
ଦିନେଶ କୁମାର ଦାସ(ପଟ୍ଟାମୁଣ୍ଡାଇ):ସରିଯାଇଛି ପଂଚାୟତ ନିର୍ବାଚନ,ବାକିରହିଛି ପଂଚାୟତ ସମିତି ଅଧ୍ୟକ୍ଷ ପଦ,ଏବେ ଅଜ୍ଞାତ ବାସରେ ସବୁ ସମିତି ସଭ୍ୟ ।ଏହି ପରିପେକ୍ଷୀରେ ସବୁଠୁ ରୋଚକ ମୋଡରେ ପଟାମୁଣ୍ଡାଇ ପଂଚାୟତ ସମିତି ଅଧ୍ୟକ୍ଷ ପଦପାଇଁ ବଳ କଷାକଷି ।ପଞ୍ଚାୟତ ନିର୍ବାଚନରେ ପଟ୍ଟାମୁଣ୍ଡାଇରେ ବିଜେଡିର ଦମଦାର ପ୍ରଦର୍ଶନ ଭିତରେ ଏବେ ଚିନ୍ତା ବଢାଇଛି ପଟ୍ଟାମୁଣ୍ଡାଇ ପଞ୍ଚାୟତ ସମିତି ଅଧ୍ୟକ୍ଷ ପଦ। କାରଣ ପଞ୍ଚାୟତ ସମିତି ଅଧ୍ୟକ୍ଷ ପଦ ହାତେଇବା ପାଇଁ କେହି ମଧ୍ୟ ଏଯାବତ ଆବଶ୍ୟକୀୟ ସଂଖ୍ୟା ଜୁଟାଇବାରେ ସଫଳ ହୋଇନଥିବା ଚର୍ଚ୍ଚା ହେଉଛି ।
ତେବେ ଏସବୁ ଭିତରେ ବିଧାୟକ ଧ୍ରୁବ ସାହୁଙ୍କୁ ଚେକ୍ ଦେବାକୁ ଏବେ ୩ ପୂର୍ବତନ ବିଧାୟକ ହାତ ମିଳାଇଥିବା ଚର୍ଚ୍ଚା ହେଉଛି । କାରଣ ଏହି ୩ ପୂର୍ବତନ ବିଧାୟକଙ୍କ କ୍ୟାମ୍ପରେ ମ୍ୟାଜିକ ନମ୍ବର ଥିବା ନେଇ ଶୁଣିବାକୁ ମିଳୁଛି । ତେବେ କାହା ସମର୍ଥିତ ପ୍ରାର୍ଥୀଙ୍କୁ ପଞ୍ଚାୟତ ସମିତି ଅଧ୍ୟକ୍ଷ କରାଯିବ ତାହାକୁ ନେଇ ଅଙ୍କ ଛିଣ୍ଡୁନଥିବା ଚର୍ଚ୍ଚା ହେଉଛି । ଯେଉଁଥିପାଇଁ ନିଜ ସମର୍ଥିତ ପ୍ରାର୍ଥୀଙ୍କୁ ଏବେ ଅଜ୍ଞାତବାସରେ ରଖିଛନ୍ତି ୩ ନେତା ।
ଅନ୍ୟପଟେ ପଞ୍ଚାୟତ ସମିତି ଅଧ୍ୟକ୍ଷ ପଦ ଏବେ ବିଜେଡି ବିଧାୟକଙ୍କ ତଣ୍ଟିରେ କଣ୍ଟା ହୋଇ ଲାଖିଥିବା କୁହାଯାଉଛି । କାରଣ ଗୋଟିଏ ପଟେ ଆବଶ୍ୟକୀୟ ସମିତି ସଭ୍ୟଙ୍କ ସମର୍ଥନ ନଥିବା ବେଳେ କାହାକୁ ଏହି ପଦରେ ବସାଯିବ ତାହାକୁ ନେଇ ବିଧାୟକଙ୍କ କ୍ୟାମ୍ପରେ ଅଙ୍କା କଷା ଚାଲିଥିବା ଚର୍ଚ୍ଚା ହେଉଛି । ଏସବୁ ଭିତରେ ଆଗକୁ କିଏ ଏହି ପଦ ହାତେଇବ ତାହା ଦେଖିବାକୁ ବାକି ରହିଲା ।