୍-୧୯ଜନିତ ମୃତ୍ୟୁସଂଖ୍ୟା ୪,୬୩,୮୫୨ରେ ପହଞ୍ଚିଛି। ଏବେ ଦେଶରେ ୧୩୦୭୯୩ ସକ୍ରିୟ ମାମଲା ରହିଛି ।
ଆଜି ଉଦଘାଟନ ହେବ ପୂର୍ବାଞ୍ଚଳ ଏକ୍ସପ୍ରେସ ୱେ । ଆଜି ପ୍ରଧାନମନ୍ତ୍ରୀ ଏହି ପୂର୍ବାଞ୍ଚଳ ଏକ୍ସପ୍ରେସ ୱେକୁ ଉଦଘାଟନ କରିବେ । ଅପରାହ୍ଣ ୧ ଘଣ୍ଟା ୩୦ ମିନିଟରେ ମୋଦୀ ଏକ୍ସପ୍ରେସଓ୍ବେରେ ଓହ୍ଲାଇ ଏକ ଜନସଭାକୁ ଯିବେ । ୩୪୧ କିଲୋମିଟରର ଏହି ଲମ୍ବା ଏକ୍ସପ୍ରେସ ୱେକୁ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ । ଉତ୍ତରପ୍ରଦେଶ ରାଜଧାନୀ ଲକ୍ଷ୍ନୌଠାରୁ ଗାଜିପୁରକୁ ସଂଯୋଗ କରିବ ପୂର୍ବାଞ୍ଚଳ ଏକସପ୍ରେସ ୱେ । ତେବେ ଉଦଘାଟନୀ କାର୍ଯ୍ୟକ୍ରମରେ ଦେଖିବାକୁ ମିଳିବ ବାୟୁସେନାର ଏୟାର ସୋ’ । ଯେଉଁଠି ସୁଖୋଇ, ମିରାଜ ଭଳି ଲଢୁଆ ବିମାନର କମାଲ ଦେଖିବାକୁ ମିଳିବ । ଏହି ସବୁ ବିମାନ ଏକ୍ସପ୍ରେସ୍ ୱେରେ ଅବତରଣ କରିବେ ।
୧୯୬୬ ମସିହାରେ ପ୍ରେସ କାଉନସିଲ୍ ଅଫ୍ ଇଣ୍ଡିଆ (ପିସିଆଇ) ପ୍ରତିଷ୍ଠାକୁ ସମ୍ମାନ ଏବଂ ସ୍ୱୀକୃତି ଦେବା ପାଇଁ ପ୍ରତିବର୍ଷ ନଭେମ୍ବର ୧୬ ରେ ଜାତୀୟ ପ୍ରେସ ଦିବସ ପାଳନ କରାଯାଏ । ୧୯୫୬ ମସିହାରେ, ପ୍ରଥମ ପ୍ରେସ କମିଶନ ଭାରତରେ ଗଣମାଧ୍ୟମର ସ୍ୱାଧୀନତା ରକ୍ଷା ପାଇଁ ଏକ ପ୍ରେସ କାଉନସିଲ ଗଠନ କରିବାକୁ ଯୋଜନା କରିଥିଲେ। ୪ ଜୁଲାଇ ୧୯୬୬ ରେ, ଭାରତରେ ପ୍ରେସ କାଉନସିଲ ଗଠନ କରାଯାଇଥିଲା । ଏହା ୧୬ ନଭେମ୍ବର ୧୯୬୬ ରୁ କାର୍ଯ୍ୟକାରୀ ହେଲା । ତେଣୁ ୧୬ ନଭେମ୍ବର ପ୍ରତିବର୍ଷ ଜାତୀୟ ପ୍ରେସ ଦିବସ ଭାବରେ ପାଳନ କରାଯାଏ ।
ଆଜି ପର୍ଯ୍ୟନ୍ତ ବିଶ୍ବବ୍ୟାପୀ ୨୫ କୋଟି ୪୫ ଲକ୍ଷ ୪୦୪ ଜଣ କରୋନା ପଜିଟିଭ ଚିହ୍ନଟ ହୋଇସାରିଛନ୍ତି। କରୋନା ଯୋଗୁଁ ୫୧ ଲକ୍ଷ ୨୧ ହଜାର ୧୬ ଜଣଙ୍କର ମୃତ୍ୟୁ ହୋଇସାରିଛି। ଏବେ ବିଶ୍ବରେ ୨୪ କୋଟି ୧୨ ଲକ୍ଷ ୪୯ ହଜାର ୩୦୪ ଜଣ କରୋନାରୁ ସୁସ୍ଥ ହୋଇସାରିଥିବା ବେଳେ ୧ କୋଟି ୮୧ ଲକ୍ଷ ୩୦ ହଜାର ୮୪ ଜଣ ସକ୍ରିୟ ଆକ୍ରାନ୍ତଙ୍କ ଚିକିତ୍ସା ଜାରି ରହିଛି।
ଭାରତ-ପାକିସ୍ତାନ କର୍ତ୍ତାରପୁର କରିଡର ଖୁବଶୀଘ୍ର ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ। ଏନେଇ ଭାରତ ସରକାର ନିଷ୍ପତ୍ତି ନେଇଛନ୍ତି। କିଛି ଦିନ ତଳେ ପଞ୍ଜାବରେ ଥିବା ବିଜେପି ସାଂସଦମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଏ ସମ୍ପର୍କରେ ଅବଗତ କରାଇଥିଲା। ଶ୍ରଦ୍ଧାଳୁଙ୍କ ଭାବାବେଗକୁ ଦୃଷ୍ଟିରେ ରଖି ଭାରତ ସରକାର ପାକିସ୍ତାନ ସହ ଲାଗିଥିବା କର୍ତ୍ତାରପୁର କରିଡର ଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି।ଆଗକୁ ପ୍ରଥମ ଶିଖ ଗୁରୁ ନାନକଙ୍କ ଜନ୍ମଦିନ ଅର୍ଥାତ ଗୁରୁପର୍ବ ରହିଛି। ଏଥିପାଇଁ ସରକାର ଅଟ୍ଟାରୀ-ୱାଘା ବର୍ଡର ଦେଇ ଶିଖ୍ ଶ୍ରଦ୍ଧାଳୁଙ୍କୁ କର୍ତ୍ତାରରପୁର କରିଡିରରେ ଯିବାକୁ ଅନୁମତି ଦେଇଛନ୍ତି।
ଆମେରିକା ସିଡିଏସ୍ ଭାରତ ଆସୁଥିବା ନିଜ ଦେଶର ନାଗରିକଙ୍କ ପାଇଁ ‘ଲେଭଲ-୧’ କୋଭିଡ ନୋଟିସ ଜାରି କରିଛି।ଏଥିରେ ଲୋକଙ୍କୁ ଟିକାର ଦୁଇଟି ଯାକ ଡୋଜ୍ ନେବାକୁ କୁହାଯାଇଛି। ଏହାଦ୍ୱାରା ଭାଇରସ ସଂସ୍ପର୍ଶରେ ଆସିବା ଆଶଙ୍କା କମ ଓ ଯଦି ବି କେହି ସଂକ୍ରମିତ ହେଉଛନ୍ତି, ତା’ହେଲେ ସାଂଘାତିକ ଲକ୍ଷଣରୁ ଟିକା ସୁରକ୍ଷା ଯୋଗାଇ ଦେବ। ସମାନ ସ୍ୱାସ୍ଥ୍ୟଗତ ପରାମର୍ଶ ପାକିସ୍ତାନ ମଧ୍ୟ ଜାରି କରାଯାଇଛି।ତେବେ ଆମେରିକାର ବୈଦେଶିକ ମନ୍ତ୍ରଣାଳୟ ଭାରତ ଓ ପାକିସ୍ତାନ ପାଇଁ ଯଥାକ୍ରମେ ଟ୍ରାଭେଲ-୨ ଏବଂ ଟ୍ରେଭଲ-୩ ସତର୍କତା ନୋଟିସ ଜାରି କରିଛି। ଏହାର ଅର୍ଥ ପାକିସ୍ତାନ ଯିବାକୁ ଚାହୁଁଥିବା ଲୋକମାନେ ଆତଙ୍କବାଦ ଓ ଧାର୍ମିକ ଯୁଦ୍ଧ ପ୍ରତି ଅଧିକ ସତର୍କ ରହିବା ଜରୁରୀ। ସେହିପରି ପାକିସ୍ତାନ ଯିବା ପୂର୍ବରୁ ଆଉ ଥରେ ବିଚାର କରିବାକୁ କୁହାଯାଇଛି। ଅନ୍ୟପକ୍ଷରେ ଭାରତରେ ବଢ଼ୁଥିବା ଅପରାଧ ଓ ଆତଙ୍କବାଦ ପ୍ରତି ମଧ୍ୟ ସେଠାକୁ ଯାଉଥିବା ଆମେରିକୀୟମାନେ ଅତ୍ୟଧିକ ସତର୍କ ରହିବା ଉଚିତ ବୋଲି ମନ୍ତ୍ରଣାଳୟ କହିଛି।
ଚୀନ୍ ଆମେରିକାକୁ ପଛରେ ପକାଇ ଦୁନିଆର ସବୁଠାରୁ ଧନୀ ଦେଶର ଆଖ୍ୟା ଅର୍ଜନ କରିଛି । ଗତ ୨୦ ବର୍ଷ ମଧ୍ୟରେ ବିଶ୍ୱର ଧନ ସମ୍ପତ୍ତି ତିନି ଗୁଣ ବୃଦ୍ଧି ପାଇଛି । ମ୍ୟାନେଜମେଣ୍ଟ କନ୍ସଲଟାଣ୍ଟ ମ୍ୟାକକିନସି ଆଣ୍ଡ କମ୍ପାନୀର ଅନୁସନ୍ଧାନ ଶାଖାର ରିପୋର୍ଟ ଅନୁଯାୟୀ, ବିଶ୍ୱର ଦେଶର ବାଲାନ୍ସ ସିଟ୍ ଉପରେ ନଜର ରଖିଥିବା ଚୀନ୍ ବର୍ତ୍ତମାନ ଦୁନିଆର ସବୁଠାରୁ ଧନୀ ଦେଶରେ ପରିଣତ ହୋଇଛି । ରିପୋର୍ଟରେ ଏହା ମଧ୍ୟ ଉଲ୍ଲେଖ କରାଯାଇଛି ଯେ ଚାଇନାର ସମ୍ପତ୍ତିର ଏକ ବଡ଼ ଅଂଶ ଏବଂ ବିଶ୍ୱର ଦ୍ୱିତୀୟ ବୃହତ୍ତମ ଆମେରିକା ଅଳ୍ପ କିଛି ଧନୀ ଲୋକଙ୍କ ମଧ୍ୟରେ ସୀମିତ।ରିପୋର୍ଟ ଅନୁଯାୟୀ, ଏହି ଦୁଇ ଧନୀ ଦେଶରେ ଜନସଂଖ୍ୟାର ଦଶ ପ୍ରତିଶତ ସର୍ବାଧିକ ସମ୍ପତ୍ତି ରହିଛି । ରିପୋର୍ଟରେ ଏହା ମଧ୍ୟ ଉଲ୍ଲେଖ କରାଯାଇଛି ଯେ ଏହି ଦେଶମାନଙ୍କରେ ଧନୀଙ୍କ ସଂଖ୍ୟା ଦ୍ରୁତ ଗତିରେ ବଢୁଛି ।