ପୌର ଓ ପଞ୍ଚାୟତ ନିର୍ବାଚନକୁ ଆଖିରେ ରଖି ଶିଶୁପାଳଗଡ଼ ରେ ବିଜେପି ବିଜେଡିର ଶକ୍ତି ପ୍ରଦର୍ଶନ…

ମନୋଜ ମହାନ୍ତି(ଭୁବନେଶ୍ୱର): ୨୬/୧୨-ଶିଶୁପାଳଗଡ଼ ରେ ବିଜେପି ବିଜେଡି ଦଳର ଶକ୍ତି ପ୍ରଦର୍ଶନ । ପ୍ରାୟ ୪ ଘଣ୍ଟା କାଳ ଶିଶୁପାଳଗଡ଼ ଗଗନପବନ ପ୍ରକମ୍ପିତ ହେଲା।ପ୍ରଧାନମନ୍ତ୍ରୀ ମୋଦୀଙ୍କ ବିରୋଧୀ ସ୍ଲୋଗାନ ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିରୋଧୀ ସ୍ଲୋଗାନରେ ଗାଁ ଦାଣ୍ଡ ପ୍ରକମ୍ପିତ ହେଲା।

ବିଜେପିର ମମିତା ମେହେର ମାମଲା ସାଙ୍ଗକୁ ତାଳ ଦେଇ ବିଜେଡିର ଦରବୃଦ୍ଧି ପ୍ରସଙ୍ଗରେ ଶିଶୁପାଳଗଡ଼ ହୁଲୁସ୍ତୁଲ୍‌ ହେଲା। ଦୁଇ ରାଜନୈତିକ ଦଳର ଏଭଳି ଶକ୍ତି ପ୍ରଦର୍ଶନ ଭିତରେ ପେଷି ହୋଇଗଲା କମିସନରେଟ୍‌ ପୁଲିସ। ୩ ପ୍ଲାଟୁନ୍‌ ପୁଲିସ ବଳ ଦୁଇ ଦଳର କର୍ମୀଙ୍କ ଉପରେ ନଜର ରଖିବାକୁ ଯାଇ ଭୋକଶୋଷ ଭୁଲିଗଲା। ସୌଭାଗ୍ୟକୁ କୌଣସି ଗଣ୍ଡଗୋଳ ଘଟିନଥିଲା। ନାରାବାଜିରେ ହିଁ କଥା ଅଟକିଗଲା। ତଥାପି ସେତିକିରେ କମିସନରେଟ୍‌ ପୁଲିସ ଶେଷ ପର୍ଯ୍ୟନ୍ତ ନାକେଦମ ହୋଇଥିଲା।

ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ୯୭ତମ ଜନ୍ମଦିନକୁ ସୁଶାସନ ଦିବସ ଭାବେ ବିଜେପି ପାଳନ ପାଇଁ ଶିଶୁପାଳଗଡ଼ରେ ‌ଦଳ ପକ୍ଷରୁ ବ୍ୟାପକ ଆୟୋଜନ କରାଯାଇଥିଲା। ପଞ୍ଚାୟତ କାର୍ଯ୍ୟାଳୟ ପାଖରେ ଏକ ସଭା ମଞ୍ଚ ପ୍ରସ୍ତୁତ କରାଯାଇଥିଲା। ସଭା ପରେ ସେଠାରୁ ଏକ ଶୋଭାଯାତ୍ରା ବାହାରି ପୁରୁଣା ଭୁବନେଶ୍ବର ଗୋକର୍ଣ୍ଣ‌ଶ୍ବର ମନ୍ଦିର ପର୍ଯ୍ୟନ୍ତ ଯିବାର କାର୍ଯ୍ୟକ୍ରମ ସ୍ଥିର ହୋଇଥିଲା ଥିଲା।

କାର୍ଯ୍ୟସୂଚୀ ଅନୁସାରେ ପୂର୍ବାହ୍ନ ୧୦ଟା ବେଳେ ସଭାସ୍ଥଳରେ ନେତା ଓ କର୍ମୀମାନେ ଏକାଠି ହୋଇଥିଲେ। ବାବୁ ସିଂଙ୍କ ନେତୃତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଜେପି ନେତା ଗୋଲକ ମହାପାତ୍ର, ଡ. ଲେଖାଶ୍ରୀ ସାମନ୍ତସିଂହାର, ଭୁବନମୋହନ ଜେନା, ଅଭିଷେକ ଆଚାର୍ଯ୍ୟ ପ୍ରମୁଖ ଉପସ୍ଥିତ ଥିଲେ। ଶିଶୁପାଳଗଡ଼ରେ ଶୋଭାଯାତ୍ରା କରି ସଭା ଆରମ୍ଭ ହେବା ବେଳକୁ ଆରମ୍ଭ ହେଲା ବିଜେଡିର କାର୍ଯ୍ୟକ୍ରମ। ବିଜେଡି ଯୁବନେତା ସୁବାସ ସୁନ୍ଦରାୟ, ସୁଶାନ୍ତ ଚମ୍ପତ୍ତି, ତିଲୁ ଶ୍ରୀଚନ୍ଦନ ଓ ଭୀମସେନ ଗଜେନ୍ଦ୍ରଙ୍କ ନେତୃତ୍ବରେ ଶତାଧିକ ଦଳୀୟ କର୍ମୀ ହାତରେ ପ୍ଲାକାର୍ଡ ଧରି ଶୋଭାଯାତ୍ରା କରିଥିଲେ।

ବିଜେପି ସଭାସ୍ଥଳରୁ ମାତ୍ର କେଇ ଗଜ ଦୂରରେ ବିଜେଡି ନେତା ଓ କର୍ମୀମାନେ ଏକାଠି ହୋଇ ନାରାବାଜି ଆରମ୍ଭ କଲେ। ଏହା ଦେଖି ବିଜେପି ସଭାସ୍ଥଳରୁ ମଧ୍ୟ ଶୁଭିଲା ନାରାବାଜି। ପରିସ୍ଥିତି ଏମିତି ହେଲା ଯେ କୌଣସି ମୁହୂର୍ତ୍ତରେ ଦୁଇ ଦଳର କର୍ମୀମାନେ ହାତାହାତି ହୋଇଯିବେ ବୋଲି ଆଶଙ୍କା ଦେଖାଗଲା। ବିଜେପି ପକ୍ଷରୁ ନବୀନ ସରକାରର ନାରୀ ନିର୍ଯାତନା, ହତ୍ୟା ଆଦି ପ୍ରସଙ୍ଗକୁ ନେଇ ନାରାବାଜି ହେଲା। ଅନୁରୂପଭାବେ ବିଜେଡି ପକ୍ଷରୁ ପେଟ୍ରୋଲ, ଡିଜେଲ୍‌ ଓ ରନ୍ଧନ ଗ୍ୟାସ ଦର ବୃଦ୍ଧିକୁ ନେଇ ନାରାବାଜି ଚାଲିଲା।

ବିଜେପିର ସଭା ଚାଲିଥିଲା ଓ ଏଣେ ବିଜେଡିର ସ୍ଲୋଗାନ ଚାଲିଥିଲା। ମଝିରେ ଥିଲା ପୁଲିସ ବଳ। ଏସିପି ବିଷ୍ଣୁପ୍ରସାଦ ପାତ୍ର ଧଉଳି ଥାନା ଓ ଶ୍ରୀଲିଙ୍ଗରାଜ ଥାନା ଅଧିକାରୀଦ୍ବୟଙ୍କ ସହ ଦୁଇ ଦଳର ମଝିରେ ରହି ପରିସ୍ଥିତିକୁ ନିୟନ୍ତ୍ରଣ କରିବାକୁ ଉଦ୍ୟମ କରୁଥିଲେ। ଅପରାହ୍‌ଣ ୨ଟା ବେଳେ ବିଜେପିର ସଭା କାର୍ଯ୍ୟ ସରିଥିଲା ଓ ଦଳ ପକ୍ଷରୁ ଏକ ଶୋଭାଯାତ୍ରା ବାହାରି ପୁରୁଣା ଭୁବନେଶ୍ବର ଯାଇଥିଲା। ପୌର ଓ ପଞ୍ଚାୟତ ନିର୍ବାଚନ ପାଖେଇ ଆସୁଥିବା ବେଳେ ଦୁଇ ଦଳର ଏଭଳି କାର୍ଯ୍ୟକ୍ରମକୁ ନେଇ ସ୍ଥାନୀୟ ଅଞ୍ଚଳରେ ସରଗରମ ଚର୍ଚ୍ଚା ହେବାର ଦେଖିବାକୁ ମିଳିଛି ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ମନ୍ତ୍ରୀ ନିରଞ୍ଜନ ପୂଜାରୀ ଓ ପଦ୍ମନାଭ ବେହେରା ଙ୍କ କରକମଳରେ ସୋନପୁର ସହରର ବିଭିନ୍ନ ପ୍ରକଳ୍ପର ଉଦଘାଟନ...

Sun Dec 26 , 2021
ସୁବର୍ଣ୍ଣପୁର(ସୂର୍ଯ୍ୟ ନାରାୟଣ ପାଢ଼ୀ):ସୁବର୍ଣ୍ଣପୁର ମହାନଦୀ ବ୍ରିଜ ରେ ଉଜ୍ୱଳ ଆଲୋକୀ କରଣ ବ୍ୟବସ୍ଥା କୁ ଆଜି ମାନ୍ୟବର ଅର୍ଥ ଓ ଅବକାରୀ ମନ୍ତ୍ରୀ ନିରଞ୍ଜନ ପୂଜାରୀ ଓ ବାଣିଜ୍ୟ ପରିବହନ ଓ ଯୋଜନା ସଂଯୋଜନ ମନ୍ତ୍ରୀ ପଦ୍ମନାଭ ବେହେରା ଶୁଭ ଉଦଘାଟନ ପୂର୍ବକ ଲୋକାର୍ପଣ କରିଛନ୍ତି l ଆଜି ପ୍ରଥମେ ସୁବର୍ଣ୍ଣପୁର ପୌର ପରିଷଦ ର ମୋ ଖତ ଯୋଜନା କୁ ମନ୍ତ୍ରୀ ନିରଞ୍ଜନ ପୂଜାରୀ ଉଦଘାଟନ କରିଥିବାବେଳେ ସୋନପୁର […]

You May Like

Pin It on Pinterest