ରାଜ୍ୟରେ ଗତ ୨୪ ଘଣ୍ଟାରେ ୨୧୨ଜଣ କରୋନା ପଜିଟିଭ୍ ହୋଇଥିବା ବେଳେ ୨ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ଜନିତ ମୃତ୍ୟୁ ସଂଖ୍ୟା ୮୩୯୬ ବୃଦ୍ଧି ପାଇଛି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୧୦୪୭୩୮୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୨୧୯୧ଟି ଆକ୍ଟିଭ୍ କେସ୍ ରହିଥିବା ବେଳେ ୧୦୩୬୭୪୬ ଜଣ ସୁସ୍ଥ ହୋଇଛନ୍ତି ।
ଆଜି ସଂଧ୍ୟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଭର୍ଚୁଆଲ୍ ପ୍ଲାଟ୍ ଫର୍ମରେ କ୍ୟାବିନେଟ୍ ବୈଠକ ହେବ । ସୂଚନାନୁଯାୟୀ, ୨୦୨୦-୨୧ ଆର୍ଥିକ ବର୍ଷର ପ୍ରଥମ ଅତିରିକ୍ତ ବଜେଟ୍ କୁ ମନ୍ତ୍ରୀ ପରିଷଦ ଓ କ୍ୟାବିନେଟ୍ ର ଅନୁମୋଦନ ମିଳିବ। ବିଧାନସଭାର ଶୀତ ଅଧିବେଶନର ପ୍ରଥମ ଦିନ ଡିସେମ୍ବର ୧ ତାରିଖରେ ଏହି ଅତିରିକ୍ତ ବଜେଟ୍ ଉପସ୍ଥାପନ କରାଯିବ।
ଆଜି (ମଙ୍ଗଳବାର) ରାୟଗଡ଼ା ଜିଲ୍ଲାରେ ବିଜୁ ସ୍ୱାସ୍ଥ୍ୟକଲ୍ୟାଣ ଯୋଜନା କାର୍ଡ଼ର ଶୁଭାରମ୍ଭ କରାଯିବ । ଭିଡ଼ିଓ କନଫରେନ୍ସିଂ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ଏହାର ଶୁଭାରମ୍ଭ କରିବେ । ସ୍ଥାନୀୟ ଜିସିଡ଼ି ପଡ଼ିଆ ଠାରେ ହିତାଧିକାରୀଙ୍କୁ ମୁଖ୍ୟମନ୍ତ୍ରୀ ଉଦ୍ବୋଧନ ଦେବା ପରେ ଅନ୍ୟ ମନ୍ତ୍ରୀଗଣ ଏହି କାର୍ଡ଼ ବଣ୍ଟନ କରିବେ । କାର୍ଯ୍ୟକ୍ରମରେ ଅନୁସୂଚିତ ଜାତି ଓ ଜନଜାତି କଲ୍ୟାଣମନ୍ତ୍ରୀ ଜଗନ୍ନାଥ ସାରକା, ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଟୁକୁନି ସାହୁ ଓ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ପ୍ରମୁଖ ଯୋଗଦାନ କରିବେ ।
ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଏନଏସି ମାର୍କେଟ୍ କମ୍ପ୍ଲେକ୍ସର ସଂଶୋଧିତ ଦୋକାନ ଘର ଚୁକ୍ତିନାମା ବିରୋଧରେ ବ୍ୟବସାୟୀ ସଂଘ ପକ୍ଷରୁ ୬ ଘଣ୍ଟିଆ ବନ୍ଦ ପାଳନ କରାଯାଉଛି । ବ୍ୟବସାୟୀ ମାନେ ଦୋକାନ ଗୃହ ଭଡାରେ ନେବା ସହ ଭଡା ଦେଉ ନ ଥିଲେ । ଏପରିକି ଭଡା ନେଇଥିବା ଦୋକାନ ଘର ଅନ୍ୟକୁ ଦେବା ଏବଂ ଦୋକାନ ଘରକୁ ବର୍ଦ୍ଧିତ କରାଯାଇଥିବା କାରଣରୁ ଏନଏସି କର୍ତୃପକ୍ଷ ଫାଇନ ଲଗାଇବାକୁ ନିଷ୍ପତ୍ତି ନେଇଥିଲେ । ଯାହାର ପ୍ରତିବାଦ କରି ଦୋକାନୀମାନେ ଆଜି (ମଙ୍ଗଳବାର) କୁଚିଣ୍ଡା ସହରର ସମସ୍ତ ଦୋକାନ ବଜାର ବନ୍ଦ କରିଛନ୍ତି ।
ରାଜ୍ୟରେ ଏବେ ପାଗ ମେଘୁଆ ଓ କୋହଲା ରହିଛି। ଆସନ୍ତାକାଲି ପର୍ଯ୍ୟନ୍ତ ଏହି ଭଳି ପାଗ ରହିବା ସହ ଉପକୂଳ ଓଡ଼ିଶା ସମେତ ଦକ୍ଷିଣ ଓଡ଼ିଶାର କିଛି କିଛି ସ୍ଥାନରେ ହାଲୁକା ବର୍ଷା ହୋଇପାରେ। ଆସନ୍ତା ୨୪ ତାରିଖରୁ ରାଜ୍ୟର ପାଗରେ ପରିବର୍ତ୍ତନ ହେବ। ଆକାଶ ନିର୍ମଳ ରହିବା ସହ ପାଗ ଖରାଟିଆ ରହିବ। ଫଳରେ ଧୀରେଧୀରେ ରାତ୍ରି ତାପମାତ୍ରା କମିବ। ୨୬ ତାରିଖ ଆଡ଼କୁ ତାପମାତ୍ରା ପ୍ରାୟ ୫ରୁ ୬ ଡିଗ୍ରି ପର୍ଯ୍ୟନ୍ତ କମିଯିବ। ଫଳରେ ପୁଣି ଶୀତ ଆରମ୍ଭ ହୋଇଯିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କହାଯାଇଛି।
ଯାଜପୁର ଜିଲ୍ଲା ବଡ଼ଚଣା ପୂର୍ତ୍ତ ବିଭାଗ ଅଧୀନରେ ଦୁଇଟି ନଦୀ ବନ୍ଧ ରାସ୍ତାର ନବୀକରଣ ନିମନ୍ତେ ଶିଳାନ୍ୟାସ ହୋଇଛି । ଏହାକୁ ବଡ଼ଚଣା ବିଧାୟକ ଅମର ପ୍ରସାଦ ଶତପଥୀ ଶିଳାନ୍ୟାସ କରିଥିଲେ । ଜନକଠୁ ହଳଧରପୁର ନଦୀ ବନ୍ଧର ସମ୍ପ୍ରସାରଣ ନିମନ୍ତେ ୬ କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ଶିଳାନ୍ୟାସ କରାଯାଇ ଥିବା ବେଳେ ବାଲିଚନ୍ଦ୍ରପୁରଠୁ ଇନ୍ଦୁପୁର ନଦୀ ବନ୍ଧର ନବୀକରଣ ନିମନ୍ତେ ୭କୋଟିରୁ ଉର୍ଦ୍ଧ୍ୱ ଟଙ୍କା ପ୍ରକଳ୍ପର ଶିଳାନ୍ୟାସ କରାଯାଇଛି ।
ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୭୫୭୯ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୨୩୬ ଜଣଙ୍କ ମୃତ୍ୟୁ ହୋଇଛି । ଏବେସୁଦ୍ଧା ୩୪୫୨୬୪୮୦ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ମୃତ୍ୟୁସଂଖ୍ୟା ୪ ଲକ୍ଷ ୬୬ ହଜାର ୧୪୭ରେ ପହଞ୍ଚିଛି । ଏବେ ଦେଶରେ ୧୧୩୫୮୪ ସକ୍ରିୟ ମାମଲା ରହିଥିବା ବେଳେ ୩୩୯୪୬୭୪୯ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।
ଯମୁନା ଏକ୍ସପ୍ରେସ୍ ୱେ’ର ନାଁ ବଦଳାଇବାକୁ ବିଚାର କରୁଛନ୍ତି ଉତ୍ତରପ୍ରଦେଶ ସରକାର । ଏହାର ନାଁ ବଦଳି ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳବିହାରୀ ବାଜପେୟୀଙ୍କ ନାଁରେ ନାମିତ କରିବାକୁ ଯୋଗୀ ସରକାର ନେଇଛନ୍ତି ନିଷ୍ପତ୍ତି । ଜେୱର ବିମାନବନ୍ଦର ପାଇଁ ଭୂମି ପୂଜନ ବେଳେ ଏହା ଘୋଷଣା ହୋଇପାରେ ବୋଲି ସୂଚନା ରହିଛି ।
ଆସନ୍ତା ମାସ ୫ ତାରିଖରେ ଋଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଭାରତ ଗସ୍ତରେ ଆସିବାର କାର୍ୟ୍ୟକ୍ରମ ରହିଛି । ଏହି ଅବସରରେ ଦୁଇ ଦେଶ ମଧ୍ୟରେ କେତେକ ଗୁରୁତ୍ବପୂର୍ଣ୍ଣ ପ୍ରତିରକ୍ଷା ଚୁକ୍ତି ସ୍ବାକ୍ଷରିତ ହେବାର ସମ୍ଭାବନା ରହିଛି । ସେଗୁଡ଼ିକ ମଧ୍ୟରେ ରହିଛି ଆମେଥିଠାରେ ପ୍ରସ୍ତାବିତ କାଲାସନିକୋଭ କାରଖାନା ପ୍ରତିଷ୍ଠା । ତେବେ ଗୁରୁତ୍ବପୂର୍ଣ୍ଣ ବିଷୟ ହେଉଛି ପୁଟିନଙ୍କ ଏହି ଗସ୍ତ ସମୟରେ ଭାରତକୁ ଏସ-୫୦୦ ଓ ଏସ-୫୫୦ ସାମ୍ ଏୟାର ଡିଫେନ୍ସ ସିଷ୍ଟମ ପ୍ରଦାନ କରିବାକୁ ପ୍ରସ୍ତାବ ଦେଇପାରେ । ଏ ନେଇ ଦୁଇ ପକ୍ଷଙ୍କ ମଧ୍ୟରେ ଏକ ଉଚ୍ଚସ୍ତରୀୟ ଆଲୋଚନା ହେବ । ଏହି ପ୍ରସ୍ତାବରେ ଭାରତ ରାଜି ହେଲେ ଏସ-୫୦୦ ଓ ଏସ-୫୫୦ ପାଇବାରେ ଭାରତ ହେବ ବିଶ୍ବର (ଋଷିଆ ପରେ) ପ୍ରଥମ ଦେଶ । ପୁଣି ଏହି ଅତ୍ୟାଧୁନିକ ସିଷ୍ଟମକୁ କେବଳ ଭାରତ ଛଡ଼ା ଆଉ କାହାକୁ ଦେବାକୁ ଋଷିଆ ପ୍ରସ୍ତାବ ଦେଇନାହିଁ ।
ଆଜି ପର୍ଯ୍ୟନ୍ତ ବିଶ୍ବବ୍ୟାପୀ ୨୫ କୋଟି ୮୩ ଲକ୍ଷ ୩୭ ହଜାର ୮୬୮ ଜଣ କରୋନା ପଜିଟିଭ ଚିହ୍ନଟ ହୋଇସାରିଛନ୍ତି। କରୋନା ଯୋଗୁଁ ୫୧ ଲକ୍ଷ ୭୩ ହଜାର ୮୯୨ ଜଣଙ୍କର ମୃତ୍ୟୁ ହୋଇସାରିଛି। ଏବେ ବିଶ୍ବରେ ୨୩ କୋଟି ୩୭ ଲକ୍ଷ ୬୦ ହଜାର ୮୯୭ ଜଣ କରୋନାରୁ ସୁସ୍ଥ ହୋଇସାରିଥିବା ବେଳେ ୧ କୋଟି ୯୪ ଲକ୍ଷ ୩ ହଜାର ୭୯ ଜଣ ସକ୍ରିୟ ଆକ୍ରାନ୍ତଙ୍କ ଚିକିତ୍ସା ଜାରି ରହିଛି।
ଅନ୍ତର୍ଜାତୀୟ ଏମି ପୁରସ୍କାର ୨୦୨୧ ଘୋଷଣା ହୋଇଛି । ବ୍ରିଟିଶ ଅଭିନେତା ଡେଭଡ୍ ଟେନାଣ୍ଟଙ୍କୁ ‘ଦେସ୍’ ପାଇଁ ଶ୍ରେଷ୍ଠ କଳାକାର ଓ ଇସ୍ରାଏଲୀ ଟିଭି ସିରିଜ୍ ତେହେରାନକୁ ଶ୍ରେଷ୍ଠ ଡ୍ରାମା ସିରିଜ ପୁରସ୍କାର ପ୍ରଦାନ କରାଯାଇଛି । ସେହିପରି କଲ ମାଇ ଏଜେଣ୍ଟ-ସିଜିନ-୪କୁ ଶ୍ରେଷ୍ଠ କମେଡି ସିରିଜର ପୁରସ୍କାର ମିଳିଛି ।
ଫ୍ରାନ୍ସରେ କରୋନା ପୁଣିଥରେ ବଢିବାରେ ଲାଗିଥିବା ବେଳେ ପ୍ରଧାନମନ୍ତ୍ରୀ ଜିନ କାଷ୍ଟେକ୍ସ କରୋନା ସଂକ୍ରମିତ ହୋଇଛନ୍ତି । ଦେଶରେ କରୋନା ସଂକ୍ରମଣ ହେତୁ ପରିସ୍ଥିତି ଚିନ୍ତାଜନକ ଅଟେ ।