
ବାସ୍ତବବ୍ୟୁରୋ(ଭୁବନେଶ୍ୱର): ୨୩/୧୨- ୨୨ ଟି ଜିଲ୍ଲାରେ ନୂଆ ବସ୍ଷ୍ଟାଣ୍ଡ ନିର୍ମାଣ କରିବା ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।ଯାତ୍ରୀଙ୍କ ଗମନାଗମନକୁ ସୁବିଧା କରାଇବା ପାଇଁ,ରାଜ୍ୟରେ ତିଆରି ହେବ ୫୫ଟି ନୂଆ ବସ୍ଷ୍ଟାଣ୍ଡ । ରାଜ୍ୟର ୨୨ ଜିଲ୍ଲାର ପ୍ରାୟ ସମସ୍ତ ବ୍ଲକକୁ ବସ୍ ସଂଯୋଗ କରାଇବା ଉଦ୍ଦେଶ୍ୟରେ ରାଜ୍ୟ ସରକାର ଏଭଳି ପଦକ୍ଷେପ ନେଇଛନ୍ତି ।
ଭିତ୍ତି ପ୍ରସ୍ତର ସ୍ଥାପନ କରିବା ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି, ‘ଗ୍ରାମାଞ୍ଚଳକୁ ସମସ୍ତ ପ୍ରକାର ସଂଯୋଗ ତଥା ସୁବିଧାସୁଯୋଗ ଯୋଗାଇଦେବା ରାଜ୍ୟ ସରକାରଙ୍କ ପ୍ରାଥମିକତା ରହିଆସିଛି । ନୂଆ ବସ୍ଷ୍ଟାଣ୍ଡ ହେଲେ ଗ୍ରାମାଞ୍ଚଳର ଲୋକମାନେ ଅନେକ ମାତ୍ରାରେ ଉପକୃତ ହେବେ । ରାଜ୍ୟରେ ବିକାଶ କ୍ଷେତ୍ରରେ ଏହା ବେଶ ସହାୟକ ହେବ’ ।
ମୁଖ୍ୟମନ୍ତ୍ରୀ କହିଛନ୍ତି, ‘OSRTC ପକ୍ଷରୁ କମ୍ୟୁନିକେସନ ନେଟଓ୍ବର୍କକୁ ଆହୁରି ମଜବୁତ କରିବା ପାଇଁ ରାଜ୍ୟର କୋଣ ଅନୁକୋଣକୁ ବସ୍ ସଂଯୋଗ ତଥା ଅନ୍ୟାନ୍ୟ ସୁବିଧାସୁଯୋଗ ଯୋଗାଇ ଦେବାକୁ ଉଦ୍ୟମ ଜାରି ରହିଛି’ ।
ଏହା ସହିତ ରାଜ୍ୟରେ ଜାରି ରହିଥିବା ବିକାଶମୂଳକ କାର୍ଯ୍ୟ ତଥା ଲୋକାଭିମୁଖି କାର୍ଯ୍ୟକୁ ନେଇ ମୁଖ୍ୟମନ୍ତ୍ରୀ ଖୁସି ବ୍ୟକ୍ତ କରିଛନ୍ତି । ଆହୁରି ଅନେକ ସୁବିଧାସୁଯୋଗ ଯୋଗାଇଦେବା ତଥା ଅର୍ଥନୈତିକ କାରବାର ପାଇଁ ସୁବିଧା ଚାହୁଁଥିବା ବ୍ୟକ୍ତିମାନଙ୍କ ପାଇଁ ସହାୟକ ହେବ ଏହି ନୂଆ ବସ୍ଷ୍ଟାଣ୍ଡ ।