ରାଜ୍ୟରେ ଗତ ୨୪ ଘଣ୍ଟାରେ ୧୨୮ ଜଣ କୋଭିଡ୍ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ଆଉ ଜଣଙ୍କ ଜୀବନ ନେଲା କରୋନା । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୯୧୦୨କୁ ବୃଦ୍ଧି ପାଇଛି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୧୨୮୬୨୪୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୧୧୧୦ଟି ଆକ୍ଟିଭ୍ କେସ୍ ରହିଥିବା ବେଳେ ୧୨୭୫୯୮୦ଜଣ ସୁସ୍ଥ ହୋଇଛନ୍ତି ।
ଆଜି ପବିତ୍ର ଫାଲଗୁନ ଶୁକ୍ଳ ସପ୍ତମୀ ତିଥିରେ ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ । ଏଥିପାଇଁ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ଏହି ବନକଲାଗି ବା ଶ୍ରୀମୁଖ ସିଂହାର ଏକ ଗୁପ୍ତ ସେବା ହୋଇଥିବାରୁ ଏହି ସମୟରେ ବେଶ ଦର୍ଶନରୁ ବଞ୍ଚିତ ହେବେ ଶ୍ରଦ୍ଧାଳୁ। ଶ୍ରୀମନ୍ଦିର ପ୍ରଶାସନର ନୀତି ନିର୍ଘଣ୍ଟ ଅନୁଯାୟୀ ଅପରାହ୍ନ ୫ଟା ଠାରୁ ରାତି ୮ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ।
ନନ୍ଦନକାନନରେ ପଶିଲେ ଦୁଇ ଜଙ୍ଗଲୀ ହାତୀ । ଯାହାଫଳରେ ପର୍ଯ୍ୟଟକଙ୍କୁ ନନ୍ଦନକାନନରେ ପ୍ରବେଶ ପାଇଁ ବାରଣ କରାଯାଇଛି ।ଖବର ଅନୁଯାୟୀ, ମଙ୍ଗଳବାର ରାତିରେ ଦୁଇଟି ଜଙ୍ଗଲୀ ହାତି ନନ୍ଦନକାନନ ଭିତରେ ପଶିଛନ୍ତି । ଜଙ୍ଗଲୀ ହାତୀ ଦୁଇଟି ନନ୍ଦନକାନନରେ ଥିବା ଜିରାଫ ଖୁଆଡ଼ ପଛପାଖେ ଲୁଛିଥିବାର ସନ୍ଦେହ କରାଯାଉଛି । ଯାହାକୁ ଦୃଷ୍ଟିରେ ରଖି କର୍ତ୍ତୃପକ୍ଷ ତୁରନ୍ତ ପଦକ୍ଷେପ ନେଇଛନ୍ତି ।
ଯୁକ୍ତ-୩ ପରୀକ୍ଷା ସ୍ଥଗିତ । ଆସନ୍ତା ୨୨ରୁ ୨୪ ଯାଏଁ ହେବାକୁ ଥିବା ଯୁକ୍ତ-୩ ପରୀକ୍ଷାକୁ ସ୍ଥଗିତ ରଖାଯାଇଛି । ଆଗାମୀ ପୌର ନିର୍ବାଚନ ପାଇଁ ପରୀକ୍ଷାକୁ ସ୍ଥଗିତ ରଖାଯାଇଛି ।
ପୌର ନିର୍ବାଚନ ପାଇଁ ଆଜି ହେବ ପ୍ରାର୍ଥିପତ୍ର ଯାଞ୍ଚ। ଆସନ୍ତା ୧୪ତାରିଖ ସୁଦ୍ଧା ପ୍ରାର୍ଥିପତ୍ର ପ୍ରତ୍ୟାହାର ପାଇଁ ଦିନ ଧାର୍ଯ୍ୟ ହୋଇଛି। ରାଜ୍ୟର ୧୦୬ଟି ମ୍ୟୁନିସିପାଲିଟି, ଏନ୍ଏସି ଓ ୩ଟି ମହାନଗର ନିଗମ ଭୁବନେଶ୍ୱର, କଟକ, ବ୍ରହ୍ମପୁର ପାଇଁ ହେବ ଭୋଟ୍ ।
ସମଗ୍ର ଦେଶରେ ୨୪ ଘଣ୍ଟା ମଧ୍ୟରେ ୪,୫୭୫ କରୋନାଜନିତ ନୂତନ ସଂକ୍ରମଣ ଓ ୧୪୫ ମୃତ୍ୟୁ ରେକର୍ଡ କରାଯାଇଛି । ୨୪ ଘଣ୍ଟାରେ ଚିହ୍ନଟ ହୋଇଥିବା ନୂତନ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୪,୨୯,୭୫,୮୮୩ରେ ପହଞ୍ଚିଥିବା ବେଳେ ସମୁଦାୟ କୋଭିଡ୍-୧୯ଜନିତ ମୃତ୍ୟୁସଂଖ୍ୟା ୫,୧୫,୩୫୫ରେ ପହଞ୍ଚିଛି । ସମ୍ପ୍ରତି ଦେଶରେ ସମୁଦାୟ ସୁସ୍ଥତା ସଂଖ୍ୟା ହେଉଛି ୪,୨୪,୧୩,୫୬୬।ଏହାଛଡ଼ା, ଏବେ ଦେଶରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ହେଉଛି ୪୬୯୬୨ ।
ଆଜି ପର୍ଯ୍ୟନ୍ତ ବିଶ୍ୱରେ କରୋନା ଯୋଗୁଁ ମୋଟ ୪୪ କୋଟି ୯୪ ଲକ୍ଷ ୫୨ ହଜାର ୬୨୯ ଜଣ ଲୋକ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏଥିରୁ ୩୮ କୋଟି ୩୭ ଲକ୍ଷ ୫୫ ହଜାର ୧୩୩ ଜଣ ସୁସ୍ଥ ହୋଇଥିଲା ବେଳେ ୬୦ ଲକ୍ଷ ୩୪ ହଜାର ୨୬୯ ଜଣଙ୍କର ମୃତ୍ୟୁ ହୋଇଛି ।
ୟୁକ୍ରେନ୍ ଆକ୍ରମଣ ଯୋଗୁଁ ଯୁକ୍ତରାଷ୍ଟ୍ର ଆମେରିକା ସହ ବିଶ୍ବ ସମୁଦାୟ ମସ୍କୋ ଉପରେ କଠୋର କଟକଣା ଜାରି କରିବା ପରେ ରୁଷ୍ ସମ୍ପ୍ରତି ବୈଶ୍ବିକ ଅର୍ଥନୀତିରୁ ବାସନ୍ଦ ହୋଇଯାଇଛି ଏବଂ ରୁଷୀୟ ମୁଦ୍ରା ରୁବେଲ୍ ଏବେ ମୂଲ୍ୟହୀନ ବୋଲି ଜୋ ବାଇଡେନ୍ଙ୍କ ପ୍ରଶାସନ କହିଛି । ରାଷ୍ଟ୍ରପତି ବାଇଡେନ୍ କହିଛନ୍ତି, ରୁଷ୍ର ବୃହତ୍ତମ ବ୍ୟାଙ୍କ୍ର କାରବାର ଅବରୋଧ କରି ଏବଂ ସମ୍ପତ୍ତି ଅଚଳ କରି ବିଶ୍ବରେ ପୁଟିନଙ୍କ ବ୍ୟବସାୟ କ୍ଷମତାକୁ ବନ୍ଦ କରି ଦେଇଛୁ।
ୟୁକ୍ରେନ୍ ରାଷ୍ଟ୍ରପତି ଭୋଲୋଦିମୀର ଜେଲେନ୍ସ୍କି ନିଜ ଦେଶ ଉପରେ ରୁଷିଆର ଆକ୍ରମଣ ପରେ ମଙ୍ଗଳବାର ବ୍ରିଟେନ ସାଂସଦଙ୍କ ନିକଟରେ ଅପିଲ କରିଛନ୍ତି । ଜେଲେନ୍ସ୍କି କହିଛନ୍ତି ଯେ, ରୁଷିଆକୁ ଆତଙ୍କବାଦୀ ରାଷ୍ଟ୍ର ଘୋଷଣା କରାଯାଉ । ଏହା ଦ୍ୱାରା ଆକାଶ ପଥ ସୁରକ୍ଷିତ ରହିପାରିବ । ୟୁକ୍ରେନ୍ର ୪୪ ବର୍ଷୀୟ ରାଷ୍ଟ୍ରପତି ଜେଲେନ୍ସ୍କି ଭିଡିଓଲିଙ୍କ ମାଧ୍ୟମରେ ‘ହାଉସ ଅଫ କମନ୍ସ’କୁ ସମ୍ବୋଧିତ କରି ଏହି ଐତିହାସିକ ଭାଷଣ ଦେଇଛନ୍ତି ।
ଜାପୋରିଝ୍ଜିଆ ଆଣବିକ ପାୱାର୍ ପ୍ଲାଣ୍ଟ୍ ଚଳାଉଥିବା କର୍ମଚାରୀମାନଙ୍କୁ ରୁଷୀୟ ସୈନିକମାନେ ନିର୍ଯାତନା ଦେଉଥିବା କଥା ଆଜି ୟୁକ୍ରେନୀୟ ଶକ୍ତିମନ୍ତ୍ରୀ ହର୍ମ୍ୟାନ୍ ହାଲୁଶ୍ଚେଙ୍କୋ ସାମାଜିକ ଗଣମାଧ୍ୟମ ପୋଷ୍ଟ୍ରେ କହିଛନ୍ତି । ଜାପୋରିଝ୍ଜିଆ ଆଣବିକ ପାୱାର୍ ପ୍ଲାଣ୍ଟ୍ ଚଳାଉଥିବା କର୍ମଚାରୀମାନଙ୍କୁ ୪ ଦିନ ପଣବନ୍ଦୀ ରଖାଯାଇଥିଲା। ଆଣବିକ କେନ୍ଦ୍ର ମଧ୍ୟରେ ପ୍ରାୟ ୫୦୦ ରୁଷୀୟ ସୈନିକ ଅଛନ୍ତି ଏବଂ ୫୦ ୟୁନିଟ୍ ଭାରୀ ଯନ୍ତ୍ରପାତି ରହିଛି। କେନ୍ଦ୍ରର କର୍ମଚାରୀମାନଙ୍କୁ ଦୈହିକ ଓ ମାନସିକ ନିର୍ଯାତନା ଦିଆଯାଉଛି।