ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୪୩ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨୮୭୫୧୨ ଜଣକୁ ବୃଦ୍ଧି ପାଇଛି ।ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୧୨୮୭୫୧୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୪୧୯ଟି ଆକ୍ଟିଭ୍ କେସ୍ ରହିଥିବା ବେଳେ ୧୨୭୭୯୨୧ ଜଣ ସୁସ୍ଥ ହୋଇଛନ୍ତି ।
ଆଜିଠୁ ଷୋଡଶ ତୋଷାଳି ଜାତୀୟ ହସ୍ତଶିଳ୍ପ ମେଳା ଆରମ୍ଭ । ଏହା ଏପ୍ରିଲ ୧୦ ପର୍ଯ୍ୟନ୍ତ ଚାଲିବ । ଭୁବନେଶ୍ବର ଜନତା ମଇଦାନରେ ହେବ ତୋଷାଳି ମେଳା। ଏହି ମେଳାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନ କରିବେ ।ତେବେ ସନ୍ଧ୍ୟା ୬ ରୁ ୯ଟା ୩୦ ପର୍ଯ୍ୟନ୍ତ ଖୋଲା ରହିବ ମେଳା ।
ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧୨୭୦ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏବେସୁଦ୍ଧା ଦେଶରେ ପ୍ରାୟ ୪ କୋଟି ୩୦ ଲକ୍ଷ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେହିପରି ୧୫୮୫୯ ସକ୍ରିୟ ମାମଲା ରହିଛି ଏବଂ ୪ କୋଟି ୨୪ ଲକ୍ଷ ୮୩ ହଜାର ୮୨୯ ଜଣ ସୁସ୍ଥ ହୋଇ ଫେରିଛନ୍ତି । ଏହା ବ୍ୟତୀତ ୫୨୧୦୩୫ ସଂକ୍ରମିତ ପ୍ରାଣ ହରାଇଛନ୍ତି ।
କେନ୍ଦ୍ରୀୟ ଟ୍ରେଡ ୟୁନିୟନ ପକ୍ଷରୁ ଆଜି ଓ ଆସନ୍ତା କାଲି ବନ୍ଦ ଡାକରା ଦିଆଯାଇଥିବା ବେଳେ ପେଟ୍ରୋଲ ପମ୍ପ ବନ୍ଦ ରହିବ ବୋଲି ଆଶଙ୍କା କରି ଜନସାଧାରଣ ଲମ୍ବା ଲାଇନ୍ରେ ଛିଡ଼ା ହେଉଥିବା ବେଳେ ଏନେଇ ସଂଘ ପକ୍ଷରୁ କୁହାଯାଇଛି, ପେଟ୍ରୋଲିଅମ୍ ଡିଲର ସଂଘ ଧର୍ମଘଟରେ ସାମିଲ୍ ହୋଇନି। ପିକେଟିଂ ଯୋଗୁଁ ଆଜି ପ୍ରଥମାର୍ଦ୍ଧରେ କେବଳ ଭୁବନେଶ୍ୱରରେ ପେଟ୍ରୋଲ ପମ୍ପ୍ ବନ୍ଦ ରହିବ । ଦ୍ୱିତୀୟାର୍ଦ୍ଧରେ ସ୍ୱାଭାବିକ ଭାବେ ଭୁବନେଶ୍ୱରରେ ପେଟ୍ରୋଲ୍ ପମ୍ପ୍ ଖୋଲା ରହିବ । ରାଜ୍ୟର ଅନ୍ୟ ସବୁ ସ୍ଥାନରେ ପେଟ୍ରୋଲ ପମ୍ପଗୁଡ଼ିକ ଖୋଲା ରହିଛି ।
କେନ୍ଦ୍ର ସରକାର ୯ ରାଜ୍ୟରେ ହିନ୍ଦୁଙ୍କୁ ସଂଖ୍ୟାଲଘୁ ମାନ୍ୟତା ଦେବା ନେଇ ଏକ ମାମଲାରେ ସୁପ୍ରିମକୋର୍ଟରେ ସତ୍ୟପାଠ ଦାଖଲ କରିଛନ୍ତି । ରାଜ୍ୟ ନିଜ ନିୟମ ଅନୁସାରେ ବିଭିନ୍ନ ସମ୍ପ୍ରଦାୟକୁ ସଂଖ୍ୟାଲଘୁ ମାନ୍ୟତା ଦେଇପାରିବେ ବୋଲି କେନ୍ଦ୍ର ସରକାର କହିଛନ୍ତି । ସୁପ୍ରିମକୋର୍ଟରେ କେନ୍ଦ୍ର ସରକାର କହିଛନ୍ତି ଯେ, ଅନେକ ରାଜ୍ୟରେ ହିନ୍ଦୁ ଏବଂ ଅନ୍ୟ ସମ୍ପ୍ରଦାୟର ଲୋକେ ସଂଖ୍ୟାଲଘୁ ଅଛନ୍ତି । ସେମାନଙ୍କୁ ରାଜ୍ୟ ସରକାର ସଂଖ୍ୟାଲଘୁ ମାନ୍ୟତା ଦେଇପାରିବେ । ଏହାଦ୍ୱାରା ସେମାନେ ନିଜର ଶିକ୍ଷାନୁଷ୍ଠାନକୁ ମଧ୍ୟ ସଞ୍ଚାଳନ କରିପାରିବେ ।
ଭାରତୀୟ ତୈଳ କମ୍ପାନୀଗୁଡ଼ିକ ମାର୍ଚ୍ଚ ୨୮ ଅର୍ଥାତ୍ ଆଜି ପେଟ୍ରୋଲ ଏବଂ ଡିଜେଲର ହାର ବୃଦ୍ଧି କରିଛନ୍ତି । ଗତ ୭ ଦିନରେ ଇନ୍ଧନ ପେଟ୍ରୋଲ-ଡିଜେଲର ମୂଲ୍ୟ ୬ ଗୁଣ ବୃଦ୍ଧି ପାଇଛି ।ଆଇଓସିଏଲ୍ ଅନୁଯାୟୀ ପେଟ୍ରୋଲ ଲିଟର ପିଛା ୩୦ ପଇସା ବୃଦ୍ଧି ପାଇଥିବାବେଳେ ଡିଜେଲ ଲିଟର ପିଛା ୩୫ ପଇସା ମହଙ୍ଗା ହୋଇଛି । ମାର୍ଚ୍ଚ ୨୨ରୁ ମାର୍ଚ୍ଚ ୨୮ ପର୍ଯ୍ୟନ୍ତ ପେଟ୍ରୋଲ ଏବଂ ଡିଜେଲର ହାର ଲିଟର ପିଛା ୪ଟଙ୍କା ବୃଦ୍ଧି ହେଲାଣି । ରାଜଧାନୀ ଦିଲ୍ଲୀରେ ଆଜି ପେଟ୍ରୋଲର ମୂଲ୍ୟ ଲିଟର ପିଛା ୯୯.୪୧ ଥିବାବେଳେ ଡିଜେଲର ମୂଲ୍ୟ ଲିଟର ପିଛା ୯୦.୭୭ ରହିଛି ।
ଆଜି (ସୋମବାର) ପ୍ରମୋଦ ସାୱନ୍ତ ଦ୍ବିତୀୟ ଥର ପାଇଁ ଗୋଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ । ଶ୍ୟାମା ପ୍ରସାଦ ମୁଖାର୍ଜି ଷ୍ଟାଡିୟମରେ ପୂର୍ବାହ୍ନ ୧୧ଟାରେ ଶପଥ ନେବେ ପ୍ରମୋଦ ସାୱନ୍ତ। କାର୍ଯ୍ୟକ୍ରମରେ ୧୦ ହଜାରରୁ ଅଧିକ ଲୋକ ସାମିଲ ହେବାର କାର୍ଯ୍ୟକ୍ରମ ରହିଛି ।ମୁଖ୍ୟମନ୍ତ୍ରୀଙ୍କ ଛଡା କ୍ୟାବିନେଟର ଆଉ ୧୧ ଜଣ ମନ୍ତ୍ରୀ ହୋଇପାରନ୍ତି। ଶପଥଗ୍ରହଣ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ରକ୍ଷାମନ୍ତ୍ରୀ ରାଜନାଥ ସିଂ,ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ ପି ନଡ୍ଡା ସହ ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ ଯୋଗ ଦେବେ।
ଆଜି (ସୋମବାର)ଠୁ ୨ ଦିନିଆ ଭାରତ ବନ୍ଦ । ୧୨ ଦଫା ଦାବିରେ ବନ୍ଦ ଡାକରା ଦେଇଛନ୍ତି ଟ୍ରେଡ୍ ୟୁନିୟନ । ଆଜି ଓ ଆସନ୍ତାକାଲି ଦୁଇ ଦିନିଆ ବନ୍ଦ ଡାକରା ଦେଇଛନ୍ତି ଟ୍ରେଡ୍ ୟୁନିଅନ୍ । କେନ୍ଦ୍ର ସରକାରଙ୍କ ବିଭିନ୍ନ ଆଇନ୍ ବୃହତ୍ତ ଭାବେ କର୍ମଚାରୀ, କୃଷକ ଓ ସାଧାରଣ ଲୋକଙ୍କୁ ପ୍ରଭାବିତ କରୁଛି । ଏସବୁ ବିରୋଧରେ ବନ୍ଦ ଡାକରା ଦିଆ ଯାଇଥିବା କହିଛି ଟ୍ରେଡ୍ ୟୁନିଅନ୍ । ଆନ୍ଦୋଳନକୁ ବ୍ୟାଙ୍କ, ବୀମା, ନିର୍ମାଣ ଶ୍ରମିକ, ବିଜୁଳି କର୍ମଚାରୀ, ଟ୍ରାନ୍ସପୋର୍ଟ କର୍ମଚାରୀ ସଂଘଗୁଡିକ ସମର୍ଥନ ଜଣାଇଛନ୍ତି ।
ଆଜି (ସୋମବାର) ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ବିରୋଧରେ ଆସିବ ଅନାସ୍ଥା ପ୍ରସ୍ତାବ। ଅନସ୍ଥା ପ୍ରସ୍ତାବ ଉପରେ ଏପ୍ରିଲ ୩ କିମ୍ବା ୪ ତାରିଖରେ ଭୋଟିଂ ସମ୍ଭାବନା ରହିଛି। ବଡ଼ ରାଜନୈତିକ ସଙ୍କଟ ମଧ୍ୟରେ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଇସ୍ତଫା ନେଇ ଜୋରଦାର ଚର୍ଚ୍ଚା ଚାଲିଥିବା ବେଳେ ଇସ୍ତଫା ଦେବେନି ବୋଲି ଇମ୍ରାନ ଖାନ କହିଛନ୍ତି ।



