ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୩୪୫ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨୮୪୩୨୩ ଜଣକୁ ବୃଦ୍ଧି ପାଇଛି । ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ୧୮ ବର୍ଷରୁ କମ୍ ବୟସର ୧୧୧ ଜଣ ରହିଛନ୍ତି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୧୨୮୪୩୨୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୩୩୭୫ଟି ଆକ୍ଟିଭ୍ କେସ୍ ରହିଥିବା ବେଳେ ୧୨୭୧୮୪୩ଜଣ ସୁସ୍ଥ ହୋଇଛନ୍ତି ।
ମାର୍ଚ୍ଚ ୨୪ ତାରିଖରେ ହେବ ପୌର ନିର୍ବାଚନ । ଭୁବନେଶ୍ୱର, କଟକ, ବ୍ରହ୍ମପୁରରେ ଅନୁଷ୍ଠିତ ହେବ ନିର୍ବାଚନ । ତେବେ ଆଜିଠୁ ନିର୍ବାଚନ ଆଚରଣ ବିଧି ଲାଗୁ ହୋଇଛି । ସୂଚନା ଦେଇଛନ୍ତି ରାଜ୍ୟ ନିର୍ବାଚନ କମିଶନ ଆଦିତ୍ୟ ପ୍ରସାଦ ପାଢୀ । ଏଥର କିନ୍ତୁ ଦୁଇ ପୌର ମହାନଗର ରାଉରକେଲା ଓ ସମ୍ୱଲପୁରରେ ପୌର ନିର୍ବାଚନ ହେବନି । ସେହିଭଳି ପୁରୀ ମ୍ୟୁନିସପାଲଟିରେ ମଧ୍ୟ ନିର୍ବାଚନ ହେବନି । ଫେବୃୟାରୀ ୨୮ରେ ପ୍ରକାଶ ପାଇବ ବିଜ୍ଞପ୍ତି । ମାର୍ଚ୍ଚ ୨ରୁ ୭ ଯାଏଁ ନାମାଙ୍କନ ଦାଖଲ ହେବ । ମାର୍ଚ୍ଚ ୯ରେ ପ୍ରାର୍ଥୀପତ୍ର ଯାଞ୍ଚ । ତେବେ ମାର୍ଚ୍ଚ ୨୬ରେ ଭୋଟ ଗଣତି ହେବ ବୋଲି ସୂଚନା ଦେଇଛନ୍ତି ନିର୍ବାଚନ କମିଶନ ।
ଆଜି ସୁନ୍ଦରଗଡ଼, ଦେବଗଡ଼, ସମ୍ବଲପୁର, ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, ଯାଜପୁର, ଭଦ୍ରକ ଓ ବାଲେଶ୍ବର ଆଦି ଜିଲ୍ଲାରେ ବର୍ଷା ସମ୍ଭାବନା ରହିଛି। ଏଣୁ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ କେନ୍ଦ୍ର।
କଟକସ୍ଥିତ ଶିଶୁଭବନରେ ନୋଫ୍ରୋଲୋଜି ବିଭାଗ ଖୋଲିଯାଇଛି। ଏହି ବିଭାଗକୁ ଦୁଇଟି ଅତ୍ୟାଧୁନିକ ହେମୋ ଡାଏଲିସିସ୍ ମେସିନ୍ ଯୋଗାଇ ଦିଆଯାଇଛି। ଏଥିସହିତ, ନୂଆ ବିଭାଗରେ କିଡ୍ନୀ ରୋଗ ବିଶେଷଜ୍ଞ ପରୀକ୍ଷାମୂଳକ ଭାବେ ଚିକିତ୍ସା ଆରମ୍ଭ କରିଦେଇଛନ୍ତି । ଆସନ୍ତା ମାର୍ଚ୍ଚ ୧୦ ତାରିଖ ‘ ବିଶ୍ବ କିଡ୍ନୀ ଦିବସ’ ଅବସରରେ ଏହି ବିଭାଗକୁ ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ କରିବାକୁ ଲକ୍ଷ୍ୟ ରଖାଯାଇଛି।
ୟୁକ୍ରେନରେ ଫସିଥିବା ଓଡ଼ିଆ ଛାତ୍ରଛାତ୍ରୀ ଓ ଶ୍ରମିକଙ୍କୁ ସୁରକ୍ଷିତ ଉଦ୍ଧାର କରିବା ନେଇ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ସହ କଥା ହୋଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଟେଲିଫୋନ୍ ଯୋଗେ ଉଭୟ ନେତାଙ୍କ ମଧ୍ୟରେ ଆଲୋଚନା ହୋଇଥିବା ଜଣାପଡିଛି।
ସମଗ୍ର ଦେଶରେ ୨୪ ଘଣ୍ଟା ମଧ୍ୟରେ ୧୩,୧୬୬ କରୋନାଜନିତ ନୂତନ ସଂକ୍ରମଣ ଓ ୩୦୨ ମୃତ୍ୟୁ ରେକର୍ଡ କରାଯାଇଛି। ନୂତନ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୪,୨୮,୯୪,୩୬୩ରେ ପହଞ୍ଚିଥିବା ବେଳେ ସମୁଦାୟ କୋଭିଡ୍-୧୯ଜନିତ ମୃତ୍ୟୁସଂଖ୍ୟା ୫,୧୩,୨୬୬ରେ ପହଞ୍ଚିଛି । ଏବେ ଦେଶରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ହେଉଛି ୧,୩୪,୨୩୫।
ଜୁଲାଇ ୩ ତାରିଖରେ ‘ଜେଇଇ ଆଡଭାନ୍ସଡ୍ ୨୦୨୨’ର ପରୀକ୍ଷା । ‘ଆଇଆଇଟି-ମୁମ୍ବାଇ’ ଏଥିନିମନ୍ତେ ବିସ୍ତୃତ ତାରିଖ ଜାରି କରିଛି। ଚଳିତ ବର୍ଷ ଜୁଲାଇ ୩ ତାରିଖରେ ‘ଜେଇଇ ଆଡଭାନ୍ସଡ୍’ ହେବ। ‘ଜେଇଇ ଆଡଭାନ୍ସଡ୍’ ପାଇଁ ରେଜିଷ୍ଟ୍ରେସନ ଜୁନ୍ ୮ରୁ ଜୁନ୍ ୧୪ ତାରିଖ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ କରାଯାଇପାରିବ। ଫି’ ଜମା କରିବାର ଅନ୍ତିମ ତିଥି ଜୁନ୍ ୧୫କୁ ଧାର୍ଯ୍ୟ କରାଯାଇଛି। ଦିବ୍ୟାଙ୍ଗ ବିଦ୍ୟାର୍ଥୀଙ୍କ ପାଇଁ ସ୍ରାଇବ ଚୟନର ସମୟ ଜୁଲାଇ ୨ ପର୍ଯ୍ୟନ୍ତ ରହିବ।
ୟୁକ୍ରେନ ଏବଂ ରୁଷ୍ ମଧ୍ୟରେ ଆରମ୍ଭ ହୋଇଥିବା ଯୁଦ୍ଧରେ ବ୍ୟାପକ କ୍ଷତି ସହିଥିବା ୟୁକ୍ରେନ ଏବେ କାଉଣ୍ଟର ଆଟାକ ଆରମ୍ଭ କରିଛି। ରୁଷ ସେନା ୟୁକ୍ରେନର ରାଜଧାନୀ କିଭ୍ରେ ବୋମା ବର୍ଷଣ କରୁଛନ୍ତି। ହେଲେ ୟୁକ୍ରେନ ଭୟଭୀତ ନ ହୋଇ କଡ଼ା ମୁକାବିଲା କରୁଛି। କିଭ୍ ଭିତରୁ ଛଦ୍ମବେଶରେ ଆସିବାକୁ ଉଦ୍ୟମ କରୁଥିବା ରୁଷ ସେନାର ଏକାଧିକ ଗାଡ଼ିକୁ ୟୁକ୍ରେନ ସେନା ଧ୍ୱଂସ କରି ଦେଇଛି। ସେହିପରି ପୂର୍ବ ପ୍ରାନ୍ତରୁ ରାଜଧାନୀକୁ ସଂଯୋଗ କରୁଥିବା ବ୍ରିଜ୍କୁ ୟୁକ୍ରେନ ସେନା ଉଡ଼ାଇ ଦେଇଛନ୍ତି।
ରୁଷ ଓ ୟୁକ୍ରେନ ମଧ୍ୟରେ ଆରମ୍ଭ ହୋଇଥିବା ଯୁଦ୍ଧ ବିଶ୍ୱ ବଜାର ଉପରେ ପ୍ରଭାବ ପକାଇଛି। କରୋନା କାରଣରୁ ବିଶ୍ୱ ଅର୍ଥନୀତି ସଙ୍କଟରେ ରହିଥିବା ବେଳେ ୟୁକ୍ରେନ ଉପରେ ରୁଷର ଆକ୍ରମଣ ସମଗ୍ର ବିଶ୍ୱର ଅର୍ଥବ୍ୟବସ୍ଥାକୁ ଦୋହଲାଇ ଦେଇଛି।
ୟୁକ୍ରେନ୍ରେ ଫସି ରହିଥିବା ଭାରତୀୟ ନାଗରିକମାନଙ୍କୁ ବୁକରେଷ୍ଟ୍ ବାଟ ଦେଇ ଭାରତକୁ ଫେରାଇ ଆଣିବା ଲାଗି ଆଜି ରାତି ୨ଟା ବେଳେ ଏୟାର୍ ଇଣ୍ଡିଆ ୨ଟି ବିମାନ ପଠାଇବ। ବେସାମରିକ ବିମାନ ଚଳାଚଳ ପାଇଁ ଆକାଶପଥ ବନ୍ଦ ଥିବାରୁ ନିରାପଦରେ ସ୍ବଦେଶ ଫେରିବାକୁ ଭାରତୀୟ ନାଗରିକମାନେ ବୁକରେଷ୍ଟ୍ରେ ବିମାନ ଆରୋହଣ କରିବେ।
ଚଳିତ ସପ୍ତାହ ଶେଷ ସୁଦ୍ଧା ରୁଷ୍ ସୈନିକମାନେ ୟୁକ୍ରେନ୍ର ରାଜଧାନୀ କିଏଭ୍କୁ ଘେରି ଯିବେ ବୋଲି ଯୁକ୍ତରାଷ୍ଟ୍ର ଆମେରିକାର ସେନା ଅଧିକାରୀମାନେ ଆଶଙ୍କା କରୁଛନ୍ତି।