ରାଜ୍ୟରେ ଗତ ୨୪ ଘଣ୍ଟାରେ ୧୦୦୫୯ ଜଣ କୋଭିଡ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ଆଉ ୩ଜଣଙ୍କ ଜୀବନ ନେଲା କରୋନା । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୮୪୭୨କୁ ବୃଦ୍ଧି ପାଇଛି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୧୧୦୧୬୦୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୪୪୩୪୯ଟି ଆକ୍ଟିଭ୍ କେସ୍ ରହିଥିବା ବେଳେ ୧୦୪୮୭୩୨ଜଣ ସୁସ୍ଥ ହୋଇଛନ୍ତି ।
ଆସନ୍ତା ୧୪ ତାରିଖରେ ମକର ସଂକ୍ରାନ୍ତି ଓ ପୋଙ୍ଗଲ ଉତ୍ସବ । ଉତ୍ସବ ପାଳନ ଅବସରରେ ଗହଳ ଚହଳ ହେବା ସମ୍ଭାବନାକୁ ଦୃଷ୍ଟିରେ ରଖି ଗୋପାଳପୁର, ସୋନପୁର ପ୍ରମୁଖ ବେଳାଭୂମି ସମେତ ଅନ୍ୟ ମୁଖ୍ୟ ଜଳାଶୟଗୁଡିକ ୧୩ ତାରିଖରୁ ୧୭ ତାରିଖ ପର୍ଯ୍ୟନ୍ତ ବନ୍ଦ ରଖିବା ନେଇ ଜିଲ୍ଲା ପ୍ରଶାସନ ନିଷ୍ପତ୍ତି ନେଇଛି । ସାଧାରଣ ଲୋକଙ୍କ ଗହଳି ଜମିବା ସମ୍ଭାବନାକୁ ଦୃଷ୍ଟିରେ ରଖି ବନ୍ଦ ରହିବା ନେଇ ଟ୍ବିଟ୍ ମାଧ୍ୟମରେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ସୂଚନା ଦେଇଛନ୍ତି ।
ଆଜି(ଗୁରୁବାର) ରାଜ୍ୟର ବିଭିନ୍ନ ସ୍ଥାନରେ ମଧ୍ୟମରୁ ଭାରି ବର୍ଷା ହେବ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପୂର୍ବାନୁମାନ କରିଛନ୍ତି । ଦିନ ୧୨ଟା ପରେ ପଶ୍ଚିମ ଓଡ଼ିଶା ଏବଂ ଆଭ୍ୟନ୍ତରୀଣ ଓଡ଼ିଶାରେ ବର୍ଷା ହେବ । ଖୋର୍ଦ୍ଧା ସମେତ ନୟାଗଡ଼ ଓ ଗଞ୍ଜାମରେ ବର୍ଷା ଆଶଙ୍କା ରହିଛି । ଅନୁଗୁଳ, ଦେବଗଡ, କେନ୍ଦୁଝରରେ ମଧ୍ୟମରୁ ଭାରି ବର୍ଷା ହୋଇପାରେ । ୧୪ ତାରିଖରେ ଝାରସୁଗୁଡା, ଦେବଗଡ଼, ସମ୍ବଲପୁର, ବରଗଡ଼ ଓ ସୁନ୍ଦରଗଡ଼ ଜିଲ୍ଲାରେ ସ୍ୱଳ୍ପରୁ ମଧ୍ୟମ ପରିମାଣର ବର୍ଷା ହୋଇପାରେ ବୋଲି ସେ କହିଛନ୍ତି ।କଳାହାଣ୍ଡି, କନ୍ଧମାଳ, ବୌଦ୍ଧ, ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର ଓ ମୟୂରଭଞ୍ଜରେ ଅଧିକ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ସେହିଭଳି ଆଭ୍ୟନ୍ତରୀଣ ଓ ଉପକୂଳ ଓଡ଼ିଶାରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ ବୋଲି ପୂର୍ବାନୁମାନ କରାଯାଇଛି ।
ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୨,୪୭,୪୧୭ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୩୮୦ ଜଣଙ୍କ ମୃତ୍ୟୁ ରେକର୍ଡ କରାଯାଇଛି । ଏହି ତଥ୍ୟକୁ ମିଶାଇ ଭାରତରେ ସମୁଦାୟ କୋଭିଡ୍ ସଂକ୍ରମଣ ମାମଲା ୩,୬୩,୧୭,୯୨୭ ଓ ମୃତ୍ୟୁସଂଖ୍ୟା ୪,୮୫,୦୩୫ରେ ପହଞ୍ଚିଛି। ସେହିଭଳି, ଗତ ୨୪ ଘଣ୍ଟା ମଧ୍ୟରେ ୮୪,୮୨୫ ଆକ୍ରାନ୍ତ ସୁସ୍ଥ ହୋଇ ଫେରିବା ସହ ସମୁଦାୟ ସୁସ୍ଥତାସଂଖ୍ୟା ୩,୪୭,୧୫,୩୬୧ରେ ପହଞ୍ଚିଛି। ଏବେ ଦେଶରେ ସମୁଦାୟ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ହେଉଛି ୧୧,୧୭,୫୩୧ ।
ଆଜି ଅପରାହ୍ନରେ କୋଭିଡ଼ ସ୍ଥିତିର ସମୀକ୍ଷା କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ନେଇ ଏହି ବୈଠକ ଅନୁଷ୍ଠିତ ହେବ। ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ନିଜ ନିଜ ରାଜ୍ୟର ସ୍ଥିତି ବିଷୟରେ ଅବଗତ କରାଇବା ପରେ ସେହି ଅନୁସାରେ ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରାଯିବ।
ବିକ୍ରମ ସାରାଭାଇ ସ୍ପେସ ସେଣ୍ଟର ନିର୍ଦ୍ଦେଶକ ତଥା ଇସ୍ରୋର ପ୍ରମୁଖ ବୈଜ୍ଞାନିକ ଏସ୍ ସୋମନାଥ ଭାରତୀୟ ଅନ୍ତରୀକ୍ଷ ଅନୁସନ୍ଧାନ ସଂଗଠନ ଇସ୍ରୋର ମୁଖ୍ୟ ପଦରେ ଅବସ୍ଥାପିତ ହୋଇଛନ୍ତି । ଏହା ପୂର୍ବରୁ ଏସ୍ ସୋମନାଥନ ତିରୁବନନ୍ତପୁରମସ୍ଥିତ ଲିକ୍ୱିଡ ପ୍ରୋପଲ୍ସନ ସିଷ୍ଟମ ସେଣ୍ଟର ନିର୍ଦ୍ଦେଶକ ଥିଲେ । ଇସ୍ରୋର ଯେତେଗୁଡିଏ ରକେଟର ବିକାଶ ହୋଇଛି ସେଥିରେ ତାଙ୍କର ମହତ୍ୱପୂର୍ଣ୍ଣ ଯୋଗଦାନ ରହିଛି ।
ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଅଯୋଧ୍ୟା ଆସନରୁ ଲଢ଼ିବେ। ଯୋଗୀ ଏବେ ବିଧାନ ପରିଷଦ ସଦସ୍ୟ ରହିଛନ୍ତି। ନିକଟରେ ଯୋଗୀ କହିଥିଲେ ଯେ, ଦଳର ଶୀର୍ଷ ନେତାଙ୍କ ନିଷ୍ପତ୍ତି କ୍ରମେ ସେ ବିଧାନସଭା ନିର୍ବାଚନ ଲଢ଼ିବେ। ଉତ୍ତରପ୍ରଦେଶରେ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ଆସନରେ ପ୍ରାର୍ଥୀ ଚୟନ କରିବା ପାଇଁ ଖୁବ୍ ଶୀଘ୍ର ବିଜେପିର ସିଇସି (କେନ୍ଦ୍ରୀୟ ନିର୍ବାଚନ କମିଟି) ବୈଠକ ହୋଇପାରେ। ଉଲ୍ଲେଖଯୋଗ୍ୟ ଯେ ଉତ୍ତରପ୍ରଦେଶର ଅଯୋଧ୍ୟା ଆସନରୁ ଏବେ ବେଦ ପ୍ରକାଶ ଗୁପ୍ତା ପ୍ରତିନିଧିତ୍ବ କରୁଛନ୍ତି ।