
ପ୍ରଶାନ୍ତ କୁମାର ଦାସ (ବାଲିଆପାଳ):ବାଲେଶ୍ବର ଜିଲ୍ଲା ବାଲିଆପାଳ ଠାରେ ଭିଟାମାଟି ସୁରକ୍ଷା କମିଟି ପକ୍ଷରୁ ବନ୍ଦର ହଟାଅ ଭିଟାମାଟି ବଞ୍ଚାଅ ଦାବିନେଇ ଜମ୍ଭୀରାଇ ପଞ୍ଚାୟତ ର ଦ୍ବାରିକା ହାଟ ଠାରୁ ଚୌମୁଖ ପଞ୍ଚାୟତ ର ଶିବ ମନ୍ଦିର ପର୍ଯ୍ୟନ୍ତ ଛଅ ଗୋଟି ପଞ୍ଚାୟତ ର ଶତାଧିକ ଲୋକ ବାଇକ ରାଲି କରିବା ସହ ଉଭୟ ରାଜ୍ୟ ଏବଂ କେନ୍ଦ୍ର ସରକାର ଙ୍କ ବିରୋଧରେ ନାରାବାଜି ଦେଇଥିଲେ।
ଏଥି ସହିତ ୩୫ ବର୍ଷ ତଳର ଘାଟି ଆନ୍ଦୋଳନର ପୂନରାବୃତ୍ତି ଭଳି ଡଗରା ଗୁମୁଟି ଛକରେ ପ୍ରଶାସନିକ ଅଧିକାରୀ ଏବଂ କମ୍ପାନୀ କତ୍ତୃପକ୍ଷଙ୍କ ଗାଡି ଏ ଅଞ୍ଚଳରେ ପୁରାଇ ନ ଦେବା ପାଇଁ ଏକ କାଠ ନିର୍ମିତ ଗେଟ୍ ବସାଇ ଶୁଭାରମ୍ଭ କରିଥିଲେ ।ଏଥିସହିତ ଚୌମୁଖ ଶିବମନ୍ଦିର ଠାରେ ଏକ ସାଧାରଣ ସଭା ମଧ୍ୟ ଅନୁଷ୍ଠିତ ହୋଇଯାଇଛି । ସଭାରେ କଂଗ୍ରେସ୍ ନେତା ବିଜନ ନାୟକ, ଅରୁଣ ଜେନା, ଅନୁଜ ମହାପାତ୍ର, ଆଇନଜୀବି ମନୋଜ ନାୟକ, ଧାମରା ବନ୍ଦର ନିକଟରୁ ବିସ୍ତାପିତ ହୋଇଥିବା ବ୍ୟକ୍ତି ନିମାଇଁ ପାଲ୍, ରମଣୀ ମଣ୍ଡଳ , ରବିନାରାୟଣ ମହାନ୍ତି, ଚକ୍ରଧର ଗିରି, କାର୍ତିକ ନାୟକ, ଜଗନ୍ନାଥ ବିଶ୍ବାଳ, ମାୟାଧର କୁହ୍ଲାରୀ, ବାବାଜି ଦେହୁରୀ, ଗୌତମ ପରିଡା, ତୀର୍ଥକୁମାର ନାଗ, ବେଣୁଧର ରଣଜିତ୍ ଙ୍କ ସହ ଅନେକ ନେତୃମଣ୍ଡଳୀ ଉପସ୍ଥିତ ଥିଲେ ।

ସମ୍ପ୍ରତି ବାଲିଆପାଳ ର ଚଉମୁଖ ଠାରେ ହେବାକୁ ଥିବା ସୁବର୍ଣ୍ଣରେଖା ନଦୀଭିତ୍ତିକ ବୃହତ ବନ୍ଦର ଓ ବନ୍ଦର ସଂଲଗ୍ନ ଆନୁସଙ୍ଗିକ ପେଟ୍ରୋକେମିକାଲ୍ସ ପ୍ରକଳ୍ପ ଆଦି କଙ୍କଡାପାଳ ମୁହାଣ ଠାରୁ ହଂସକରା ମୁହାଣ ଯାଏ ୧୫ ରୁ ୨୦ କିଲୋମିଟର ବ୍ଯାପି ଉର୍ବର ଚାଷଜମି, ବାଲିଆଡିଆ, ସ୍ଥିତିବାନ ସମ୍ପତ୍ତି, ଅନାବାଦୀ, ଗ୍ରାମ୍ୟ ଜଙ୍ଗଲ, ଇତ୍ୟାଦି ବନ୍ଦର ଗର୍ଭରେ ଲୀନ ହୋଇଯିବ। ଧାନ , ମୀନ,କାଜୁ, ଗୁଆ, ଚିନା ବାଦାମ, ନଡ଼ିଆ, ସଜନା , ସପେତା, ଆଳୁ , ଖମ୍ବଆଳୁ ର ରତ୍ନ ଗୁଡିକ ନଷ୍ଟ ହେବା ସହିତ ବହୁ ଲୋକ ଜୀବିକା ହରାଇବେ । ବନ୍ଦର ହେବା ଫଳରେ ୫୦ ରୁ ୬୦ ହଜାର ଲୋକ ଭିଟାମାଟି, ଚାଷଜମି ହରାଇ ଦାଣ୍ଡର ଭିକାରୀ ହୋଇଯିବେ ।

ତେବେ ଜନସଂଖ୍ୟା ଦୃଷ୍ଟିରୁ ମାନ୍ୟବର ସୁପ୍ରିମକୋର୍ଟ ୨୦୧୩ ମସିହାରେ ଜଙ୍ଗଲ ଓ ଉର୍ବର ଚାଷ ଜମିକୁ ନଷ୍ଟ ନକରିବା କୁ ଭାରତ ସରକାର ଙ୍କୁ ସତର୍କ କରାଇଥିବା ବେଳେ ଯୋଜନା ଓ ବିକାଶ ନାମରେ ବିସ୍ଥାପନ ଓ ଲୋକଙ୍କ ଜୀବିକା କୁ ଧ୍ବଂସ କରିବାର ବିଷମ ପରିଣାମ କୁ ସରକାର ଗମ୍ଭୀର ଭାବେ ବିଚାର କରି ଭବିଷ୍ୟତ ପାଇଁ ନିଷ୍ପତି ନିଅନ୍ତୁ ବୋଲି ବୁଦ୍ଧିଜୀବୀ ସହ ଅତିଥିମାନେ ମତ ରଖିଥିଲେ।



