ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ମାତ୍ର ୧୬ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୧୦ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ସଂକ୍ରମଣରୁ ୬ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି।
ଲିଙ୍ଗରାଜ ମନ୍ଦିର ଓ ଆଖପାଖରେ ଥିବା ଆଉ ୮ଟି ମନ୍ଦିରକୁ ଗୋଟିଏ ସ୍ୱତନ୍ତ୍ର ଆଇନ ପରିସରକୁ ଆଣିବା ଲାଗି ରାଜ୍ୟ ସରକାରଙ୍କ ଅଧ୍ୟାଦେଶ ଉପରେ କେନ୍ଦ୍ର ସରକାର ରୋକ ଲଗାଇଛନ୍ତି । ଏଭଳି ଏକ ଅଧ୍ୟାଦେଶ ଆଣିବା ରାଜ୍ୟ ସରକାରଙ୍କ କ୍ଷମତା ପରିସର ନୁହଁ ବୋଲି କେନ୍ଦ୍ର କହିଥିବା ନେଇ ଖବର ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଛି । ଏହାଫଳରେ କେନ୍ଦ୍ର ପ୍ରଣୀତ ଆଇନ ଓ ରାଜ୍ୟ ସରକାରଙ୍କ ଆଇନ ମଧ୍ୟରେ ବିଭେଦ ସୃଷ୍ଟି ହେବ ବୋଲି କେନ୍ଦ୍ର ସରକାର ଦର୍ଶାଇଛନ୍ତି ।
ଶ୍ରୀମନ୍ଦିର ରୋଷ ଘରେ ପଶି ଚୁଲିଭଙ୍ଗା ଘଟଣାରେ ଗତକାଲି ପୁରୀ ପୁଲିସ୍ ଜଣେ ସନ୍ଦିଗ୍ଧଙ୍କୁ ଅଟକ ରଖିଥିବା ବେଳେ ଆଜି ତାଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତଙ୍କ ନାଁ ଜେ. ମହାପାତ୍ର ଓ ତାଙ୍କ ବୟସ ୩୦ ବୋଲି ଜଣାଯାଇଛି। ଜେ. ମହାପାତ୍ରଙ୍କ ଘର ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ଥାନା ଅଞ୍ଚଳରେ ବୋଲି ଜଣାଯାଇଛି। ଗତକାଲି ଖୋର୍ଦ୍ଧା ଓ ପୁରୀ ଜିଲ୍ଲା ସୀମାରୁ ଜେ. ମହାପାତ୍ରଙ୍କୁ ଉଠାଇ ଆଣି ଏକ ଗୁପ୍ତ ସ୍ଥାନରେ ପଚରାଉଚରା କରୁଥିଲା ପୁରୀ ପୁଲିସ୍। ସେ ନିଜେ ଶ୍ରୀମନ୍ଦିରରେ ଚୁଲି ଭାଙ୍ଗିଥିବା ଘଟଣାକୁ ସ୍ୱୀକାର କରିଥିବା ଆଜି ପ୍ରେସ୍ ମିଟ୍ରେ କହିଛନ୍ତି ।ଏନେଇ ଗଣମାଧ୍ୟମକୁ ସୂଚନା ଦେବାକୁ ଯାଇ ପୁରୀ ଏସ୍ପି କନୱର ବିଶାଲ ସିଂ କହିଛନ୍ତି, ଅଭିଯୁକ୍ତ ଜଣକ ଘଟଣା ଦିନ ଶ୍ରୀମନ୍ଦିର ଆସି ବୁଲିଥିଲେ। ଏହା ମଧ୍ୟରେ ସେ କିଛି ଅସହଜ ଅନୁଭବ କଲେ। ତା’ ପରେ ରୋଷଘରକୁ ଯାଇ ଏପରି କାଣ୍ଡ ଘଟାଇଥିଲେ।
ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧୦୮୬ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୭୧ ଜଣଙ୍କ ମୃତ୍ୟୁ ଘଟିଛି । ଏବେସୁଦ୍ଧା ଦେଶରେ ପ୍ରାୟ ୪ କୋଟି ୩୦ ଲକ୍ଷ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେହିପରି ୧୧୮୭୧ ସକ୍ରିୟ ମାମଲା ରହିଛି ଏବଂ ପ୍ରାୟ ୪ କୋଟି ୨୪ ଲକ୍ଷ ଜଣ ସୁସ୍ଥ ହୋଇ ଫେରିଛନ୍ତି । ଏହା ବ୍ୟତୀତ ୫୨୧୪୮୭ ସଂକ୍ରମିତ ପ୍ରାଣ ହରାଇଛନ୍ତି ।
ଆଜି(ବୁଧବାର) ଭାରତୀୟ ଜନତା ପାର୍ଟିର ୪୨ତମ ପ୍ରତିଷ୍ଠା ଦିବସ । ୧୯୮୦ ମସିହା ଏପ୍ରିଲ ୬ ତାରିଖରେ ଭାରତୀୟ ଜନତା ପାର୍ଟିର ପ୍ରତିଷ୍ଠା ହୋଇଥିଲା ।ଏହି ଅବସରରେ ଦିଲ୍ଲୀର ମୁଖ୍ୟାଳୟରେ ବିଜେପି ରାଷ୍ଟ୍ରୀୟ ସଭାପତି ଜେପି ନାଡଡା ଦଳର ପତାକା ଉତ୍ତୋଳନ କରିଛନ୍ତି।
ଭାରତୀୟ ଜନତା ପାର୍ଟି ଆଜି(ବୁଧବାର) ୪୨ ତମ ପ୍ରତିଷ୍ଠା ଦିବସ ପାଳନ କରୁଛି । ଏହି ପରିପ୍ରେକ୍ଷୀରେ ବିଜେପିର ବରିଷ୍ଠ ନେତା କର୍ମୀଙ୍କୁ ଧନ୍ୟବାଦ ଦେଇଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ କାର୍ଯ୍ୟକର୍ତ୍ତାଙ୍କୁ ସମ୍ବୋଧନ ଦେଇ ଦଳର କାର୍ଯ୍ୟପନ୍ଥା ବାବଦରେ ଅବଗତ କରିଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି ବିଜେପି ଏକ ଭାରତ, ଶ୍ରେଷ୍ଠ ଭାରତ ସଂକଳ୍ପକୁ ନିରନ୍ତର ମଜବୁତ କରୁଛି । ତିନିଟି କାରଣ ପାଇଁ ଚଳିତ ବର୍ଷର ପ୍ରତିଷ୍ଠା ଦିବସ ଗୁରୁତ୍ୱପୂର୍ଣ୍ଣ ବୋଲି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି। ପ୍ରଥମ କାରଣଟି ହେଉଛି ଏହି ସମୟରେ ଆମେ ଦେଶର ସ୍ୱାଧୀନତାର ୭୫ ବର୍ଷ ପାଳନ କରୁଛୁ, ସ୍ୱାଧୀନତାର ଅମୃତ ମହୋତ୍ସଭ ପାଳନ କରୁଛୁ । ଦ୍ୱିତୀୟ କାରଣ ହେଉଛି ଦ୍ରୁତ ଗତିରେ ପରିବର୍ତ୍ତନ ହେଉଥିବା ବିଶ୍ୱ ପରିସ୍ଥିତି, ପରିବର୍ତ୍ତିତ ବିଶ୍ୱସ୍ତରୀୟ କ୍ରମ । ଏଥିରେ ଭାରତ ପାଇଁ କ୍ରମାଗତ ଭାବରେ ନୂତନ ସମ୍ଭାବନା ସୃଷ୍ଟି ହେଉଛି । ତୃତୀୟ କାରଣ ହେଉଛି କିଛି ସପ୍ତାହ ପୂର୍ବରୁ ଚାରିଟି ରାଜ୍ୟରେ ବିଜେପିର ଡବଲ ଇଞ୍ଜିନ୍ ସରକାର ଫେରି ଆସିଛନ୍ତି। ତିନି ଦଶନ୍ଧି ପରେ ରାଜ୍ୟସଭାରେ ଏକ ଦଳର ସଦସ୍ୟଙ୍କ ସଂଖ୍ୟା ୧୦୦ ରେ ପହଞ୍ଚିଛି।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଖାଦ୍ୟ ସୁରକ୍ଷା ପ୍ରକଳ୍ପ ‘ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା’ ଭାରତରେ କୋଭିଡ୍-୧୯ ମହାମାରୀ ସମୟରେ ଉତ୍କଟ ଦାରିଦ୍ର୍ୟ ସ୍ତର ବୃଦ୍ଧି ପ୍ରତିରୋଧ କରିବାରେ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିଥିବା କଥା ‘ଇଣ୍ଟର୍ନ୍ୟାସ୍ନାଲ୍ ମନିଟାରି ଫଣ୍ଡ୍’ (ଆଇଏମ୍ଏଫ୍) କରିଥିବା ଅଧ୍ୟୟନରୁ ଜଣାପଡ଼ିଛି।
ଆଜି ଫୋବର୍ସ ପକ୍ଷରୁ ବାର୍ଷିକ ବିଶ୍ୱ ଅରବପତିଙ୍କ ତାଲିକା ଜାରି କରାଯାଇଛି। ଏଥିରେ ଆମଜନ ପ୍ରତିଷ୍ଠାତା ଜେଫ ବେଜେସଙ୍କୁ ପଛରେ ପକାଇ ସ୍ପେଶ ଏକ୍ସ ଓ ଟେସଲା ସିଇଓ ଏଲନ ମସ୍କ ବିଶ୍ୱ ଧନୀ ତାଲିକାର ୧ନଂ ସ୍ଥାନରେ ପହଞ୍ଚି ଯାଇଛନ୍ତି। ଫୋବର୍ସ ଧନୀ ତାଲିକାରେ ରିଲାଏନ୍ସ ଇଣ୍ଡଷ୍ଟ୍ରୀର ଅଧ୍ୟକ୍ଷ ମୁକେଶ ଅମ୍ବାନୀ ୧୦ମ ସ୍ଥାନରେ ଥିବା ବେଳେ ଭିତ୍ତିଭୂମି ଟାଇକୁନ ଗୌତମ ଆଦାନୀ ଓ ତାଙ୍କ ପରିବାର ୧୧ତମ ସ୍ଥାନରେ ରହିଛନ୍ତି।
୪୨ ଦିନରେ ପହଞ୍ଚିଛି ରୁଷ ୟୁକ୍ରେନ୍ ଯୁଦ୍ଧ । ୟୁକ୍ରେନର ବିଭିନ୍ନ ସ୍ଥାନରେ ଜାରି ରହିଛି ଆକ୍ରମଣ । ତେବେ ବୁଚାରେ ହୋଇଥିବା ଘଟଣାକୁ ଭାରତ ମୁକ୍ତ କଣ୍ଠରେ ନିନ୍ଦା କରିଛି। ଜାତିସଂଘରେ ଭାରତର ପ୍ରତିନିଧି ଏହାକୁ ହୃଦୟ ବିଦାରକ କହିବା ସହିତ ଏହାର ନିରପେକ୍ଷ ତଦନ୍ତ ପାଇଁ ପ୍ରସ୍ତାବ ଦେଇଛନ୍ତି। ବୁଚା ନରସଂହାରକୁ ନିନ୍ଦା କଲା ଭାରତ । ଦାବି କଲା ନିରପେକ୍ଷ ତଦନ୍ତ । ସେପଟେ ଜାତିସଙ୍ଘରେ ବି ଉଠିଲାଣି ବିରୋଧ । ନରଂସାହର ପାଇଁ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ବିରୋଧ କଲେଣି ସବୁ ଦେଶ ।
କୋଭିଡ୍-୧୯ ସଂକ୍ରମଣ ବ୍ୟାପିଥିବା ସାଙ୍ଘାଇରେ ସହରବ୍ୟାପୀ କୋଭିଡ୍-୧୯ ପରୀକ୍ଷା କାର୍ଯ୍ୟକ୍ରମ ଯୋଗୁଁ ସୁପର୍ମାର୍କେଟ୍ ବନ୍ଦ କରାଯିବା ସହ ଯୋଗାଣ ଉପରେ କଟକଣା ଜାରି କରାଯିବାରୁ ଆଜି ଖାଦ୍ୟ ସମାଗ୍ରୀ ଯୋଗାଡ଼ କରିବା ଲାଗି ‘ଲକ୍ଡାଉନ୍’ରେ ଥିବା ଜନତା ଖାଦ୍ୟ ସାମଗ୍ରୀ ପାଇଁ ଧାଆଁଦୌଡ଼ କରୁଛନ୍ତି। ସାଙ୍ଘାଇ ସହରର ସରକାର ଆଜି କହିଛନ୍ତି, ସମସ୍ତଙ୍କ ନମୁନା ପରୀକ୍ଷଣ ଶେଷ ହୋଇ ଫଳାଫଳ ପ୍ରକାଶ ନ ପାଇବା ପର୍ଯ୍ୟନ୍ତ କଟକଣା ଉଠାଯିବା କଥା ବିଚାର କରାଯାଉନାହିଁ।
ରାଜନୈତିକ ସଙ୍କଟ ବଢ଼ି ଚାଲିଥିବା ଯୋଗୁଁ ‘ଆନ୍ତର୍ଜାତିକ ଆର୍ଥିକ ପାଣ୍ଠି’ରୁ ଆର୍ଥିକ ସହୟତା ପାଇବାରେ ଶ୍ରୀଲଙ୍କା ଅସୁବିଧାର ସମ୍ମୁଖୀନ ହେଉଥିବା ବେଳେ ରାଷ୍ଟ୍ରପତି ଗୋତବୟା ରାଜପକ୍ଷେ ରାଷ୍ଟ୍ରୀୟ ଜରୁରୀ ପରିସ୍ଥିତି ପ୍ରତ୍ୟାହାର କରି ନେଇଛନ୍ତି।



