
ଦୁଃଶାସନ ପୃଷ୍ଟି(ଢେଙ୍କାନାଳ):ଢେଙ୍କାନାଳର ନବନିର୍ବାଚିତ ପୌରାଧ୍ୟକ୍ଷା ଜୟନ୍ତୀ ପାତ୍ରଙ୍କୁ ଗତ ୩୦ ତାରିଖରେ ଜୀବନରେ ମାରିଦେବାର ଧମକ ସହ ୫ ରାଉଣ୍ଡ ଗୁଳିଚାଳନା ପରେ, ପୁଣି ଗତକାଲି ରାତି ୧ ଟା୩୬ ମିନିଟ ସମୟରେ ତାଙ୍କ ଘର ଉପରକୁ ବୋମାମାଡ଼ ହୋଇଥିବାର ଖବର ମିଳିଛି।
ଏଥିରେ ତାଙ୍କ ଘର ଫାଟକ ନଷ୍ଟ ହେଇଛି। ବୋମା ମାଡ଼ର ସିସିଟିଭି ଫୁଟେଜ ହସ୍ତଗତ ହୋଇଛି। ଘର ବାହାରକୁ ଥିବା ପାଚେରୀର କିଛି ଅଂଶ ଭାଙ୍ଗି ଯାଇଥିବା ସହ, ଦୁଇଚକିଆ ଯାନ କ୍ଷୟକ୍ଷତି ହୋଇଛି। ବୋମାମାଡ଼ କରି ଦୁର୍ବୃତ୍ତ ଫେରାର ହୋଇ ଯାଇଛନ୍ତି।କୌଣସି ଧନଜୀବନ କ୍ଷୟକ୍ଷତି ହୋଇନଥିବା ଜଣାପଡ଼ିଛି।ଏନେଇ ଟାଉନ ଥାନାରେ ଅଭିଯୋଗ ହୋଇଛି। ଏହି ଘଟଣାରେ ପୌରାଧ୍ୟକ୍ଷା ଜୟନ୍ତୀ ପାତ୍ର ବିଜେଡିକୁ ଦାୟୀ କରିଛନ୍ତି ।
ସୂଚନାଯୋଗ୍ୟ, ମାର୍ଚ୍ଚ ୩୦ ତାରିଖ ମଧ୍ୟ ରାତିରେ ଢେଙ୍କାନାଳ ନବନିର୍ବାଚିତ ନଗରପାଳ ଜୟନ୍ତୀ ପାତ୍ରଙ୍କ ଘର ଉପରେ ଦୁର୍ବୃତ୍ତମାନେ ଗୁଳିମାଡ଼ କରିଥିଲେ। ସେମାନେ ଅସଭ୍ୟ ଭାଷାରେ ଗାଳିଗୁଲଜ କରି ହତ୍ୟା ଧମକ ଦେଇଥିଲେ। ସେମାନଙ୍କ ପାଟି ଶୁଣି ଶ୍ରୀମତୀ ପାତ୍ର ତାଙ୍କ ବାଲକୋନିକୁ ଆସି ଦେଖୁଥିବା ବେଳେ ଏହି ଅସାମାଜିକ ଯୁବକମାନେ ତାଙ୍କୁ ଲକ୍ଷ୍ୟ କରି ୫ ରାଉଣ୍ତ ଗୁଳିଚାଳନା କରିଥିଲେ। ଶ୍ରୀମତୀ ପାତ୍ର ଭୟରେ କବାଟ ଦେଇଦେବାରୁ ତାଙ୍କ ଜୀବନ ଅଳ୍ପକେ ବର୍ତ୍ତିଯାଇଥିଲା। ଶ୍ରୀମତୀ ପାତ୍ରଙ୍କ ସ୍ବାମୀ ବିଜେପିର ବରିଷ୍ଠ ନେତା ରାମଚନ୍ଦ୍ର ପାତ୍ରଙ୍କ ନାମ ଉଚ୍ଚାରଣ କରି ଯୁବକମାନେ ଗାଳିଗୁଲଜ କରିବା ସହ ତାଙ୍କୁ ଜୀବନରେ ମାରିଦେବାକୁ ଧମକ ଦେଇଥିଲେ ବୋଲି ଶ୍ରୀମତୀ ପାତ୍ର ଟାଉନ୍ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ସେହିପରି ଶ୍ରୀମତୀ ପାତ୍ର ନିଜ କର୍ମୀମାନଙ୍କ ସହ ଏସ୍ପିଙ୍କ ପାଖକୁ ମଧ୍ୟ ଯାଇ ଘଟଣା ସଂପର୍କରେ ଲିଖିତ ଅଭିଯୋଗ କରିଥିଲେ। ଏଥିପାଇଁ ପୁଲିସରେ ମାମଲା ରୁଜୁ କରାଯାଇଥିଲ।