
ବାସ୍ତବବ୍ୟୁରୋ(ନୂଆଦିଲ୍ଲୀ): ୨୪/୦୨- କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ର ଶିକ୍ଷା ଅନୁଷ୍ଠାନ ଗୁଡ଼ିକରେ ପଛୁଆ ବର୍ଗ, ଆର୍ଥିକ ଅନଗ୍ରସର, ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି ବର୍ଗର ଛାତ୍ରଛାତ୍ରୀଙ୍କ ଶିକ୍ଷା ଏବଂ ଉଜ୍ଜ୍ୱଳ ଭବିଷ୍ୟତକୁ ଚିନ୍ତା କରି, ପୂରଣ ହେଉନଥିବା ସଂରକ୍ଷିତ ସିଟ୍ ଗୁଡ଼ିକୁ ଅଣସଂରକ୍ଷିତ ନ କରିବା ପାଇଁ ହସ୍ତକ୍ଷେପ କରିଛନ୍ତି ।
କେନ୍ଦ୍ର ଶିକ୍ଷାନୁଷ୍ଠାନ ଗୁଡ଼ିକୁ ଶ୍ରୀ ପ୍ରଧାନ ପରାମର୍ଶ ଦେଇ,କହିଛନ୍ତିକି,କିଭଳି ଭାବରେ ଏହି ବର୍ଗର ଛାତ୍ରଛାତ୍ରୀଙ୍କ ପାଇଁ ଉଦ୍ଦିଷ୍ଟ ସଂରକ୍ଷଣ ସିଟ୍ ଗୁଡ଼ିକ ପୂରଣ ହେବ ଏବଂ ସେମାନଙ୍କର ଉପସ୍ଥାପନ ବଢ଼ିବ, ସେ ଦିଗରେ ବଳିଷ୍ଠ ପଦକ୍ଷେପ ନେବା ଉଚିତ ।
କେନ୍ଦ୍ରୀୟ ଶିକ୍ଷାନୁଷ୍ଠାନ ଗୁଡ଼ିକରେ ଆର୍ଥିକ ଦୃଷ୍ଟିରୁ ପଛୁଆ ବର୍ଗ(ଇଡବ୍ଲୁଏସ) ଏବଂ ଅନ୍ୟାନ୍ୟ ପଛୁଆ ବର୍ଗ(ଓବିସି)ଙ୍କ ପାଇଁ ଥିବା ସଂରକ୍ଷଣ ସିଟ୍ ଗୁଡ଼ିକୁ ଅଣସଂରକ୍ଷିତ କରି ସିଟ୍ ପୂରଣ କରାଯିବା ପ୍ରସଙ୍ଗରେ କେନ୍ଦ୍ରମନ୍ତ୍ରୀ ଉଦବେଗ ପ୍ରକାଶ କରିଛନ୍ତି ।ଏହି ଧାରାରେ କରାଯାଉଥିବା ସାଧାରଣ ବର୍ଗର ଛାତ୍ରଛାତ୍ରୀଙ୍କ ଆଡ଼ମିସନ ପ୍ରକ୍ରିୟାକୁ ବନ୍ଦ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ।
ଆଇଆଇଟି ଏବଂ ଏନଆଇଟି ସମେତ ସମସ୍ତ କେନ୍ଦ୍ରୀୟ ଶିକ୍ଷା ଅନୁଷ୍ଠାନ(ସିଇଆଇ) ଗୁଡ଼ିକ ସଂସଦରେ ସଂରକ୍ଷଣ ସହ ଜଡ଼ିତ ଗୃହୀତ ହୋଇଥିବା ଆଇନକୁ ଅକ୍ଷରେ ଅକ୍ଷରରେ ପାଳନ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏହାସହ ଏ ନେଇ ଏକ ଅନୁସରଣ(କମ୍ଲିୟାନ୍ସ) ରିପୋର୍ଟ ଦାଖଲ କରିବା ପାଇଁ ସେ କହିଛନ୍ତି । ସୂଚନାଯୋଗ୍ୟ, କେନ୍ଦ୍ର ଶିକ୍ଷାନୁଷ୍ଠାନ ଗୁଡ଼ିକ ସିଇଆଇ(ରିଜରଭେସନ ଇନ୍ ଆଡ଼ମିଶନ) ଆକ୍ଟ, ୨୦୦୬ ଏବଂ ସିଇଆଇ (ରିଜରଭେସନ ଇନ୍ ଆଡ଼ମିସନ) ସଂଶୋଧିତ ଆଇନ ୨୦୧୨ ଦ୍ୱାରା ପରିଚାଳିତ ଏବଂ ଏହି ଆଇନ ଗୁଡ଼ିକରେ ଖାଲି ପଡ଼ିଥିବା ସଂରକ୍ଷିତ ସିଟ୍ ଗୁଡ଼ିକୁ ଅଣସଂରକ୍ଷିତ କରିବା ପାଇଁ କୌଣସି ବ୍ୟବସ୍ଥା ନାହିଁ ।
କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶିକ୍ଷାନୁଷ୍ଠାନ ଗୁଡ଼ିକରେ ସଂରକ୍ଷିତ ସିଟ୍ ଗୁଡ଼ିକୁ ପୂରଣ କରିବା ପାଇଁ ସମସ୍ତ ପ୍ରକାର ପଦକ୍ଷେପ ନେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।