
ନନ୍ଦିନୀ ପ୍ରଧାନ(ସମ୍ବଲପୁର) : କେନ୍ଦ୍ରୀୟ ଶ୍ରମିକ ସଂଗଠନ ପକ୍ଷରୁ ୧୨ ଦଫା ଦାବି ନେଇ ଦୁଇ ଦିନିଆ ଭାରତ ବନ୍ଦ ଡ଼ାକରାରେ ସାରା ଓଡ଼ିଶାରେ ଆଂଶିକ ପ୍ରଭାବ ଦେଖିବାକୁ ମିଳିଛି । ଏହାର ପ୍ରଭାବ ସମ୍ବଲପୁର ସମେତ ଝାରସୁଗୁଡ଼ା ଏବଂ
ବ୍ରଜରାଜନଗର ଅଞ୍ଚଳରେ ମଧ୍ୟ ଦେଖିବାକୁ ମିଳିଛି। ଶ୍ରମିକ ସଙ୍ଗଠନର ନେତା ଓ କର୍ମୀମାନେ ପିକେଟିଂ କରି ଦୋକାନ ବଜାର ଓ ଗାଡ଼ି ଚଳାଚଳ ବନ୍ଦ କରୁଛନ୍ତି। ହେଲେ ଦୋକାନ ବଜାର ଖୋଲା ରହିଛି।
ବନ୍ଦ ପାଳନ କରୁଥିବା ସଂଗଠନଗୁଡ଼ିକଙ୍କ ପକ୍ଷରୁ ସମ୍ବଲପୁର କଚେରି ଛକରେ ଜିଲ୍ଲା ଜଜ୍, ମାଜିଷ୍ଟ୍ରେଟ୍, ଜିଲ୍ଲାପାଳଙ୍କୁ ଅଫିସ ଯିବାକୁ ଦେଇ ନଥିଲେ। ସେହିପରି ସହରର ଅନ୍ୟ ସରକାରୀ କାର୍ଯ୍ୟାଳୟ ଏବଂ ବ୍ୟାଙ୍କ ସମ୍ମୁଖରେ ମଧ୍ୟ ବନ୍ଦ ପାଳନ କରାଯାଇଛି। ବିଶେଷକରି ଷ୍ଟେଟ୍ବ୍ୟାଙ୍କର କର୍ମଚାରୀଙ୍କୁ ବ୍ୟାଙ୍କ ଭିତରକୁ ଛାଡ଼ୁ ନଥିବା ଦେଖାଯାଇଥିଲା।
୪ଟି ନୂତନ ଶ୍ରମ ନୀତି କୁ ବାତିଲ, ଚାଷୀ ସମସ୍ୟାର ସମାଧାନ, ମାସିକ ସର୍ବନିମ୍ନ ମଜୁରୀ ୨୬ ହଜାର ଟଙ୍କା କରିବା, ଘରୋଇକରଣ ଏବଂ ଠିକାଦାରୀ ପ୍ରଥା ଉଚ୍ଛେଦ,ଦରଦାମ ଓ ବେକାରୀ ସମସ୍ୟାର ସମାଧାନ ଆଦି ପ୍ରମୁଖ ଦାବି ନେଇ ଆଜି ଟ୍ରେଡ୍ ୟୁନିୟନର ସଦସ୍ୟମାନେ ପୋଷ୍ଟର ବ୍ୟାନର ଧରି ବିଭିନ୍ନ ସ୍ଥାନରେ ପିକେଟିଂ କରି ଧର୍ମଘଟ କୁ ସଫଳ କରିବାକୁ ପ୍ରୟାସ କରିଥିଲେ।ସମ୍ବଲପୁର ଠାରେ ଏହି ଆନ୍ଦୋଳନରେ ବିଭିନ୍ନ ଶ୍ରମିକ ସଂଗଠନର ସଭ୍ୟ ଧର୍ମଘଟରେ ସାମିଲ ହୋଇ କେନ୍ଦ୍ର ବିରୋଧୀ ନାରା ଦେଇଥିଲେ।

ହେଲେ ସମ୍ବଲପୁର ସହରରେ ଦୁଇଦିନିଆ ଧର୍ମଘଟ ପାଇଁ ଦୋକାନ ବଜାର, ଗାଡ଼ି ମୋଟର ଚଳାଚଳ ସ୍ବାଭାବିକ ରହିଥିବା ବେଳେ ବ୍ୟାଙ୍କ ବୀମା କାର୍ଯ୍ୟାଳୟ, ପେଟ୍ରୋଲ ପମ୍ପ ବନ୍ଦ ରହିଛି ।
ସହରର ଧନୁପାଲି, ଅଇଁଠାପାଲି, ଲକ୍ଷ୍ମୀ ଟକିଜ୍ ଛକରେ ଆନ୍ଦୋଳନକାରୀମାନେ ବନ୍ଦ ପାଳନ କରିଥିଲେ। ବନ୍ଦ ପାଳନ କରୁଥିବା ସଂଗଠନଗୁଡ଼ିକ ପକ୍ଷରୁ ଏକ ଶୋଭାଯାତ୍ରା ବାହାରି ଦୋକାନ ବଜାର ବନ୍ଦ କରିବାକୁ ବୁଝାଇବା ସହିତ କେନ୍ଦ୍ର ସରକାର ବିରୋଧୀ ନାରା ଦେଇଛନ୍ତି। ସମ୍ବଲପୁର ବିଶ୍ବବିଦ୍ୟାଳୟ ଓ ଜିଏମ୍ ବିଶ୍ବବିଦ୍ୟାଳୟର ପରୀକ୍ଷା ବାତିଲ କରାଯାଇଛି।