ରାଜ୍ୟରେ ଗତ ୨୪ ଘଣ୍ଟାରେ ୧୯୧ ଜଣ କରୋନା ପଜିଟିଭ୍ ହୋଇଥିବା ବେଳେ ଆଉ ଜଣେ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ଜନିତ ମୃତ୍ୟୁ ସଂଖ୍ୟା ୮୪୦୭ ବୃଦ୍ଧି ପାଇଛି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୧୦୪୮୬୮୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୨୩୫୯ଟି ଆକ୍ଟିଭ୍ କେସ୍ ରହିଥିବା ବେଳେ ୧୦୩୭୮୬୪ ଜଣ ସୁସ୍ଥ ହୋଇଛନ୍ତି ।
ବିଧାନସଭାର ଶୀତକାଳୀନ ଅଧିବେଶନ ପୂର୍ବରୁ ଆରମ୍ଭ ହୋଇଛି କୋଭିଡ଼ ଟେଷ୍ଟ । ଏହା ୩ ଦିନ ଧରି ଚାଲିବ । ବିଧାନସଭା ପରିସରରେ ଚାଲିଛି କୋଭିଡ଼ ଟେଷ୍ଟ । ସଦସ୍ୟଙ୍କ ସହ ବିଧାନସଭା କର୍ମଚାରୀ, ସୁରକ୍ଷାକର୍ମୀଙ୍କର ଆରଟିପିସିଆର ସହ ଆଣ୍ଟିବଡ଼ି ଟେଷ୍ଟ ମଧ୍ୟ କରାଯାଉଛି ।
ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୮୭୭୪ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୬୨୧ ଜଣଙ୍କ ମୃତ୍ୟୁ ହୋଇଛି । ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଥିବା ନୂତନ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୩,୪୫,୭୨,୫୨୩ରେ ପହଞ୍ଚିଥିବା ବେଳେ ସମୁଦାୟ କୋଭିଡ୍–୧୯ଜନିତ ମୃତ୍ୟୁସଂଖ୍ୟା ୪,୬୮,୫୫୪ରେ ପହଞ୍ଚିଛି। ସେହିପରି ୧୦୫୬୯୧ ସକ୍ରିୟ ମାମଲା ରହିଛି ୩୩୯୯୮୨୭୮ ଜଣ ସୁସ୍ଥ ହୋଇ ଫେରିଛନ୍ତି ।
ସୋମବାରଠୁ ଆରମ୍ଭ ହେବ ସଂସଦର ଶୀତକାଳୀନ ଅଧିବେଶନ । ଏହା ପୂର୍ବରୁ ଆଜି(ରବିବାର) ପୂର୍ବାହ୍ନ ସାଢେ ୧୧ଟାରେ ସର୍ବଦଳୀୟ ବୈଠକ ଆରମ୍ଭ ହୋଇଛି । ଏହି ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହିତ ବିରୋଧୀ ଦଳର ନେତାମାନେ ସାମିଲ ହୋଇଛନ୍ତି । ଏହି ବୈଠକ ପରେ ଅପରାହ୍ନ ୪ଟାରେ ଏନଡିଏର ମଧ୍ୟ ଗୁରୁତ୍ବପୂର୍ଣ୍ଣ ବୈଠକ ହେବ।
ଗୁଜରାଟର ଓଖା ଉପକୂଳ ଠାରୁ ୧୨ ନଟିକାଲ ମାଇଲ ସମୁଦ୍ର ଭିତରେ ଶନିବାର (ଗତକାଲି) ରାତିରେ ଦୁଇଟି ପଣ୍ୟବାହୀ ଜାହାଜ ମଧ୍ୟରେ ଧକ୍କା ଲାଗିଛି । ତେବେ ଏହି ଦୁର୍ଘଟଣାରେ କେହି ମୃତାହତ ହୋଇନାହାନ୍ତି । ତଟରକ୍ଷୀ ବାହିନୀ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଦୁଇ ବିପରୀତ ଦିଗରେ ଆସୁଥିବା ମାର୍ଶଲ ଦ୍ୱୀପର ଏମ୍ଭି ଆଭିଏଟର ଏବଂ ହଂକଂର ଏମ୍ଭି ଆଟଲାଣ୍ଟିକ ଗ୍ରେସ୍ ମଧ୍ୟରେ ଏହି ଧକ୍କା ଲାଗିଛି ।ଏମ୍ଭି ଆଟଲାଣ୍ଟିକ ଗ୍ରେସ୍ରେ ତୈଳ ଓ ରାସାୟନିକ କଣ୍ଟେନର ରହିଥିଲା । ଦୁର୍ଘଟଣା ସମ୍ପର୍କରେ ଖବର ପାଇବା ପରେ ଓଖା ଓ ମୁନ୍ଦ୍ରାରୁ ଦୁଇଟି ତଟରକ୍ଷୀ ବାହିନୀର ଜାହାଜ ଘଟଣାସ୍ଥଳରେ ପହଞ୍ଚିଛି ।
ଦକ୍ଷିଣ ଆଫ୍ରିକାରେ ଠାବ ହୋଇଥିବା କରୋନାର ନୂଆ ଭାରିଏଣ୍ଟ ପୂରା ବିଶ୍ୱ ପାଇଁ ଚିନ୍ତାର କାରଣ ପାଲଟିଛି। ସବୁଠୁ ଓମିକ୍ରନ୍କୁ ନେଇ ସତର୍କତା ବଢ଼ାଇ ଦିଆଯାଇଛି। କେନ୍ଦ୍ର ସରକାର ରାଜ୍ୟମାନଙ୍କୁ ଏ ବାବଦରେ ନୂଆ ନିର୍ଦ୍ଦେଶାବଳୀ ଜାରି କରିଛନ୍ତି। ଏବେ ଦେଶର ରାଜଧାନୀରେ ମଧ୍ୟ ଓମିକ୍ରନ୍କୁ ନେଇ ହସ୍ପିଟାଲଗୁଡ଼ିକ ପାଇଁ କେତେକ ଜରୁରୀ ନିର୍ଦ୍ଦେଶ ଜାରି କରାଯାଇଛି । ଦିଲ୍ଲୀରେ ଅଚାନକ ସଂକ୍ରମଣ ବ୍ୟପିଲେ ଯେଉଁ ସ୍ଥିତି ଉପୁଜିବ ତାହାର ମୁକାବିଲା ପାଇଁ ସମସ୍ତ ହସ୍ପିଟାଲଗୁଡ଼ିକୁ ହାଇ ଆଲର୍ଟ କରାଯାଇଛି। ସଂପୂର୍ଣ୍ଣ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶନାମା ଜାରି ହୋଇଛି।



