ରାଜ୍ୟରେ ଗତ ୨୪ ଘଣ୍ଟାରେ ୧୨୯ ଜଣ କୋଭିଡ୍ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ଆଉ ୩ ଜଣଙ୍କ ଜୀବନ ନେଲା କରୋନା । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୯୧୦୧କୁ ବୃଦ୍ଧି ପାଇଛି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୧୨୮୫୮୮୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୧୫୦୭ଟି ଆକ୍ଟିଭ୍ କେସ୍ ରହିଥିବା ବେଳେ ୧୨୭୫୨୨୮ଜଣ ସୁସ୍ଥ ହୋଇଛନ୍ତି ।
କଟକ ମହାନଗର ନିଗମ ପାଇଁ ଅଭିନେତା ଶ୍ରୀତମ ଦାସଙ୍କୁ ମେୟର ଭାବେ ପ୍ରାର୍ଥୀ ଘୋଷଣା କରିଛି ଭାରତୀୟ ଜନତା ପାର୍ଟି । କଟକ ନଗର ବିଜେପି ସଭାପତି ଲଲାଟେନ୍ଦୁ ବଡୁଙ୍କ ପକ୍ଷରୁ ଏହି ସୂଚନା ଦିଆଯାଇଛି । ସେପଟେ କଟକର ମେୟର ପଦବୀ ପାଇଁ କଂଗ୍ରେସ ଗିରିବାଳା ବେହେରାଙ୍କ ନାମ ଘୋଷଣା କରାଯାଇଥିବା ବେଳେ ବିଜେଡି ପକ୍ଷରୁ ବିଜେଡି ନେତା ତଥା ରାଜ୍ୟସଭା ସାଂସଦ ସୁବାସ ସିଂହ ଙ୍କ ନାମ ଘୋଷଣା କରାଯାଇଛି ।
ମାଧ୍ୟମିକ ଶିକ୍ଷା ପରିଷଦ ବୋର୍ଡ ଦ୍ୱାରା ହୋଇଥିବା ୧୦ମ ଶ୍ରେଣୀର ସମେଟିଭ୍ ଆସେସମେଣ୍ଟ-୧ ପରୀକ୍ଷା ଫଳ ଆସନ୍ତା ସପ୍ତାହରେ ବୋର୍ଡ ୱେବସାଇଟ୍ରେ ଅପଲୋଡ୍ କରାଯିବ । ୫୦ ନମ୍ବର ବିଶିଷ୍ଟ ଏହି ପରୀକ୍ଷା ଅବଜେକ୍ଟିଭ୍ରେ ହୋଇଥିଲା । ଓଏମ୍ଆର୍ ସିଟ୍ରେ ହୋଇଥିବା ଉକ୍ତ ପରୀକ୍ଷାକୁ ରାଜ୍ୟର ୩ ହଜାର ୮୫ଟି କେନ୍ଦ୍ରରେ ୫ଲକ୍ଷ ୭୧ ହଜାର ୯୭୪ ପରୀକ୍ଷାର୍ଥୀ ଦେଇଥିଲେ ।
ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୫୪୭୬ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୧୫୮ ଜଣଙ୍କ ମୃତ୍ୟୁ ହୋଇଛି । ଏବେସୁଦ୍ଧା ଦେଶରେ ପ୍ରାୟ ୪ କୋଟି ୨୯ ଲକ୍ଷ ୬୨ ହଜାର ୯୫୩ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେହିପରି ୫୯୪୪୨ ସକ୍ରିୟ ମାମଲା ରହିଛି ଏବଂ ୪ କୋଟି ୨୩ ଲକ୍ଷ ୮୮ ହଜାର ୪୭୫ ଜଣ ସୁସ୍ଥ ହୋଇ ଫେରିଛନ୍ତି । ଏହା ବ୍ୟତୀତ ୫ ଲକ୍ଷ ୧୫ ହଜାର ୩୬ ସଂକ୍ରମିତ ପ୍ରାଣ ହରାଇଛନ୍ତି ।
ଆଜି ପୂର୍ବାହ୍ନ ୧୧ଟାରେ ପ୍ରଧାନମନ୍ତ୍ରୀ ମୋଦୀ ପୁନେ ମହାନଗର ନିଗମ ପରିସରରେ ଛତ୍ରପତି ଶିବାଜୀ ମହାରାଜଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କରିବେ । ପିଏମଓ ପକ୍ଷରୁ କୁହାଯାଇଛି ଯେ ପୁନେ ମେଟ୍ରୋ ପ୍ରକଳ୍ପ ୧୧ ହଜାର ୪୦୦ କୋଟି ଟଙ୍କାରେ ନିର୍ମାଣ ହୋଇଛି । ଏହି ପ୍ରକଳ୍ପ ପାଇଁ ମୋଦୀ ୨୦୧୬ ଡିସେମ୍ବର ୨୪ ତାରିଖରେ ଶିଳାନ୍ୟାସ କରିଥିଲେ । ଆଜି ଏହି ପ୍ରକଳ୍ପର ୧୨ଟି ଲାଇନର ୩୨.୨କିମି ପ୍ରକଳ୍ପକୁ ଉଦଘାଟନ କରିବେ ।
ୟୁକ୍ରେନ ଉପରେ ରୁଷ ଆକ୍ରମଣକୁ ୧୧ ଦିନ ପୂରିଥିବା ବେଳେ ନିଜ ମୃତାହତ ତଥା ଗୁରୁତର ସୈନଙ୍କ ପାଇଁ ପୁଟିନ ଘୋଷଣା କରିଛନ୍ତି ସହାୟତା ରାଶି। ପୁଟିନଙ୍କ ଏହି ତାଲିକାରେ କେବଳ ୟୁକ୍ରେନ ଯୁଦ୍ଧରେ ସାମିଲ ହୋଇଥିବା ରୁଷୀୟ ସୈନ୍ୟ ନୁହନ୍ତି ସିରିଆ ଯୁଦ୍ଧରେ ସାମିଲ ସୈନ୍ୟ ତଥା ସେମାନଙ୍କ ପରିବାରକୁ ମଧ୍ୟ ମିଳିବ ଏହି ସହାୟତା । ପୁଟିନ କରିଥିବା ଘୋଷଣାନାମା ଅନୁଯାୟୀ, ୟୁକ୍ରେନ କିମ୍ବା ସିରିଆ ଯୁଦ୍ଧରେ ପ୍ରାଣ ହରାଇଥିବା ରୁଷ ସୈନ୍ୟଙ୍କ ପରିବାରକୁ ୫ ମିଲିୟନ ରୁବେଲ ଅର୍ଥାତ ଭାରତୀୟ ମୁଦ୍ରାରେ ୪୦ ଲକ୍ଷ ଟଙ୍କା ମିଳିବ । ସେହିପରି ଗୁରୁତରଙ୍କୁ ୩ ମିଲିୟନ ରୁବେଲ ବା ୨୪ ଲକ୍ଷ ଭାରତୀୟ ଟଙ୍କା ମିଳିବି।