ଗତ ୨୪ ଘଣ୍ଟାରେ ୨୯୮ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ଆଉ ୨ ଜଣଙ୍କ ଜୀବନ ନେଲା କରୋନା। ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୮୪୬୨କୁ ବୃଦ୍ଧି ପାଇଛି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୧୦୫୫୧୩୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୧୮୧୪ଟି ଆକ୍ଟିଭ୍ କେସ୍ ରହିଥିବା ବେଳେ ୧୦୪୪୮୦୩ଜଣ ସୁସ୍ଥ ହୋଇଛନ୍ତି ।
ଆଜି ଇଂରାଜୀ ନବ ବର୍ଷ । ପୂରୁଣା ବର୍ଷକୁ ବିଦାୟ ଦେଇ ନୂଆ ବର୍ଷକୁ ସ୍ବାଗତ ପାଇଁ ସମସ୍ତଙ୍କ ମନରେ ଉତ୍ସାହ । ହେଲେ କରୋନା କଟକଣା ପାଇଁ ଏଥର ନୂଆବର୍ଷ ସେଲିବ୍ରେସନ ଫିକା ପଡିଛି ।
ନୂଆବର୍ଷ ପାଇଁ ଶ୍ରୀକ୍ଷେତ୍ର ହୋଇ ଉଠିଛି ଚଳଚଞ୍ଚଳ । ନୂଆବର୍ଷର ନୂତନ ସୂର୍ଯ୍ୟୋଦୟ ଦେଖିବା ପାଇଁ ବେଳାଭୂମିରେ ପର୍ଯ୍ୟଟକଙ୍କ ଭିଡ଼ ଲାଗିଛି । କିନ୍ତୁ କରୋନା କଟକଣା ପାଇଁ ଶ୍ରୀମନ୍ଦିରରେ ସାଧାରଣ ଦର୍ଶନ ବନ୍ଦ ରହିଛି ।
୧୫-୧୮ ବର୍ଷ ବୟସ୍କ ପିଲାମାନେ ଟିକା ନେବା ପାଇଁ ଆଜିଠୁ ଆରମ୍ଭ ହେବ ପଞ୍ଜିକରଣ । କୋୱିନ ପ୍ଲାଟଫର୍ମରେ ଅନଲାଇନ ଜରିଆରେ ପଞ୍ଜୀକରଣ କରାଇପାରିବେ । ପିଲାଙ୍କ ଟିକାକରଣ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ୧୫-୧୮ ବର୍ଷ ବୟସ୍କ ପିଲାମାନଙ୍କ ପାଇଁ ସୋମବାର ୩ ତାରିଖ ଠାରୁ ଟିକାକରଣ ଆରମ୍ଭ କରାଯିବ। ଅନଲାଇନ ପଞ୍ଜୀକରଣ ନ କରିପାରିଲେ ଜାନୁଆରୀ ୩ରୁ ଟିକାକରଣ ଆରମ୍ଭ ହେବା ପରେ ନିଜେ ଟିକା କେନ୍ଦ୍ରକୁ ଯାଇ କୋୱିନ ଅଫଲାଇନ ପଞ୍ଜୀକରଣର ଲାଭ ନେଇପାରିବେ। ଯେଉଁମାନଙ୍କର ଜନ୍ମ ୨୦୦୭ କିମ୍ବା ତା’ପୂର୍ବରୁ ହୋଇଛି କେବଳ ସେହିମାନେ ହିଁ ଟିକା ନେବା ପାଇଁ ଯୋଗ୍ୟ ଅଟନ୍ତି।
ନୂଆବର୍ଷ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ନୂଆ ବର୍ଷ ଉପଲକ୍ଷେ ରାଜ୍ୟବାସୀଙ୍କୁ ଆନ୍ତରିକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀ ଟ୍ୱିଟ୍ ଯୋଗେ କହିଛନ୍ତି ଯେ, ନୂଆବର୍ଷରେ ସମସ୍ତଙ୍କୁ ଶୁଭେଚ୍ଛା । ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ କୃପାରୁ ରାଜ୍ୟର ପ୍ରଗତି ସହ ପ୍ରତିଟି ଜୀବନ ମଙ୍ଗଳମୟ ହେଉ ବୋଲି ଉଲ୍ଲେଖ କରିଛନ୍ତି । ସେହିପରି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ନୂଆବର୍ଷ ଉପଲକ୍ଷେ ଶୁଭେଚ୍ଛା ଜଣାଇଛନ୍ତି । ସେ କହିଛନ୍ତି ଯେ, ନୂଆବର୍ଷରେ ସମସ୍ତଙ୍କୁ ଶୁଭେଚ୍ଛା । ମହାପ୍ରଭୁଙ୍କ ଆଶୀର୍ବାଦରୁ ଏହି ବର୍ଷ ସମସ୍ତଙ୍କ ଜୀବନରେ ସୁଖ, ସମୃଦ୍ଧି ଏବଂ ଉଲ୍ଲାସ ଭରିଦେଉ ବୋଲି କେନ୍ଦ୍ରମନ୍ତ୍ରୀ ଟ୍ୱିଟ୍ ଯୋଗେ କହିଛନ୍ତି ।
ନବ ବର୍ଷ ଅବସରରେ ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା ବିରଜାଙ୍କ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ ଲାଗିଛି । ଅନେକ ସ୍ଥାନରେ କୋଭିଡ ପାଇଁ ମନ୍ଦିର ବନ୍ଦ ରହିଥିବା ବେଳେ କୋଭିଡ କଟକଣା ମଧ୍ୟରେ ମାଙ୍କ ଦର୍ଶନ କରାଯାଉଛି ।
ନୂଆବର୍ଷ ପ୍ରଥମ ଦିନ (ଶନିବାର) ୧୦୦ ଦିବସୀୟ ପଠନ ଅଭିଯାନ “ପଢ଼େ ଭାରତ’ର ଶୁଭାରମ୍ଭ କରିବେ କେନ୍ଦ୍ର ଶିକ୍ଷା ଏବଂ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଏହି ଅଭିଯାନ ଛାତ୍ରଛାତ୍ରୀଙ୍କ ଶିକ୍ଷଣ ସ୍ତରରେ ଉନ୍ନତି ପାଇଁ ମହତ୍ୱପୂର୍ଣ୍ଣ ପଦକ୍ଷେପ । ଏହା ଛାତ୍ରଛାତ୍ରୀଙ୍କୁ ସେମାନଙ୍କ ପରିବେଶ ଏବଂ ବାସ୍ତବିକ ଜୀବନର ସ୍ଥିତି ସହିତ ଯୋଡ଼ିବାରେ ସହାୟକ ହେବ ।
ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୨୨୭୭୫ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୪୦୬ ଜଣଙ୍କ ମୃତ୍ୟୁ ହୋଇଛି । ଦେଶରେ ପ୍ରାୟ ୩୪ ଲକ୍ଷରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ୧୦୪୭୮୧ ସକ୍ରିୟ ମାମଲା ରହିଛି ଏବଂ ୩୪୨୭୫୩୧୨ ଜଣ ସୁସ୍ଥ ହୋଇ ଫେରିଛନ୍ତି । ଏହା ବ୍ୟତୀତ ୪୮୧୪୮୬ ସଂକ୍ରମିତ ପ୍ରାଣ ହରାଇଛନ୍ତି ।
ନୂଆ ବର୍ଷ ଆରମ୍ଭରୁ ଗ୍ରାହକଙ୍କୁ ଆଶ୍ୱସ୍ତି । ହ୍ରାସ ପାଇଛି ଏଲପିଜି ସିଲିଣ୍ଡରର ମୂଲ୍ୟ । ୧୯ କିଲୋଗ୍ରାମ କମର୍ସିଆଲ୍ ଗ୍ୟାସ ସିଲିଣ୍ଡରରେ ଏହି ରିହାତି ଦିଆଯାଇଛି । IOCL ନିୟମ ଅନୁଯାୟୀ, ଜାନୁଆରୀ ୧, ୨୦୨୨ ସୁଦ୍ଧା ଦିଲ୍ଲୀରେ କମର୍ସିଆଲ୍ ଗ୍ୟାସ ସିଲିଣ୍ଡରର ମୂଲ୍ୟ ୧୦୨ ରୁ ୧୯୯୮.୫କୁ ହ୍ରାସ ପାଇଛି ।
ନୂତନ ବର୍ଷ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟୁଇଟ୍ କରି ଦେଶବାସୀଙ୍କୁ ନବବର୍ଷର ଅଭିନନ୍ଦନ ଜଣାଇଛନ୍ତି । ଏହି ଅବସରରେ ସେ ଦେଶବାସୀଙ୍କୁ ସମ୍ୱୋଧନ କରି କହିଛନ୍ତି ବର୍ଷର ପ୍ରଥମ ଦିନ ଅନ୍ନଦାତାମାନଙ୍କ ପାଇଁ ଉତ୍ସର୍ଗ କରାଯିବ। ପିଏମ ମୋଦି ଆଜି କିସାନ ସମାନ ନିଧି ଯୋଜନାର ଦଶମ କିସ୍ତି ପ୍ରଦାନ କରିବେ। ପ୍ରଧାନମନ୍ତ୍ରୀ ମୋଦି ଟ୍ୱିଟ୍ କରି କହିଛନ୍ତି ଯେ ନୂତନ ବର୍ଷ ୨୦୨୨ର ପ୍ରଥମ ଦିନ ଦେଶର ଖାଦ୍ୟ ଦାତାଙ୍କୁ ଉତ୍ସର୍ଗ କରାଯିବ । ମଧ୍ୟାହ୍ନ ୧୨.୩୦ରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ PM-Kisanର ଦଶମ କିସ୍ତି ପ୍ରଦାନ କରିବେ ।
ଶୁକ୍ରବାର ବିଳମ୍ବିତ ରାତ୍ରରେ ଜମ୍ମୁ ସ୍ଥିତ ମାତା ବୈଷ୍ଣୋଦେବୀ ଧାମରେ ଦଳଚକଟା । ଏଥିରେ ୧୨ ଶ୍ରଦ୍ଧାଳୁ ପ୍ରାଣ ହରାଇଛନ୍ତି । ଏହାସହ ଅନେକ ଶ୍ରଦ୍ଧାଳୁ ଆହତ ହୋଇଥିବା ନେଇ ଚର୍ଚ୍ଚା ହେଉଛି।