ରାଜ୍ୟରେ ଗତ ୨୪ ଘଣ୍ଟାରେ ୧୭୩ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ଆଉ ଜଣେ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ଜନିତ ମୃତ୍ୟୁ ସଂଖ୍ୟା ୮୪୪୦ବୃଦ୍ଧି ପାଇଛି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୧୦୫୨୩୧୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୧୯୮୯ଟି ଆକ୍ଟିଭ୍ କେସ୍ ରହିଥିବା ବେଳେ ୧୦୪୧୮୩୬ଜଣ ସୁସ୍ଥ ହୋଇଛନ୍ତି ।
ଆଜି ପବିତ୍ର ଧନୁ ସଂକ୍ରାନ୍ତି । ଏହି ତିଥିରେ ଶ୍ରୀମନ୍ଦିରରେ ପାଳିତ ହେଉଛି ସ୍ୱତନ୍ତ୍ର ନୀତିକାନ୍ତି । ଆଜି ଠାରୁ ପହିଲି ଭୋଗ ଆରମ୍ଭ ହୋଇଥାଏ । ପହିଲି ଭୋଗରେ ବିରି, ଗହମଚୂନା ଘୃତ ପାଗ ହୋଇଥିବା ପିଠା ଓ ଧନୁମୂଆଁ ମହାପ୍ରଭୁଙ୍କ ନିକଟରେ ଲାଗି ହୋଇଛି। ଗୋପାଳବଲ୍ଲଭ ପରେ ପହିଲି ଭୋଗ ସଂପନ୍ନ ହୋଇଛି।
ଆଜିଠାରୁ ଭୁବନେଶ୍ବର ରେ ଆରମ୍ଭ ହେଉଛି IPS ସମ୍ମିଳନୀ। ଏହି ସମ୍ମିଳନୀକୁ ଉଦଘାଟନ କରିବେ ପୋଲିସ ଡିଜି ଅଭୟ। ଭର୍ଚ୍ଚୁଆଲ ମୋଡରେ ହେବାକୁ ଥିବା ଏହି ସମ୍ମିଳନୀରେ ଅନେକ ଗୁରୁତ୍ବପୂର୍ଣ ବିଷୟରେ ଆଲୋଚନା ହେବ । ଖବର ଅନୁଯାୟୀ, ରାଜ୍ୟରେ ନକ୍ସଲ ଦମନ, ଡଗ୍ସ ମାଫିଆଙ୍କୁ ନିପାତ ଓ ଆଇନ ଶୃଙ୍ଖଳାକୁ ଆଜିର ଏହି ସମ୍ମିଳନୀ ହେଉଛି । ଏହସବୁ ପ୍ରସଙ୍ଗ ଉପରେ ଆଜିର ଏହି ବୈଠକରେ ବିସ୍ତୃତ ଭାବେ ଆଲୋଚନା ହେବ।
ନୀତି ଆୟୋଗ ଉପାଧ୍ୟକ୍ଷ ଡକ୍ଟର ରାଜୀବ କୁମାର ଶ୍ରୀମନ୍ଦିର ଯାଇ ଜଗନ୍ନାଥଙ୍କୁ ଆଜି ସକାଳେ ଦର୍ଶନ କରିଛନ୍ତି। ନୀତି ଆୟୋଗର ବିଭାଗୀୟ ଉପଦେଷ୍ଟା ଅବିନାଶ ମିଶ୍ର, ଜିଲ୍ଲାପାଳ ଶ୍ରୀ ସମର୍ଥ ବର୍ମା, ଅତିରିକ୍ତ ଜିଲ୍ଲାପାଳ ପ୍ରଦୀପ କୁମାର ସାହୁ, ନୀତି ପ୍ରଶାସକ ଜିତେନ୍ଦ୍ର କୁମାର ସାହୁ, ପ୍ରୋଟକଲ ଅଫିସର ଗୋପିନାଥ ମିଶ୍ର, ସିଟି ଡିଏସପି ଜନାର୍ଦ୍ଦନ ପାଢୀ ପ୍ରମୁଖ ସାମିଲ ଥିଲେ ।
ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୭୯୭୪ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୩୪୩ ଜଣଙ୍କ ମୃତ୍ୟୁ ହୋଇଛି । ଏବେସୁଦ୍ଧା ଦେଶରେ ପ୍ରାୟ ୩୪ ଲକ୍ଷରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ୮୭୨୪୫ ସକ୍ରିୟ ମାମଲା ରହିଛି ଏବଂ ୩୪୧୫୪୮୭୯ ଜଣ ସୁସ୍ଥ ହୋଇ ଫେରିଛନ୍ତି । ଏହା ବ୍ୟତୀତ ୪୭୬୪୭୮ ସଂକ୍ରମିତ ପ୍ରାଣ ହରାଇଛନ୍ତି ।
ବାହାଘର ପାଇଁ ଝିଅମାନଙ୍କ ସର୍ବନିମ୍ନ ବୟସ ସୀମା ବୃଦ୍ଧି କରିବା ପ୍ରସ୍ତାବକୁ କେନ୍ଦ୍ର କ୍ୟାବିନେଟ ଅନୁମତି ଦେଇଛି। ଏହାର ଅର୍ଥ ଝିଅମାନଙ୍କ ସର୍ବନିମ୍ନ ବିବାହ ବୟସ ୧୮ ବର୍ଷରୁ ୨୧ ବର୍ଷକୁ ବୃଦ୍ଧି ପାଇବ। ଝିଅଙ୍କ ସର୍ବନିମ୍ନ ବିବାହ ବୟସ ୨୧ ବର୍ଷ କରିବାକୁ ଦୀର୍ଘ ଦିନରୁ ଦାବି ହେଉଥିଲା।
ଦେଶରେ ବର୍ତ୍ତମାନ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ବଢ଼ି ଚାଲିଛି। ଭାରତରେ କରୋନାର ତୃତୀୟ ଲହର ନିଶ୍ଚୟ ଆସିବ। ତେଣୁ ଏବେଠାରୁ ପ୍ରସ୍ତୁତି ଆରମ୍ଭ କରିଦେବାକୁ ପରାମର୍ଶ ଦେଇଛନ୍ତି ଫର୍ଟିସ ଏସ୍କର୍ଟସ ହାର୍ଟ ଇନଷ୍ଟିଚ୍ୟୁଟର ଅଧ୍ୟକ୍ଷ ଅଶୋକ ସେଠ୍।
ଡିସେମ୍ବର ୮ ତାରିଖରେ ଭାରତୀୟ ବାୟୁସେନା ହେଲିକପ୍ଟର୍ ଦୁର୍ଘଟଣାରେ ‘ଚିଫ୍ ଅଫ୍ ଡିଫେନ୍ସ୍ ଷ୍ଟାଫ୍’ ଜେନେରାଲ୍ ବିପିନ ରାୱତ୍ଙ୍କ ମୃତ୍ୟୁ ଘଟିବା ପରେ ତିନି ସେବାର ମୁଖ୍ୟମାନଙ୍କୁ ନେଇ ଗଠିତ ‘ଚିଫ୍ସ୍ ଅଫ୍ ଷ୍ଟାଫ୍ କମିଟି’ର ଅଧ୍ୟକ୍ଷ ଭାବେ ସେନାମୁଖ୍ୟ ଜେନେରାଲ୍ ଏମ୍.ଏମ୍. ନରୱଣେ ଦାୟିତ୍ବ ଗ୍ରହଣ କରିଛନ୍ତି ।
୨୦୨୦ରେ ଆର୍କଟିକ୍ ଏବଂ ଆଣ୍ଟାର୍କଟିକା ଅଞ୍ଚଳରେ ଜାତିସଂଘର ଅନ୍ୟତମ ସଂସ୍ଥାନ ‘ୱାର୍ଲଡ୍ ମେଟେରୋଲୋଜିକାଲ୍ ଅର୍ଗାନାଇଜେସନ୍’ (ଡବ୍ଲୁଏମ୍ଓ) ଯଥାକ୍ରମେ ୩୮ ଏବଂ ୧୮.୩ ଡିଗ୍ରି ତାପମାତ୍ରା ରେକର୍ଡ କରିଛି। ଉପରୋକ୍ତ ଦୁଇ ଅଞ୍ଚଳରେ ଏହା ହେଉଛି ସର୍ବାଧିକ ଉତ୍ତାପ ବୃଦ୍ଧି। ‘ୱାର୍ଲଡ୍ ମେଟେରୋଲୋଜିକାଲ୍ ଅର୍ଗାନାଇଜେସନ୍’ କହିବା ଅନୁସାରେ, ସମଗ୍ର ବିଶ୍ବରେ ଦ୍ରୁତ ଉତ୍ତପ୍ତ ହେଉଥିବା ଅଞ୍ଚଳଗୁଡ଼ିକ ମଧ୍ୟରୁ ଆର୍କିଟିକ୍ ଅନ୍ୟତମ। ଏହି ଅଞ୍ଚଳ ହାରାହାରି ବୈଶ୍ବିକ ଉତ୍ତାପର ବେଗ ଠାରୁ ୨ଗୁଣରୁ ଅଧିକ ବେଗରେ ଉତ୍ତପ୍ତ ହେଉଛି। ସମ୍ଭାବନା ନ ଥିଲେ ବି ନିକଟ ଭବିଷ୍ୟତରେ ଆର୍କଟିକ୍ ଅଞ୍ଚଳରେ ମାତ୍ରାଧିକ ଉତପ୍ତ ଅବସ୍ଥା ସୃଷ୍ଟି ହେବାକୁ ଏଡାଇ ଦିଆଯାଇ ନ ପାରେ।