ଚଳଚ୍ଚିତ୍ର”କୋକୋଲି”ର ଚିତ୍ରନାଟ୍ୟ ପୁସ୍ତକ ଉନ୍ମୋଚିତ…

ସାହିତ୍ୟ ଓ ସିନେମା ଭିତରେ ସେତୁ ନିର୍ମାଣ ଆବଶ୍ୟକ – ସୌମ୍ୟରଂଜନ ପଟ୍ଟନାୟକ

ପ୍ରମୋଦ ନାୟକ(ଭୁବନେଶ୍ବର): ଆମ ସମାଜର ବିଭିନ୍ନ ବର୍ଗ ଓ ଗୋଷ୍ଠୀ ମଧ୍ୟରେ ସମନ୍ବୟର ଅଭାବ ରହିଛି। ସାହିତ୍ୟ କ୍ଷେତ୍ରର ବ୍ୟକ୍ତି ସିନେମା ବାବଦରେ ଆଗ୍ରହ ରଖୁନାହାନ୍ତି। ସିନେମା କରୁଥିବା ବ୍ୟକ୍ତି ସାହିତ୍ୟର ପାଖ ମାଡ଼ୁନାହାନ୍ତି। ସାହିତ୍ୟ ଓ ସିନେମା ଭିତରେ ସେତୁ ନିର୍ମାଣର ଆବଶ୍ୟକତା ରହିଛି ବୋଲି କହିଛନ୍ତି ବରିଷ୍ଠ ରାଜନେତା, ସିନେମା ପ୍ରଯୋଜକ ଓ ସମ୍ବାଦର ସଂପାଦକ ସୌମ୍ୟରଂଜନ ପଟ୍ଟନାୟକ।

ସ୍ନେହାଶିଷ ଦାସଙ୍କ ସିନେମା “କୋକୋଲି”ର ଚିତ୍ରନାଟ୍ଯ ପୁସ୍ତକ ଉନ୍ମୋଚନ କରି ମୁଖ୍ୟ ଅତିଥି ଶ୍ରୀ ପଟ୍ଟନାୟକ କହିଲେ ଯେ ଓଡ଼ିଶାରେ ଦର୍ଶକ ଓ ପାଠକ ଦୃଷ୍ଟିକୋଣରୁ ଉଭୟ ସିନେମା ଓ ସାହିତ୍ୟ ଶିଳ୍ପ ରୁଗଣ। ଏଭଳି ସମୟରେ “କୋକୋଲି” ଭଳି ଏକ ଆନ୍ତର୍ଜାତୀୟ ପୁରସ୍କାରପ୍ରାପ୍ତ ଓଡ଼ିଆ ସିନେମାର ଚିତ୍ରନାଟ୍ଯ ପ୍ରକାଶନ ଏକ ଶୁଭସଂକେତ। ସମାଜରେ ବିଭିନ୍ନ ବର୍ଗ ମଧ୍ୟରେ ସମନ୍ବୟ ରହିଲେ ଯାଇ ପରସ୍ପରର ଉନ୍ନତି ସମ୍ଭବ ବୋଲି ସେ ମତ ଦେଇଥିଲେ।

ଅଗ୍ରଣୀ ପ୍ରକାଶନ ସଂସ୍ଥା ପେନ୍ ଇନ୍ ବୁକ୍ସ ପକ୍ଷରୁ ସ୍ଥାନୀୟ ହୋଟେଲ ନ୍ୟୁ ମାରିଅନ୍ ରେ ଆୟୋଜିତ ଉନ୍ମୋଚନ ଉତ୍ସବରେ ମୁଖ୍ୟବକ୍ତା ଭାବେ ବରିଷ୍ଠ ସାମ୍ବାଦିକ ଓ କଳା ନିର୍ଦ୍ଦେଶକ ସମ୍ପଦ ମହାପାତ୍ର ନିଜର ସିନେମା ଶିଳ୍ପ ସହ ଥିବା ଅଭିଜ୍ଞତା ବଖାଣିବା ସହ ଚିତ୍ରନାଟ୍ଯ ପୁସ୍ତକ ପ୍ରକାଶନର ପ୍ରଶଂସା କରିଥିଲେ। ଅନେକ ପ୍ରକାଶିତ କାହାଣୀକୁ ନେଇ ସିନେମା ହୋଇଛି। ତେବେ ସିନେମା ନିର୍ମାଣ ପରେ ଓଡ଼ିଆ ପୁସ୍ତକ ପ୍ରକାଶନ କ୍ଷେତ୍ରରେ ପେନ୍ ଇନ୍ ବୁକ୍ସର ଏ ଉଦ୍ୟମ ସମ୍ଭବତଃ ପ୍ରଥମ ବୋଲି ଶ୍ରୀ ମହାପାତ୍ର ମତ ରଖିଥିଲେ।

ସମ୍ମାନିତ ଅତିଥି ଭାବେ ଯୋଗଦେଇ ପ୍ରସିଦ୍ଧ ଅଭିନେତ୍ରୀ ତ୍ରିପୁରା ମିଶ୍ର କହିଥିଲେ ଯେ ଚାରିପାଞ୍ଚ ଦଶକ ତଳେ ସିନେମା ପାଇଁ କାହାଣୀ (କଣ୍ଟେଣ୍ଟ) ଖୋଜିବାକୁ ପଡ଼ୁଥିଲା। ତେବେ ଏବେ କଣ୍ଟେଣ୍ଟର ଅଭାବ ନାହିଁ। ଓଟିଟି, ସାମାଜିକ ଗଣମାଧ୍ୟମ ଓ ୟୁଟ୍ୟୁବ ଭଳି ପ୍ଲାଟଫର୍ମ ଆସିବା ପରେ ଓଡ଼ିଆ ଭାଷାରେ ବହୁ ମୌଳିକ ଓ ଆଚମ୍ବିତ କଲାଭଳି କଣ୍ଟେଣ୍ଟ ଉପଲବ୍ଧ ହେଉଛି ଓ ଦର୍ଶକ ମଧ୍ୟ ସହଜରେ ଦେଖିପରୁଛନ୍ତି। “କୋକୋଲି” ପୁସ୍ତକ ପ୍ରକାଶନ ଓଡ଼ିଆ ମୌଳିକ ସିନେମାର ଏକ ପ୍ରମାଣପତ୍ର ବୋଲି ଶ୍ରୀମତୀ ମିଶ୍ର କହିଥିଲେ।

ଜଳବାୟୁ ପରିବର୍ତ୍ତନର ପଟ୍ଟଭୂମିରେ ନୋଳିଆ ବସ୍ତିରେ ଏକ କରୁଣ ପ୍ରେମକାହାଣୀକୁ ନେଇ “କୋକୋଲି”ର ନିର୍ମାଣ, ସଫଳତା ଓ ବିଶ୍ୱଯାତ୍ରା ବାବଦରେ ଅଭିଜ୍ଞତା ବଖାଣିଥିଲେ ଏହାର ଲେଖକ, ନିର୍ଦ୍ଦେଶକ ଓ ନିର୍ମାତା ସ୍ନେହାଶିଷ ଦାସ।

କଥାଶିଳ୍ପୀ ଶୁଭ୍ରାଂଶୁ ପଣ୍ଡାଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ଉତ୍ସବରେ କବି ଗିରୀଶ ରଂଜନ ପ୍ରାରମ୍ଭିକ ସୂଚନା ଦେଇଥିବା ବେଳେ ଚଳଚ୍ଚିତ୍ର ନିର୍ଦ୍ଦେଶକ ଦିବ୍ୟଜୀବନ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ। ଉତ୍ସବରେ “କୋକୋଲି”ର ଅଭିନେତା-ଅଭିନେତ୍ରୀଙ୍କ ସମେତ ବହୁ ସଂଖ୍ୟାରେ ଲେଖକ, ବୁଦ୍ଧିଜୀବୀ ଓ ସିନେମା ଶିଳ୍ପ ସହ ଜଡ଼ିତ ବ୍ୟକ୍ତିବିଶେଷ ଉପସ୍ଥିତ ଥିଲେ। ପୁସ୍ତକଟି ଉଭୟ ଓଡ଼ିଆ ଓ ଇଂରାଜୀ ଭାଷାରେ ଲେଖାଯାଇଛି।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଚାନ୍ଦବାଲି ବ୍ଲକର ୩ ନମ୍ବର ଜୋନ୍ ରେ ଜିଲ୍ଲା ପରିଷଦ ସଭ୍ୟଙ୍କ ପାଇଁ ପ୍ରଚାର ଯୁଦ୍ଧ....

Mon Feb 14 , 2022
ଦେବକାନ୍ତ ମହାନ୍ତି(ଚାନ୍ଦବାଲି)୧୪/୦୨- ଯେତିକି ପଖେଇ ଆସୁଛି ପ୍ରଚାର ସେତିକି ଜମୁଛି । ଚାନ୍ଦବାଲି ବ୍ଳକର ବିଜୁଜନତା ଦଳର ପ୍ରଚାରର ମଙ୍ଗ ବିଧାୟକ ବ୍ୟାମକେଶ ରାୟ ଧରିଥିବା ବେଳେ ବିଜେପିର ପୂର୍ବତନ ରାଜସ୍ବ ମନ୍ତ୍ରୀ ମନମୋହନ ସାମଲ ସାମିଲ ହୋଇଛନ୍ତି । ୩ନମ୍ବର ଜିଲ୍ଲା ପରିଷଦ ଜୋନ ପାଇଁ ମୁଖ୍ୟତଃ ବିଜେପି ଓ ବିଜେଡି ମଧ୍ୟରେ ଲଢେ଼ଇ ହେଉଛି । ବିଜୁଜନତା ଦଳ ସମର୍ଥିତ ପାର୍ଥିନି ଗୀତାଞ୍ଜଳି ଦାସ ପ୍ରତି ପଞ୍ଚାୟତ […]

You May Like

Pin It on Pinterest