
ଦୀପକ ବେଉରା(କଟକ): କଟକ ଚୌଦ୍ୱାର ପୁଲିସ୍ ଜାଲରେ ଟ୍ୱିନ୍ ସିଟିରେ ବୁଲି ବୁଲି ଚେନ୍ ଛିଣ୍ଡାଉଥିବା ବଡ ରାକେଟ । ପଇସା ରୋଜଗାରର ଏପରି ସର୍ଟକଟ ବାଟ ବାହାର କରି ମାଲେମାଲ ହେଉଥିବା ଏକ ଗ୍ୟାଙ୍ଗକୁ କଟକ ଚୌଦ୍ୱାର ପୁଲିସ୍ ବହୁ ଦିନରୁ ପିଛା କରୁଥିଲା ବେଳେ କାବୁ କରିବାରେ ସଫଳ ହୋଇଛି । ସେମାନଙ୍କ ନିକଟରୁ ୨୨ଟି ସୁନା ଚେନ୍ ଜବତ ହୋଇଛି ।
ଗିରଫ ଲୁଟେରାମାନେ ଗ୍ୟାଙ୍ଗର ମୁଖ୍ୟ ସୁବ୍ରତ ଭଟ୍ଟ ଓ ତାଙ୍କ ଦୁଇ ସହଯୋଗୀ ଦେବାଶିଷ ସ୍ୱାଇଁ ଏବଂ ଶୁଭମ କୋକାଟେ। ଅଭିଯୁକ୍ତଙ୍କଠାରୁ ୨୯୫ ଗ୍ରାମ ଓଜନର ୨୨ଟି ସୁନା ଚେନ୍ ଓ ଦୁଇଟି ପଲସର୍ ବାଇକ୍ ଜବତ କରାଯାଇଛି । କଟକ, ଭୁବନେଶ୍ୱର ସହ ଆଖପାଖ ଅଞ୍ଚଳରେ ଏମାନେ ନିଜ ଜାଲ ବିଛାଇ ଲୁଟ୍ କରିଚାଲିଥିଲେ ।
ପୁଲିସ୍କୁ ମିଳିଥିବା ସୂଚନା ଅନୁଯାୟୀ, ସୁବ୍ରତ ଓ ତା’ ଗ୍ୟାଙ୍ଗ ସୁନା ଅଳଙ୍କାର ଲୁଟ୍ କରି ଦେବାଶିଷ ଓ ଶୁଭମଙ୍କୁ ଦେଉଥିଲେ। ଏହି ଦୁଇ ଜଣ ଲୁଟ ଅଳଙ୍କାରକୁ ତରଳାଇ ବଜାରରେ ବିକ୍ରି କରୁଥିଲେ । ଏମାନଙ୍କ ଯୋଗାଯୋଗରେ କେଉଁ ସବୁ ସୁନା ଦୋକାନୀ ଅଛନ୍ତି, ସେନେଇ ତନାଘନା ଜାରି ରଖିଛି ପୁଲିସ୍। ଏହି ଗ୍ୟାଙ୍ଗର ମୁଖ୍ୟ ଲୁଟେରା ସୁବ୍ରତ ନାଁରେ ୨୦୦୮ ମସିହାରୁ କମିଶନରେଟ ପୁଲିସ୍ର ବିଭିନ୍ନ ଥାନାରେ ୩୩ଟି ମାମଲା ରହିଛି । ସେହିପରି ସହଯୋଗୀ ଶୁଭମ କୋକାଟେ ନାଁରେ ୨୧ଟି ମାମଲା ରହିଥିବା ସୂଚନା ଦେଇଛନ୍ତି କଟକ ଡିସିପି ପ୍ରତୀକ ସିଂ ।



