- ମାର୍ଚ୍ଚ ୨୯ରେ ଓଡ଼ିଶା ପାଇକ ରେଜିମେଣ୍ଟ ଗଠନ ଦାବିରେ
- ପାଇକଙ୍କ ଭୁବନେଶ୍ଵରରେ ଜନଗର୍ଜନ ସମାବେଶ

ଭୁବନେଶ୍ୱର ୨୪.୦୧ : ପାଇକ ବିଦ୍ରୋହର କର୍ଣଧାର ବକ୍ସି ଜଗବନ୍ଧୁଙ୍କ ପୂଣ୍ୟତିଥିରେ ପାଇକ ରେଜିମେଣ୍ଟ
ଗଠନ, ପାଇକ ବିଦ୍ରୋହକୁ ପ୍ରଥମ ସ୍ୱାଧୀନତା ସଂଗ୍ରାମ ଦାବି, ରାଷ୍ଟ୍ରପତି ଶିଳାନ୍ୟାସ କରିଥିବା ସ୍ଥାନକୁ ହସ୍ତାନ୍ତର କରିବା
ପାଇଁ ଆଜି ଓଡ଼ିଶା ପାଇକ ଏକାଡ଼େମୀ ପକ୍ଷରୁ ଭୁବନେଶ୍ୱର କଳ୍ପନାଛକ ନିକଟସ୍ଥ ବକ୍ସି ଜଗବନ୍ଧୁଙ୍କ ପ୍ରତିମୂର୍ତ୍ତି ନିକଟରେ
ଏକ ସଭା, ତଥା ପାଇକ ଆଖଡ଼ା ସହ ଶୋଭାଯାତ୍ରା, ଶପଥ ଉତ୍ସବ ଓ ସଂଗ୍ରାମ ଅଭିଯାନର ଶୁଭାରମ୍ଭ ହୋଇଯାଇଛି ।
ଏହି ଅବସରରେ ଆୟୋଜିତ ସଭାରେ ଓଡ଼ିଶା ପାଇକ ଏକାଡ଼େମୀର ସଭାପତି ଡଃ ଦିଲ୍ଲୀପ ଶ୍ରୀଚନ୍ଦନ କହିଲେ ଯେ,
ଓଡ଼ିଶା ପାଇକ ରେଜିମେଣ୍ଟ ଗଠନ ହେଲେ ଓଡ଼ିଶାର ହଜାର ହଜାର ଯୁବକ କର୍ମନିଯୁକ୍ତି ପାଇବା ସହ ଦେଶମାତୃକାର
ସେବା ପାଇଁ ନିଜକୁ ଉତ୍ସର୍ଗ କରିପାରିବେ । ପଞ୍ଜାବ ରେଜିମେଣ୍ଟ, ଗୁର ଖା ରେଜିମେଣ୍ଟ, ଆସାମ ରେଜିମେଣ୍ଟ ଆଦି ଗଠନ
ହୋଇଥିବା ବେଳେ ଓଡ଼ିଶା ପାଇକ ରେଜିମେଣ୍ଟ ଗଠନ ନହେବା ଅତ୍ୟନ୍ତ ଦୁଃଖ ଓ ପରିତାପର ବିଷୟ ।
ତେଣୁ ଓଡ଼ିଶା,ପାଇକ ରେଜିମେଣ୍ଟ ଗଠନ ପାଇଁ ଆଜିଠାରୁ ସଂଗ୍ରାମ ଅଭିଯାନ ଆରମ୍ଭ ହେଲା ଓ ମାର୍ଚ୍ଚ ମାସ ୨୯ ତାରିଖ ଦିନ
ଭୁବନେଶ୍ବରର ରାଜରାସ୍ତାରେ ଏକଲକ୍ଷ ପାଇକଙ୍କ ଜନଗର୍ଜନ ଶୋଭାଯାତ୍ରା ଅନୁଷ୍ଠିତ ହେବା ସହ ଜନତା ମଇଦାନରେ
ଏକ ପ୍ରତିବାଦ ସଭା ଆୟୋଜନ କରାଯିବ । ସେହିପରି ପାଇକ ବିଦ୍ରୋହକୁ ଦେଶର ପ୍ରଥମ ସ୍ୱାଧୀନତା ସଂଗ୍ରାମ ଦାବି ଓ
ରାଷ୍ଟ୍ରପତି ଶିଳାନ୍ୟାସ କରିଥିବା ସ୍ଥାନକୁ ଯଥାଶୀଘ୍ର ହସ୍ତାନ୍ତର କରିବା ପାଇଁ ମଧ୍ୟ ଦାବି ରହିବ । ଏହିସବୁ ଦାବିଗୁଡ଼ିକ ପୂରଣ
ନହେବା ପର୍ଯ୍ୟନ୍ତ ଓଡ଼ିଶାର କୋଣ ଅନୁକୋଣରେ ବିଭିନ୍ନ ପର୍ଯ୍ୟାୟରେ ଆନ୍ଦୋଳନ ଜାରି ରହିବ ବୋଲି ଡଃ ଶ୍ରୀଚନ୍ଦନ
ଚେତାବନୀ ଦେଇଛନ୍ତି ।