ରାଜ୍ୟରେ ଗତ ୨୪ ଘଣ୍ଟାରେ ୧୨୪ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ଆଉ ଜଣେ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୮୪୫୧ ବୃଦ୍ଧି ପାଇଛି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୧୦୫୩୭୬୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୧୬୬୪ ଟି ଆକ୍ଟିଭ୍ କେସ୍ ରହିଥିବା ବେଳେ ୧୦୪୩୬୦୧ ଜଣ ସୁସ୍ଥ ହୋଇଛନ୍ତି ।
ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକଙ୍କ ପୂର୍ବାନୁମାନ, ଆସନ୍ତା ୨୮, ୨୯ ଓ ୩୦ ତାରିଖରେ ରାଜ୍ୟରେ ପାଗ ମେଘୁଆ ରହିବ । ୨୯ ଓ ୩୦ ତାରିଖ ଦୁଇ ଦିନ ପଶ୍ଚିମ ଓଡ଼ିଶାରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବ। ତେବେ ଉପକୂଳ ଓଡ଼ିଶାରେ ପାଗ ଶୁଖିଲା ଓ ଖରାଟିଆ ରହିବ ।
କଟକଣା ଭିତରେ ମଧ୍ୟରାତ୍ରୀରେ ବଡ଼ ଦିନ ପାଳିଲେ ଖ୍ରୀଷ୍ଟ ଧର୍ମାବଲମ୍ବୀ। ଏଥିପାଇଁ ଖ୍ରୀଷ୍ଟ ଧର୍ମାବଲମ୍ବୀଙ୍କ ମଧ୍ୟରେ ଉତ୍ସାହ ଭରି ରହିଛି। ତେବେ କୋଭିଡ କଟକଣା ବଳବତ୍ତର ରହିଥିବାରୁ ରାତ୍ରି କାଳୀନ ପ୍ରେୟାର ପାଇଁ ବିଶେଷ ଭିଡ଼ ପରିଲକ୍ଷିତ ହୋଇନଥିଲା। ସମୂହ ପ୍ରାର୍ଥନା ସଭା ଉପରେ ରୋକ୍ ଲଗାଯାଇଛି ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କୁ ବଡ଼ଦିନର ଶୁଭେଚ୍ଛା ଜଣାଇଛନ୍ତି। ସେ ନିଜର ଟୁଇଟରରେ ଲେଖିଛନ୍ତି, ଖ୍ରୀଷ୍ଟମାସର ଏହି ଆନନ୍ଦ ଉତ୍ସବରେ ସମସ୍ତଙ୍କୁ ଶୁଭେଚ୍ଛା। ଆପଣଙ୍କର ଜୀବନ ସୁଖ, ଶାନ୍ତି ଏବଂ ସମୃଦ୍ଧତାରେ ପରିପୂର୍ଣ୍ଣ ହେଉ।
ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୭,୧୮୯ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୩୮୭ ଜଣଙ୍କ ମୃତ୍ୟୁ ହୋଇଛି । ଏବେସୁଦ୍ଧା ଦେଶରେ ପ୍ରାୟ ୩୪ ଲକ୍ଷରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ୭୭୦୩୨ ସକ୍ରିୟ ମାମଲା ରହିଛି ଏବଂ ୩୪୨୨୩୨୬୩ ଜଣ ସୁସ୍ଥ ହୋଇ ଫେରିଛନ୍ତି । ଏତତ୍ ବ୍ୟତୀତ ୪୭୯୫୨୦ ସଂକ୍ରମିତ ପ୍ରାଣ ହରାଇଛନ୍ତି ।
ସାରା ଦେଶରେ ଓମିକ୍ରନ ପାଇଁ ବିପଦ ବଢିବାରେ ଲାଗିଛି । କରୋନାର ନୂଆ ଭାରିଏଣ୍ଟ ସଂକ୍ରମିତଙ୍କ ସଂଖ୍ୟା ବି ବୃଦ୍ଧି ପାଇବାରେ ଲାଗିଛି । ଏବେ ଓମିକ୍ରନ୍ ସଂକ୍ରମିତଙ୍କ ସଂଖ୍ୟା ମହାରାଷ୍ଟ୍ରରେ ସବୁଠାରୁ ଅଧିକ ହୋଇଥିବା ବେଳେ ସରକାର ଏ ଦିଗରେ ସତର୍କ ହେଉଛନ୍ତି । ତେବେ ଦୁବାଇରୁ ଫେରୁଥିବା ଲୋକଙ୍କୁ ସଂଗରୋଧ ବାଧ୍ୟମୂଳକ କରାଯାଇଛି ।
କୋଭିଡ୍ ଟିକା ନେବାକୁ ମନା କଲେ ହିତାଧିକାରୀଙ୍କୁ ମିଳିବନି ସରକାରୀ ସହାୟତା। ସରକାରୀ ଯୋଜନାରେ ମାଗଣା ଏବଂ ରିହାତିରେ ମିଳୁଥିବା ସାମଗ୍ରୀରୁ ବଞ୍ଚିତ ହେବେ ହିତ୍ତାଧିକାରୀ। ଏଭଳି କଡ଼ା ନିଷ୍ପତ୍ତି ନେଇଛନ୍ତି ରାଜସ୍ତାନ ସରକାର। ଏଥିସହ ପୁଣି ଥରେ ନାଇଟ୍ କର୍ଫ୍ୟୁ ମଧ୍ୟ ଫେରିଛି । ବୃଦ୍ଧି ପାଉଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ମହାରାଷ୍ଟ୍ର ପରେ ରାଜସ୍ତାନରେ ନାଇଟ୍ କର୍ଫ୍ୟୁ ଲାଗୁ କରିବାକୁ ନିଷ୍ପତ୍ତି ନିଆଯାଇଛି ।
ଆଜି ଶୁଭ ବଡଦିନ । ଧରାବତରଣ କରିଛନ୍ତି ପ୍ରଭୁ ଯୀଶୁ । ଘରେ ରହି ସେଲିବ୍ରେସନ କରୁଛନ୍ତି ଭାରତବାସୀ । ଏହି ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ରାଷ୍ଟ୍ରପତି କହିଛନ୍ତି ଖ୍ରୀଷ୍ଟିଆନ ଭାଇ ଭଉଣୀ ତଥା ଦେଶବାସୀଙ୍କୁ ବଡଦିନର ଶୁଭେଚ୍ଛା । ପ୍ରଭୁ ଯୀଶୁ ସମସ୍ତଙ୍କ ଜୀବନରେ ଆନନ୍ଦ ଉଲ୍ଲାସରେ ଭରି ଦିଅନ୍ତୁ ଏହାହିଁ ମୋର କାମନା । ସେହିଭଳି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ୱିଟ୍ କରି ଖ୍ରୀଷ୍ଟମାସ କାମନା କରିଛନ୍ତି ।