ଆଜିର ଖାସ୍ ଖବର

ରାଜ୍ୟରେ ଗତ ୨୪ ଘଣ୍ଟାରେ ୫୩୪ ଜଣ କୋଭିଡ୍ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ଆଉ ୧୮ ଜଣଙ୍କ ଜୀବନ ନେଲା କରୋନା । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୮୯୯୪କୁ ବୃଦ୍ଧି ପାଇଛି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୧୨୮୧୯୮୯ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୭୦୯୯ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୧୨୬୫୮୪୩ଜଣ ସୁସ୍ଥ ହୋଇଛନ୍ତି । 

ଆଜି(ଶନିବାର) ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ତାଙ୍କ ଗସ୍ତ ପାଇଁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ରାଷ୍ଟ୍ରପତି କୋବିନ୍ଦ ସ୍ବତନ୍ତ୍ର ବିମାନ ଯୋଗେ ୧୨ଟା୨୫ରେ ଦିଲ୍ଲୀରୁ ବାହାରିବେ । ଅପରାହ୍ନ ୨ଟା ୪୫ରେ ଭୁବନେଶ୍ବର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିବେ । ରାଷ୍ଟ୍ରପତି ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିବା ପରେ ୨ଟା ୫୫ରେ ସ୍ବତନ୍ତ୍ର ହେଲିକପ୍ଟର ଯୋଗେ ପୁରୀ ଯିବେ ।  ବିମାନବନ୍ଦରରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଷ୍ଟ୍ରପତିଙ୍କୁ ସ୍ବାଗତ କରିବେ । ପୁରୀରେ ୩ଟା୨୫ ମିନିଟ୍‌ରେ ପହଞ୍ଚିବା ପରେ ସେଠାରୁ ସ୍ବତନ୍ତ୍ର କାରକେଡ୍‌ରେ ଏକ ଘରୋଇ ହୋଟେଲକୁ ଯିବେ । ସେଠାରୁ ରାଷ୍ଟ୍ରପତି ୪ଟା ୫୫ରେ ଶ୍ରୀମନ୍ଦିରକୁ ଦର୍ଶନ ପାଇଁ ଯିବାର କାର୍ଯ୍ୟକ୍ରମ ରହିଛି ।

ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୨୨୨୭୦ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୩୨୫ ଜଣଙ୍କ ମୃତ୍ୟୁ ହୋଇଛି । ଏବେସୁଦ୍ଧା ଦେଶରେ ପ୍ରାୟ ୪ କୋଟି ୨୮ ଲକ୍ଷ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେହିପରି ୨୫୩୭୩୯ ସକ୍ରିୟ ମାମଲା ରହିଛି ଏବଂ ୪ କୋଟି ୨୦ ଲକ୍ଷ ୩୭ ହଜାର ୫୩୬ ସୁସ୍ଥ ହୋଇ ଫେରିଛନ୍ତି । ଏହା ବ୍ୟତୀତ ୫ ଲକ୍ଷ ୧୧ ହଜାରରୁ ଅଧିକ ସଂକ୍ରମିତ ପ୍ରାଣ ହରାଇଛନ୍ତି ।

ଆଜି(ଶନିବାର) କାଶ୍ମୀର ସୋପିଆନରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଏନକାଉଣ୍ଟର ହୋଇଥଲା । ଏଥିରେ ଜଣେ ଆତଙ୍କବାଦୀକୁ ମାରି ଗଡାଇବାରେ ସକ୍ଷମ ହୋଇଥିଲେ ଭାରତୀୟ ସେନା ।

ୟୁକ୍ରେନରେ ବଢ଼ୁଥିବା ସଙ୍କଟ ଏବଂ ସେଠାରେ ରହୁଥିବା ଭାରତୀୟ ନାଗରିକ ତଥା ଛାତ୍ରଛାତ୍ରୀମାନଙ୍କ ଫେରିବା ନେଇ ଅନୁରୋଧ ବଢ଼ିବା ପରେ ଏୟାର ଇଣ୍ଡିଆ ବଡ଼ ଘୋଷଣା କରିଛି। ଭାରତୀୟଙ୍କୁ ଫେରାଇ ଆଣିବା ପାଇଁ ଏୟାର ଇଣ୍ଡିଆ ଆସନ୍ତା ସପ୍ତାହରେ ଭାରତ ଏବଂ ୟୁକ୍ରେନ ମଧ୍ୟରେ ତିନୋଟି ବିମାନ ଚଳାଚଳ କରିବ ବୋଲି ଘୋଷଣା କରିଛି। ଫେବ୍ରୁଆରି ୨୨, ୨୪ ଏବଂ ୨୬ରେ ଏହି ବିମାନଗୁଡ଼ିକ ୟୁକ୍ରେନକୁ ପଠାଯିବ ବୋଲି ଏୟାରଲାଇନ୍ସ କହିଛି।

କୀଟନାଶକ ଏବଂ ଅନ୍ୟାନ୍ୟ କୃଷି ସାମଗ୍ରୀ ସିଞ୍ଚନ ନିମନ୍ତେ ଦେଶର ବିଭିନ୍ନ ପ୍ରାନ୍ତରେ ୧୦୦ଟି କିଷାନ୍‌ ଡ୍ରୋନ୍‌ର ଶୁଭାରମ୍ଭ କରି ପ୍ରଧାନମନ୍ତ୍ରୀ ଦୃଢ଼ ଆତ୍ମବିଶ୍ବାସର ସହ କହିଛନ୍ତି‌ ଯେ, ଡ୍ରୋନ୍‌ କ୍ଷେତ୍ରରେ ବୃଦ୍ଧି ପାଉଥିବା ସାମର୍ଥ୍ୟ ବଳରେ ଭାରତ ବିଶ୍ବକୁ ନୂତନ ନେତୃତ୍ବ ଦେବ।

ଆଜି  ‘ନ୍ୟାସ୍‌ନାଲ୍‌ ଟେଷ୍ଟିଙ୍ଗ୍‌ ଏଜେନ୍‌ସି’ (ଏନ୍‌ଟିଏ) ‘ୟୁନିଭର୍ସିଟି ଗ୍ରାଣ୍ଟ୍‌ କମିସନ୍‌, ନ୍ୟାସ୍‌ନାଲ୍‌ ଇଲିଜିବିଲିଟି ଟେଷ୍ଟ୍‌’ ବା ‘ୟୁଜିସି ‌ନେଟ୍‌’ ୨୦୨୧-୨୨ର ଫଳାଫଳ ଘୋଷଣା କରିଛି । ଏବେ ପ୍ରାର୍ଥୀମାନେ ‘ଅଫିସିୟାଲ୍‌ ୱେବ୍‌ସାଇଟ୍‌ସ୍‌’ ugcnet.nta.nic.inରେ ୨୦୨୦ ଡିସେମ୍ବର ଏବଂ ୨୦୨୧ ଜୁନ୍‌ ସାଇକ୍ଲ୍‌ ପାଇଁ ସେମାନଙ୍କର ‘ଏନ୍‌ଟିଏ ଏନ୍‌ଇଟି’ ଫଳାଫଳ ଚେକ୍‌ କରିପାରିବେ।

 ଭାରତୀୟ ନୌସେନାର ଯୁଦ୍ଧ ଜାହଜ ଆଇଏନ୍‌ଏସ ବିଶାଖାପଟ୍ଟନମ୍‌ରେ ପଶ୍ଚିମ ସମୁଦ୍ର ତଟରୁ ବ୍ରହ୍ମୋସ ସୁପରସୋନିକ କ୍ରୁଜ ମିସାଇଲର ସଫଳ ପରୀକ୍ଷଣ କରାଯାଇଛି । ଏହି ମିସାଇଲ ୪୩୦୦ କିମି ପ୍ରତି ଘଣ୍ଟା ବେଗରେ ଗତି କରିପାରିବ । ୪୦୦ କିମି ଅଞ୍ଚଳକୁ ଏହା ଲକ୍ଷ୍ୟଭେଦ କରିପାରିବ ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଆଜିର ଖାସ୍ ଖବର

Sun Feb 20 , 2022
ଗତ ୨୪ ଘଣ୍ଟା ମଧ୍ୟରେ ୪୯୨ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨୮୨୪୮୧ ଜଣକୁ ବୃଦ୍ଧି ପାଇଛି । ତେବେ ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୨୮୯ ଜଣ କ୍ୱାରେଣ୍ଟାଇନ୍‌ରୁ ରହିଥିବା ବେଳେ ୨୦୩ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି । ସେହିପରି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ୧୮ ବର୍ଷରୁ କମ୍‌ ବୟସର ୧୨୨ଜଣ ରହିଛନ୍ତି । କେନ୍ଦ୍ର […]

You May Like

Pin It on Pinterest