ରାଜ୍ୟରେ ଗତ ୨୪ ଘଣ୍ଟାରେ ୧୦୮୫୬ ଜଣ କୋଭିଡ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ଆଉ ୨ଜଣଙ୍କ ଜୀବନ ନେଲା କରୋନା । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୮୪୭୮କୁ ବୃଦ୍ଧି ପାଇଛି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୧୧୨୨୭୩୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୬୧୮୦୯ଟି ଆକ୍ଟିଭ୍ କେସ୍ ରହିଥିବା ବେଳେ ୧୦୫୨୩୯୫ଜଣ ସୁସ୍ଥ ହୋଇଛନ୍ତି ।
ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସହରର କିଛି ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଛି । ସମସ୍ତଙ୍କୁ କରୋନା କଟକଣା ମାନିବାକୁ ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଇଛି । ୱାର୍ଡ ନଂ ୧୪ ବଟଗୌଡ଼ ସହି, ୱାର୍ଡ ନଂ ୧୫ ଗାନ୍ଧିନଗର , ୱାର୍ଡ ନଂ ୧୪ ଏଲକେଲା ସାହି ଏବଂ ୱାର୍ଡ ନଂ ୭ ଜଗନ୍ନାଥ ବିହାର ଅଞ୍ଚଳର କିଛି ଅଞ୍ଚଳକୁ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଛି। ଏହି କଟକଣା ଆଗାମୀ ୪ ଦିନ ଯାଏଁ ବଳବତ୍ତର ରହିବ । ଏହି ସମୟରେ ଯଦି କେହି କୋଭିଡ ନିୟମର ଉଲ୍ଲଂଘନ କରନ୍ତି । ତେବେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠା ନିଆଯିବ ବୋଲି ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।
ଆଜି ଦକ୍ଷିଣ ଓଡ଼ିଶାରେ ହାଲୁକା ବର୍ଷା ହୋଇପାରେ । ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି, ଗଞ୍ଜାମ ଓ ନବରଙ୍ଗପୁର ଜିଲ୍ଲାରେ ହାଲୁକା ବର୍ଷା ହେବା ନେଇ ଆଞ୍ଚଳିକ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଏହାପରେ ୧୭ରେ ଅନୁଗୁଳ, ଢେଙ୍କାନାଳ, ସୋନପୁର, ବୌଦ୍ଧ, ବଲାଙ୍ଗୀର, କଳାହାଣ୍ଡି, କନ୍ଧମାଳ, କେନ୍ଦୁଝର ଓ ମୟୂରଭଞ୍ଜରେ ଘନ କୁହୁଡି ହେବା ନେଇ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।
ଆସନ୍ତା ୩ ଦିନରେ ରାଜ୍ୟର ତାପମାତ୍ରା ପାଖାପାଖି ୪ ଡିଗ୍ରି ପର୍ଯ୍ୟନ୍ତ ଖସିଯିବ। ଫଳରେ ଶୀତ ବଢ଼ିବ। ଶୀତ ଲେଉଟିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି।
ଲକ୍ଷଣ ନ ଥିଲେ କରନ୍ତୁ ନାହିଁ କୋଭିଡ଼୍ ଟେଷ୍ଟିଂ। ପଜିଟିଭ୍ ସଂସ୍ପର୍ଶରେ ଆସିଥିଲେ ମଧ୍ୟ ଲକ୍ଷଣ ନାହିଁ ତ ଟେଷ୍ଟିଂ ଦରକାର ନାହିଁ : ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର ।
ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୨,୬୮,୮୩୩ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୪୦୨ ଜଣଙ୍କ ମୃତ୍ୟୁ ହୋଇଛି । ଏବେସୁଦ୍ଧା ଦେଶରେ ୩ କୋଟି ୬୦ ଲକ୍ଷ ଉପରେ ରହିଛି । ସେହିପରି ୧୪୧୭୮୨୦ ସକ୍ରିୟ ମାମଲା ରହିଛି ଏବଂ ୩,୪୯,୪୭,୩୯୦ ଜଣ ସୁସ୍ଥ ହୋଇ ଫେରିଛନ୍ତି । ଏହା ବ୍ୟତୀତ ୪୮୫୭୫୨ ସଂକ୍ରମିତ ପ୍ରାଣ ହରାଇଛନ୍ତି ।
ଦେଶରେ ବଜ୍ରପାତଜନିତ ମୃତ୍ୟୁକୁ ନେଇ ଆଇଏମଡି ପକ୍ଷରୁ ଏକ ରିପୋର୍ଟ ପ୍ରକାଶ ପାଇଛି। ଆଇଏମଡିର ୨୦୨୧ ଜଳବାୟୁ ରିପୋର୍ଟ ଅନୁସାରେ ବଜ୍ରପାତରେ ଓଡ଼ିଶାରେ ଗତ ବର୍ଷ ସର୍ବାଧିକ ଲୋକଙ୍କର ମୃତ୍ୟୁ ଘଟିଛି। ୨୦୨୧ ମସିହାରେ ରାଜ୍ୟରେ ବଜ୍ରପାତରେ ୨୧୩ ଜଣଙ୍କ ମୃତ୍ୟୁ ହୋଇଛି। ସେହିପରି ଦ୍ୱିତୀୟ ସ୍ଥାନରେ ମଧ୍ୟପ୍ରଦେଶ ରହିଛି। ଆଇଏମଡିର ୨୦୨୧ ଜଳବାୟୁ ରିପୋର୍ଟ ଅନୁସାରେ,ଗତବର୍ଷ ଦେଶରେ ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସହ ବଜ୍ରପାତ, ବନ୍ୟା ଓ ଭୂସ୍ଖଳନ ହୋଇଛି । ପ୍ରାକୃତିକ ଦୁର୍ବିପାକରେ ମହାରାଷ୍ଟ୍ରରେ ସର୍ବାଧିକ ୩୪୦ଜଣଙ୍କ ମୃତ୍ୟୁ ହୋଇଛି।
ଆଜି ‘ସେନା ଦିବସ’ ଅବସରରେ ଯବାନମାନଙ୍କୁ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଟୁଇଟ୍ କରି ସେ କହିଛନ୍ତି, ସେନା ଦିବସ ଅବସରରେ, ବିଶେଷକରି ଆମର ସାହସୀ ଯବାନ, ସମ୍ମାନୀୟ ସେବାନିବୃତ ଜବାନଏବଂ ସେମାନଙ୍କ ପରିବରବର୍ଗଙ୍କୁ ଶୁଭେଚ୍ଛା । ସାହସିକତା ଏବଂ ନିପୁଣତା ପାଇଁ ଭାରତୀୟ ସେନାର ଖ୍ୟାତି ରହିଛି ଏବଂ ଦେଶର ନିରାପତ୍ତା ପାଇଁ ତା’ର ଅମୂଲ୍ୟ ଅବଦାନକୁ କଥାରେ ପରିପ୍ରକାଶ କରିହେବ ନାହିଁ । ସେ ଆହୁରି ମଧ୍ୟ କହିଛନ୍ତି, ପ୍ରତିକୂଳ ଅଞ୍ଚଳରେ ରହି ଭାରତୀୟ ସେନା କର୍ମଚାରୀମାନେ ସେବା କରୁଥିବା ବେଳେ ପ୍ରାକୃତିକ ବିପର୍ଯ୍ୟୟ ସମେତ ମାନବୀୟ ସଙ୍କଟ କ୍ଷଣରେ ମଧ୍ୟ ସାଥୀ ନାଗରିକମାନଙ୍କୁ ସହାୟତା କରିବାରେ ଅଗ୍ରଣୀ ଭୂମିକା ନିର୍ବାହ କରୁଛନ୍ତି।
ସେନା ଦିବସ ଅବସରରେ ଶନିବାର ଖଦିରୁ ତିଆରି ହୋଇଥିବା ଜାତୀୟ ପତାକା ’ତ୍ରିରଙ୍ଗା’ ରାଜସ୍ଥାନ ଜୈସଲମେରରେ ଭାରତ-ପାକିସ୍ତାନ ସୀମାରେ ଉଡିବ। ଏହି ତ୍ରିରଙ୍ଗା ଲୋଙ୍ଗେୱାଲାରେ ପ୍ରଦର୍ଶିତ କରାଯିବ, ଯାହାକି ୧୯୭୧ରେ ଭାରତ ଓ ପାକିସ୍ତାନ ମଧ୍ୟରେ ଐତିହାସିକ ଯୁଦ୍ଧର ମୁଖ୍ୟ କେନ୍ଦ୍ର ଥିଲା।ତ୍ରିରଙ୍ଗାର ଲମ୍ବ ୨୨୫ ଫୁଟ ଓ ପ୍ରସ୍ତ ୧୫୦ ଫୁଟ। ଏହାର ଓଜନ ୧୪୦୦ କିଲୋ। ଏହି ପତାକାକୁ ତିଆରି କରିବାରେ ୭୦ ଜଣ ଶିଳ୍ପୀ ଲାଗିଥିଲେ। ସେମାନଙ୍କୁ କାମ ଶେଷ କରିବା ପାଇଁ ୪୯ ଦିନ ସମୟ ଲାଗିଥିଲା।