ଆଜିର ଖାସ୍ ଖବର

ରାଜ୍ୟରେ ଗତ ୨୪ ଘଣ୍ଟାରେ ୨୦୫ ଜଣ କରୋନା ପଜିଟିଭ୍ ହୋଇଥିବା ବେଳେ ୨ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ଜନିତ ମୃତ୍ୟୁ ସଂଖ୍ୟା ୮୩୯୩ ବୃଦ୍ଧି ପାଇଛି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୧୦୪୭୦୦୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୨୩୨୭ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୧୦୩୬୨୩୦ ଜଣ ସୁସ୍ଥ ହୋଇଛନ୍ତି । 

ପ୍ରଧାନମନ୍ତ୍ରୀ  ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟ । ମୁଖ୍ୟମନ୍ତ୍ରୀ ଚିଠିରେ ଲେଖିଛନ୍ତି ଯେ,  କୋଭିଡ କାଳରେ PMGKAYରେ NFSA ହିତାଧିକାରୀଙ୍କୁ ମିଳୁଛି ମାଗଣା ଚାଉଳ । ଚାଉଳ ଯୋଗାଣର ସମୟ ସୀମା ଚଳିତ ମାସ ଶେଷ ହେଉଥିବାରୁ ଏହି ମସୟ ସୀମା ଆଉ ୮ ମାସ ବୃଦ୍ଧି କରିବାକୁ ଦାବି କରିଛନ୍ତି ମୁଖ୍ୟମନ୍ତ୍ରୀ । ମହାମାରୀ ସ୍ଥିତିରେ ଉନ୍ନତି ଆସିବା ଯାଏ ଚାଉଳ ଦେବାକୁ ଅନୁରୋଧ ।

ଆଜି ଛାଡ଼ଖାଇର । ମାଛ, ଚିକେନ୍, ମାଂସ ବଜାରରେ ଆଜି ସର୍ବତ୍ର ପ୍ରବଳ ଭିଡ଼ ପରିଲକ୍ଷିତ ହେଉଛି। ଗ୍ରାହକଙ୍କୁ ଟିକେ ଅଧିକ ମୂଲ୍ୟରେ ଏସବୁ ସାମଗ୍ରୀ କିଣିବାକୁ ପଡ଼ୁଛି। ଆଜି ମାଂସ କିଲୋ ୭ ଶହ ଟଙ୍କା ଥିବା ବେଳେ ଇଲିସି ୭ ଶହରୁ ହଜାରେ ଟଙ୍କାରେ ବିକ୍ରି ହେଉଛି। ସେହିପରି ନଦୀ କଣ୍ଟିଆ ୩୨୦ଟଙ୍କା, ପୋହଳା ମାଛ ୨ଶହ ଟଙ୍କା, ପାମ୍ପଲେଟ ୩୫୦ ଟଙ୍କା ହୋଇଥିବା ବେଳେ କଙ୍କଡା ୨ଶହରୁ ୧୪ଶହ ଟଙ୍କାରେ ବିକ୍ରି ହେଉଛି। କେତେକ ସ୍ଥାନରେ ଏହାଠାରୁ ବି ଅଧିକ ମୂଲ୍ୟ ଦେବାକୁ ପଡ଼ୁଥିବା ନେଇ ଖାଉଟିଙ୍କ ଭିତରେ ଅସନ୍ତୋଷ ଦେଖିବାକୁ ମିଳୁଛି।

ଆଜି କେନ୍ଦ୍ର ସହରାଞ୍ଚଳ ବିକାଶ ମନ୍ତ୍ରାଳୟ ପକ୍ଷରୁ ସ୍ୱଚ୍ଛ ସର୍ବେକ୍ଷଣ-୨୦୨୧ ତାଲିକା ପ୍ରକାଶ ପାଇଛି । ଶ୍ରେଷ୍ଠ ସ୍ୱଚ୍ଛ ସହର ଓ ରାଜ୍ୟଗୁଡିକୁ ନିଜେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ସମ୍ମାନିତ କରିଛନ୍ତି । କିନ୍ତୁ ପ୍ରମୁଖ ୧୩ ରାଜ୍ୟ (୧୦୦ ପୌରାଞ୍ଚଳରୁ ଅଧିକ ଥିବା ରାଜ୍ୟ) ବର୍ଗରେ ଓଡ଼ିଶାର ସ୍ଥାନ ୯ ନମ୍ବରରେ ଅଛି । ସ୍ୱଚ୍ଛ ସହର ବର୍ଗରେ ୧୦୦ ସହର ଭିତରେ ବି ଭୁବନେଶ୍ୱରର ସ୍ଥାନ ନାହିଁ । ୩୭୨ ସହର ଭିତରେ ଆମ ରାଜଧାନୀ ରହିଛି ୧୪୪ ନଂରେ । ପଡ଼ୋଶୀ ଛତିଶଗଡ଼ ଶ୍ରେଷ୍ଠ ସ୍ୱଚ୍ଛ ରାଜ୍ୟ ହୋଇଛି । ଏହାର ବହୁ ସହର ସ୍ୱଚ୍ଛତା ପାଇଁ ପୁରସ୍କୃତ ହୋଇଥିବାବେଳେ ଓଡ଼ିଶାର ସହରଗୁଡିକ ପଛୁଆ ରହିଛନ୍ତି ।

ରାଜ୍ୟରେ ଦୈନିକ ଦୁର୍ଘଟଣା ସଂଖ୍ୟା ବଢ଼ୁଥିବା ବେଳେ ପରିବହନ କର୍ତ୍ତୃପକ୍ଷ ଗାଡ଼ିର ବେଗ ଧାର୍ଯ୍ୟ କରିଛନ୍ତି । କେଉଁ ରାସ୍ତାରେ ଘଣ୍ଟା ପ୍ରତି କେତେ ସ୍ପିଡରେ ଗାଡ଼ି ଚଳାଇ ପାରିବେ ସେ ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି । ଡ୍ରାଇଭରଙ୍କ ବ୍ୟତୀତ ୮ ଜଣରୁ କମ୍ ପରିବହନ କ୍ଷମତା ଥିବା ଗାଡ଼ି ୪ ଥାକିଆ ରାସ୍ତାରେ ଘଣ୍ଟାପ୍ରତି ସର୍ବାଧିକ ୧୦୦ କିଲୋମିଟର ବେଗରେ ଯାଇ ପାରିବ । ସେହିଭଳି ପୌରାଞ୍ଚଳ ଦେଇ ଯାଇଥିବା ଜାତୀୟ କିମ୍ବା ରାଜ୍ୟ ରାଜପଥରେ ଘଣ୍ଟାପ୍ରତି ସର୍ବାଧିକ ୫୦ କିଲୋମିଟର ଏବଂ ଅନ୍ୟ ଜାତୀୟ ଓ ରାଜ୍ୟ ରାଜପଥରେ ଘଣ୍ଟାପ୍ରତି ସର୍ବାଧିକ ୬୦ କିଲୋମିଟର ବେଗରେ ଯାତ୍ରା କରି ପାରିବ ।  ଯାତ୍ରୀ ପରିବହନ ପାଇଁ ବ୍ୟବହୃତ ୮ ଜଣରୁ କମ ପରିବହନ କ୍ଷମତା ଥିବା ଗାଡ଼ି ୪ ଥାକିଆ ରାସ୍ତାରେ ଘଣ୍ଟାପ୍ରତି ସର୍ବାଧିକ ୮୦ କିଲୋମିଟର ବେଗରେ ଯାଇ ପାରିବ । ପୌରାଞ୍ଚଳ ଦେଇ ଯାଇଥିବା ଜାତୀୟ କିମ୍ବା ରାଜ୍ୟ ରାଜପଥରେ ଘଣ୍ଟାପ୍ରତି ସର୍ବାଧିକ ୫୦ କିଲୋମିଟର ଏବଂ ଅନ୍ୟ ଜାତୀୟ ଓ ରାଜ୍ୟ ରାଜପଥରେ ଘଣ୍ଟାପ୍ରତି ସର୍ବାଧିକ ୬୦ କିଲୋମିଟର ବେଗରେ ଯାତ୍ରା କରି ପାରିବ ।

ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୧୦୩୨୯ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୩୧୩ ଜଣଙ୍କ ମୃତ୍ୟୁ ହୋଇଛି । ଏବେ ସୁଦ୍ଧା ଦେଶରେ ୩୪୫୧୦୪୧୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ମୃତ୍ୟୁସଂଖ୍ୟା ୪ ଲକ୍ଷ ୬୫ ହଜାର ୬୬୨ରେ ପହଞ୍ଚି ଥିବା ବେଳେ ୧୨୨୭୧୪ ସକ୍ରିୟ ମାମଲା ରହିଛି । ସେହିପରି ୩୩୯୨୨୦୩୭ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

କଟକ ଜିଲ୍ଲାରୁ ସର୍ବାଧିକ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି । ଗତ ୧୭ ତାରିଖ ସୁଦ୍ଧା ଏସ୍‌ସିବିକୁ ମୋଟ୍ ୭୯୪ ଡେଙ୍ଗୁ ରୋଗୀ ଆସିଛନ୍ତି । ସେମାନଙ୍କ ମଧ୍ୟରୁ ୭୬୫ ରୋଗୀ ମେଡିକାଲରୁ ଡିସଚାର୍ଜ ହୋଇ ଘରକୁ ଫେରିଥିବା ବେଳେ ୩ ଜଣ ରୋଗୀଙ୍କ ମୃତ୍ୟୁ ହୋଇଛି । ତେବେ ଏବେ ୱାର୍ଡରେ ୨୬ ଜଣ ରୋଗୀ ଚିକିତ୍ସାଧିନ ଥିବାବେଳେ ସେମାନଙ୍କ ମଧ୍ୟରୁ ୪ ଜଣ ଗୁରୁତର ରୋଗୀଙ୍କୁ ଆଇସିୟୁରେ ରଖି ଚିକିତ୍ସା କରାଯାଉଛି । ତେବେ ୱାର୍ଡକୁ ଚିକିତ୍ସା ପାଇଁ ଆସିଥିବା ମୋଟ୍ ରୋଗୀଙ୍କ ମଧ୍ୟରୁ କେବଳ କଟକରୁ ୧୫୬ ଅଛନ୍ତି ।

ପୁନର୍ଗଠନ ହେବାକୁ ଥିବା ରାଜସ୍ଥାନ କ୍ୟାବିନେଟ୍‌ର ୩୦ଜଣ ମନ୍ତ୍ରୀଙ୍କ ମଧ୍ୟରୁ ୧୫ଜଣ ବିଧାୟକଙ୍କୁ ନୂଆ ମନ୍ତ୍ରୀ ଭାବେ ସାମିଲ କରାଯିବ ବୋଲି ଶନିବାର ରାତିରେ ଜଣାପଡ଼ିଛି। ଆଜି ରାଜସ୍ଥାନ କ୍ୟାବିନେଟ୍‌ର ସମସ୍ତ ମନ୍ତ୍ରୀ ଶପଥ ଗ୍ରହଣ କରିବେ। ଗତ ସନ୍ଧ୍ୟାରେ ରାଜସ୍ଥାନର ମୁଖ୍ୟମନ୍ତ୍ରୀ ରାଜ୍ୟପାଳଙ୍କୁ ଭେଟିବା ସହ ପୁରଣା କ୍ୟାବିନେଟ୍‌ର ମନ୍ତ୍ରୀମାନେ ଦେଇଥିବା ଇସ୍ତଫା ପତ୍ର ହସ୍ତାନ୍ତର କରିଥିଲେ । ନୂଆ କ୍ୟାବିନେଟ୍‌ ସଦସ୍ୟମାନଙ୍କ ମଧ୍ୟରୁ ୪ଜଣ ହେବେ କନିଷ୍ଠ ମନ୍ତ୍ରୀ। ଏହା ବ୍ୟତିରେକେ, କ୍ୟାବିନେଟ୍‌ରେ ସଚିନ ପାଇଲଟ୍‌ଙ୍କର ୫ଜଣ ଆନୁଗତ୍ୟଙ୍କୁ ମଧ୍ୟ ସାମିଲ କରାଯାଇଛି। ସେମାନେ ହେଉଛନ୍ତି ହେମାରାମ ଚୌଧୁରୀ, ବିଶ୍ବେନ୍ଦ୍ର ସିଂହ, ରମେଶ ମୀଣା, ବ୍ରଜେନ୍ଦ୍ର ସିଂହ ଓଲା ଏବଂ ମୁରାରୀଲାଲ୍‌ ମୀଣା।

 ଆଜି ନୌସେନାରେ ସାମିଲ ହେବ ଆଇଏନଏସ୍ ବିଶାଖାପଟନମ । ହିନ୍ଦ ଓ ପ୍ରଶାନ୍ତ ମହାସାଗରରେ ବଢ଼ିବ ଭାରତର ଶକ୍ତି । ସ୍ବଦେଶ ଜ୍ଞାନ କୌଶଳରେ ନିର୍ମିତ ଆଇଏନଏସ୍ ବିଶାଖାପଟନମକୁ ଆଜି ନୌସେନାରେ ସାମିଲ କରିବେ ରକ୍ଷା ମନ୍ତ୍ରୀ ରାଜନାଥ ସିଂ ।ବାୟୁସେନାର ଆକ୍ରମଣରୁ ବର୍ତ୍ତିବା ପାଇଁ ଏଥିରେ ୩୨ ବାରାକ୍ ମିସାଇଲ୍ ଖଞ୍ଜା ହୋଇଛି । ସମୁଦ୍ରତଟରେ ସମ୍ମୁଖରୁ ଆସୁଥିବା ସମସ୍ତ ଶତ୍ରୁକୁ ଧ୍ବଂସ କରିବାର କ୍ଷମତା ରଖିଛି ଆଇଏନଏସ୍ ବିଶାଖାପଟନମ । ଏହାର ଓଜନ ୭ ହଜାର ୪୦୦ ଟନ୍ ହୋଇଥିବାବେଳେ ଏହାର ଲମ୍ବ ହେଉଛି ୧୬୩ ମିଟର ଓ ଚଉଡା ୧୭ ମିଟର ।

‘ଇନ୍‌ଷ୍ଟାଗ୍ରାମ୍‌ ଷ୍ଟୋରି’ରେ ସମଗ୍ର ଶିଖ୍ ସମ୍ପ୍ରଦାୟଙ୍କୁ ଖଲିସ୍ତାନୀ ଆତଙ୍କବାଦୀ ଭାବେ ଅଭିହିତ କରିବା ସହ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ସେମାନଙ୍କୁ ମଶା ଭଳି ଜୋତାରେ ଦଳନ କରିଥିଲେ ବୋଲି ଦର୍ଶାଇଥିବା ଅଭିନେତ୍ରୀ କଙ୍ଗନା ରଣାୱତ୍‌ଙ୍କ ନାମରେ ଥାନାରେ ଅଭିଯୋଗ ହୋଇଛି । ଉପରୋକ୍ତ ମନ୍ତବ୍ୟ ଦେଇଥିବା ଅଭିନେତ୍ରୀ କଙ୍ଗନାଙ୍କ ନାମରେ ‘ଦିଲ୍ଲୀ ଶିଖ୍‌ ଗୁରଦ୍ବାର ପରିଚାଳନା କମିଟି’ର ଅଧ୍ୟକ୍ଷ ତଥା ଅକାଳୀ ଦଳ ନେତା ମନଜୀନ୍ଦର୍‌ ସିଂହ ସିର୍‌ସା ମାମଲା ରୁଜୁ କରିଛନ୍ତି। ସେ କହିଛନ୍ତି, କୃଷକମାନଙ୍କ ପ୍ରତିବାଦକୁ ରଣାୱତ୍ ଉଦ୍ଦେଶ୍ୟମୂଳକ ଭାବେ ଜାଣିଶୁଣି ‘ଖଲିସ୍ତାନୀ ଆନ୍ଦୋଳ’ ଭାବେ ଚିତ୍ରଣ କରିଛନ୍ତି ।

ଆଜି ପର୍ଯ୍ୟନ୍ତ ବିଶ୍ବବ୍ୟାପୀ ୨୫ କୋଟି ୭୪ ଲକ୍ଷ ୫ ହଜାର ୩୩୭ ଜଣ କରୋନା ପଜିଟିଭ ଚିହ୍ନଟ ହୋଇସାରିଛନ୍ତି। କରୋନା ଯୋଗୁଁ ୫୧ ଲକ୍ଷ ୬୩ ହଜାର ୨୪ ଜଣଙ୍କର ମୃତ୍ୟୁ ହୋଇସାରିଛି। ଏବେ ବିଶ୍ବରେ ୨୩ କୋଟି ୨୩ ଲକ୍ଷ ୫୩ ହଜାର ୪୭୫ ଜଣ  କରୋନାରୁ ସୁସ୍ଥ ହୋଇସାରିଥିବା ବେଳେ ୧  କୋଟି ୯୮ ଲକ୍ଷ ୮୮ ହଜାର ୮୩୮ ଜଣ ସକ୍ରିୟ ଆକ୍ରାନ୍ତଙ୍କ ଚିକିତ୍ସା ଜାରି ରହିଛି। 

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ତଦନ୍ତ ଅଧିକାରୀଙ୍କ ଗାଡି ଆଗରେ ଧାରଣା ଦେଲେ ପରିବାର ଲୋକେ...

Sun Nov 21 , 2021
ବବିତା ସାମଲ(ଭଦ୍ରକ): ଧାର ଟଙ୍କାକୁ ନେଇ ଧମକ ଚମକ, ଥାନାରେ ଅଭିଯୋଗ କରିବାରୁ ଘରେ ନିଆଁ ଲଗେଇ ଦେଲେ। ଏଭଳି ଘଟଣା ଦେଖି ବାକୁ ମିଳିଛି ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଧିନ ପାଞ୍ଚପଡା ଗାଁରେ। ଏହି ଗାଁ ହରିଶ ରାଓଙ୍କ ଭିନ୍ନକ୍ଷମ ପୁଅ ପାଣିରେ ପଡିଯାଇଥିଲା। ପୁଅର ଅସୁସ୍ଥତା ପାଇଁ ସେହି ଗ୍ରାମର ବିରେନ୍ଦ୍ର ମହାନ୍ତିଙ୍କ ଠାରୁ କିଛି ଟଙ୍କା ଧାର ନେଇଥିଲେ। ଠିକ ସମୟରେ ପରିଶୋଧ କରି ପାରିନଥିଲେ। […]

You May Like

Pin It on Pinterest