ଆଜିର ଖାସ୍ ଖବର

ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୧୪ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨୮୭୮୭୪ ଜଣକୁ ବୃଦ୍ଧି ପାଇଛି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୧୨୮୭୮୭୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୧୩୦ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୧୨୭୮୫୬୯ ଜଣ ସୁସ୍ଥ ହୋଇଛନ୍ତି ।

ଆଜି ରାଜଧାନୀ ଭୁବନେଶ୍ୱରର ୭୪ ତମ ପ୍ରତିଷ୍ଠା ଦିବସ । ୧୯୪୮ରେ ଏପ୍ରିଲ ୧୩ରେ ମନ୍ଦିର ମାଳିନୀ ସହର ଭୁବନେଶ୍ବର ଓଡ଼ିଶାର ରାଜଧାନୀ ହୋଇଥିଲା । ଏହି ଅବସରରେ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । 

ଆଜି ବାବା ଲିଙ୍ଗରାଜଙ୍କ ବାହୁଡ଼ାଯାତ୍ରା। ବାବା ଲିଙ୍ଗରାଜ ରୁକୁଣାରଥରେ ବିରାଜମାନ ହୋଇ ରାମେଶ୍ୱର ମନ୍ଦିରରୁ ଫେରିବେ । ଏଥିପାଇଁ ସ୍ୱତନ୍ତ୍ର ନୀତି ନିର୍ଘଣ୍ଟ ହୋଇଅଛି। ସକାଳ ୬ଟା ୩୦ରୁ ମଙ୍ଗଳ ‌ଆଳତି ଓ ଅବକାଶ ନୀତି ଶେଷ ପରେ ସାହାଣ ମେଳା ଦର୍ଶନ ଚାଲିଛି। ପରେ ଅନ୍ୟ ନୀତିକାନ୍ତି ବଢିବା ସହ ଦିନ ୧ଟା ୩୦ରେ ପହଣ୍ଡି କରାଯିବ। ୩ଟା ୩୦ରେ  ରଥ ଟଣା ଆରମ୍ଭ କରିବାକୁ ନିର୍ଘଣ୍ଟ ହୋଇଛି।

ଆସନ୍ତା ୧୪ ଓ ୧୫ ତାରିଖ ଦୁଇଦିନ ଧରି ବନ୍ଦ ରହିବ ଭୁବନେଶ୍ୱର ଏମ୍ସର ଓପିଡି।  ମହାବୀର ଜୟନ୍ତୀ ଓ ଗୁଡ୍ ଫ୍ରାଇଡେ୍ ପଡୁଥିବାରୁ ଏହି ଦୁଇଦିନ ଓପିଡି ସେବା ବନ୍ଦ ରହିବ। ଏନେଇ ଏମ୍ସ କର୍ତ୍ତୃପକ୍ଷଙ୍କପକ୍ଷରୁ ନୋଟିସ ଜାରି କରାଯାଇଛି।

ଆଜି ୭୪ ତମ ରାଜଧାନୀ ପ୍ରତିଷ୍ଠା ଦିବସରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବହୁ ମନ୍ତ୍ରୀଙ୍କ ସହ ସଚିବମାନଙ୍କୁ ନିମନ୍ତ୍ରଣ କରାଯାଇଥିଲେ ବି ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀଙ୍କୁ ଡକାଯାଇନାହିଁ । ଆଉ ଏହାକୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି ଅପରାଜିତା ଷଡଙ୍ଗୀ । ଟ୍ୱିଟ କରି ଅପରାଜିତା ଲେଖିଛନ୍ତି ଯେ ରାଜ୍ୟ ସରକାରଙ୍କ ଦ୍ୱାରା ଆଜି ରାଜଧାନୀ ପ୍ରତିଷ୍ଠା ଦିବସ ଅବସରରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ ହେଉଛି । ସମସ୍ତଙ୍କୁ ନିମନ୍ତ୍ରଣ କରାଯାଇଥିଲେ ବି ମୋତେ କରାଯାଇନାହିଁ । ମୁଁ ବି ଯୋଗ ଦେବାକୁ ଚାଁହୁଥିଲେ ବି ମୋତେ ଡକାଯାଇନାହିଁ । ମୋର ଭୁଲ କଣ ବୋଲି ପ୍ରଶ୍ନ କରିଛନ୍ତି

ସମଗ୍ର ଦେଶରେ ୨୪ ଘଣ୍ଟା ମଧ୍ୟରେ ୧,୦୮୮ କରୋନା ନୂତନ ସଂକ୍ରମଣ ଓ ୨୬ ମୃତ୍ୟୁ ରେକର୍ଡ କରାଯାଇଛି। ୨୪ ଘଣ୍ଟାରେ ଚିହ୍ନଟ ହୋଇଥିବା ନୂତନ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୪,୩୦,୩୮,୦୧୬ରେ ପହଞ୍ଚିଛି। ସମୁଦାୟ କୋଭିଡ୍‌-୧୯ଜନିତ ମୃତ୍ୟୁସଂଖ୍ୟା ୫,୨୧,୭୩୬ରେ ପହଞ୍ଚିଛି।

ସ୍ପାଇସ ଜେଟ୍‌ର ୯୦ ଜଣ ପାଇଲଟ୍‌ ବୋଇଂ ୭୩୭ ମାକ୍ସ ବିମାନ ଚଳାଇବା ପାଇଁ ଯୋଗ୍ୟ ନୁହନ୍ତି। ଯାଞ୍ଚ ବେଳେ ଡିଜିସିଏ ଏତେ ସଂଖ୍ୟକ ପାଇଲଟଙ୍କୁ ଅନଫିଟ୍ ଘୋଷଣା କରିଛି। ଏଥିସହ ସେମାନଙ୍କୁ ବୋଇଂ ମାକ୍ସ ବିମାନ ଚଳାଇବା ପାଇଁ ଆଉ ଥରେ ଟ୍ରେନିଂ ନେବାକୁ କୁହାଯାଇଛି। ଟ୍ରେନିଂ ଶେଷ ନ ହେବା ଯାଏ ଅଯୋଗ୍ୟ ଘୋଷିତ ହୋଇଥିବା ପାଇଲଟମାନେ ଉକ୍ତ ବିମାନ ଚଲାଇ ପାରିବେ ନାହିଁ ।

ରୁଷ ବିରୋଧରେ ନିଜର ଆଭିମୁଖ୍ୟକୁ ଆହୁରି କଠୋର କରିଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ। ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ୟୁକ୍ରେନ ବିରୋଧରେ କରୁଥିବା ଯୁଦ୍ଧକୁ ବାଇଡେନ ପ୍ରଥମଥର ପାଇଁ ନରସଂହାର ଭାବେ ଅବିହିତ କରିଛନ୍ତି । ବାଇଡେନ କହିଛନ୍ତି, “ହଁ, ମୁଁ ଏପରି ଘଟଣାକୁ ନରସଂହାର ବୋଲି କହୁଛି। ରୁଷ ସେନା ଘଟାଉଥିବା କାଣ୍ଡ ନରସଂହାର ପାଇଁ ଯୋଗ୍ୟ କି ନୁହେଁ, ସେକଥା ଆଇଜୀବୀମାନେ ଅନ୍ତର୍ଜାତୀୟସ୍ତରରେ ବିଚାର କରିବେ।”

ୟୁକ୍ରେନକୁ ପୁଣିଥରେ ସାମାରିକ ସହାୟତା ଯୋଗାଇଦେବ ଆମେରିକା । ରାଷ୍ଟ୍ରପତି ବାଇଡେନଙ୍କ ପ୍ରଶାସନ ୟୁକ୍ରେନକୁ ୭୫୦ ମିଲିୟନ ଡଲାରର ଯୁଦ୍ଧାସ୍ତ୍ର ଯୋଗାଇ ଦେବାକୁ ନିଷ୍ପତ୍ତି ନେଇଛି। ପ୍ରେସିଡେଣ୍ଟାଲ ଡ୍ରଡାଉନ ଅଥୋରିଟି ବା ପିଡିଏ ବଳରେ ଯୁଦ୍ଧାସ୍ତ୍ର ଯୋଗାଇ ଦିଆଯିବ। ପିଡିଏ ବଳରେ ଯୁଦ୍ଧାସ୍ତ୍ର ଦିଆଯିବାର ଅର୍ଥ ରାଷ୍ଟ୍ରପତି ନିଜ କ୍ଷମତା ବଳରେ ଏହି ସହାୟତା କରିବେ। ଏଥିପାଇଁ କାହାର ଅନୁମତି ଆବଶ୍ୟକ ନାହିଁ। ସାଧାରଣତଃ ଜରୁରୀ ପରିସ୍ଥିତି ସମୟରେ ଏପରି କ୍ଷମତାର ପ୍ରୟୋଗ କରାଯାଏ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ପୂର୍ବତନ ପୁଲିସ୍ ଡିଜି ଅଭୟଙ୍କୁ ଓଡ଼ିଶା ଷ୍ଟାଫ୍‌ ସିଲେକ୍‌ସନ କମିସନର ଅଧ୍ୟକ୍ଷ ଭାବେ ନିଯୁକ୍ତି ...

Wed Apr 13 , 2022
ଭୁବନେଶ୍ବର: ପୂର୍ବତନ ପୁଲିସ୍ ଡିଜି ଅଭୟଙ୍କୁ ନୂଆ ଦାଇତ୍ୱ ଦେଇଛନ୍ତି ରାଜ୍ୟ ସରକାର। ଅଭୟଙ୍କୁ ଓଡ଼ିଶା ଷ୍ଟାଫ୍‌ ସିଲେକ୍‌ସନ କମିସନର ଅଧ୍ୟକ୍ଷ ଭାବେ ନିଯୁକ୍ତି ଦେଇଛନ୍ତି। ରାଜ୍ୟ ସରକାରଙ୍କର ସାଧାରଣ ପ୍ରଶାସନ ପକ୍ଷରୁ ଏ ନେଇ ଆଜି ବିଜ୍ଞପ୍ତି ପ୍ରକାଶ ପାଇଛି। ଓଡ଼ିଶା ଷ୍ଟାଫ୍‌ ସିଲେକ୍‌ସନ ନିୟମ ଅନୁସାରେ ଅଭୟ ଦାୟିତ୍ବ ନେବା ତାରିଖଠାରୁ ଏହି ପଦବିରେ ୫ ବର୍ଷ କିମ୍ବା ତାଙ୍କୁ ୬୨ ବର୍ଷ ବୟସ ହେଲା ପର୍ଯ୍ୟନ୍ତ […]

You May Like

Pin It on Pinterest