
ନବୀନ ଦାସ(ବରଗଡ଼) ୧୬/୦୪: ଆଜି ଚୈତ୍ର ପୂର୍ଣ୍ଣିମା,ପ୍ରତିବର୍ଷ ଏହି ଦିନରେ ବରଗଡ଼ର ଅଧିଷ୍ଠାତ୍ରୀ ଦେବୀ ମା ସମଲେଶ୍ବରୀଙ୍କ ଗଙ୍ଗା ଜଳାଭିଷେକ ସହ ମହାସ୍ନାନ ଉତ୍ସବ ପାଳିତ ହୋଇଥାଏ । ହେଲେ କରୋନା ମହାମାରୀ କାରଣରୁ ଗତ ଦୁଇବର୍ଷ ହେବ ମାଆଙ୍କ ମହାସ୍ନାନ ଉତ୍ସଵ ବନ୍ଦ ଥିବା ବେଳେ ଚଳିତ ବର୍ଷ ମାଙ୍କ ଜଳାଭିଷେକ କରିବା ପାଇଁ ହଜାର ହଜାର ଭକ୍ତ ଓ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା । ମନ୍ଦିର କମିଟି ପକ୍ଷରୁ ଭକ୍ତଙ୍କ ପାଇଁ ମାଙ୍କ ଠାରେ ଲାଗି ହୋଇଥିବା ଛପନ ଭୋଗ ବଣ୍ଟାଯାଇଥିଲା ।
ଆଜି ସକାଳ ୫ଟା ଠାରୁ ମାଆଙ୍କ ପାରମ୍ପରିକ ପୂଜାର୍ଚ୍ଚନା ପରେ ଜଳାଭିଷେକ ଆରମ୍ଭ ହୋଇଥିଲା ।ତ୍ରିବେଣୀ ସଂଗମରୁ ଗଙ୍ଗାଜଳ ଆଣି ମାଆଙ୍କ ଜଳାଭିଷେକ କରାଯାଇଛି । ଏହି ଅବସରରେ ମାଆଙ୍କୁ ମହାଭୋଗ ଅର୍ପଣ କରିବା ସହ ଭକ୍ତଙ୍କୁ ପ୍ରସାଦ ଆକାରରେ ବଣ୍ଟା ଯାଇଛି ।
ମା’ ସମଲେଶ୍ବରୀଙ୍କ ସ୍ନାନ ଯାତ୍ରା ଉପରେ ଲୋକଙ୍କ ବିଶ୍ୱାସ ରହିଛି ଯେ ଚୈତ୍ର ମାସ ପରେ ରୌଦ୍ରତାପ ବୃଦ୍ଧି ଯୋଗୁ ପୃଥିବୀ ପୃଷ୍ଠ ଉତ୍ତପ୍ତ ହୋଇ ସୃଷ୍ଟି ହେଉଥିବା ବସନ୍ତ, ହାଡଫୁଟି, ମିଳିମିଳା ପରି ରୋଗରୁ ମୁକ୍ତି ମିଳିଥାଏ । ଏହି ବିଶ୍ୱାସ ନେଇ ପ୍ରତିବର୍ଷ ମାଆଙ୍କ ମହାସ୍ନାନ ଉତ୍ସଵ ପାରମ୍ପାରିକ ଭାବରେ ପାଳିତ ହୋଇ ଆସୁଛି ।



