ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୩୬୭୯ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏଥିଭିତରେ ୧୮ ବର୍ଷରୁ କମ୍ ବୟସ୍କ ୩୮୪ ଜଣ ଶିଶୁ ଓ କିଶୋର କରୋନା ପଜିଟିଭ ଅଛନ୍ତି। ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୨୨୩ ଜଣ ଆକ୍ରାନ୍ତ ଥିବା ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ତଥ୍ୟ ପ୍ରଦାନ କରାଯାଇଛି।
ରାଜଧାନୀର ୧୧ଟି ଅଞ୍ଚଳକୁ କଣ୍ଟେନ୍ମେଣ୍ଟ ଜୋନ୍ ଭାବେ ଘୋଷଣା କରାଯାଇଛି । ଏକାଧିକ କୋଭିଡ ପଜିଟିଭ୍ ବାହାରିବା ପରେ ଭୁବନେଶ୍ୱର ମହାନଗର ନିଗମ (ବିଏମ୍ସି) ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି । ନିଳାଦ୍ରିବିହାର ବୁଦ୍ଧ ପାର୍କ ପ୍ଲଟ ନଂ ୨୦୮, ପ୍ଲଟ ନଂ ଏସ୍-୫ ସତ୍ୟବିହାର ପ୍ଲଟ ନଂ ୧୦୯୪, ଗଜପତି ନଗର ପ୍ଲଟ ନଂ ୧୦୩କୁ କଣ୍ଟେନ୍ମେଣ୍ଟ ଜୋନ୍ ଘୋଷଣା କରାଯାଇଛି । ସେହିପରି ବମିଖାଲ ପ୍ଲଟ ନଂ ୨୨୩, ସହିଦନଗର ଆଙ୍ଗନ ରେଷ୍ଟୁରାଣ୍ଟ ପାଖ ପ୍ଲଟ ନଂ ୨୦, ଖାରବେଳନଗର ପ୍ଲଟ ନଂ ୯, ଟଙ୍କପାଣି ରୋଡ୍ ପ୍ଲଟ ନଂ ୧୯-ବି, ପୁରୁଣା ଭୁବନେଶ୍ୱର ପ୍ଲଟ ନଂ-୧୪, ଗଙ୍ଗଯୁମୁନା ରୋଡ୍ ପ୍ଲଟ ନଂ ୩୩୧୪କୁ କଣ୍ଟେନ୍ମେଣ୍ଟ ଜୋନ ଭାବେ ଘୋଷଣା କରାଯାଇଛି ।
ଆଜିଠାରୁ ରାଜ୍ୟରେ ବର୍ଷା ହୋଇପାରେ । ଆଜି(ଶନିବାର )ରାତିରେ ପଶ୍ଚିମ ଓଡ଼ିଶାର କିଛି ସ୍ଥାନରେ ହାଲୁକା ବର୍ଷା ହେବ । ଆସନ୍ତା ୧୦ତାରିଖରୁ ରାଜ୍ୟରେ ବର୍ଷା ପରିମାଣ ବଢିବ । ୧୩ରୁ ଭାରି ବର୍ଷା ହେବ ବୋଲି ପାଣିପାଗ ବିଶେଷଜ୍ଞମାନେ ଆକଳନ କରିଛନ୍ତି । ୧୦ ଓ ୧୧ରେ ମଧ୍ୟମ ଧରଣର ବର୍ଷା ହୋଇପାରେ । ଏହା ପରେ ଭାରି ବର୍ଷା ହେବ । ୧୫ ତାରିଖ ଯାଏ ବର୍ଷା ଜାରି ରହିବ । ରାଜ୍ୟରେ ୧୩ରୁ ୧୬ ଯାଏ କୁହୁଡ଼ି ହେବ ।
କୋଭିଡ୍ ସଂକ୍ରମଣ ବଢ଼ିବା ପରେ ବାହାର ଜିଲ୍ଲା ଲୋକଙ୍କୁ ସ୍ବର୍ଗଦ୍ବାର ବାରଣ କରାଯାଇଛି। ବାହାର ଜିଲ୍ଲାର ଲୋକେ ଆଉ ସ୍ବର୍ଗଦ୍ବାରରେ ଶବଦାହ କରିପାରିବେନି। ଏହି କଟକଣା ଆସନ୍ତା ୧୦ ତାରିଖରୁ ଲାଗୁ ହେବାକୁ ଯାଉଛି। କେବଳ ଜିଲ୍ଲା ଭିତର ଲୋକେ ସ୍ବର୍ଗଦ୍ବାରରେ ଶବଦାହ କରିପାରିବେ। କିନ୍ତୁ ଶବଦାହ ପୂର୍ବରୁ ମୃତକ କୋଭିଡ୍ ଆକ୍ରାନ୍ତ କି ନୁହେଁ, ତାହାର ପ୍ରମାଣପତ୍ର ଦେଖାଇବାକୁ ପଡ଼ିବ। ଆଜି ସ୍ବର୍ଗଦ୍ବାର ପରିଚାଳନା କମିଟି ଓ ଅନ୍ୟ ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା ପରେ ଜିଲ୍ଲା ପ୍ରଶାସନ ଏହି ନିଷ୍ପତ୍ତି ନେଇଛି।
ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦବୀ ପାଇଁ ଚୂଡ଼ାନ୍ତ ସଂରକ୍ଷଣ ତାଲିକା ପ୍ରକାଶ ପାଇଛି । ଅନୁସୂଚିତ ଜାତି, ଜନଜାତି ଓ ମହିଳାମାନଙ୍କ ପାଇଁ ଏହି ସଂରକ୍ଷଣ ତାଲିକା ପ୍ରକାଶ ପାଇଛି । ପଞ୍ଚାୟତିରାଜ ବିଭାଗ ତରଫରୁ ମୋଟ ୪୦ଟି ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦ ପାଇଁ ସଂରକ୍ଷଣ ତାଲିକା ପ୍ରକାଶ ପାଇଛି। ସେଥିମଧ୍ୟରୁ ୧୫ଟି ପଦବୀ ମହିଳାଙ୍କ ପାଇଁ ସଂରକ୍ଷିତ ରହିଛି। ଏହାବାଦ ଅନୁସୂଚିତ ଜନଜାତି ପାଇଁ ୭ ପଦବୀ ସଂରକ୍ଷିତ ରହିଛି । ଅନୁସୂଚିତ ଜନଜାତି ପାଇଁ ସଂରକ୍ଷିତ ୩ ଅଧ୍ୟକ୍ଷ ପଦ ମହିଳାଙ୍କୁ ମିଳିବ । ଅନୁସୂଚିତ ଜାତିଙ୍କ ପାଇଁ ୫ ଅଧ୍ୟକ୍ଷ ପଦବୀ ସଂରକ୍ଷିତ ଘୋଷଣା ହୋଇଛି । ୧୦ଟି ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦ ଅଣ ସଂରକ୍ଷିତ ଘୋଷଣା ରହିଛି ।
ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧୪୧୯୮୬ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୨୮୫ ଜଣଙ୍କ ମୃତ୍ୟୁ ହୋଇଛି । ଏବେସୁଦ୍ଧା ଦେଶରେ ୩୫ ଲକ୍ଷରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ୪୭୨୧୬୯ ସକ୍ରିୟ ମାମଲା ରହିଛି ଏବଂ ୩୪୪୧୨୭୪୦ ଜଣ ସୁସ୍ଥ ହୋଇ ଫେରିଛନ୍ତି । ଏହା ବ୍ୟତୀତ ୪୮୩୪୬୩ ସଂକ୍ରମିତ ପ୍ରାଣ ହରାଇଛନ୍ତି ।
ରାଜଧାନୀ ଦିଲ୍ଲୀରେ କରୋନା ସଂକ୍ରମଣରେ ବ୍ରେକ ଦେବାକୁ ସରକାର ଆଜିଠୁ ଆରମ୍ଭ କରିଛନ୍ତି ୫୫ ଘଣ୍ଟିଆ ଓ୍ୱିକେଣ୍ଟ କର୍ଫ୍ୟୁ । ଏହି କର୍ଫ୍ୟୁ ଶୁକ୍ରବାର ରାତି ୧୦ ଟାରୁ ସୋମବାର ସକାଳ ୫ଟା ପର୍ଯ୍ୟନ୍ତ ଲାଗୁ ରହିବ । ଏହି ସମୟ ମଧ୍ୟରେ ଲୋକଙ୍କୁ ବିନା କାରଣରେ ବାହାରକୁ ଯିବାକୁ ଦିଆଯିବ ନାହିଁ । ଏହା ଅଧୀନରେ ଅନେକ ପ୍ରତିବନ୍ଧକ ଲଗାଯାଇଛି । ଅତ୍ୟାବଶ୍ୟକ କାର୍ଯ୍ୟ ସହିତ ଜଡିତ କିଛି ଲୋକଙ୍କୁ ମଧ୍ୟ ବାହାରକୁ ଯିବାକୁ ଛଡାଯିବ ।ସପ୍ତାହାନ୍ତ କର୍ଫ୍ୟୁ ସମୟରେ ଅତ୍ୟାବଶ୍ୟକ ସାମଗ୍ରୀ ଏବଂ ସେବା ଯୋଗାଣରେ ଜଡିତ କିଛି ଲୋକଙ୍କୁ ସେମାନଙ୍କର ପରିଚୟ ପତ୍ର ଦେଖାଇବା ପରେ ବାହାରକୁ ଆସିବାକୁ ସରକାର ଅନୁମତି ଦେଇଛନ୍ତି । ତେବେ ଜରୁରୀକାଳୀନ ସେବା ପାଇଁ ଡିଏମ୍ କାର୍ଯ୍ୟାଳୟରୁ ଇ-ପାସ୍ ଯୋଗାଇ ଦିଆଯିବ ।
ସମଗ୍ର ବିଶ୍ବରେ ବିଗତ ୨୪ ଘଣ୍ଟା ମଧ୍ୟରେ ୨୫ ଲକ୍ଷ ୫୮ ହଜାର ୯ ଜଣ ନୂଆ ପଜିଟିଭ୍ ଚିହ୍ନଟ ହେବା ପରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୩୦ କୋଟି ୩୪ ଲକ୍ଷ ୯୨ ହଜାର ୮୦୭ରେ ପହଞ୍ଚିଛି। ବିଗତ ୨୪ ଘଣ୍ଟା ମଧ୍ୟରେ ୫୯୨୩ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ଏଥି ସହିତ ବଶ୍ବବ୍ୟାପୀ କରୋନାରେ ମୃତକଙ୍କ ସଂଖ୍ୟା ୫୪ ଲକ୍ଷ ୯୬ ହଜାର ୩୨୨ରେ ପହଞ୍ଚିଛି। ଏହି ସମୟ ମଧ୍ୟରେ ୬୫ ଲକ୍ଷ ୨ ହଜାର ୩୮୮ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି।
ଗ୍ୟାସ ଦର ବୃଦ୍ଧି ପ୍ରତିବାଦରେ କାଜାକସ୍ତାନରେ ହଜାର ହଜାର ଲୋକ ରାସ୍ତାକୁ ଓହ୍ଲାଇଛନ୍ତି। ଯେଉଁଥିପାଇଁ ସେଠାରେ ଉତ୍ତେଜନା ଲାଗିରହିଛି। କୁହାଯାଉଛି ଯେ, ଲୋକେ ଜଣେ ପୋଲିସ ଅଧିକାରୀଙ୍କ ମୁଣ୍ଡ କାଟି ହତ୍ୟା କରିଛନ୍ତି । ବିକ୍ଷୋଭକାରୀମାନେ ସରକାରୀ କୋଠାରେ ଧସେଇ ପଶିଥିବା ଦେଖିବାକୁ ମିଳିଛି । ସେଠାକାର ସରକାର ମଧ୍ୟ ଇସ୍ତଫା ପ୍ରଦାନ କରିଛନ୍ତି । କାଜାକସ୍ତାନରେ ଲାଗି ରହିଥିବା ବିକ୍ଷୋଭରେ ମୃତ୍ୟୁ ସଂଖ୍ୟା ୫୦ରେ ପହଞ୍ଚିଛି। ତେବେ ଏହି ଉତ୍ତେଜନା ରେ ୨୬ ଜଣ ଆନ୍ଦୋଳନକାରୀ ଏବଂ ୧୮ ଜଣ ସୁରକ୍ଷାକର୍ମୀଙ୍କ ମୃତ୍ୟୁ ହୋଇଥିବା ସରକାରୀ ଭାବେ କୁହାଯାଇଛି।
ହଲିଉଡ୍ର ପ୍ରଥମ ବିଶିଷ୍ଟ କୃଷ୍ଣକାୟ ଚଳଚ୍ଚିତ୍ର ତାରକା ସିଡ୍ନି ପାଟିଏଙ୍କର ୯୪ ବର୍ଷ ବୟସରେ ପରଲୋକ ହୋଇଛି। ୧୫୦ ଏବଂ ୧୯୬୦ ଦଶକରେ ସେ ଅତ୍ୟାଧୁନିକ ତଥା ବିପ୍ଳବାତ୍ମକ ଭୂମିକାରେ ଅଭିନୟ କରି ଖୁବ୍ ଜନପ୍ରିୟ ହୋଇଥିଲେ । ୧୯୫୮ ଦଶକ ‘ଦି ଡେଫିଏଣ୍ଟ ୱାନ୍ସ୍’ ନିମନ୍ତେ ସେ ‘ଏକାଡେମି ଆୱାର୍ଡ’ ପାଇବାରେ ଥିଲେ ପ୍ରଥମ କୃଷ୍ଣକାୟ ଚଳଚ୍ଚିତ୍ର ତାରକା।
କରୋନା ସଂକ୍ରମଣକୁ ଟିକାର ବୁଷ୍ଟର ବା ତୃତୀୟ ଡୋଜ୍ ମଧ୍ୟ ସମୟକ୍ରମେ ଅକାମୀ ହୋଇଯିବ। ତେଣୁ ଲୋକମାନେ କରୋନା ବିରୋଧରେ ନିଜର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବା ପାଇଁ ଟିକାର ୪ର୍ଥ ଡୋଜ୍ ଆବଶ୍ୟକ : ମଡର୍ଣ୍ଣା ସିଇଓ ଷ୍ଟେଫାନେ ବାନସେଲ ।