
ମନୋଜ ମହାନ୍ତି(ଭୁବନେଶ୍ବର):୦୨/୦୨- ସଂସଦରେ ବିଭିନ୍ନ ସେକ୍ଟର ପାଇଁ ମଙ୍ଗଳବାର ଆର୍ଥିକ ପ୍ୟାକେଜ୍ ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ। ଅଶ୍ବିନୀ ବୈଷ୍ଣବ ରେଳ ମନ୍ତ୍ରୀ ହେବାପରେ,ଓଡିଶାବାସୀଙ୍କ ନଜରଥିଲା, ରେଳ ବଜେଟ୍ ଉପରେ । ଏହି କ୍ରମରେ ରେଳ ବିଭାଗ ପାଇଁ ୧ ଲକ୍ଷ ୪୦ ହଜାର ୩୬୭ କୋଟି ୧୩ ଲକ୍ଷ ଟଙ୍କାର ବ୍ୟୟ ବରାଦ ହୋଇଥିବା ବେଳେ,ଓଡିଶା ପାଇଁ ମୋଟ ୯ ହଜାର ୨୫୪ କୋଟି ଟଙ୍କାର ପ୍ୟାକେଜ୍ ଘୋଷଣା ହୋଇଛି ।ଓଡିଶାକୁ ପ୍ରାଧାନ୍ୟ ଦେଇଛନ୍ତି ଅଶ୍ବିନୀ ବୈଷ୍ଣବ ।
ଏହି ରେଳ ବଜେଟ୍ରେ ଇଷ୍ଟ କୋଷ୍ଟ ରେଲଓ୍ବେକୁ ମୋଟ ୯୨୫୪ କୋଟି ଟଙ୍କାର ପ୍ୟାକେଜ୍ ମିଳିଛି । ଖୋର୍ଦ୍ଧା ରୋଡ୍ ଏବଂ ବଲାଙ୍ଗୀର ରେଳ ପଥ ପାଇଁ ୮୯୧.୧୨ କୋଟି ଟଙ୍କା ବ୍ୟୟ ବରାଦ ହୋଇଥିବା ବେଳେ, ଅନୁଗୁଳ ସୁକିନ୍ଦା ପାଇଁ ୪୭୫ କୋଟି ଟଙ୍କା, ହରିଦାସପୁର-ପାରାଦୀପ ପାଇଁ ୮୫ କୋଟି ଟଙ୍କା, ତାଳଚେର-ବିମଳାଗଡ ପାଇଁ ୨୫୦ କୋଟି ଟଙ୍କା, ଜୟପୁର-ମାଲକାନାଗିରି ପାଇଁ ୧୩ କୋଟି ୮୦ ଲକ୍ଷ ଟଙ୍କା, ଜୟପୁର-ନବରଙ୍ଗପୁର ପାଇଁ ୮୧ କୋଟି ଟଙ୍କାର, ନୂଆପଡା-ଗୁଣୁପୁର ପାଇଁ ୧୦ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି ।
ସେହିଭଳି ଓଡିଶାରେ ରେଳ ଟ୍ରାକ୍ ଡବଲିଂ ପାଇଁ ମଧ୍ୟ ଆର୍ଥିକ ପ୍ୟାକେଜ୍ ଘୋଷଣା କରାଯାଇଛି ।ଖୋର୍ଦ୍ଧା ରୋଡ୍-ବାରଙ୍ଗ ଡବଲିଂ ପାଇଁ ୧୬୪ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଥିବା ବେଳେ, ସମ୍ଭଲପୁର-ଟିଟିଲାଗଡ ଡବଲିଂ ପାଇଁ ୯୯ କୋଟି ୫୦ ଲକ୍ଷ,ବାଂଶପାଲି-ଦୈତାରୀ ଡବଲିଂ ପାଇଁ ୩୦୦ କୋଟି ଟଙ୍କା,ସମ୍ବଲପୁର-ତାଳଚେର ଡବଲିଂ ପାଇଁ ୧୭୨ କୋଟି ଟଙ୍କାର ବ୍ୟୟ ବରାଦ କରିଛନ୍ତି ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ।