ରାଜ୍ୟରେ ଗତ ୨୪ ଘଣ୍ଟାରେ ୧୯୩ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ଆଉ ୨ଜଣଙ୍କ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ଜନିତ ମୃତ୍ୟୁ ସଂଖ୍ୟା ୮୪୪୪ବୃଦ୍ଧି ପାଇଛି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୧୦୫୨୮୩୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୧୮୯୪ଟି ଆକ୍ଟିଭ୍ କେସ୍ ରହିଥିବା ବେଳେ ୧୦୪୨୪୪୩ଜଣ ସୁସ୍ଥ ହୋଇଛନ୍ତି ।
ଆସନ୍ତା ୩ରୁ ୪ଦିନ ଯାଏ ରାଜ୍ୟର ଅଧିକାଂଶ ସ୍ଥାନରେ ସର୍ବନିମ୍ନ ତାପମାତ୍ରା ୪ ଡିଗ୍ରୀ ଯାଏ କମିବ । ରାଜ୍ୟର କେନ୍ଦ୍ରୀୟ ଓ ଦକ୍ଷିଣ ଆଭ୍ୟନ୍ତରୀଣ ଅଞ୍ଚଳରେ ଦୁଇ ଦିନ ଧରି ପ୍ରବଳ ଶୀତ ହେବ । ୪ ଡିଗ୍ରୀ ଯାଏ ତାପମାତ୍ରା କମିବ । ୨୧ ତାରିଖ ଯାଏ ଶୀତ ଲହରୀ ଜାରି ରହିବ ବୋଲି ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ ପୂର୍ବାନୁମାନ କରିଛନ୍ତି ।
ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୭୦୮୧ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୨୬୪ ଜଣଙ୍କ ମୃତ୍ୟୁ ହୋଇଛି । ଏବେସୁଦ୍ଧା ଦେଶରେ ପ୍ରାୟ ୩୪ ଲକ୍ଷରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ୮୩୯୧୩ ସକ୍ରିୟ ମାମଲା ରହିଛି ଏବଂ ୩୪୧୭୮୯୪୦ ଜଣ ସୁସ୍ଥ ହୋଇ ଫେରିଛନ୍ତି । ଏହା ବ୍ୟତୀତ ୪୭୭୪୨୨ ସଂକ୍ରମିତ ପ୍ରାଣ ହରାଇଛନ୍ତି ।
କେରଳରେ ୧୨ ଘଣ୍ଟା ମଧ୍ୟରେ ଦୁଇ ନେତାଙ୍କ ହତ୍ୟା ଘଟଣା ଆଲାପୁଜା ଜିଲ୍ଲାରେ ଉତ୍ତେଜନା ସୃଷ୍ଟି କରିଛି । ଫଳରେ ୧୪୪ ଧାରା ଲାଗୁ କରାଯାଇଛି । କଲେକ୍ଟର ଦୁଇ ଦିନ ପାଇଁ ଆଲାପୁଜାଠାରେ ସେକ୍ସନ୍ ୧୪୪ ଲଗାଇଛନ୍ତି । ଏଥିସହ କେରଳର ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ ଆଲାପୁଜାରେ ଉଭୟ ନେତାଙ୍କ ହତ୍ୟାକୁ ନିନ୍ଦା କରିଛନ୍ତି । ଆଜି (ରବିବାର) ସକାଳେ ଆଲାପୁଜାଠାରେ ବିଜେପି ନେତାଙ୍କୁ ହତ୍ୟା କରାଯାଇଥିଲା । ମୃତକଙ୍କ ନାମ ରଣଜିତ୍ ଶ୍ରୀନିବାସନ୍, ଯିଏକି ବିଜେପି ଓବିସି ମୋର୍ଚ୍ଚାର ସଚିବ ଥିଲେ । ଏହାପୂର୍ବରୁ ଶନିବାର ବିଳମ୍ବିତ ରାତିରେ ସୋସିଆଲ ଡେମୋକ୍ରାଟିକ୍ ପାର୍ଟି ଅଫ୍ ଇଣ୍ଡିଆ (SDPI) ନେତା କେ.ଏସ୍ ଶାନଙ୍କୁ ହତ୍ୟା କରାଯାଇଥିଲା ।
ଜାମ୍ମୁ କାଶ୍ମୀରର ହରୱାନ ଅଞ୍ଚଳରେ ସୁରକ୍ଷାକର୍ମୀ-ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ । ଏଥିରେ ଜଣେ ଆତଙ୍କବାଦୀ ନିହତ ହୋଇଥିବା ସୂଚନା ଦେଇଛି ପୋଲିସ । ଆଜି (ରବିବାର) ସକାଳୁ ହରୱାନ ଅଞ୍ଚଳରେ ଗୁଳି ବିନିମୟ ହୋଇଥିଲା । ଏନକାଉଣ୍ଟରରେ ଲସ୍କର ଏ ତୋଏବାର ଜଣେ ଆତଙ୍କବାଦୀର ମୃତ୍ୟୁ ହୋଇଛି ।
ଭାରତରେ ସ୍ପାମ୍ କଲ୍ ସଂଖ୍ୟା ବଢ଼ୁଛି। ୨୦ଟି ଦେଶକୁ ନେଇ ହୋଇଥିବା ଏକ ସର୍ଭେରେ ଭାରତ ଚତୁର୍ଥ ସର୍ବାଧିକ ପ୍ରଭାବିତ ଦେଶ ସ୍ଥାନରେ ରହିଛି। ଗତବର୍ଷ ଭାରତ ଏହି ତାଲିକାରେ ନବମ ସ୍ଥାନରେ ଥିବାବେଳେ ଚଳିତବର୍ଷ ସ୍ଥିତି ଅଧିକ ଖରାପ ହୋଇଛି। ମୁଖ୍ୟତଃ ସେଲ୍ସ ଓ ଟେଲିମାର୍କେଟିଂ କମ୍ପାନି ଗୁଡ଼ିକ ଠାରୁ ଏହି ସ୍ପାମ୍ କଲ ଆସୁଛି ବୋଲି ଟ୍ରୁକଲର ପକ୍ଷରୁ ଏକ ରିପୋର୍ଟରେ କୁହାଯାଇଛି। ସ୍ପାମ କଲ୍ ଦ୍ବାରା ପ୍ରଭାବିତ ହେଉଥିବା ୨୦ଟି ଦେଶରେ ୟୁଜର ପିଛା ମାସକୁ ୧୬.୮ଟି ସ୍ପାମ କଲ୍ ଆସୁଛି। ଟ୍ରୁକଲର ବ୍ୟବହାରକାରୀମାନେ ଗତ ଅକ୍ଟୋବରରେ କେବଳ ୩୮୦ କୋଟିରୁ ଅଧିକ ସ୍ପାମ୍ କଲ୍ର ଶିକାର ହୋଇଛନ୍ତି।
ବଢ଼ି ଚାଲିଥିବା ‘ଓମିକ୍ରନ୍ କରୋନାଭାଇରସ୍ ଭେରିଏଣ୍ଟ୍’ ସଂକ୍ରମଣକୁ ନିୟନ୍ତ୍ରଣ କରିବା ଲାଗି ଶନିବାର ଦିନ ନେଦର୍ଲାଣ୍ଡ୍ସ୍ ବଡ଼ଦିନ ଲକ୍ଡାଉନ୍ ଘୋଷଣା କରିଛି। ଡଚ୍ ପ୍ରଧାନମନ୍ତ୍ରୀ ମାର୍କ ରୁଟେ ଘୋଷଣା କରିଛନ୍ତି ଯେ, ସମସ୍ତ ଅଣ-ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ, ସାଂସ୍କୃତିକ ଏବଂ ମନୋରଞ୍ଜନ ସ୍ଥଳ ଜାନୁଆରି ୧୪ ତାରିଖ ପର୍ଯ୍ୟନ୍ତ ନିଶ୍ଚିତ ବନ୍ଦ ରହିବ। କିନ୍ତୁ, ସ୍କୁଲ୍ ସବୁ ଅନ୍ୟୂନ ଜାନୁଆରି ୯ ତାରିଖ ପର୍ଯ୍ୟନ୍ତ ବନ୍ଦ ରଖାଯିବ।