
ରାକେଶ ମହାନ୍ତି(କେନ୍ଦ୍ରାପଡ଼ା) ୧୯।୦୪: ମାର୍ଶାଘାଇ ଥାନା ତିଖିରି ପଞ୍ଚାୟତରେ ଅଭାବନୀୟ ଘଟଣା। ସରପଞ୍ଚ ଙ୍କ ପ୍ରଜାକୋର୍ଟ,ଠାକୁରାଣୀଙ୍କ ଚାନ୍ଦା ପାଇଁ ଦଳିତ ବର୍ଗର ବ୍ୟକ୍ତିଙ୍କ ପ୍ରତି ଦବଂଗ ଗିରି । ଦୁଇ ବର୍ଷ ହେଲା ଗାଁ ଠାକୁରାଣୀଙ୍କ ଚାନ୍ଦା ଦେଇ ନଥିବାରୁ ଗାଁରେ ସଭା ଡକାଇ ସରପଞ୍ଚ ଓ ତାଙ୍କ ସହଯୋଗୀମାନେ ସର୍ବସମ୍ମୁଖରେ ତଳେ ଛେପ ପକାଇ ନାକ ଘଷାଇଥିବା ସୂଚନା ମିଳିଛି ଆସିଛି ।ପୀଡ଼ିତ ଗୁରୁଚରଣ ମଳିକଙ୍କ ପତ୍ନୀ ରେଖା ମଳିକ ଏ ନେଇ ଥାନାରେ ଅଭିଯୋଗ କରିଛନ୍ତି । ପୋଲିସ ଘଟଣାରେ ତଦନ୍ତ ଉପରେ ସମସ୍ତଙ୍କ ନଜର ।
ସୂଚନା ଅନୁଯାୟୀ, ମାର୍ଶାଘାଇ ଥାନା ତିଖିରି ଗାଁରେ ,ଗୁରୁଚରଣ ପରିବାର ସହ ବସବାସ କରିଆସୁଛନ୍ତି । ୧୬ ତାରିଖ ରାତି ପ୍ରାୟ ୧୦ଟା ବେଳେ ଘରେ ଗୁରୁଚରଣ, ତାଙ୍କ ବାପା କେହି ନଥିବା ବେଳେ, ଗାଁର ବିଜୟ ସ୍ୱାଇଁ ଓ ରାକେଶ ସୂତାର ଘରେ ପଶି ତାଙ୍କ ଉପରକୁ ଟର୍ଚ୍ଚ ପକାଇଥିଲେ । ଆସିବାର କାରଣ ପଚାରିବାରୁ ଗାଁ ଠାକୁରାଣୀଙ୍କ ବାର୍ଷିକ ପୂଜା ଚାନ୍ଦା ଆଦାୟ କରିବାକୁ ଆସିଥିବା କହିଥିଲେ । ବିଳମ୍ବିତ ରାତିରେ କାହିଁକି ଚାନ୍ଦା ଆଦାୟ କରିବାକୁ ଆସିଛନ୍ତି ବୋଲି ରେଖା ପଚାରିବାରୁ ବାହାରେ ଛିଡ଼ା ହୋଇଥିବା ସରପଞ୍ଚ ଚାମେଲି ଓଝା ଓ କାଳିଆ ସୂତାର ତାଙ୍କ ପ୍ରତି ଜାତିଆଣ ଆକ୍ଷେପ କରି ଅସଭ୍ୟ ଭାଷାରେ ଗାଳିଗୁଲଜ କରିଥିଲେ । ଏହି ସମୟରେ ଗୁରୁଚରଣ ପହଞ୍ଚିବାରୁ ସରପଞ୍ଚ ଓ ତାଙ୍କ ସହଯୋଗୀଙ୍କ ସହ ପାଟିତୁଣ୍ଡ ହୋଇଥିଲା ।
ସରପଞ୍ଚ ରବିବାର ଦିନ ଗୁରୁଚରଣଙ୍କୁ ଗାଁ ସଭାକୁ ଡକାଇଥିଲେ । ସଭାକୁ ଗୁରୁଚରଣଙ୍କ ପାଇଁ ବାପା ଓ ଦାଦା ଯାଇଥିଲେ । ହେଲେ ଗୁରୁଚରଣ ସରପଞ୍ଚ ଓ ତାଙ୍କ ସହଯୋଗୀମାନଙ୍କୁ ଗାଳିଗୁଲଜ କରିଥିବାରୁ ତାଙ୍କୁ ସଭାରେ ଉପସ୍ଥିତ ହେବାକୁ ବାଧ୍ୟ କରାଯାଇଥିଲା । ଗୁରୁଚରଣଙ୍କ ବାପା ସେମାନଙ୍କ ଗୋଡ଼ହାତ ଧରି କ୍ଷମା ମାଗିଥିଲେ ବି ସେମାନେ ଜିଦ୍ରେ ଅଟଳ ରହିଥିଲେ । ପରିବାରକୁ ନିଆଁପାଣି ବାସନ୍ଦ କରି ଦିଆଯିବ ବୋଲି ଧମକ ଦେଇଥିଲେ । ଶେଷରେ ଗୁରୁଚରଣଙ୍କୁ ସଭାକୁ ଆସିବାକୁ ପଡ଼ିଥିଲା ।
ସଭାରେ ସରପଞ୍ଚ, ତାଙ୍କର ସହଯୋଗୀମାନେ ତାଙ୍କ ପ୍ରତି ଜାତିଆଣ ଆକ୍ଷେପ କରିବା ସହିତ ତଳେ ଛେପ ପକାଇ ନାକ ଘୋଷାରିବାକୁ କହିଥିଲେ । ଗୁରୁଚରଣ ବାଧ୍ୟ ହୋଇ ତଳେ ଛେପ ପକାଇ ନାକ ଘଷିଥିଲେ । ସର୍ବସମ୍ମୁଖରେ ଅପମାନିତ ଓ ଲଜ୍ଜିତ ହୋଇ ଗୁରୁଚରଣ ମାନସିକ ଭାରସାମ୍ୟ ହରାଇ ବସିଛନ୍ତି। ରେଖା ଏପରି ଘୃଣ୍ୟ କାମର ପ୍ରତିବାଦ କରିବାରୁ ତାଙ୍କୁ ମଧ୍ୟ ସର୍ବସମ୍ମୁଖରେ ଉଲଗ୍ନ କରି ମାଡ଼ ମାରିବାକୁ ଧମକ ଦିଆଯାଇଛି। ସେମାନଙ୍କ ପରିବାର ପ୍ରତି ବିପଦ ଅଛି । ତୁରନ୍ତ ଏ ଦିଗରେ ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ପାଇଁ ଗୁରୁଚରଣଙ୍କ ପତ୍ନୀ ରେଖା ନିବେଦନ କରିଛନ୍ତି।