ରାଜ୍ୟରେ ଗତ ୨୪ ଘଣ୍ଟାରେ ୧୬୮ ଜଣ କୋଭିଡ୍ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ଆଉ ୮ ଜଣଙ୍କ ଜୀବନ ନେଲା କରୋନା । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୯୦୭୯କୁ ବୃଦ୍ଧି ପାଇଛି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୧୨୮୫୨୦୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୨୩୪୦ଟି ଆକ୍ଟିଭ୍ କେସ୍ ରହିଥିବା ବେଳେ ୧୨୭୩୭୩୪ଜଣ ସୁସ୍ଥ ହୋଇଛନ୍ତି ।
ଆଜି ପବିତ୍ର ମହାଶିବରାତ୍ରୀ ।
ଆଜି ପବିତ୍ର ମହାଶିବରାତ୍ରୀ, ଚଳଚଞ୍ଚଳ ରାଜ୍ୟର ବିଭିନ୍ନ ଶୈବପୀଠ । ମହାପ୍ରଭୁ ଲିଙ୍ଗରାଜଙ୍କ ମନ୍ଦିରରେ ମଧ୍ୟ ନାହିଁ ନଥିବା ଭିଡ ପରିଲକ୍ଷିତ ହୋଇଛି । ଲିଙ୍ଗରାଜ ମନ୍ଦିରରେ ରାତି ୧୦ଟା ପରେ ମହାଦୀପ ଉଠିବ ବୋଲି ସମୟ ଧାର୍ଯ୍ୟ ହୋଇଛି । ବାବା କପିଳାଶଙ୍କ ପୀଠରେ ବି ଭିଡ଼ ଜମିଛି। ଭୋର ୪ଟା ୨୦ରେ ଉଠିବ ମହାଦୀପ । ନୀତିକାନ୍ତି ଅନୁସାରେ ବାବାଙ୍କ ପୂଜାର୍ଚ୍ଚନା ଚାଲିଛି। ତେବେ ରାଜ୍ୟରୁ ଏଯାଏ କୋଭିଡର ଡର ସମ୍ପୂର୍ଣ୍ଣ ଦୂର ହୋଇ ନ ଥିବାରୁ ବିଭିନ୍ନ ସ୍ଥାନରେ ସ୍ଥାନୀୟ ପ୍ରଶାସନ କଟକଣା ଜାରି କରିଛି । କଟକ ଜିଲ୍ଲା ଆଠଗଡ଼ର ଧବଳେଶ୍ୱର ଶୈବପୀଠରେ ୧୪୪ଧାରା ଲାଗୁ ହୋଇଛି। ସକାଳ ୫ଟା ରୁ ୨ ତାରିଖ ସଂଧ୍ୟା ୭ଟା ପର୍ଯ୍ୟନ୍ତ ୧୪୪ ଧାରା ଜାରି ରହିବ।
ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଭୋଟ ଗ୍ରହଣ ହୋଇଥିବା ସମସ୍ତ ୮୫୧ ଜିଲ୍ଲା ପରିଷଦ ଜୋନର ଫଳାଫଳ ଘୋଷିତ ହୋଇଛି। ଶାସକ ବିଜୁ ଜନତା ଦଳର ପ୍ରାର୍ଥୀ ୭୬୫ଟି ଜୋନରେ ବିଜୟୀ ହୋଇଛି। ତେବେ ଭାରତୀୟ ଜନତା ପାର୍ଟି ୪୨ଟି ଜୋନରେ ବିଜୟୀ ହୋଇ ପାରିଛି। ସେହିଭଳି ଜାତୀୟ ରାଜନୈତିକ ଦଳ କଂଗ୍ରେସ ମାତ୍ର ୩୭ଟି ଆସନରେ ସନ୍ତୁଷ୍ଟ ରହିଛି।
ମହାଶିବରାତ୍ରି ଉପଲକ୍ଷେ ଆନ୍ଧ୍ରପ୍ରଦେଶର ବିଶାଖାପାଟଣା ସହରର ରାମକ୍ରିଷ୍ଣା ସମୁଦ୍ର କୂଳରେ ନିର୍ମିତ ହୋଇଛି ବିଶାଳକାୟ ଶିବ ଲିଙ୍ଗ। ସର୍ବମୋଟ ୧ ଲକ୍ଷ ୧ ଛୋଟ ଛୋଟ ଶିବ ଲିଙ୍ଗ ଦ୍ୱାରା ୧୮ ଫୁଟ ଉଚ୍ଚତାରେ ଗୋଟିଏ ବିରାଟକାୟ ଶିବଲିଙ୍ଗର ନିର୍ମାଣ କରଯାଇଛି।
ଆଜିଠାରୁ ଏଲପିଜି ମୂଲ୍ୟ ୧୦୫ ଟଙ୍କା ବଢିଛି। ତେବେ ଏହି ବର୍ଦ୍ଧିତ ମୂଲ୍ୟ କମର୍ସିଆଲ ସିଲିଣ୍ଡର ପାଇଁ ଲାଗୁ ହୋଇଛି। ତେବେ ଘରୋଇ ସିଲିଣ୍ଡର ମୂଲ୍ୟ ଅପରିବର୍ତ୍ତିତ ରହିଛି। ଅକ୍ଟୋବର ୨୦୨୧ରୁ ୧ ଫେବ୍ରୁଆରୀ ୨୦୨୨ ମଧ୍ୟରେ କମର୍ସିଆଲ ବା ବ୍ୟବସାୟିକ ସିଲିଣ୍ଡର ମୂଲ୍ୟ ୧୭୦ ଟଙ୍କା ବୃଦ୍ଧି ପାଇଛି। ଜାନୁଆରୀରେ ଏବଂ ଫେବ୍ରୁଆରୀ ୨୦୨୨ ରେ ଏଲପିଜି ମୂଲ୍ୟ କମି ୧୯୦୭ ଟଙ୍କାରେ ପହଞ୍ଚିଥିଲା। ତେବେ ଆଜିଠାରୁ ପୁଣି ୧୯ କିଲୋଗ୍ରାମର ଏଲପିଜି ସିଲିଣ୍ଡର ମୂଲ୍ୟ ୧୯୦୭ ଟଙ୍କା ବଦଳରେ ୨୦୧୨ ଟଙ୍କାକୁ ବୃଦ୍ଧି ପାଇଛି।
ୟୁକ୍ରେନରେ ଫସି ରହିଥିବା ଭାରତୀୟମାନଙ୍କୁ ଫେରାଇ ଆଣିବାକୁ ଚାଲିଥିବା ‘ଅପରେସନ୍ ଗଙ୍ଗା’ରେ ଯୋଗଦେବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର ବାୟୁସେନାକୁ ନିର୍ଦ୍ଦେଶ ଦେଇଛନ୍ତି ।ବାୟୁସେନା ବିମାନ ଯୋଗ ସହିତ ଭାରତୀୟଙ୍କ ପ୍ରତ୍ୟାବର୍ତ୍ତନ ପ୍ରକ୍ରିୟା ତ୍ୱରାନ୍ୱିତ ହେବ । ଏହା ସହିତ ଭାରତରୁ ପଠାଯାଉଥିବା ରିଲିଫ୍ ସାମଗ୍ରୀ ମଧ୍ୟ ଶୀଘ୍ର ପହଞ୍ଚିବ । ଭାରତୀୟ ବାୟୁସେନାର ଅନେକ C-17 ବିମାନ ଆଜି ଅପରେସନ୍ ଗଙ୍ଗା ଅଧୀନରେ ଉଡ଼ାଣ ଆରମ୍ଭ କରିବ ।
ୟୁକ୍ରେନ୍ରେ ଫସିଥିବା ସମସ୍ତ ଭାରତୀୟଙ୍କ ପାଇଁ ଜାରି ହୋଇଛି କଡା ଆଡଭାଇଜରୀ। ଯେତେ ସମ୍ଭବ ତୁରନ୍ତ ଆଜି ହିଁ କିଭ୍ ଛାଡିବାକୁ ସମସ୍ତ ଭାରତୀୟ ନାଗରିକ ଓ ଛାତ୍ରଛାତୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ୟୁକ୍ରେନ୍ରେ ଥିବା ଭାରତୀୟ ଦୂତାବାସ ପକ୍ଷରୁ ଏହି ଆଡଭାଇଜରୀ ଜାରି କରାଯାଇଛି ।
ୟୁକ୍ରେନ-ଋଷ ଯୁଦ୍ଧ ପ୍ରଭାବ ଏବେ ଖେଳ ମୈଦାନ ଉପରେ ଦେଖିବାକୁ ମିଳିଛି । ଋଷ ଉପରେ କଡା ଆଭିମୁଖ୍ୟ ପୋଷଣ କରିଛି ଫିଫା । ଫୁଟବଲ ୱାର୍ଲ୍ଡ କପରୁ ଋଷକୁ ବାଦ ଦେଇଛି ଫିଫା । ଚଳିତ ବର୍ଷ ଫିଫା ୱାର୍ଲ୍ଡ କତାରରେ ଆୟୋଜିତ ହେବାକୁ ଯାଉଛି । ଇଣ୍ଟରନ୍ୟାସନାଲ ଆଇସ୍ ହକିରୁ ମଧ୍ୟ ଋଷକୁ ବାଦ ଦିଆଯାଇଛି । ଋଷ ସହ କୌଣସି ଇଭେଣ୍ଟ ଖେଳିବାକୁ ମନା କରିଦେଇଛନ୍ତି ପୋଲାଣ୍ଡ, ୱିଡେନ୍ ଓ ଚେକ୍ ରିପବ୍ଲକ୍ ।
ରୁଷ ୟୁକ୍ରେନ୍ ଉପରେ କ୍ଲଷ୍ଟର ବୋମା ଓ ଭାକ୍ୟୁମ ବୋମା ପ୍ରୟୋଗ କରିଛି। ଏହି ବୋମା ବିଶେଷ ଭାବେ ଯେଉଁ ଅଞ୍ଚଳରେ ପଡିଥାଏ ସେଠାରେ ବାୟୁମଣ୍ଡଳରେ ଥିବା ଅମ୍ଳଜାନକୁ ଶୋଷି ନେଇଥାଏ। ଫଳରେ ନିଶ୍ୱାସ ନେବା କଷ୍ଟକର ହୋଇପଡେ। ମଣିଷ ଓ ଜୀବଜନ୍ତୁମାନେ ଅମ୍ଳଜାନ ଅଭାବରୁ ଛଟପଟ ହୋଇ ମୃତ୍ୟୁ ମୁଖରେ ପଡିଥାନ୍ତି।