ରାଜ୍ୟରେ ଆଜି ଶେଷ ହୋଇଛି ଜିଲ୍ଲା ପରିଷଦ ଅଧ୍ୟକ୍ଷ ନିର୍ବାଚନ । ପ୍ରାୟ ସବୁ ଜିଲ୍ଲାରେ ଶାସକ ବିଜେଡି ଅଧ୍ୟକ୍ଷ ପଦ ପୋଛି ନେଇଛି । ସୁନ୍ଦରଗଡ଼ ଜିଲ୍ଲାରେ ବିଜେଡିର କୁନ୍ତୀ ପ୍ରଧାନ ସଭାପତି ନିର୍ବାଚିତ ହୋଇଛନ୍ତି । ସେହିଭଳି ମୟୂରଭଞ୍ଜରେ ଭାରତୀ ହାଂସଦା (ବିଜେଡି) ନୟାଗଡ଼ରେ ଦେବାଶିଷ ପଟ୍ଟନାୟକ (ବିଜେଡି) ନବରଙ୍ଗପୁରରେ ମୋତିରାମ ନାୟକ (ନିଜେଡି) ମାଲକାନଗିରିରେ ସମାରି ତାଙ୍ଗୁଲୁ (ବିଜେଡି)ରୁ ନିର୍ବାଚିତ ହୋଇଛନ୍ତି ।
ଆସନ୍ତା ୧୭ ତାରିଖରେ ଶ୍ରୀମନ୍ଦିରରେ ମେଣ୍ଢାପୋଡି ଉତ୍ସବ ଅନୁଷ୍ଠିତ ହେବା ସହ ୧୮ ତାରିଖରେ ଦୋଳପୂର୍ଣ୍ଣମୀ ଅବସରରେ ଚତୁର୍ଦ୍ଧାବିଗ୍ରହ ସୁନାବେଶରେ ଲକ୍ଷାଧିକ ଭକ୍ତ ଶ୍ରଧାଳୁଙ୍କୁ ଦର୍ଶନ ଦେବେ।
ରାଜ୍ୟରେ ଧୀରେଧୀରେ ବଢିଚାଲିଛି ତାପମାତ୍ରା । କିଛି ଜିଲ୍ଲାରେ ଦିନବେଳା ତାପମାତ୍ରା ୪୦ ପାଖାପାଖି ହୋଇଗଲାଣି । ଭୁବନେଶ୍ୱର ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ରାଜ୍ୟର ଅନେକ ଜିଲ୍ଲା ପାଇଁ ଉତ୍ତାପ ତରଙ୍ଗ ଚେତାବନୀ ଦିଆଯାଇଛି । ତେବେ ଓଡ଼ିଶାରେ ବୁଧବାରଠାରୁ ଗରମ ଆହୁରି ବୃଦ୍ଧି ହେବାର ସମ୍ଭାବନା ରହିଛି। ଆଗାମୀ ୨ ଦିନ ପରେ ରାଜ୍ୟକୁ ପଶ୍ଚିମ -ଉତ୍ତର ପଶ୍ଚିମ ଦିଗରୁ ଶୁଷ୍କ-ଉତ୍ତପ୍ତ ବାୟୁ ପ୍ରବାହ ଶକ୍ତିଶାଳୀ ହେବା ସହ ଦିନ ତାପମାତ୍ରା ରେ ୩ ରୁ ୪ଡ଼ିଗ୍ରୀ ଯାଏଁ ବୃଦ୍ଧି ସହ ଓଡ଼ିଶାର କିଛି ଜିଲ୍ଲା ରେ ଗ୍ରୀଷ୍ମ ପ୍ରବାହ ସମ୍ଭାବନା ରହିଛି । ତେବେ ଆଜି ଦିନ ୨ ଘଟିକା ୩୦ ମିନିଟ ସୁଦ୍ଧା ଭୁବନେଶ୍ୱରରେ ଦିନ ତାପମାତ୍ରା ୩୬ଡ଼ିଗ୍ରୀ ସେଲସିୟସ ରେକର୍ଡ ହୋଇଛି ।
ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଘୋଷଣା କରିଛନ୍ତି ଯେ ଶତ୍ରୁଘ୍ନ ସିହ୍ନାଙ୍କୁ ଆସାନସୋଲ ସଂସଦୀୟ ଆସନରୁ ଆଗାମୀ ଉପ-ନିର୍ବବାଚନ ପାଇଁ ଟିଏମସିର ଦଳୀୟ ପ୍ରାର୍ଥୀ ଏବଂ ବାଲିଗୁଙ୍ଗେ ବିଧାନସଭା ଉପ-ନିର୍ବାଚନ ପାଇଁ ବାବୁଲ ସୁପିୟୋଙ୍କୁ ଦଳୀୟ ପ୍ରାର୍ଥୀ ଭାବେ ମନୋନୀତ କରାଯାଇଛି। ଏବଂ ଶତ୍ରୁଘ୍ନ ସିହ୍ନା ଓ ବାବୁଲ ସୁପିୟୋ ଦଳ ପକ୍ଷରୁ ଆଗାମୀ ଉପ- ନିର୍ବାଚନ ଲଢ଼ିବେ ।
ଆସନ୍ତା ମାର୍ଚ୍ଚ ୧୬ ତାରିଖ ଦିନ ଭଗଓ୍ବନ୍ତ ମାନ୍, ପଞ୍ଜାବର ନୂତନ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ । ଏହି ଭବ୍ୟ ସମାରୋହରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ ମଧ୍ୟ ସାମିଲ ହେବାନେଇ ସୂଚନା ମିଳିଛି । ଭଗଓ୍ବନ୍ତ ମାନ୍ଙ୍କ ବ୍ୟତିତ ଅନ୍ୟ ୧୭ ବିଧାୟକ ମନ୍ତ୍ରୀ ପଦର ଶପଥ ନେବାର ଥିଲା କିନ୍ତୁ ମାର୍ଚ୍ଚ ୧୬ ତାରିଖରେ କେବଳ ମୁଖ୍ୟମନ୍ତ୍ରୀ ହିଁ ଶପଥ ନେବେ । ଅନ୍ୟମନେ ପରେ ଶପଥ ଗ୍ରହଣ କରିବେ ।
ଗତ ଗୁରୁବାର ତାମିଲନାଡୁ ଡିଣ୍ଡିଗୁଲ ଜିଲ୍ଲା ପେରୁମଲ ପାହାଡ଼ରେ ଲାଗିଥିବା ନିଆଁ ଏବେ ଭୟାନକ ରୂପ ଧାରଣ କରିଛି। ବନାଞ୍ଚଳର ହଜାର ହଜାର ଏକର ଜଙ୍ଗଲ ନିଆଁ ଗ୍ରାସି ଚାଲିଥିବା ବେଳେ ବନ ବିଭାଗଙ୍କ ସମସ୍ତ ଉଦ୍ୟମ ବ୍ୟର୍ଥ ହୋଇଛି। ଜଙ୍ଗଲରେ ନିଆଁ ଲାଗିଥିବା ସୂଚନା ମିଳିବା ମାତ୍ରେ ବନ ବିଭାଗ କାର୍ଯ୍ୟାନୁଷ୍ଠାନ କରିଥିଲେ। ହେଲେ ଏ ପର୍ଯ୍ୟନ୍ତ ଏଥିରୁ କୌଣସି ସୁଫଳ ମିଳିନଥିବା ବେଳେ ନିଆଁ ଅଧିକ ବ୍ୟାପି ଯାଇଛି।
କୋଲକାତାରେ ତଙ୍ଗରା ଅଞ୍ଚଳରେ ଶନିବାର ସନ୍ଧ୍ୟା ପାଖାପାଖି ୬:୩୦ ସମୟରେ ମେହର ଅଲୀ ଲେନରେ ଏକ ଚମଡ଼ା କାରଖାନାରେ ନିଆଁ ଲାଗି ଯାଇଥିଲା। ଏହି ନିଆଁ ପୁରା ଅଞ୍ଚଳରେ ବ୍ୟାପି ଯାଇଥିଲା। ନିଆଁ ଏତେ ଭୟଙ୍କର ରୂପରେ ଲାଗିଛି ଯେ ୧୨ ଘଣ୍ଟା ପରେ ମଧ୍ୟ ସମ୍ପୃକ୍ତ ଅଞ୍ଚଳରେ ନିଆଁକୁ ଆୟତ୍ତ କରାଯାଇ ପାରି ନାହିଁ ।
ଋଷ ଓ ୟୁକ୍ରେନ ଯୁଦ୍ଧରେ ଉଭୟ ପକ୍ଷର ହଜାର ହଜାର ଯବାନ ପ୍ରାଣ ହରାଉଛନ୍ତି । ଏହାମଧ୍ୟରେ ୟୁକ୍ରେନ ରାଷ୍ଟ୍ରପତି ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି । ସେ କହିଛନ୍ତି ଯେ, ଯୁଦ୍ଧରେ ଏବେଯାଏଁ ୧୩୦୦ ୟୁକ୍ରେନ ସୈନ୍ୟ ପ୍ରାଣ ହରାଇଛନ୍ତି । ତେବେ ଉଭୟ ପକ୍ଷ ମଧ୍ୟରେ ଆଲୋଚନା ଜାରି ରହିଛି । କିନ୍ତୁ ନିଷ୍କର୍ସ ବାହାରି ପାରୁ ନାହିଁ ।
ଚୀନ୍ରେ ପୁଣି ଥରେ କରୋନା ସଂକ୍ରମଣ ମାମଲା ବଢ଼ିବାରେ ଲାଗିଛି। ଚୀନ୍ରେ ଦିନକରେ ୩,୩୯୩ଟି କରୋନା ମାମଲା ସାମ୍ନାକୁ ଆସିଛି, ଯାହା ଦୁଇ ବର୍ଷ ଭିତରେ ଦିନକରେ ରେକର୍ଡ କରାଯାଇଥିବା ସଂକ୍ରମଣ ମାମଲାଠାରୁ ସର୍ବାଧିକ। ଦେଶକୁ ପୁଣି ଫେରିଛି ଲକ୍ଡାଉନ୍ ।



