
ଭୁବନେଶ୍ୱର ୧୧।୦୪ :କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଢ଼େଙ୍କାନାଳରେ ପୌରାଧ୍ୟକ୍ଷଙ୍କ ଘରକୁ ବୋମାମାଡ଼ ଘଟଣାରେ ଚିନ୍ତାପ୍ରକଟ କରିଛନ୍ତି । ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ପୋଲିସ ଡିଜିଙ୍କ ସହ କଥା ହୋଇଛନ୍ତି ଶ୍ରୀ ପ୍ରଧାନ ।ମୁଖ୍ୟମନ୍ତ୍ରୀ ଗୃହ ବିଭାଗ ଦାୟିତ୍ୱରେ ଥିବାରୁ,ଏହି ଘଟଣାରେ ହସ୍ତକ୍ଷେପ କରି ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବେ ବୋଲି ସେ ଆଶାବ୍ୟକ୍ତ କରିଛନ୍ତି ।
ସେ ଆହୁରୀ ମଧ୍ୟ କହିଛନ୍ତି ଯେ, ଢ଼େଙ୍କାନାଳ ହେଉଛି ଶାନ୍ତିପ୍ରିୟ ଅଞ୍ଚଳ । ଦୁର୍ବୃତ୍ତ ମାନେ ନିର୍ଭୟରେ ଏଭଳି ଘଟଣା ଘଟାଇବା ଅତ୍ୟନ୍ତ ଚିନ୍ତାଜନକ । ଭୟ ଓ ଆତଙ୍କରାଜ ସୃଷ୍ଟି କରି ବିଜେପି ନେତାଙ୍କ ସ୍ୱରକୁ ଦବାଯାଇପାରିବ ନାହିଁ । ଏଭଳି ଏକ ଦୁର୍ଭାଗ୍ୟପୂର୍ଣ୍ଣ ଘଟଣା କେବଳ ମୋ ପାଇଁ ନୁହେଁ ବରଂ ଓଡ଼ିଶାର ପ୍ରତ୍ୟେକ ନାଗରିକଙ୍କ ପାଇଁ ଚିନ୍ତାର କାରଣ । ନିକଟ ଅତୀତରେ ପ୍ରାକ୍ ଏବଂ ପରବର୍ତ୍ତୀ ନିର୍ବାଚନୀ ହିଂସା ରାଜ୍ୟର ବିପର୍ଯ୍ୟସ୍ତ ଆଇନଶୃଙ୍ଖଳାକୁ ଦର୍ଶାଇବା ସହ ଗଣତନ୍ତ୍ର ପ୍ରତି ବିପଦ ସୃଷ୍ଟି କଲା ଭଳି ମନେହେଉଛି।