ଆଜି ଉତ୍କଳ ଦିବସ। ଦେଶର ପ୍ରଥମ ଭାଷାଭିତ୍ତିକ ରାଜ୍ୟ ଭାବେ ଓଡ଼ିଶାକୁ ଆଜି ଦିନରେ ମିଳିଥିଲା ମାନ୍ୟତା।
୮୭ତମ ଉତ୍କଳ ଦିବସ ଅବସରରେ ରାଜ୍ୟବାସୀଙ୍କୁ ଟୁଇଟରରେ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେ ଲେଖିଛନ୍ତି, ‘ଓଡ଼ିଶା ଦିବସରେ ସମସ୍ତଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା। ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ବରେଣ୍ୟ ସାଧକମାନଙ୍କୁ ଏହି ଅବସରରେ ମୋର ଶ୍ରଦ୍ଧାଞ୍ଜଳି ଜଣାଉଛି। ଆସନ୍ତୁ ଓଡ଼ିଆ ଜାତିର ସ୍ଵାଭିମାନକୁ ବଜାୟ ରଖିବା ସହ ଓଡ଼ିଶାର ସମୃଦ୍ଧି ପାଇଁ ଆମର ମିଳିତ ଉଦ୍ୟମକୁ ଆହୁରି ଶକ୍ତିଶାଳୀ କରିବା। ବନ୍ଦେ ଉତ୍କଳ ଜନନୀ ।
ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୨୧ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨୮୭୬୬୧ ଜଣକୁ ବୃଦ୍ଧି ପାଇଛି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୧୨୮୭୬୬୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୩୬୬ଟି ଆକ୍ଟିଭ୍ କେସ୍ ରହିଥିବା ବେଳେ ୧୨୭୮୧୨୧ ଜଣ ସୁସ୍ଥ ହୋଇଛନ୍ତି ।
ଉକ୍ତଳ ଦିବସ ଅବସରରେ ବଡ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାଜ୍ୟରେ ହିତାଧିକାରୀଙ୍କୁ ଆଉ ୬ ମାସ ମିଳିବ ମାଗଣା ଅତିରିକ୍ତ ଚାଉଳ । ହିତାଧିକାରୀଙ୍କୁ ସେପ୍ଟେମ୍ବର ଯାଏ ୫ କିଲୋ ଅତିରିକ୍ତ ଚାଉଳ ଦେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।
ଉତ୍କଳ ଦିବସ ଉପଲକ୍ଷେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡ଼ିଶାବାସୀଙ୍କୁ ଅଭିନନ୍ଦ ଜଣାଇଛନ୍ତି । ଟୁଇଟ୍ କରି ରାଷ୍ଟ୍ରପତି ରାମନାଥ କୋବିନ୍ଦ ଲେଖିଛନ୍ତି: “ଉତ୍କଳ ଦିବସରେ ରାଜ୍ୟବାସୀଙ୍କୁ ମୋର ଅଭିନନ୍ଦନ। ଜଗନ୍ନାଥ, ଲିଙ୍ଗରାଜ, କୋଣାର୍କ ମନ୍ଦିର ଏବଂ ଅନ୍ୟାନ୍ୟ ସମୃଦ୍ଧ ଐତିହ୍ୟର ରାଜ୍ୟ ଓଡ଼ିଶା ବିଶ୍ବକୁ ହିଂସା ବିବର୍ଜିତ ଶାନ୍ତି ଓ ପ୍ରୀତିର ବାର୍ତ୍ତା ଦେଇଛି। ଓଡ଼ିଶାର ପ୍ରଗତି ନିମନ୍ତେ ମୋର ଆନ୍ତରିକ ଶୁଭକାମନା ।” ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଟୁଇଟ୍ର୍ରେ ଲେଖିଛନ୍ତି: “ଉତ୍କଳର ଦିବସର ବିଶେଷ ଅବସରରେ ଓଡ଼ିଶାବାସୀଙ୍କୁ ଆନ୍ତରିକ ଶୁଭେଚ୍ଛା। ଭାରତର ପ୍ରଗତିରେ ଓଡ଼ିଶାବାସୀଙ୍କର ଅବଦାନ ଉଲ୍ଲେଖନୀୟ ଏବଂ ଓଡ଼ିଶାର ସଂସ୍କୃତି ବିଶ୍ବବ୍ୟାପୀ ପ୍ରଶଂସିତ। ଆଗାମୀ ଦିନରେ ଓଡ଼ିଶାର ବିକାଶ ପାଇଁ ମୁଁ ପ୍ରାର୍ଥନା କରୁଛି।”
ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧୩୩୫ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୫୨ଜଣଙ୍କ ମୃତ୍ୟୁ ଘଟିଛି । ଏବେସୁଦ୍ଧା ଦେଶରେ ପ୍ରାୟ ୪ କୋଟି ୩୦ ଲକ୍ଷ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେହିପରି ୧୩୬୭୨ ସକ୍ରିୟ ମାମଲା ରହିଛି ଏବଂ ୪ କୋଟି ୨୪ ଲକ୍ଷ ୯୦ ହଜାର ୯୨୨ ଜଣ ସୁସ୍ଥ ହୋଇ ଫେରିଛନ୍ତି । ଏହା ବ୍ୟତୀତ ୫୨୧୧୮୧ ସଂକ୍ରମିତ ପ୍ରାଣ ହରାଇଛନ୍ତି ।
ଆଜି ପ୍ରଧାନମନ୍ତ୍ରୀଙ୍କ ପରୀକ୍ଷା ପେ’ ଚର୍ଚ୍ଚା କାର୍ଯ୍ୟକ୍ରମ । ଦେଶର ବିଭିନ୍ନ ପ୍ରାନ୍ତର ଛାତ୍ରଛାତ୍ରୀମାନଙ୍କ ସହ ପରୀକ୍ଷା ସମ୍ପର୍କରେ ଭାବ ବିନିମୟ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଦିଲ୍ଲୀର ତାଲକଟୋରା ଷ୍ଟାଡିୟମରେ ପରୀକ୍ଷା ପେ ଚର୍ଚ୍ଚା କାର୍ଯ୍ୟକ୍ରମର ପଞ୍ଚମ ସଂସ୍କରଣ କରିବେ ପ୍ରଧାନମନ୍ତ୍ରୀ। ଏହି କାର୍ଯ୍ରକ୍ରମରେ ଛାତ୍ରଛାତ୍ରୀଙ୍କ ବ୍ୟତୀତ ଅଭିଭାବକ ଓ ଶିକ୍ଷକ ମଧ୍ୟ ଯୋଡ଼ି ହୋଇ ଚାପ ମୁକ୍ତ ପରୀକ୍ଷା ସମ୍ପର୍କରେ ନିଜ ନିଜର ମତ ପ୍ରଦାନ କରିବେ।
ଏପ୍ରିଲ ପହିଲାରୁ ସରକାରୀ ତୈଳ କମ୍ପାନୀମାନେ ଏଲପିଜି ସିଲିଣ୍ଡରର ଦାମ୍ ୨୫୦ ଟଙ୍କା ବୃଦ୍ଧି କରିଛନ୍ତି । ୧୯ କେଜି କମର୍ସିଆଲ ସିଲିଣ୍ଡର ବା ବାଣିଜ୍ୟିକ ଉଦ୍ଦେଶ୍ୟରେ ବ୍ୟବହୃତ ସିଲିଣ୍ଡର ଉପରେ ଏହି ଦାମ୍ ବଢିଛି । ଦାମ୍ ବୃଦ୍ଧି ପରେ ଏହି ସିଲିଣ୍ଡରର ଦାମ୍ ୨୨୫୩ ଟଙ୍କାରେ ପହଁଚିଛି ।
ଶ୍ରୀଲଙ୍କା ର ଅର୍ଥନୀତି ସ୍ଥିତି ଦିନକୁ ଦିନ ଆହୁରି ଉତ୍କଟ ହେବାରେ ଲାଗିଛି । ଅର୍ଥ ଅଭାବରୁ ପୂର୍ବରୁ ପିଲାମାନଙ୍କ ପରିକ୍ଷା ବନ୍ଦ କରାଯାଇଥିବା ବେଳେ ଏବେ ପାୱାର କଟ୍ କରାଯାଇ ବ୍ୟୟ କମ୍ କରିବାକୁ ନିଷ୍ପତି ନେଇଛନ୍ତି ସରକାର । ଖାଦ୍ୟ ସଙ୍କଟ ଠାରୁ ବିଭିନ୍ନ ସମସ୍ୟାରେ ଘାଣ୍ଟି ସନ୍ତୁଳି ହେଉଥିବା ଲୋକେ ଶେଷରେ ରାସ୍ତାକୁ ଉହ୍ଲାଇଛନ୍ତି। ଲୋକେ ଆନ୍ଦୋଳନ କରିବା ସହ ବିଭିନ୍ନ ସ୍ଥାନରେ ବିକ୍ଷୋଭ, ନାରାବାଜି ଓ ପୋଡ଼ାଜଳା ହୋଇଛି। ଯ଼ାହା ଫଳରେ ଅଶାନ୍ତ ହୋଇପଡ଼ିଛି ରାଜଧାନୀ କଲମ୍ବୋ।