
ଭୁବନେଶ୍ୱର:କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବାଲେଶ୍ୱର ଜିଲ୍ଲା ନୀଳଗିରିରେ କାର୍ଯ୍ୟରତ ଗଣମାଧ୍ୟମ ପ୍ରତିନିଧି ଲୋକନାଥ ଦଳେଇଙ୍କ ପ୍ରତି ପୁଲିସର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ,ପରିପେକ୍ଷୀରେ ଗଭୀର ଚିନ୍ତା ବ୍ୟକ୍ତ କରିଛନ୍ତି ।ଶ୍ରୀ ପ୍ରଧାନ ନିଜ ଟ୍ୱିଟର ଆକାଉଣ୍ଟ ମାଧ୍ୟମରେ କହିଛନ୍ତିକି, କାର୍ଯ୍ୟରତ ଗଣମାଧ୍ୟମ ପ୍ରତିନିଧି ଲୋକନାଥ ଦଳେଇଙ୍କ ପ୍ରତି ପୁଲିସର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ସହିତ ମେଡ଼ିକାଲରେ ଚିକିତ୍ସାଧୀନ ଅବସ୍ଥାରେ ଗୋଡ଼ରେ ବେଡ଼ି ପକାଇବା ଦୁଃଖଦାୟକ ଓ ଗଭୀର ଚିନ୍ତାଜନକ ।
ଶ୍ରୀ ପ୍ରଧାନ କହିଛନ୍ତି ଯେ ଗଣମାଧ୍ୟମ ହେଉଛି ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ । ଓଡ଼ିଶାରେ ବିଗତ କିଛି ଦିନ ମଧ୍ୟରେ ଅନେକ ସାମ୍ବାଦିକଙ୍କୁ ପୁଲିସ ଦୁଃବ୍ୟବହାର ଓ ମାଡ଼ମାରିଛି। ମାଲକାନଗିରିରେ ସାମ୍ବାଦିକମାନଙ୍କୁ ପୁଲିସର ଦୁଃବ୍ୟବହାର କିମ୍ବା ନିର୍ବାଚନ ସମୟରେ ଯାଜପୁର,ପିପିଲି ତଥା ଅନେକ ସ୍ଥାନରେ ସାମ୍ବାଦିକମାନଙ୍କ ଉପରେ ବାରମ୍ବାର ଆକ୍ରମଣ ଘଟଣା ରାଜ୍ୟ ପାଇଁ ଶୁଭଙ୍କର ନୁହେଁ। ଗଣତନ୍ତ୍ରରେ ଭିନ୍ନ ମତକୁ ସମ୍ମାନ ଦେବାକୁ ପଡ଼େ। କିନ୍ତୁ ଏକ ପେଶାଦାର ଅପରାଧୀ ଭଳି ଜଣେ ସାମ୍ବାଦିକଙ୍କ ଗୋଡ଼ରେ ବେଡ଼ି ପକାଯିବା ସୁସ୍ଥ ସମାଜରେ ଆଦୌ ଗ୍ରହଣୀୟ ନୁହେଁ।

ପୁଲିସ ପ୍ରଶାସନ ଉପରେ ସାଧାରଣ ଲୋକଙ୍କର ଭରସା ରହିଥାଏ । ଏହି ଭରସା ବଜାୟ ରଖିବାକୁ ହେଲେ ଉଚ୍ଚପଦସ୍ଥ ଅଧିକାରୀ ମାନେ ସଠିକ୍ ଭାବରେ ତଦନ୍ତ କରି ଏଭଳି କାର୍ଯ୍ୟରେ ସମ୍ପୃକ୍ତ ଥିବା ଅଧିକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି।
ସୂଚନା ମୁତାବିକ,ନୀଳଗିରି ବଜାରରେ ଗାଡ଼ି ପିର୍କିଂକୁ ନେଇ ‘ସମ୍ବାଦ’ର ସାମ୍ବାଦିକ ତଥା ଓଡିଶା ୱେବ ଆଣ୍ଡ ଡିଜିଟାଲ ମିଡ଼ିଆ ସଂଘର ବାଲେଶ୍ୱର ଜିଲ୍ଲା ସଭାପତି ଲୋକନାଥ ଦଳେଇ ଏବଂ ସ୍ଥାନୀୟ ଥାନାର ଜଣେ କନ୍ଷ୍ଟେବଲଙ୍କ ସହ ଗତ ୪ ତାରିଖ ଦିନ କଥା କଟାକଟି ହୋଇଥିଲା। ଲୋକନାଥ ନୀଳଗିରି ପୁଲିସର ମନମୁଖି କାମ ତଥା ଡ୍ରଗ୍ସ କାରବାର ନେଇ ଏକାଧିକ ଖବର ପ୍ରକାଶ କରିଥିବାରୁ ସେ ଟାର୍ଗେଟ୍ରେ ଥିଲେ।
କନ୍ଷ୍ଟେବଲଙ୍କ ସହ ଯୁକ୍ତିତର୍କ ପରେ ନୀଳଗିରିି ପୁଲିସକୁ ପ୍ରତିଶୋଧ ନେବାର ସୁଯୋଗ ମିଳିଥିଲା। ଗତକାଲି ଲୋକନାଥଙ୍କ ନାମରେ ମିଛ ମାମଲା ରୁଜୁ ସହ ତାଙ୍କୁ ଗିରଫ କରାଯାଇଥିଲା। ଏମିତି କି ଥାନାରେ ତାଙ୍କୁ ମାଡ଼ ମରାଯାଇଥିଲା। ଏପରି ସମୟରେ ଲୋକନାଥ ଅସୁସ୍ଥ ହୋଇପଡ଼ିଥିଲେ। ତେଣୁ ପୁଲିସ ବାଧ୍ୟ ହୋଇ ତାଙ୍କୁ ପ୍ରଥମେ ନୀଳଗିରି ଏବଂ ସେଠାରୁ ବାଲେଶ୍ବର ଡାକ୍ତରଖାନା ନେଇଥିଲା। ତେବେ ଡାକ୍ତରଖାନାରେ ବି ପୁଲିସ ବହପ ଦେଖାଇଥିଲା। ବେଡ୍ରେ ଚିକିତ୍ସିତ ହେଉଥିବା ଲୋକନାଥଙ୍କ ଗୋଡ଼ରେ ବେଡ଼ି ପକାଇ ଦେଇଥିବା ଦେଖିବାକୁ ମିଳିଥିଲା।